ମଣିପୁର ସ୍ଥିତି ଆହୁରି ବିଗୁଡୁଛି

ମଣିପୁରରେ ଚାଲିଥିବା ଗଣ ପ୍ରତିବାଦ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମଗ୍ର ଦେଶ ପାଇଁ ଗୁରୁତର ଚିନ୍ତାର ବିଷୟ ପାଲଟିଛି। ହିନ୍ଦୁ ମୈତେଇମାନଙ୍କୁ ଅଦାଲତ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପରେ ଏହାକୁ ବିରୋଧ କରି କୁକି ଓ ନାଗା ଖ୍ରୀଷ୍ଟିଆନ୍‌‌ ଆଦିବାସୀମାନେ ହିଂସାକାଣ୍ଡ ଆରମ୍ଭ କରିବାରୁ ସେଠାରେ ଗତ ଛ’ମାସ ଧରି ଜାତିଆଣ ସଂଘର୍ଷ ଉତ୍କଟ ରୂପ ନେଇଛି। ସେଠି ବିଜେପି ଶାସନ କ୍ଷମତାରେ ଅଛି। ପୁଲିସ୍‌‌, ଅର୍ଦ୍ଧସାମରିକ ବାହିନୀ, ସିଆର୍‌‌ପି ଯବାନ ହଜାର ହଜାର ସଂଖ୍ୟାରେ […]

ମଣିପୁରରେ ଚାଲିଥିବା ଗଣ ପ୍ରତିବାଦ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମଗ୍ର ଦେଶ ପାଇଁ ଗୁରୁତର ଚିନ୍ତାର ବିଷୟ ପାଲଟିଛି। ହିନ୍ଦୁ ମୈତେଇମାନଙ୍କୁ ଅଦାଲତ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପରେ ଏହାକୁ ବିରୋଧ କରି କୁକି ଓ ନାଗା ଖ୍ରୀଷ୍ଟିଆନ୍‌‌ ଆଦିବାସୀମାନେ ହିଂସାକାଣ୍ଡ ଆରମ୍ଭ କରିବାରୁ ସେଠାରେ ଗତ ଛ’ମାସ ଧରି ଜାତିଆଣ ସଂଘର୍ଷ ଉତ୍କଟ ରୂପ ନେଇଛି। ସେଠି ବିଜେପି ଶାସନ କ୍ଷମତାରେ ଅଛି। ପୁଲିସ୍‌‌, ଅର୍ଦ୍ଧସାମରିକ ବାହିନୀ, ସିଆର୍‌‌ପି ଯବାନ ହଜାର ହଜାର ସଂଖ୍ୟାରେ ମୁତୟନ ହୋଇଛନ୍ତି। କର୍ଫ୍ୟୁ ଅବ୍ୟାହତ ରହିଛି। ଇଣ୍ଟରନେଟ୍‌‌ ଓ ମୋବାଇଲ୍‌‌ ସେବାକୁ ବନ୍ଦ କରାଯାଇଛି। ଏହାସତ୍ତ୍ବେ ଦୁଇ ପକ୍ଷ ମଧ୍ୟରେ ପ୍ରକାଶ୍ୟ ଲଢ଼େଇ ଚାଲିଛି। ପୁଲିସ୍‌‌ ଓ ସେନାର ଅସ୍ତ୍ରାଗାର ଲୁଟ୍‌‌ ହେଉଛି। ଥାନା ଉପରେ ଆକ୍ରମଣ କରି ପୋଡ଼ି ଦିଆଯାଉଛି। ଯବାନ, ପୁଲିସ୍‌‌ ଓ ନିରାପତ୍ତା ରକ୍ଷୀଙ୍କୁ ଲୋକେ ବିରୋଧ କରି କାମ କରାଇ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘର ସମେତ ଲୋକପ୍ରତିନିଧିଙ୍କ ଘର ପୋଡ଼ି ଦିଆଯାଉଛି। ସୀମା ସେପାଖରୁ ବର୍ମାରୁ ବିଦ୍ରୋହୀଙ୍କ ପାଖକୁ ଗୁପ୍ତରେ ପ୍ରଚୁର ଅର୍ଥ ଓ ଅସ୍ତ୍ରଶସ୍ତ୍ର ଆସୁଛି। ମଣିପୁରର ମୈତେଇ ଅଧ୍ୟୁଷିତ ଉପତ୍ୟକା ଏବଂ କୁକି / ନାଗା ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳ ବସ୍ତୁତଃ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। କୁକିମାନେ ମଣିପୁରରୁ ଅଲଗା ହେବାକୁ ଅଡ଼ି ବସିଛନ୍ତି। ଏଭଳି ଅବସ୍ଥା ସେଠାରେ ପ୍ରାୟ ଛ’ମାସ ଧରି ଚାଲିବା ପରେ ଏବେ ଦୁଇଜଣ ମୈତେଇ ଛାତ୍ରଙ୍କୁ ସଂଦିଗ୍ଧ କୁକି ବିଦ୍ରୋହୀ ହତ୍ୟା କରିବା ପରେ ପରିସ୍ଥିତି ଅସମ୍ଭାଳ ହୋଇଛି। ମୈତେଇମାନେ ଏବେ ହିଂସାକାଣ୍ଡ ଓ ପୋଡ଼ାଜଳାରେ ମାତି ସରକାରଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଓ ପ୍ରତିକାର ଲୋଡୁଛନ୍ତି। ଏଭଳି ଅବସ୍ଥାରେ ସେଠାରେ କି ଶାସନ, କି ଗଣତନ୍ତ୍ର ଓ କି ବ୍ୟକ୍ତି ସ୍ୱାଧୀନତା?

