ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଘୋଷଣା କରିଛନ୍ତି। ଏହି ଏମ୍ଏସ୍ପିରେ ମୋଟ୍ ୧୪ଟି ଅନିବାର୍ଯ୍ୟ ଫସଲ ବା ମ୍ୟାନ୍ଡେଟେଡ୍ କ୍ରପ୍ ରହିଛି। ସେସବୁ ଭିତରେ ରହିଛି ମୁଗ, ଚିନାବାଦାମ, ଖସା(ରାଶି) ଭଳି ଡାଲି ଓ ତୈଳବୀଜ ଜାତୀୟ ଫସଲ, ଧାନ, ଝୋଟ, ଆଖୁ ଇତ୍ୟାଦି। ଧାନର ଏମ୍ଏସ୍ପି ୭ଶତାଂଶ ବଢ଼଼ିଥିବାବେଳେ ମୁଗ ଓ ତୈଳବୀଜ କ୍ଷେତ୍ରରେ ଏହାକୁ ୧୦ ଶତାଂଶ ବୃଦ୍ଧି କରାଯାଇଛି। ଚାଷୀଙ୍କୁ ସେମାନଙ୍କର ଉତ୍ପାଦ ଉପରେ ଏମ୍ଏସ୍ପି ଦେବା ଅର୍ଥ ସରକାର ନିର୍ଦ୍ଧାରଣ କରିଥିବା ମୂଲ୍ୟଠାରୁ କମ୍ ଦାମରେ ଏସବୁ କୃଷିଜାତ ସାମଗ୍ରୀର ବିକ୍ରିବଟା ହୋଇପାରିବ ନାହିଁ। ୧ବର୍ଷରେ ଦୁଇ ଥର ଉଭୟ ଖରିଫ୍ ଓ ରବି ଫସଲ ପାଇଁ ଏହି ଏମ୍ଏସ୍ପି ଧାର୍ଯ୍ୟ ହୁଏ। କୃଷି ଅର୍ଥ ଓ ମୂଲ୍ୟ ସଂକ୍ରାନ୍ତ ଆୟୋଗ ସିଏସିପି ବିଭିନ୍ନ ଫସଲର ଚାଷବାସ ଖର୍ଚ୍ଚ, ଅମଳ ଓ ଅନ୍ୟାନ୍ୟ ବିଷୟ ହିସାବକୁ ନେଇ ଏହି ମୂଲ୍ୟ ଧାର୍ଯ୍ୟ କରନ୍ତି। ଏମ୍ଏସ୍ପି ଏକ ଆଇନଗତ ବ୍ୟବସ୍ଥା ନୁହେଁ। ଏହା ସରକାରଙ୍କର ଏକ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ। ତେବେ ସିଏସିପି ଯେଉଁ ଏମ୍ଏସ୍ପି ଘୋଷଣା କରେ ତାହା ପ୍ରତ୍ୟେକ ଫସଲ ପାଇଁ ପ୍ରତିବର୍ଷ ବଢ଼଼ିଥାଏ ଓ ଏହା ଏକ ଧାରାବାହିକ ପ୍ରକ୍ରିୟା। ଚାଷବାସ ଖର୍ଚ୍ଚ ବଢ଼଼ୁଥିବାରୁ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବଢ଼଼ିବା ସ୍ୱାଭାବିକ। ତେବେ ଉଭୟ ସରକାର ଓ ସିଏସିପିର ନୀତି ହେଲା ଧାନ ଓ ଗହମ ଭଳି ଫସଲ ଉପରେ ଏମ୍ଏସ୍ପି କମ୍ କରି ଅର୍ଥକରୀ ଫସଲ ବିଶେଷକରି ଅଧିକ ଚାହିଦା ଥିବା ତୈଳବୀଜ ଓ ଡାଲି ଆଦି ଫସଲ ଉପରେ ଏମ୍ଏସ୍ପି ଅଧିକ ଦେବା। ଏହାଦ୍ୱାରା ଚାଷୀ ଲାଭବାନ୍ ହେବା ସହିତ ସେମାନେ ଏହି ଜାତୀୟ ଫସଲ ଚାଷ କରିବାକୁ ଅଧିକ ଆଗ୍ରହୀ ହୋଇଥା’ନ୍ତି।
