ଆଜି ପ୍ରେମ ଦିବସ; ବୟସର ସାୟାହ୍ନରେ ବି ଫିକା ପଡ଼ିନି ଏହି ଦମ୍ପତ୍ତିଙ୍କ ପ୍ରେମର ରଙ୍ଗ…

ଭୁବନେଶ୍ୱର: କୁହାଯାଏ ପ୍ରେମ ଅନ୍ଧ। ପ୍ରେମରେ ନ ଥାଏ ବୟସର ତାରତମ୍ୟ କି ଜାତି ପ୍ରଥାରେ ଆବଦ୍ଧ ହୋଇ ରହେନି ପ୍ରେମ। ପ୍ରେମ ଆଗରେ ସୌନ୍ଦର୍ଯ୍ୟ ବି ହାର ମାନିଯାଏ। ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଦୁଇ ଦମ୍ପତ୍ତି। ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ। ଉଭୟ ଉଭୟଙ୍କ ପାଇଁ ସମର୍ପିତ। ପାରିବାରିକ କହଳ ହେଉ ଅବା ଆର୍ଥିକ ସମସ୍ୟା ସେମାନଙ୍କୁ ଅଲଗା କରିନି ବରଂ ପରିବାର ଠାରୁ ଦୂରରେ ରହି […]

ଭୁବନେଶ୍ୱର: କୁହାଯାଏ ପ୍ରେମ ଅନ୍ଧ। ପ୍ରେମରେ ନ ଥାଏ ବୟସର ତାରତମ୍ୟ କି ଜାତି ପ୍ରଥାରେ ଆବଦ୍ଧ ହୋଇ ରହେନି ପ୍ରେମ। ପ୍ରେମ ଆଗରେ ସୌନ୍ଦର୍ଯ୍ୟ ବି ହାର ମାନିଯାଏ। ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଦୁଇ ଦମ୍ପତ୍ତି। ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ। ଉଭୟ ଉଭୟଙ୍କ ପାଇଁ ସମର୍ପିତ। ପାରିବାରିକ କହଳ ହେଉ ଅବା ଆର୍ଥିକ ସମସ୍ୟା ସେମାନଙ୍କୁ ଅଲଗା କରିନି ବରଂ ପରିବାର ଠାରୁ ଦୂରରେ ରହି ଏକ ଭିନ୍ନ ଅନୁଭୂତି ସାଉଁଟିବାରେ ସଫଳ ହୋଇଛନ୍ତି ସୋମାନେ। ଯେଉଁଥିରେ ଊର୍ଦ୍ଧ୍ବରେ ରହିଛି ଉଭୟଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ ସମ୍ପର୍କ।

ନିର୍ମଳ ନାୟକ ଓ ମିନତୀ ନାୟକ। ବୟସ ୮୦ ଟପିଲାଣି। ହେଲେ ଏବେବି ସେମାନେ ଦୁହେଁ ପ୍ରେମୀଯୁଗଳ ଭାବେ ଜୀବନ ଅତିବାହିତ କରୁଛନ୍ତି। ଉଭୟ ରାସ୍ତାକଡ଼ରେ ଜୀବନ ବିତାଉଥିବା ବେଳେ ବର୍ତ୍ତମାନ ରସୁଲଗଡ଼ ସ୍ଥିତ ଏକ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି। ଭାଗ୍ୟ ସେମାନଙ୍କ ଠାରୁ ପରିବାର ସୁଖ ଛଡ଼ାଇ ନେଇଥିବା ବେଳେ ଭଗବାନ ବି କୋଳକୁ ସନ୍ତାନଟିଏ ଦେଇ ନାହାନ୍ତି। ଜୀବନକାଳ ମଧ୍ୟରେ ଅର୍ଜିଲା ସମ୍ପତ୍ତି ବି ରହିଲାନାହିଁ। ହେଲେ ଅଗ୍ନିକୁ ସାକ୍ଷୀ ରଖି ଯାହା ହାତ ଧରିଥିଲେ ସେ ହାତ ଆଜି ବି ସାଙ୍ଗରେ ରହି ସାହସ ଦେଉଛି ବୋଲି କହିଛନ୍ତି ନିର୍ମଳ। ଆଜିର ଯୁବପିଢ଼ିମାନେ ପ୍ରେମ ଦିବସରେ ପ୍ରେମ କରୁଛନ୍ତି, ହେଲେ ଆମର ବର୍ଷକ ବାର ମାସ ପ୍ରେମ ଦିବସ ବୋଲି ସେମାନେ କହିଛନ୍ତି। କାରଣ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ପତ୍ନୀ ମାନସିକ ଭାରସାମ୍ୟ ହରାଇଥିଲେ ବି ସେ ଦିନରାତି ତାଙ୍କ ପାଖରେ ରହି ସେବା କରୁଛନ୍ତି। ସକାଳ ନିତ୍ୟକର୍ମ ଠାରୁ ଆରମ୍ଭ କରି ରାତିରେ ନିଜ ହାତରେ ଖୁଆଇ ଦିଅନ୍ତି ପତ୍ନୀ ମିନତୀଙ୍କୁ। ମିନି ବି କିଛି ମନେ ପାକାଇ ପାରୁ ନ ଥିଲେ ବି ପ୍ରତିଦିନ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମଥାରେ ସିନ୍ଦୂର ପିନ୍ଧିବାକୁ ଭୁଲନ୍ତିନି। ଦିନ ପେର ଦିନ ବିତୁଛି ତା ସାଙ୍ଗକୁ ବୟସ ବି ବଢ଼଼ୁଛି, ହେଲେ ଶେଷେ ନିଶ୍ୱାସ ଚାଲିଥିବା ଯାଏ ଆମେ ପରସ୍ପର ସାଥୀରେ ରହିଥିବୁ ବୋଲି ନିର୍ମଳ କହିଛନ୍ତି।

