ନଡ଼ିଆ ରାଣୀ ଘଟଗାଁର ମା’ ତାରିଣୀ; ଭକ୍ତଟିଏ ନିଜ ମନର ଆବେଗ ଓ ଶ୍ରଦ୍ଧାର ପ୍ରତୀକ ଭାବରେ ମା’ଙ୍କୁ ଅର୍ପଣ କରିଥାଏ ନଡ଼ିଆ

କେନ୍ଦୁଝର/ଭୁବନେଶ୍ବର(ଶରତ ଦାସ, ପ୍ରିୟତମା ଦାସ): ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଘଟଗାଁ ତାରିଣୀ ପୀଠ ଅନ୍ୟତମ। କିମ୍ବଦନ୍ତୀ ଅନୁଯାୟୀ ମା’ ସୀତାଙ୍କୁ ରାବଣ ହରଣ ବେଳେ ଶ୍ରୀରାମଚନ୍ଦ୍ରଙ୍କ ଦୁଃଖ ତାରଣ କରି ସେ ତାରିଣୀ ମା’ ନାମରେ ପରିଚିତ ହୋଇଥିଲେ। ଏବେ ବି ଲୋକଙ୍କ ବିଶ୍ବାସ ରହିଛି, ଯେତେବଡ଼ ସମସ୍ୟା ହେଉନା କାହିଁକି; ମାନସିକ ରଖି ମା’ଙ୍କ ପାଖରେ ନଡ଼ିଆଟିଏ ପଠାଇଲେ ତାହା ସମାଧାନ ହୋଇଥାଏ। ଯେଉଁଥିପାଇଁ ମା’ ତାରିଣୀ ସାଧାରଣରେ ‘ନଡ଼ିଆ ରାଣୀ’ ଭାବେ ପରିଚିତ। […]

କେନ୍ଦୁଝର/ଭୁବନେଶ୍ବର(ଶରତ ଦାସ, ପ୍ରିୟତମା ଦାସ): ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଘଟଗାଁ ତାରିଣୀ ପୀଠ ଅନ୍ୟତମ। କିମ୍ବଦନ୍ତୀ ଅନୁଯାୟୀ ମା’ ସୀତାଙ୍କୁ ରାବଣ ହରଣ ବେଳେ ଶ୍ରୀରାମଚନ୍ଦ୍ରଙ୍କ ଦୁଃଖ ତାରଣ କରି ସେ ତାରିଣୀ ମା’ ନାମରେ ପରିଚିତ ହୋଇଥିଲେ। ଏବେ ବି ଲୋକଙ୍କ ବିଶ୍ବାସ ରହିଛି, ଯେତେବଡ଼ ସମସ୍ୟା ହେଉନା କାହିଁକି; ମାନସିକ ରଖି ମା’ଙ୍କ ପାଖରେ ନଡ଼ିଆଟିଏ ପଠାଇଲେ ତାହା ସମାଧାନ ହୋଇଥାଏ। ଯେଉଁଥିପାଇଁ ମା’ ତାରିଣୀ ସାଧାରଣରେ ‘ନଡ଼ିଆ ରାଣୀ’ ଭାବେ ପରିଚିତ। ଘଟଗାଁର ତାରିଣୀ ପୀଠ ସମ୍ପର୍କରେ ଆମର ସ୍ବତନ୍ତ୍ର ଉପସ୍ଥାପନା।

