ବିଶ୍ୱାସ ଓ ଶାନ୍ତି

ଚୀନ୍‌‌ରେ ସଦ୍ୟ ଅନୁଷ୍ଠିତ ‘ସାଂଘାଇ କୋଅପରେସନ୍‌‌ ଅର୍ଗାନାଇଜେସନ୍‌‌ (ଏସ୍‌‌ସିଓ)’ର ଚିଠା ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇଛି। ଆତଙ୍କବାଦୀ ନିରୋଧ ଏବଂ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ଓ ସୁରକ୍ଷା ଏହି ସଂଗଠନର ପ୍ରମୁଖ ଆଭିମୁଖ୍ୟ ହୋଇଥିଲେ ହେଁ ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀରର ପହଲ୍‌‌ଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉକ୍ତ ଚିଠା ପ୍ରସ୍ତାବରେ ସ୍ଥାନ ପାଇନାହିଁ। ଅଥଚ ପାକିସ୍ତାନର ବାଲୋଚିସ୍ତାନରେ ଗତ ମାର୍ଚ୍ଚ ମାସର ଟ୍ରେନ୍‌‌ ଅପହରଣ ଘଟଣା ସ୍ଥାନ ପାଇଛି। ଅର୍ଥାତ୍‌‌ […]

ଚୀନ୍‌‌ରେ ସଦ୍ୟ ଅନୁଷ୍ଠିତ ‘ସାଂଘାଇ କୋଅପରେସନ୍‌‌ ଅର୍ଗାନାଇଜେସନ୍‌‌ (ଏସ୍‌‌ସିଓ)’ର ଚିଠା ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇଛି। ଆତଙ୍କବାଦୀ ନିରୋଧ ଏବଂ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ଓ ସୁରକ୍ଷା ଏହି ସଂଗଠନର ପ୍ରମୁଖ ଆଭିମୁଖ୍ୟ ହୋଇଥିଲେ ହେଁ ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀରର ପହଲ୍‌‌ଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉକ୍ତ ଚିଠା ପ୍ରସ୍ତାବରେ ସ୍ଥାନ ପାଇନାହିଁ। ଅଥଚ ପାକିସ୍ତାନର ବାଲୋଚିସ୍ତାନରେ ଗତ ମାର୍ଚ୍ଚ ମାସର ଟ୍ରେନ୍‌‌ ଅପହରଣ ଘଟଣା ସ୍ଥାନ ପାଇଛି। ଅର୍ଥାତ୍‌‌ ଆଞ୍ଚଳିକ ଶାନ୍ତି ଓ ସହାବସ୍ଥାନ ଦିଗରେ ବାଧାସୃଷ୍ଟିକାରୀ କାରକ ଓ ଘଟଣାମାନଙ୍କ ବିଷୟରେ ଆଲୋଚନା କରି ସ୍ଥାୟୀ ସମାଧାନର ସୂତ୍ର ବାହାର କରିବା ପାଇଁ ଉଦ୍ଦିଷ୍ଟ ଆଜେଣ୍ଡାରେ ବାଲୋଚିସ୍ତାନ ଘଟଣାକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ପହଲ୍‌‌ଗାମ୍‌‌ ଘଟଣାକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ। ଏଥିରୁ ପାକିସ୍ତାନ ପ୍ରତି ଚୀନ୍‌‌ର ଦୁର୍ବଳତା ଓ ସହୋଦର ଭାବ ଏବଂ ଭାରତ ପ୍ରତି ଥିବା ବୈରୀ ମନୋଭାବ ପୁଣି ଥରେ ସାମ୍ନାକୁ ଆସିଛି। ଅପରପକ୍ଷରେ ଏସୀୟ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅସ୍ଥିରତା ଓ ଅଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଚୀନ୍‌‌ ଓ ପାକିସ୍ତାନର ପ୍ରଚ୍ଛନ୍ନ ଭୂମିକା ଥିବାରୁ ଭାରତ ତା’ର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଓ କଠୋର ଆଭିମୁଖ୍ୟ ଜରିଆରେ ଦୁଇ ଦୁଷ୍ଟ ପଡ଼ୋଶୀଙ୍କୁ କଡ଼ା ବାର୍ତ୍ତା ଦେଇଛି ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ବିସ୍ତାରବାଦୀ ଆଭିମୁଖ୍ୟ ଦ୍ୱାରା ସ୍ଥାୟୀ ଶାନ୍ତି ଓ ପ୍ରଗତି ହାସଲ କରିହେବ ନାହିଁ।