ବିଡ଼ମ୍ବନା ହେଉଛି ଦେଶର ସବୁ ରାଜ୍ୟରେ ସରକାରୀ ସଂଗ୍ରହ ବ୍ୟବସ୍ଥା ନାହିଁ ଏବଂ ସରକାର ଚାଷୀଙ୍କଠାରୁ ଫସଲ କିଣି ନଥା’ନ୍ତି। ଆହୁରି ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟ କୃଷି ଉତ୍ପାଦନକୁ ବଜାର ଚାହିଦା ସହିତ ଯୋଡ଼ି ତାହାର ବିପଣନ ବ୍ୟବସ୍ଥା କରିଥା’ନ୍ତି। ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟରେ ସରକାର ଚାଷୀଙ୍କଠାରୁ ଫସଲ କିଣିଥା’ନ୍ତି। ଏସବୁ ରାଜ୍ୟରେ ଧାନ ଓ ଗହମ ଅଧିକ ଉତ୍ପାଦିତ ହୁଏ ଓ ତା’ର ସହାୟକ ମୂଲ୍ୟ ବଢ଼଼ାଇବାକୁ ସର୍ବଦା ଚାଷୀ ଏବଂ ରାଜନୈତିକ ମହଲରେ ଦାବି ହୁଏ। ସବୁ ଫସଲର ଅମଳ ସମଗ୍ର ଦେଶରେ ସମାନ ଭାବେ ହୁଏ ନାହଁ କିମ୍ବା ଏହାର ଖର୍ଚ୍ଚ ସବୁଆଡ଼େ ସମାନ ନୁହେଁ। ଓଡ଼ିଶାରେ ଗୋଟିଏ କୁଇଣ୍ଟାଲ୍ ଧାନର ଉତ୍ପାଦନ ଖର୍ଚ୍ଚ ଯାହା, ତାହା ପଞ୍ଜାବ ଓ ଉତ୍ତରପ୍ରଦେଶ ଓ ଆନ୍ଧ୍ରରେ ଭିନ୍ନ। ତେଣୁ ଏମ୍ଏସ୍ପି ମୂଲ୍ୟ ସବୁରାଜ୍ୟର ଚାଷୀଙ୍କୁ ସୁହାଇବା ସମ୍ଭବ ନୁହେଁ।
ଆମ ରାଜ୍ୟ ଓଡ଼ିଶାରେ ଉଭୟ ଖରିଫ୍ ଓ ରବି ଋତୁରେ ଧାନ ଅଧିକ ଚାଷ ହୁଏ। ଅମଳ ପରେ ଚାଷୀ ତାହାକୁ ମଣ୍ଡିକୁ ନେଇ ସେଠାରେ ସରକାର ଓ ମିଲର୍ସଙ୍କ ଦୟାରେ କଟ୍ନି ଛଟ୍ନି ସହିତ ଯେଉଁ ମୂଲ୍ୟରେ ବିକେ ସେଥିରେ ଏମ୍ଏସ୍ପି ମୂଲ୍ୟ ପ୍ରକୃତରେ ତାକୁ ମିଳେ ନାହିଁ। ଓଡ଼ିଶାରେ ଧାନର ଉତ୍ପାଦନ ଖର୍ଚ୍ଚ ଏମ୍ଏସ୍ପି ଦରଠାରୁ ଅଧିକ ହୋଇଥିବାରୁ ଏଥିରେ ଚାଷୀ ଅସନ୍ତୁଷ୍ଟ ହେବା ସ୍ୱାଭାବିକ। ବାସ୍ତବତା କିନ୍ତୁ ଭିନ୍ନ। ଧାନ ଉପରେ ସରକାର ଅଧିକ ଏମ୍ଏସ୍ପି ନୀତିଗତ ଭାବେ ଦେଉନାହାନ୍ତି ଏବଂ ବିଭିନ୍ନ ରାଜ୍ୟ ପାଇଁ ଉତ୍ପାଦନ ଖର୍ଚ୍ଚ ହିସାବରେ ଭିନ୍ନ ଭିନ୍ନ ଏମ୍ଏସ୍ପି