ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ଛତିଶଗଡ଼ର ଏକ ଗାଁରେ ମଣିଷ ଏବଂ ଏକ ହିଂସ୍ର ଜଳଚର ପ୍ରାଣୀ ମଧ୍ୟରେ ଥିବା ନିଆରା ସମ୍ପର୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କୁମ୍ଭୀର ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ, କିନ୍ତୁ ଛତିଶଗଡ଼ ରାଜ୍ୟର ବେମେତରା ଜିଲ୍ଲା ଅନ୍ତର୍ଗତ ବାୱା ମୋହତରା ଗ୍ରାମବାସୀଙ୍କ ପାଇଁ କୁମ୍ଭୀର କୌଣସି ହିଂସ୍ର ଜନ୍ତୁ ନୁହେଁ, ବରଂ ପରିବାରର ଜଣେ ସଦସ୍ୟ ଥିଲା। ଏହି କୁମ୍ଭୀରର ନାମ ଥିଲା ଗଙ୍ଗାରାମ

ମଣିଷ ଓ ବନ୍ୟଜନ୍ତୁ ସମ୍ପର୍କର ନିଆରା ଉଦାହରଣ

ବାୱା ମୋହତରା ଗାଁର ଏକ ପୋଖରୀରେ ରହୁଥିବା ଏହି କୁମ୍ଭୀର ସହିତ ଲୋକଙ୍କର ଖୁବ୍ ନିବିଡ଼ ସମ୍ପର୍କ ଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗଙ୍ଗାରାମ ପ୍ରାୟ ୧୩୦ ବର୍ଷ ଧରି ସେହି ଗୋଟିଏ ପୋଖରୀରେ ବାସ କରୁଥିଲା। ଏହି ଦୀର୍ଘ ସମୟ ମଧ୍ୟରେ ଗାଁର ଅନେକ ପିଢ଼ି ବଦଳି ଯାଇଥିଲା, କିନ୍ତୁ ଗଙ୍ଗାରାମ ସେଠାରେ ରହି ଲୋକଙ୍କ ସହ ଏକ ଅତୁଟ ବିଶ୍ୱାସ ଗଢ଼ି ତୋଳିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବର୍ଷ ମଧ୍ୟରେ ସେ କେବେବି କୌଣସି ମଣିଷ କିମ୍ବା ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କରିନଥିଲା।

ପରିବାରର ସଦସ୍ୟ ସାଜିଥିଲା 'ଗଙ୍ଗାରାମ'

ସାଧାରଣତଃ କୁମ୍ଭୀର ଥିବା ପୋଖରୀକୁ ଯିବାକୁ ଲୋକେ ଭୟ କରିଥାନ୍ତି। କିନ୍ତୁ ଏହି ଗାଁର ମହିଳାମାନେ ନିର୍ଭୟରେ ସେହି ପୋଖରୀରେ ଲୁଗା ସଫା କରିବା ସହ ପାଣି ଆଣୁଥିଲେ। ଛୋଟ ପିଲାମାନେ ପୋଖରୀ କୂଳରେ ଖେଳୁଥିଲେ ଏବଂ ଚାଷୀମାନେ ନିଜ ଗୋରୁଗାଈଙ୍କୁ ସେଠାରେ ପାଣି ପିଆଉଥିଲେ। ଗଙ୍ଗାରାମ ପାଖରେ ପହଁରୁଥିଲେ ମଧ୍ୟ କେବେ କାହାର କୌଣସି କ୍ଷତି କରିନଥିଲା। ଶାନ୍ତ ସ୍ୱଭାବର ଏହି କୁମ୍ଭୀର କେବଳ ଗାଁ ନୁହେଁ, ବରଂ ଆଖପାଖ ଅଞ୍ଚଳ ପାଇଁ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗ୍ରାମବାସୀ ତାକୁ ଗାଁର ରକ୍ଷକ ବୋଲି ମାନୁଥିଲେ।

ମୃତ୍ୟୁରେ ସ୍ତବ୍ଧ ହୋଇଥିଲା ପୂରା ଗାଁ, ଜଳି ନଥିଲା ଚୁଲି

ବର୍ଷ ୨୦୧୯ରେ ପ୍ରାୟ ୨୫୦ କିଲୋଗ୍ରାମ ଓଜନ ଏବଂ ୩.୪ ମିଟର ଲମ୍ବର ଏହି ବିଶାଳ କୁମ୍ଭୀରର ପ୍ରାକୃତିକ କାରଣରୁ ମୃତ୍ୟୁ ହୋଇଥିଲା। ତା'ର ମୃତ୍ୟୁ ଖବର ପୂରା ଗାଁକୁ ଶୋକସାଗରରେ ଭସାଇ ଦେଇଥିଲା। ମୃତ୍ୟୁର ଶୋକ ଏତେ ଗଭୀର ଥିଲା ଯେ, ସେଦିନ ଗାଁର କୌଣସି ଘରେ ଚୁଲି ଜଳି ନଥିଲା। ପ୍ରାୟ ୫୦୦ରୁ ଅଧିକ ଲୋକ ଏକାଠି ହୋଇ ଏକ ଟ୍ରାକ୍ଟରକୁ ଫୁଲରେ ସଜାଇ ଗଙ୍ଗାରାମର ଶେଷ ଯାତ୍ରା ବାହାର କରିଥିଲେ ଏବଂ ସମ୍ପୂର୍ଣ୍ଣ ରୀତିନୀତି ସହ ତାର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ପରବର୍ତ୍ତୀ ସମୟରେ ପୋଖରୀ କୂଳରେ ତାର ଏକ ସ୍ମୃତିପୀଠ ମଧ୍ୟ ନିର୍ମାଣ କରାଯାଇଥିଲା। ଏବେ ଗଙ୍ଗାରାମ ଓ ଗ୍ରାମବାସୀଙ୍କ ଏହି ଅନନ୍ୟ ବନ୍ଧୁତାର କାହାଣୀ ପିଲାଙ୍କ ବହିରେ ସ୍ଥାନ ପାଇବାକୁ ଯାଉଛି।

About The Author: Suryakanta