୧୦ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ବିଶ୍ୱର ଏହି ସର୍ବବୃହତ୍‌‌ ଆଞ୍ଚଳିକ ସଂଗଠନରେ ଭାରତ ସମେତ ଚୀନ୍‌‌, ପାକିସ୍ତାନ, ରୁଷ୍‌‌, ଇରାନ୍‌‌, କାଜାକ୍‌‌ସ୍ତାନ, କିରଗିଜ୍‌‌ସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ୍‌‌ ସଦସ୍ୟ ଅଛନ୍ତି। ୨୦୨୩ରେ ଭାରତ ଏହାର ଅଧ୍ୟକ୍ଷତା କରୁଥିବା ବେଳେ ଗତ ବର୍ଷ ପାକିସ୍ତାନ ଓ ଚଳିତ ବର୍ଷ ଚୀନ୍‌‌ ଅଧ୍ୟକ୍ଷତା କରୁଛି। ଉଲ୍ଳେଖଯୋଗ୍ୟ ଯେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠ୍‌‌ରେ ଚୀନ୍‌‌ ଓ ପାକିସ୍ତାନର ପ୍ରତିନିଧି ପ୍ରତ୍ୟକ୍ଷ ଉପସ୍ଥିତ ନଥିଲେ। କିନ୍ତୁ ସଦାସର୍ବଦା ସହଯୋଗ ଓ ଶାନ୍ତିର ବାର୍ତ୍ତା ଦେଉଥିବା ଭାରତ ବନ୍ଧୁତ୍ୱର ହାତ ବଢ଼଼ାଇଚାଲିଛି ଏବଂ ବନ୍ଧୁତ୍ୱର ପରିଭାଷା ହିଁ ସବୁ ସମସ୍ୟା, ଦ୍ୱନ୍ଦ୍ୱର ସମାଧାନ ବୋଲି ମନ୍ତ୍ର ଦେଇଛି। ଗତବର୍ଷ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି। ଅଥଚ ଚୀନ୍‌‌ କିମ୍ବା ପାକିସ୍ତାନ ଶାନ୍ତିର ଭାଷା ବୁଝିପାରୁନାହାନ୍ତି।
ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଭାବେ ପାକିସ୍ତାନର କୁଖ୍ୟାତି ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଭାରତ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ। ଚୀନ୍‌‌ର ବିସ୍ତାରବାଦୀ ଆଭିମୁଖ୍ୟ ଯୋଗୁଁଁ ଭାରତ ସମେତ ଚୀନ୍‌‌-ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ସୀମା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିପଦରେ। ଚୀନ୍‌‌ର ବହୁ ଆକାଂକ୍ଷିତ ‘ବେଲ୍‌‌ଟ ଆଣ୍ଡ ରୋଡ୍‌‌ ପ୍ରକଳ୍ପ(ବିଆରଆଇ)’ର ପାକିସ୍ତାନ ଦୃଢ଼ ଓ ଅନ୍ଧ ସମର୍ଥକ ହୋଇଥିବା ବେଳେ ଏହାଦ୍ୱାରା ଅଂଶୀଦାର ଦେଶମାନଙ୍କର, ବିଶେଷକରି ଭାରତର, ସାର୍ବଭୌମତ୍ୱ ପ୍ରତି ବିପଦ ଆଶଙ୍କା ଥିବାରୁ ଭାରତ ଏହି ପ୍ରକଳ୍ପର ବିରୋଧ କରୁଛି। ତେଣୁ ଚୀନ୍‌‌ ପାକିସ୍ତାନ ଜରିଆରେ ଭାରତ ଉପରେ ଦାଉ ସାଧିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ‘ଅପରେସନ୍‌‌ ସିନ୍ଦୂର’ରେ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇ ଦେଇ ଚୀନ୍‌‌ ଏହା ପୁଣି ପରୋକ୍ଷରେ ପ୍ରମାଣିତ କରିଥିବା ବେଳେ ଭାରତ ବିରୋଧୀ ଖେଳରେ ବାଂଲାଦେଶକୁ ମୋହରା କରିଛି। ଏହି ପୃଷ୍ଠଭୂମିରେ ‘ଏସ୍‌‌ସିଓ’ରେ ପହଲ୍‌‌ଗାମ୍‌‌ ଘଟଣା ସ୍ଥାନ ନ ପାଇବା ସେତେ ଆଶ୍ଚର୍ଯ୍ୟଜନକ ନୁହେଁ।