ସତକଥା କହିଲେ ମଣିପୁର ସ୍ଥିତି ଏବେ ଏକ ଅଣଲେଉଟା ଅବସ୍ଥାରେ ପହଞ୍ଚିଛି। ସରକାର କିଛି କହିବା ଅବସ୍ଥାରେ ନାହାନ୍ତି। ସରକାରୀ ଅସ୍ତ୍ରାଗାରରୁ ଯେଉଁ ହଜାର ହଜାର ବନ୍ଧୁକ ଓ ଅଗଣିତ ଗୁଳିଗୋଳା ଲୁଟ୍‌‌ ହୋଇଥିଲା, ସେଥିରୁ ମାତ୍ର ୩୦ ଭାଗ ଜବତ ହୋଇଛି। ଅବଶିଷ୍ଟ ୭୦ ଭାଗ ଉପଦ୍ରବକାରୀ ଓ ହିଂସ୍ର ଜନତାଙ୍କ ପାଖରେ ରହିଛି। ଏହା ସାହାଯ୍ୟରେ ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଏଭଳି ସ୍ଥିତିରେ ସେଠାକାର ସାଧାରଣ ଜୀବନ କି ଅବସ୍ଥାରେ ଥିବ ସହଜେ ଅନୁମେୟ। ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ସେନାକୁ ଦାୟିତ୍ୱ ଦେଇଦେଲେ ସେମାନଙ୍କ ଗୁଳିମାଡ଼ ଓ ସାମରିକ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ମରିବେ ସତ; ପରିସ୍ଥିତି କିନ୍ତୁ ନିୟନ୍ତ୍ରଣକୁ ଆସିଯିବ। ତେବେ ଏହାଦ୍ୱାରା ମାନବାଧିକାର ଉଲ୍ଲଂଘନ ହେବ ଓ ସେନାର ମାତ୍ରାଧିକ କାର୍ଯ୍ୟକଳାପରେ ଲୋକେ କ୍ଷତିଗ୍ରସ୍ତ ହେବେ। ବିଦେଶରେ ଭାରତର ମର୍ଯ୍ୟାଦା ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବ। ତେଣୁ ସରକାର ‘ଗାଈ ମାରିଲେ ମଲି, ଗାଈକୁ ମାରିଲେ ମଲି’ ଅବସ୍ଥାରେ ଅଛନ୍ତି। କିଛି ଖ୍ରୀଷ୍ଟିଆନ୍‌‌ ଫୋରମ ମଣିପୁର ଜାତିଗତ ଦଙ୍ଗାକୁ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ଉଠାଇ ଭାରତ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେଣି। ତେଣୁ ଭାରତ ଉପରେ ବାହ୍ୟ ଚାପ ପଡ଼ିଲାଣି।