ସେହିପରି ସେହିପରି ସୁକଦେବ (୭୭) ଓ ପ୍ରେମଲତା (୭୦)ଙ୍କ କ୍ଷେତ୍ରରେ ସମାନ ଚିତ୍ର ଦେଖିବାକୁ ମିଳିଛି। ରୋଷେୟା ଭାବେ କାମ କରି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା ସହ ଏକମାତ୍ର ପୁଅକୁ ମଣିଷ କରିବାକୁ ଦିନରାତି ଏକ କରିଦେଇଥିଲେ। ହେଲେ ପୁଅ ତ ମଣିଷ ହେଲା, କିନ୍ତୁ ବୃଦ୍ଧ ବୟସରେ ବାପା ମା’ଙ୍କୁ ପର କରିଦେଲା। ଫଳରେ ଉଭୟ ଜରାଶ୍ରମରେ ଦିନ କାଟୁଛନ୍ତି। ୨ବର୍ଷ ହେବ ପତ୍ନୀଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ ବିଛଣାରେ ପଡ଼ି ରହୁଛନ୍ତି। ହେଲେ ଏହି ଅବସ୍ଥାରେ ବି ତାଙ୍କ ପାଖରୁ ଦୂରେଇ ନାହାନ୍ତି ସୁକଦେବ। ପତ୍ନୀଙ୍କ କଷ୍ଟକୁ ନିଜ ଆଡ଼କୁ ନେଇଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସୁକଦେବ। ପୂର୍ବଭଳି ମୋ ଆଖିଆଗରେ ଚଲାବୁଲା କରିବା, ଭଲରେ ଦି ପଦ କଥା ହେଲେ ମୁଁ ଟିକେ ଶାନ୍ତିରେ ଶୋଇ ପାରିବି ବୋଲି ବାରମ୍ବାର ପତ୍ନୀଙ୍କ କାନ ପାଖରେ କହୁଛନ୍ତି। ପର୍ବପର୍ବାଣୀ ହେଲେ ବୃଦ୍ଧାଶ୍ରମର କର୍ତ୍ତୃପକ୍ଷଙ୍କୁ କହି ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଆଣି ପତ୍ନୀଙ୍କୁ ପିନ୍ଧାଇ ଦିଅନ୍ତି। ବର୍ତ୍ତମାନ ସମାଜରେ ସ୍ୱାମୀ ସନ୍ତ୍ରୀଙ୍କ କଳହ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏହି ବୃଦ୍ଧ ଦମ୍ପତି ସମ୍ପର୍କର ପ୍ରକୃତ ଅର୍ଥକୁ ପ୍ରତିପାଦିତ କରିଛନ୍ତି। ଯାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ଜରାଶ୍ରମର ମୁଖ୍ୟ ରମାନାଥ କହିଛନ୍ତି।

About The Author: The Sakala