ସାମ୍ପ୍ରତିକ ଯୁଦ୍ଧମୁହାଁ ବିଶ୍ୱରେ ଅନେକ ରାଷ୍ଟ୍ରର ସାର୍ବଭୌମ ସଙ୍କଟାପନ୍ନ। ଦ୍ୱିପାକ୍ଷିକ ସମ୍ପର୍କରେ ବିଶ୍ୱାସର ଅଭାବ ହିଁ ଏଥିପାଇଁ ଦାୟୀ। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଆହୁରି ଉତ୍କଟ କରୁଛି ଆତଙ୍କବାଦ। ସହଯୋଗ, ସମନ୍ୱୟ, ନିଃସ୍ୱାର୍ଥପର ବନ୍ଧୁତ୍ୱ ଓ ବିଶ୍ୱାସ ବିନା ଏହି ସମସ୍ୟାର ସମାଧାନ ଅସମ୍ଭବ। ‘ଏସ୍‌‌ସିଓ’ର ଚିଠାପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଦେଇ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ୱକୁ ଏହି ମନ୍ତ୍ର ଦେଇଛି। ବିଶ୍ୱ ସମୁଦାୟକୁ ‘ଏସ୍‌‌ସିଓ’ ସଦସ୍ୟ ରାଷ୍ଟ୍ର ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳର ଯୋଗଦାନ ଉଲ୍ଳେଖନୀୟ ଥିବାରୁ ଜାତିସଂଘରେ ପଶ୍ଚିମ ରାଷ୍ଟ୍ରର ବିକଳ୍ପ ହେବା ପାଇଁ ଉଦ୍ୟମ ହେବା ସହିତ ସୁରକ୍ଷା ପରିଷଦ ଅଧିକ ସ୍ୱଚ୍ଛ, ଦକ୍ଷ, ଗଣତାନ୍ତ୍ରିକ, ପ୍ରଭାବଶଶାଳୀ, ଉତ୍ତରଦାୟୀ ହେବା ଆବଶ୍ୟକ। କିନ୍ତୁ ଏ ଦିଗରେ ଚୀନ୍‌‌ ଓ ପାକିସ୍ତାନର ଆଭିମୁଖ୍ୟ ପରିବର୍ତ୍ତନ ନ ହେବା ଯାଏଁ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ସମ୍ଭବ ହୋଇପାରିବ ନାହିଁ।