ତାରିଣୀ ନଡ଼ିଆ ରାଣୀ। ମା’ ତାରିଣୀଙ୍କ କଥା ଉଠିଲେ, ଆଖିକୁ ପ୍ରଥମେ ନଡ଼ିଆର ଛବି ଆସେ। ଭୋଗ ମଧ୍ୟରେ ନଡ଼ିଆ ମା’ ଙ୍କର ଅତି ପ୍ରିୟ। ତାରିଣୀ ପୀଠରେ ଏହି ନଡ଼ିଆ ଭୋଗ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସୁଅଛି। ନଡ଼ିଆ ଶ୍ରୀଫଳ ଭାବରେ ପରିଚିତ। ଯାହାକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ଭକ୍ତଟିଏ ନିଜ ମନର ଆବେଗ ଓ ଶ୍ରଦ୍ଧାର ପ୍ରତୀକ ଭାବରେ ନଡ଼ିଆ ଭୋଗ ମା’ଙ୍କୁ ଅର୍ପଣ କରିଥାଏ। ସେହିପରି ଭକ୍ତମାନେ ମନସ୍କାମନା ପୂର୍ଣ୍ଣ ପାଇଁ ମା’ ତାରିଣୀଙ୍କ ନାମରେ ନଡ଼ିଆ ପଠାଇଥାନ୍ତି। ଓଡ଼ିଶାର କୋଣ-ଅନୁକୋଣ, ଦେଶ ବିଦେଶରୁ ବସ୍ ଓ ଟ୍ରକ୍‌ରେ ଭକ୍ତମାନେ ଦୈନିକ ହଜାର ହଜାର ସଂଖ୍ୟାରେ ନଡ଼ିଆ ପଠାନ୍ତି। ତାରିଣୀଙ୍କ ନାମରେ ମାନସିକ କରି ପଠାଉଥିବା ଏହି ନଡ଼ିଆକୁ ଗାଡ଼ିରେ ନେବା ପାଇଁ କୌଣସି ଲୋକ ମନା କରନ୍ତି ନାହିଁ କି ଏଥିପାଇଁ କୌଣସି ଭଡ଼ା ମଧ୍ୟ ମାଗନ୍ତି ନାହିଁ।

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ଅନ୍ୟ ନାମ ‘ନଡ଼ିଆ ରାଣୀ’। ବିଭିନ୍ନ ସ୍ଥାନରୁ ଗାଡ଼ିମଟରରେ ମା’ ଙ୍କ ନିକଟକୁ ଆସୁଛି ବାର୍ଷିକ ୩୫ ଲକ୍ଷ ମାନସିକ ନଡ଼ିଆ, ଘଟଗାଁରେ ବିକ୍ରି ହେଉଛି ଦୈନିକ ୧୦-୨୦ ହଜାର ନଡ଼ିଆ, କେନ୍ଦୁଝର ଜିଲ୍ଲା ତାରିଣୀ, ବୈତରଣୀ ଏବଂ ଖଣି ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ରତା ବହନ କରୁଛି। ମା’ ଘଟଗାଁ ତାରିଣୀଙ୍କ କରୁଣାରୁ ରାଜ୍ୟରେ କେନ୍ଦୁଝରର ପରିଚୟ ଭିନ୍ନ ରହିଛି। ମା’ଙ୍କର ଦର୍ଶନ କରିବାକୁ ପ୍ରତ୍ୟହ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି। ମା’ଙ୍କର ବିଶେଷ ପର୍ବପର୍ବାଣି ଅଶାଢ଼ୀ ପର୍ବ, ଚଇତି ପର୍ବ, ପଣା ସଂକ୍ରାନ୍ତି ସମେତ ନୂଆବର୍ଷ ସମୟରେ ଲକ୍ଷାଧିକ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି। ଘଟଗାଁବାସିନୀ ମା’ତାରିଣୀଙ୍କର ପ୍ରିୟ ଭୋଗ ନଡ଼ିଆ ହୋଇଥିବାରୁ ଭକ୍ତମାନେ ମା’ଙ୍କ ନିକଟରେ ନଡ଼ିଆ ଅର୍ପଣକରି ପୂଜାର୍ଚ୍ଚନା କରିଥାନ୍ତି।