ତେବେ ସତକଥା ବିଦେଶରେ ପହଞ୍ଚି ପାରୁନାହିଁ। ଏହା ଦେଶର ଏକ ଆଭ୍ୟନ୍ତରୀଣ ଜାତିଗତ ହିଂସାକାଣ୍ଡ ଏବଂ ଏଥିରେ ରାଜନୀତି ପୂରାଇ ଅନ୍ୟ ଦେଶ ଭାରତକୁ ଅସୁବିଧାରେ ପକାଇବା ନିନ୍ଦନୀୟ। ମଣିପୁରରେ କୁକିଙ୍କ ଭଳି ନାଗା ଓ ମୈତେଇ ଆଦି ପ୍ରାୟ ସବୁ ଜାତି, ଧର୍ମ ଓ ବିଶ୍ୱାସ ନିର୍ବିଶେଷରେ ଆଦିବାସୀ। ତେବେ କେତେକ ଐତିହାସିକ କାରଣରୁ ମୈତେଇମାନଙ୍କୁ ଆଦିବାଦୀ ମାନ୍ୟତାରୁ ବଞ୍ଚିତ କରାଯାଇଥିଲା। ସେଠାକାର ଖ୍ରୀଷ୍ଟିଆନ୍‌‌ ଜନସଂଖ୍ୟା ତୁଳନାରେ ମୈତେଇ ହିନ୍ଦୁଙ୍କ ସଂଖ୍ୟା ସାମାନ୍ୟ ଅଧିକ। ମୈତେଇ ଆଦିବାସୀ ମାନ୍ୟତା ପାଇଲେ କୁକି ଓ ନାଗା ଆଦି ଆଦିବାସୀଙ୍କ ସଂରକ୍ଷଣ ସୁବିଧା ସଂକୁଚିତ ହେବ କହି ଏହି ଗୋଷ୍ଠୀ ପକ୍ଷରୁ ପ୍ରଥମେ ହିଂସାକାଣ୍ଡ ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦ ମୈତେଇ ପକ୍ଷରୁ ଆରମ୍ଭ ହେବା ପରେ ସେଠାରେ ଏକପ୍ରକାର ଗୃହଯୁଦ୍ଧ ଅବସ୍ଥା ସୃଷ୍ଟି ହୋଇଛି।

