ଆଜି ‘କାରଗିଲ୍ ବିଜୟ ଦିବସ’, ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ

ଆଜି ‘କାରଗିଲ୍ ବିଜୟ ଦିବସ’ । ‘କାରଗିଲ୍‌‌ -ଯୁଦ୍ଧ’ ଭାରତରେ ସମର ଇତିହାସରେ ସୃଷ୍ଟି କରିଥିଲା ଏକ ନୂଆ ଇତିହାସ। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲ୍‌ରେ ବିଜୟ ଧ୍ବଜା ଉଡ଼ାଇଥିଲା ଭାରତ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା […]

ଆଜି ‘କାରଗିଲ୍ ବିଜୟ ଦିବସ’ । ‘କାରଗିଲ୍‌‌ -ଯୁଦ୍ଧ’ ଭାରତରେ ସମର ଇତିହାସରେ ସୃଷ୍ଟି କରିଥିଲା ଏକ ନୂଆ ଇତିହାସ। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲ୍‌ରେ ବିଜୟ ଧ୍ବଜା ଉଡ଼ାଇଥିଲା ଭାରତ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। କାରଗିଲ୍‌ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ୍‌ ଶହିଦ୍‌ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଊର୍ଦ୍ଧ୍ବ ସୈନିକ। ପାକିସ୍ତାନକୁ ମାତ୍ ଦେବା ପାଇଁ ଭାରତୀୟ ଯବାନ୍‌ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସମୁଦ୍ର ପତ୍ତନଠାରୁ ୧୮ହଜାର ଫୁଟ ଏବଂ ମାଇନସ୍‌ ୪୮ ଡିଗ୍ରୀ ସେଲସିଅସ୍‌ ତାପମାତ୍ରାରେ ଶତ୍ରୁ ସୈନ୍ୟଙ୍କ ମୁକାବିଲା କରିବା ବିଶ୍ବର ଯେକୌଣସି ସେନା ପାଇଁ ମୁସ୍କିଲ୍‌ର କାମ। ହେଲେ ମାତୃଭୂମିର ସୁରକ୍ଷା ପାଇଁ ସାମାନ୍ୟ ପଛଘୁଞ୍ଚା ଦେଇ ନ ଥିଲା ଭାରତୀୟ ସେନା। ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି ।

୧୯୯୯ ମେ’ରୁ ଜୁଲାଇ ମଧ୍ୟରେ ଯେଉଁ ରକ୍ତାକ୍ତ ସଂଘର୍ଷ ହୋଇଥିଲା, ସେଥିରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରାୟ ଦୁଇମାସର ରକ୍ତାକ୍ତ ସଂଘର୍ଷ ଓ ଭାରତୀୟ ସେନାର ମୁହଁତୋଡ଼ ଜବାବ ଓ ଆନ୍ତର୍ଜାତିକ ଚାପ ଫଳରେ ପଛକୁ ହଟିଥିଲା ପାକ୍‌ ସୈନ୍ୟ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନରେ ପ୍ରସାରିତ ହୋଇଥିଲା। କାରଗିଲ୍‌ ବିଜୟ ଦିବସ ଅବସରରେ ସାରା ଦେଶ ବୀର ସହିଦମାନଙ୍କୁ ସେମାନଙ୍କର ଅଦମ୍ୟ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେଇଥାଏ। ହସିହସି ମାତୃଭୂମି ପାଇଁ ପ୍ରାଣବଳି ଦେଇଥିବା ସେହି ବୀର ଯବାନମାନଙ୍କୁ ମନେ ପକାଇବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

About The Author: The Sakala