ମୂଲ୍ୟ ଧାର୍ଯ୍ୟ କରିବା କେନ୍ଦ୍ର ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ସମ୍ପୃକ୍ତ ରାଜ୍ୟ ସରକାରମାନେ ଚାହିଁଲେ ଏ କ୍ଷେତ୍ରରେ ଧାନ ଭଳି କିଛି ନିର୍ଦ୍ଦିଷ୍ଟ ଫସଲ ଉପରେ ବୋନସ୍ ଦେଇପାରିବେ। ଏଠି ପ୍ରଶ୍ନ ଉଠୁଛି ଯେ ଚାହିଦା କମ୍ ଥିବା ଏବଂ ଉତ୍ପାଦନ ଦୃଷ୍ଟିରୁ ଅଧିକ ଖର୍ଚ୍ଚ ପଡୁଥିବା ଧାନ ଚାଷ ପାଇଁ ଆମ ଓଡ଼ିଆ ଚାଷୀ ଅଧିକ ଆକର୍ଷିତ ହେଉଛନ୍ତି କାହିଁକି? ସେମାନେ ନିଜର ଚାଷନୀତି ବଦଳାଇ ଆବଶ୍ୟକତା ଅନୁସାରେ ଧାନ ଚାଷ କରିବା ସହିତ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
କେବଳ ଏମ୍ଏସ୍ପି ବୃଦ୍ଧି ଦ୍ୱାରା ଚାଷୀଙ୍କର ଲାଭ ବଢ଼଼ିବ ନାହିଁକି ଦୁଃଖ ଯିବ ନାହିଁ। ମଣ୍ଡିର ଅବ୍ୟବସ୍ଥା, କଟନି ଛଟନି ଯୋଗୁଁ ସରକାର ମିଲ୍ ମାଲିକଙ୍କ ଦୟା ଉପରେ ନିର୍ଭର କରୁଛନ୍ତି। ଧାନ ଓ ଅନ୍ୟାନ୍ୟ ଫସଲ ଯଚେଇ ବିକିବାକୁ ଚାଷୀ ବାଧ୍ୟ ହେଉଛି। ତାକୁ ଲାଭ ମିଳୁନାହିଁ। ସାର ଉପରେ ସରକାର ରିହାତି ଦେଉଥିଲେ ମଧ୍ୟ ଚାଷୀ ଏହା ଦ୍ୱାରା ଉପକୃତ ହୋଇପାରୁ ନାହିଁ। ଗୋଟିଏ ବସ୍ତା ୟୁରିଆ ସାର (୫୦ କେଜି)ର ରିହାତି ପରର ମୂଲ୍ୟ ହେଲା ୨୬୬ ଟଙ୍କା। ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ଓ ଲାଭ ମିଶିଲେ, ଏହି ସାର ବସ୍ତା ପିଛା ଅତିବେଶୀରେ ୫୦୦ ଟଙ୍କାରେ ବିକ୍ରି ହେଉଛି। ଏହା ଏକ ଉଦାହରଣ ମାତ୍ର। କୃଷିମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଏକଥା ଯେ ଅଜଣା ତା’ ନୁହେଁ। ରାଜ୍ୟ ପ୍ରଶାସନ ଏ ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଓଡ଼ିଶାର ଚାଷୀ ଅଧିକ ଉପକୃତ ହୁଅନ୍ତେ। ଏହାଦ୍ବାରା ରାଜ୍ୟର କୃଷି ଅର୍ଥନୀତି ମଧ୍ୟ ପୁଷ୍କଳ ହୁଅନ୍ତା।