ବାସ୍ତବରେ ସେଠାକାର କୁକି ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳ ଓ ମୈତେଇ ଅଧ୍ୟୁଷିତ ଉପତ୍ୟକା ଜାତି ଓ ଧର୍ମ ଆଧାରରେ ଦୁଇଭାଗ ହୋଇଯାଇଛି। ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ କାରବାର ପାଇଁ ମଣିପୁର ଏକ ପେଣ୍ଠସ୍ଥଳ। ତେଣୁ ଏହି କାରବାରରୁ ଲୋକେ ପ୍ରଚୁର ଅର୍ଥ ରୋଜଗାର କରନ୍ତି। ଏବେ ଅନେକ ଗଣ୍ଡଗୋଳକାରୀ ସୀମା ପାର ହୋଇ ବର୍ମାରେ ଶିବିର ସ୍ଥାପନ କରିଛନ୍ତି ଏବଂ ମଣିପୁରକୁ ଆସି ହିଂସାକାଣ୍ଡ ଭିଆଉଛନ୍ତି। ବାସ୍ତବରେ ସେଠାରେ କୁକି ଅସ୍ତ୍ରଧାରୀମାନେ ବେଶୀ ଆତଙ୍କରାଜ ଚଳାଇଛନ୍ତି। ତେଣୁ ମୈତେଇମାନେ ସୁରକ୍ଷା ପାଇଁ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଅଭିଯୋଗ ହୁଏ ଯେ ସେଠାକାର ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂହ ମୈତେଇ ସମ୍ପ୍ରଦାୟର ହିନ୍ଦୁ ଓ ସେଠାରେ ବିଜେପି ସରକାର ଥିବାରୁ ଖ୍ରୀଷ୍ଟିଆନ୍‌‌ ଏବଂ ଅଣ ହିନ୍ଦୁଙ୍କ ପ୍ରତି ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରୁଛି ବୋଲି ବେଶୀ ଅଭିଯୋଗ ଆସୁଛି। ଏହା ଯଦି ସତ୍ୟ ତେବେ ମୈତେଇ ଯୁବକଙ୍କ ଅପହରଣ ଓ ହତ୍ୟା ଏବଂ ହିନ୍ଦୁମାନଙ୍କ ଗୃହଦାହ ଘଟଣା ଘଟୁ ନଥା’ନ୍ତା। କୁକି ଉଗ୍ରବାଦୀଙ୍କ ପଛରେ କିଛି ନ୍ୟସ୍ତସ୍ୱାର୍ଥ ଶକ୍ତିଶାଳୀ ବିଦେଶୀ ଗୋଷ୍ଠୀ ରହିଛି।

କେନ୍ଦ୍ର ସରକାର ମଣିପୁର ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ପାଞ୍ଚଜଣିଆ ବରିଷ୍ଠ ଆଇପିଏସ୍‌‌ ଅଧିକାରୀଙ୍କୁ ନେଇ ଏବେ ଏକ କମିଟି ଗଠନ କରିଛନ୍ତି। ଏହାଛଡ଼ା ପୋଖତ ନିରାପତ୍ତା ଓ ସାମରିକ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଯାଇଛି। ଯାହା ଜଣାଯାଉଛି ଯେ ସେଠାରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ସେନାକୁ ଏତେ ଶୀଘ୍ର ଦିଆଯିବ ନାହିଁ। ଏହାକୁ ଅନ୍ତିମ ପ୍ରତିକାର ବ୍ୟବସ୍ଥା ଭାବେ ରଖି ଏବେ ପୁଲିସ୍‌‌ ଓ ନିରାପତ୍ତା ବାହିନୀଙ୍କ ସାହାଯ୍ୟରେ ଉତ୍ତେଜନା ପ୍ରଶମିତ କରିବାକୁ ଉଦ୍ୟମ କରାଯିବ। ସେଠାରେ ଶାନ୍ତି ଓ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଆଲୋଚନା ଓ ବିଶ୍ୱାସ ବୃଦ୍ଧି ପଦକ୍ଷେପ ଜରୁରୀ। ତେବେ ସେଠାକାର ସାମାଜିକ ସ୍ଥିତି ଏବେ ଯେଉଁଭଳି ଭାବେ ବିଭାଜିତ, ସେଥିରେ ଏହା ଏତେ ଶୀଘ୍ର ସଫଳ ହେବା ସମ୍ଭାବନା କ୍ଷୀଣ। ଘଟଣାର ରାଜନୈତିକ ସମାଧାନର ଆଶା ବର୍ତ୍ତମାନ ଦେଖାଯାଉନାହିଁ। ତେବେ ସେଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ଏବଂ ଅନେକ ଧନଜୀବନ ହରାଇବାକୁ ହେବ। ଏଭଳି ପରିସ୍ଥିତିରେ ସେଠାରେ ଏକ ପ୍ରଭାବହୀନ ସରକାରକୁ ରଖିବାର ଆବଶ୍ୟକତା କ’ଣ? ସେଠାରେ ରାଷ୍ଟ୍ରପତି ଶାସନ ଜାରି କରି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ବରଂ ଶ୍ରେୟସ୍କର।

About The Author: The Sakala