କେବଳ ସେତିକି ନୁହେଁ, ଭକ୍ତମାନେ ମା’ଙ୍କ ନିକଟକୁ ନ ଆସି ଘରେ ଥାଇ ମାନସିକ କରି ମଟର ଗାଡ଼ିରେ ନଡ଼ିଆ ପଠାଇଥାନ୍ତି। ନଦେଖିବା ଲୋକେ ବିଶ୍ୱାସ କରିବେନି। ଘଟଗାଁ ଦେଇ ଯାଆସ କରୁଥିବା ଏମିତି ଗାଡ଼ିମଟର ନାହିଁ, ଯେଉଁଥିରେ ମା’ଙ୍କ ନିକଟକୁ ନଡ଼ିଆ ଆସୁନାହିଁ। କାହିଁ କେଉଁ କାଳରୁ ଚାଲି ଆସିଛି ଏହି ଧାରା। ପ୍ରବଳ ଅାସ୍ଥା ଓ ବିଶ୍ୱାସର ସହିତ ରାଜ୍ୟର କୋଣ ଅନୁକୋଣରୁ ବସ୍, ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ିମଟରରେ ତାରିଣୀଙ୍କ ପାଖକୁ ଆସୁଛି ନଡ଼ିଆ। କେହିକେହି ଏହାକୁ ଭାରତର ସବୁଠାରୁ ବଡ଼ ଫ୍ରି କୋରିଅର୍ ସେବା ବୋଲି ମଧ୍ୟ କହିଥାନ୍ତି। କାରଣ ଗାଡ଼ିମଟରରେ ଅନ୍ୟାନ୍ୟ ସାମଗ୍ରୀ ଦୂରଦୂରାନ୍ତକୁ ପଠାଇଲେ ପଇସା ଦେବାକୁ ପଡ଼ିଥାଏ। ମାତ୍ର ରାଜ୍ୟର କୋଣଅନୁକୋଣରୁ ଘଟଗାଁକୁ ଆସୁଥିବା ନଡ଼ିଆ ପାଇଁ କେହି କେବେ ପାଉଣା ମାଗନ୍ତିନାହିଁ। ବଂର ଉକ୍ତ ନଡ଼ିଆକୁ ଭକ୍ତିର ସହିତ ମା’ଙ୍କ ପୀଠ ପର୍ଯ୍ୟନ୍ତ ଆଣି ପହଞ୍ଚାଇ ଦେଇଥାନ୍ତି। ଏପରିକି ଅନ୍ୟ ଧର୍ମର ଡ୍ରାଇଭର ଭାଇମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ମା’ଙ୍କର ନଡ଼ିଆଗୁଡ଼ିକୁ ନିଜ ନିଜର ଗାଡ଼ିମଟରରେ ଭକ୍ତି ଭାବରେ ଆଣି ପହଞ୍ଚାଉଛନ୍ତି। ଫଳରେ ଘଟଗାଁକୁ ପ୍ରତ୍ୟେକ ଦିନ ୧୦ରୁ ୧୨ ହଜାର ମାନସିକ ନଡ଼ିଆ ଗାଡ଼ିମଟରରେ ଆସୁଛି। ଏହିଭଳି ବର୍ଷକୁ ପ୍ରାୟ ୩୫ ଲକ୍ଷ ନଡ଼ିଆ ଆସୁଛି। ଭକ୍ତମାନଙ୍କର ସୁବିଧା ନିମନ୍ତେ କେବଳ ଜିଲ୍ଲାରେ ନୁହେଁ, ଜିଲ୍ଲା ବାହାରେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ନଡ଼ିଆ ହୁଣ୍ଡି ସ୍ଥାପନ ହୋଇଛି। ବିଶେଷକରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ମଙ୍ଗୁଳୀ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଆନନ୍ଦପୁର, ରାଉରକେଲା, ଚଣ୍ଡିଖୋଲ, ଜାରକା, କୁଆଖିଅ, ଡୁବୁରୀ, ସୁକିନ୍ଦା, ହରିଚନ୍ଦନପୁର, କରଞ୍ଜିଆ, ବାରିପଦା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ପ୍ରଶାସନର ନଡ଼ିଆ ହୁଣ୍ଡି ରହିଛି। ସମ୍ବଲପୁୁରରେ ସ୍ଥାନୀୟ ଲୋକେ ନିଜେ ହୁଣ୍ଡି ତିଆରି କରିଛନ୍ତି ଏବଂ ବସ୍‌ରେ ନଡ଼ିଆ ଆସୁଛି। କେବଳ ସମ୍ବଲପୁର ନୁେହଁ, ରାଜ୍ୟର ଅନେକ ସ୍ଥାନରେ ଲୋକେ ଶ୍ରଦ୍ଧାର ସହିତ ନିଜ ଉଦ୍ୟମରେ ନଡ଼ିଆ ହୁଣ୍ଡି ସ୍ଥାପନ କରିଛନ୍ତି।