ଏହି ଅବସରରେ ରାଜନାଥ ସିଂହ ଚୀନ୍‌‌ ପ୍ରତିପକ୍ଷ ଆଡ୍‌‌ମିରାଲ୍‌‌ ଡୋଙ୍ଗ ଜୁନ୍‌‌ଙ୍କୁ ସ୍ୱତନ୍ତ୍ର ଭାବେ ଆଲୋଚନା କରି ପହଲ୍‌‌ଗାମ୍‌‌ ଘଟଣା ଓ ‘ଅପରେସନ୍‌‌ ସିନ୍ଦୂର’ ବିଷୟରେ ସବିଶେଷ ତଥ୍ୟ ରଖି ପୁଣି ଥରେ ଅବଗତ କରାଇଥିବା ବେଳେ ଅନ୍ୟ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ସମୟରେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିଶ୍ୱାସ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିଶେଷକରି ଭାରତ-ଚୀନ୍‌‌ ସୀମା ଉତ୍ତେଜନା ଯେଭଁଭଳି ଭାବେ ଦ୍ୱିପାକ୍ଷିକ ବିଶ୍ୱାସ ଆଧାରିତ ଆଲୋଚନା ଜରିଆରେ ସଫଳ ହେଲା ତାହାର ଉଦାହରଣ ଦେଇ ଭବିଷ୍ୟତରେ ମଧ୍ୟ ଦୁଇରାଷ୍ଟ୍ର ମଧ୍ୟରେ ବିଶ୍ୱାସ ଓ ସହଯୋଗ ଆଧାରିତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀସିଂହ ପରାମର୍ଶ ଦେଇଛନ୍ତି। ଏହିକ୍ରମରେ ଚୀନ୍‌‌ ପ୍ରତିପକ୍ଷଙ୍କ ସହିତ ରାଜନାଥ ସିଂହ ଗତ ପାଞ୍ଚ ବର୍ଷ ମଧ୍ୟରେ ଚାରିଥର ଭେଟି ସମାନ କଥା ଦୋହରାଇଛନ୍ତି। ଆଡ୍‌‌ମିରାଲ୍‌‌ ଜୁନ୍‌‌ ମଧ୍ୟ ଆପୋସ ଆଲୋଚନା ଓ ବିଶ୍ୱାସ ବଳରେ ପ୍ରତିବେଶୀ ସମ୍ପର୍କ ସୁଦୃଢ଼ ହୋଇପାରିବ ଏବଂ ଏହାଦ୍ୱାରା ଆଞ୍ଚଳିକ ଓ ବିଶ୍ୱଶାନ୍ତି ସମ୍ଭବ ହୋଇପାରିବ ବୋଲି ସହମତ ହୋଇଛନ୍ତି। କିନ୍ତୁ ଏହି ଦୁଷ୍ଟ ରାଷ୍ଟ୍ର ତା’ର ପ୍ରତିଶ୍ରୁତି କେବେ ପାଳନ କରିବାର ଉଦାହରଣ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଅବସରରେ ରାଜନାଥ ସିଂହ ରୁଷ ପ୍ରତିପକ୍ଷଙ୍କୁ ଭେଟି ‘ଅପରେସନ୍‌‌ ସିନ୍ଦୂର’ରେ ରୁଷ୍‌‌ ନିର୍ମିତ ଏସ୍‌‌୪୦୦ ଏବଂ ସୁଖୋଇ ଲଢ଼ୁଆ ବିମାନର ପାରଦର୍ଶିତା ପାଇଁ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳି ପ୍ରତିରକ୍ଷା ସହଯୋଗ ପାଇଁ ଆଶା ରଖିଛନ୍ତି। ଆମେରିକା ଏବେ ଯେଉଁଭଳି ଭାବେ ପାକିସ୍ତାନ ପଟକୁ ଢଳୁଛି ସେହି ଦୃଷ୍ଟିରୁ ପୁରୁଣା ମିତ୍ର ରାଷ୍ଟ୍ର ରୁଷ୍‌‌ର ସହଯୋଗ ଭାରତ ପାଇଁ ଏକାନ୍ତ ଆବଶ୍ୟକ।

‘ଅପରେସନ୍‌‌ ସିନ୍ଦୂର’ ପରବର୍ତ୍ତୀ ସମୟରେ ଭାରତ ତା’ର ବହୁଦଳୀୟ ରାଷ୍ଟ୍ରଦୂତମାନଙ୍କ ଜରିଆରେ ଯେଉଁ ବାର୍ତ୍ତା ବିଶ୍ୱ ସମୁଦାୟକୁ ଦେଇଥିଲା ସଦ୍ୟସମାପ୍ତ ଏସ୍‌‌ସିଓରେ ତାହାକୁ ପରୋକ୍ଷରେ ଦୋହରାଇଛି। ଏଥିସହିତ ପଡ଼ୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛି ଯେ ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମରେ ପ୍ରିୟାପ୍ରୀତିତୋଷଣ କିମ୍ବା ବଶମ୍ବଦତା ଆଦୌ ଗ୍ରହଣୀୟ ନୁହେଁ। ଆତଙ୍କର ମୂଳୋତ୍ପାଟନ ଏବଂ ଶାନ୍ତି ସହାବସ୍ଥାନ ପାଇଁ ଭାରତ ସହଯୋଗ କରିବାକୁ ସଦା ଆଗ୍ରହୀ। କିନ୍ତୁ ଏଥିରେ ପକ୍ଷପାତିତାକୁ ଭାରତ ଆଦୌ ବରଦାସ୍ତ କରିବ ନାହିଁ।

About The Author: The Sakala