ବାହାରୁ ଗାଡ଼ିମଟରରେ ଆସୁଥିବା ମାନସିକ ନଡ଼ିଆପିଟା ଦେଉରୀଙ୍କ ସମେତ ନଡ଼ିଆ ସଂଗ୍ରହ, ନଡ଼ିଆଛଡ଼ା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ୧୪ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଦୂରଦୂରାନ୍ତରୁ ଗାଡ଼ିରେ ଆସୁଥିବା ନଡ଼ିଆ ସଂଗ୍ରହ କରିବାପାଇଁ ଘଟଗାଁରେ ଦିନରାତ୍ରି କର୍ମଚାରୀ ନିୟୋଜିତ ରହିଛନ୍ତି। ସେମାନେ ଗାଡ଼ିରୁ ନଡ଼ିଆ ଓହ୍ଲାଇବା ପରେ ବସ୍‌ଷ୍ଟାଣ୍ଡରେ ଥିବା ସ୍ଥାୟୀ ନଡ଼ିଆ ହୁଣ୍ଡିରେ ଏହାକୁ ରଖÒଥାନ୍ତି। ସେଠାରୁ ଟ୍ରଲି ଯୋଗେ ମନ୍ଦିର ପରିସରରେ ଥିବା ନଡ଼ିଆ ଗୋଦାମକୁ ନିଆଯାଇଥାଏ। ସେଠାରେ ଗଣତି ହୋଇ ନଡ଼ିଆରେ ଲାଗିଥିବା ଟଙ୍କା ଏବଂ ଧୂପକାଠିଗୁଡ଼ିକୁ ଅଲଗା କରାଯାଏ। ଟଙ୍କା ଗଣତି ହୋଇ ଦାଖଲ କରାଯାଇଥାଏ। ପରେ ନଡ଼ିଆର କତା ଛଡ଼ାଯାଇ ମା’ ଙ୍କ ମନ୍ଦିର ପରିସର ଦ୍ୱାରଶୁଣୀ ମନ୍ଦିରରେ ନଡ଼ିଆଗୁଡିକୁ ପିଟାଯାଇଥାଏ।

ଗତ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଆସିଥିବା ୧୨ ଲକ୍ଷ ୪ ହଜାର ୪୨୮ ନଡ଼ିଆ ଗୋଦାମ ଘରେ ଗଚ୍ଛିତ ରହିଥିବାବେଳେ ମାନସିକ ପିଟା ନଡ଼ିଆକୁ ୩ ବର୍ଷ ପାଇଁ ଟେଣ୍ଡର କରାଯାଇଛି। ଜଣେ ଟେଣ୍ଡରଧାରୀ ଭୋଗ ନଡ଼ିଆ ଗୋଟା ପ୍ରତି ୩ ଟଙ୍କା ୬୭ପଇସାରେ ନେଉଛନ୍ତି। ଭକ୍ତଙ୍କ ନିମନ୍ତେ ଭୋଗପିଟା ନଡ଼ିଆର ମୂଲ୍ୟ ୪ ଟଙ୍କା ୦୩ ପଇସା ଧାର୍ଯ୍ୟ ହୋଇଥିବାବେଳେ ଖାଉଟି ମୂଲ୍ୟ ରହିଛି ୪ ଟଙ୍କା ୪୦ ପଇସା ରହିଛି। ମାନସିକ ନଡ଼ିଆରୁ ଛଡ଼ା ଯାଉଥିବା କତାକୁ ମଧ୍ୟ ଚଳିତ ଥର ୧.୩୨ ଲକ୍ଷ ଟଙ୍କାରେ ବିକ୍ରୟ ହୋଇଛି। ଅନ୍ୟପକ୍ଷରେ ମା’ ଙ୍କର ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତ ଘଟଗାଁ ଆସୁଛନ୍ତି। ସେମାନେ ମଧ୍ୟ ସ୍ଥାନୀୟ ଦୋକାନ ବଜାରରୁ ମା’ଙ୍କର ପ୍ରିୟ ନଡ଼ିଆ କିଣିଥାନ୍ତି। ସୂଚନା ଅନୁଯାୟୀ ଏଭଳି ଦୈନିକ ଅନ୍ୟୂନ ୨୦ ହଜାର ନଡ଼ିଆ ଭକ୍ତଙ୍କୁ ବିକ୍ରୟ ହୋଇଥାଏ। ବିଶେଷ ଦିନଗୁଡ଼ିକର ଏଠାରେ ଅଧିକ ନଡ଼ିଆ ବିକ୍ରୟ ହୋଇଥାଏ। ତେଣୁ ଏଠାକୁ ଆସୁଥିବା ଭକ୍ତଙ୍କ ଦ୍ୱାରା ବାର୍ଷିକ ପ୍ରାୟ ୫୦ ଲକ୍ଷ ନଡ଼ିଆ ମା’ଙ୍କ ପାଇଁ କିଣାଯାଇଥାଏ। ନଡ଼ିଆରାଣୀଙ୍କର ପ୍ରିୟ ଭୋଗ ନଡ଼ିଆ ସମେତ ଏଥିରୁ ତିଆରି ଅନ୍ୟାନ୍ୟ ଭୋଗ ସାମଗ୍ରୀ ବିକ୍ରୟ କରି ଘଟଗାଁ ଅଞ୍ଚଳର ଶତାଧିକ ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି। ଟେଣ୍ଡରଧାରୀ ଭୋଗ ନଡ଼ିଆକୁ ମନ୍ଦିରରୁ ନେଇ ଭକ୍ତ, ନଡ଼ିଆ କୋରା ତିଆରି କରୁଥିବା ଲୋକଙ୍କୁ ବିକ୍ରୟ ପରେ ତାଙ୍କର ପ୍ରୋସେସିଂ ୟୁନିଟ୍‌ରେ ପ୍ରକ୍ରିୟାକରଣ କରୁଛନ୍ତି ଏବଂ ନଡ଼ିଆ ତେଲ ତିଆରି ନିମନ୍ତେ ବାହାରକୁ ପଠାଉଛନ୍ତି। ଖାଉଟିମାନେ ନେଉଥିବା ପିଟା ନଡ଼ିଆରୁ କୋରା, ନଡ଼ିଆ ତେଲ କରି ଶହ ଶହ ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି। ମା’ ତାରିଣୀଙ୍କ ପ୍ରତି ଲୋକଙ୍କର ଅାସ୍ଥା ବଢ଼ିବଢ଼ି ଚାଲିଛି। ସେ ଅନୁସାରେ ଘଟଗାଁକୁ ଭକ୍ତଙ୍କ ସଂଖ୍ୟା ଆସିବା ବୃଦ୍ଧିହୋଇଛି। ସୂଚନା ଅନୁସାରେ ଘଟଗାଁରେ ୪୦୦ରୁ ଅଧିକ ନଡ଼ିଆ ଏବଂ ଭୋଗ ଉଠାଦୋକାନୀ ରହିଛନ୍ତି।

ନଡ଼ିଆ ରାଣୀ ମା’ ତାରିଣୀ
ସଙ୍କଟ ହାରିଣୀ, ଦୁଃଖନାଶିନୀ, ବିଜୟ ପ୍ରଦାୟିନୀ ମା’ ତାରିଣୀ। ଭକତ ଡାକରେ ଉତ୍ତର ଦିଏ, ପଣତକାନିରେ କୋଳେଇ ନିଏ। ସେ କରୁଣାମୟୀ ଓ ଦୟାଶୀଳ। ମା’ ର ମହିମା, ଅବ୍ୟକ୍ତ ଓ ଅବର୍ଣ୍ଣନୀୟ।

ଗୀତରେ ନଡ଼ିଆ
‘ଯୁଆଡ଼େ ଯାଉଛୁ ଯା’ ଗାଡ଼ିବାଲା ନଡ଼ିଆ ମୋ ନେଇ ଯିବୁ’, ‘ଯାଏ ଗଡ଼ି ଗଡ଼ି କେଉଁଝର ଗାଡ଼ି’, ‘ଘଟ ଗାଁ ଠାକୁରାଣୀ ତାରିଣୀ ନଡ଼ିଆ ରାଣୀ’, ‘ମୁଁ ତୋ ପାଇଁ ଦେଲି ନଡ଼ିଆ ଦାସିଆ ବାଉରୀ ପରି’, ‘ନଡ଼ିଆରେ ଲାଗିଥାଉ କତା, ଲୋ ଗଜମୁକୁତା’, ନଡ଼ିଆ ଯାଚିଦେ ମା’ଙ୍କ ନା ରେ ଆଦି ଲୋକପ୍ରିୟ ଏହି ଭଜନ ଜଣାଣରୁ ବାରି ହୋଇପଡ଼େ ମା’ ତାରିଣୀର ଶରଧା କେତେ। ଭକ୍ତମାନେ ଭକ୍ତି ଅର୍ଘ୍ୟରେ ନିଜ ମନର ଭାବନାକୁ ଏହି ଗୀତଧାଡ଼ି ମାଧ୍ୟମରେ ମା’ତାରିଣୀଙ୍କ ପାଖେ ସମର୍ପଣ କରିଥାନ୍ତି। ନଡ଼ିଆ ସହ ମା’ର ସମ୍ପର୍କ ନିବିଡ଼।

କିମ୍ବଦନ୍ତୀ ଓ ଲୋକକଥା
ଓଡ଼ିଶାରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ। ଓଡ଼ିଶାରେ ବହୁ ପ୍ରସିଦ୍ଧ ଶକ୍ତିପୀଠ ରହିଛି। ସେହି ସବୁ ଶକ୍ତିପୀଠ ମଧ୍ୟରେ ଘଟଗାଁ ତାରିଣୀ ପୀଠ ଅନନ୍ୟ, ସ୍ୱତନ୍ତ୍ର। ମା’ ତାରିଣୀଙ୍କ ଆବିର୍ଭାବକୁ ନେଇ ବହୁ କିମ୍ବଦନ୍ତୀ ରହିଛି। କୁହାଯାଏ, ଘଟଗାଁରେ ପୂଜାପାଇବା ପୂର୍ବରୁ କାଞ୍ଚି ରାଜ୍ୟରେ ଘଞ୍ଚ ଅରଣ୍ୟରେ ମା’ ବିରାଜମାନ କରିଥିଲେ। ରାମାୟଣ ଅନୁଯାୟୀ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ବନବାସ ସମୟରେ ଲଙ୍କାଧିପତି ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲେ। ସୀତାଙ୍କ ଅନୁପସ୍ଥିତିରେ ଶ୍ରୀରାମ ଚିନ୍ତାଗ୍ରସ୍ତ ଥିଲେ। ସୀତାଙ୍କୁ ଉଦ୍ଧାର କରିବାପାଇଁ ପ୍ରଭୁ ପାଦରେ ଭ୍ରମଣକରି ବହୁ କଷ୍ଟ ସହିଥିଲେ। ଶେଷରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯୁଦ୍ଧ ପାଇଁ ଦୁର୍ଗା ମା’ ଙ୍କୁ ପ୍ରାର୍ଥନା କରିଥିଲେ। ମା’ ଦୁର୍ଗା ତାଙ୍କ ସମ୍ମୁଖରେ ଆବିର୍ଭାବ ହେବା ସମୟରେ ପ୍ରଭୁ ରାମଚନ୍ଦ୍ର ଚକ୍ଷୁ ଖୋଲିଦେବାରୁ ମା’ ଅନ୍ତର୍ଦ୍ଧାନ ହୋଇ ଏକ ଶିଳାରେ ରୂପାନ୍ତର ହୋଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଦୁଃଖ ତାରଣ କରିଥିବାରୁ ମା’ ତାରିଣୀ ନାମରେ ସେ ସର୍ବବିଦିତ। ଇତିହାସ କହେ, ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ଗୋବିନ୍ଦ ଭଞ୍ଜଙ୍କୁ କାଞ୍ଚି ରାଜ୍ୟର ଦାୟିତ୍ୱ ଦେଇଥିଲେ। ଗୋବିନ୍ଦ ଭଞ୍ଜ ମା’ ତାରିଣୀଙ୍କୁ ଆରାଧନା କରୁଥିଲେ। ମା’ତାରିଣୀଙ୍କୁ କେନ୍ଦୁଝର ଆଣିବାକୁ ଇଚ୍ଛା କରିଥିଲେ। ଗୋବିନ୍ଦଭଞ୍ଜଙ୍କୁ ସ୍ବପ୍ନାଦେଶ ଦେଇ କେନ୍ଦୁଝର ଯିବା ନିମନ୍ତେ ମା’ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତାନୁସାରେ ଗୋବିନ୍ଦଭଞ୍ଜ ଅଶ୍ବାରୋହଣ କରି କେନ୍ଦୁଝରକୁ ଫେରିବା ବାଟରେ ମା’ ଅଶ୍ବ ପଛେ ପଛେ ତାଙ୍କ ଗୋଡ଼ର ନୂପୁର ରୁରୁଝୁଣୁ କରି ଯିବେ। ଯେଉଁଠି ପହଞ୍ଚିବେ, ସେହି ସ୍ଥାନରେ ମା’ ବିରାଜମାନ ହେବେ। ସ୍ବପ୍ନ ଅନୁସାରେ ଯୁବରାଜ ଘୋଡ଼ା ଚଢ଼ି ଆସିବା ପଥରେ କ୍ଳାନ୍ତ ଅନୁଭବ କରିଥିଲେ, ଫଳରେ ଅଶ୍ବର ଓହ୍ଲାଇ ପଛକୁ ଚାହିଁଦେଲେ, ଦେବୀ ସେଠାରେ ଶିଳାଖଣ୍ଡରେ ରୂପାନ୍ତର ହୋଇଗଲେ। ସେହିଦିନଠାରୁ ସେହି ସ୍ଥାନରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି।

About The Author: The Sakala