ମୂଲ୍ୟବୋଧର ସୁରକ୍ଷା

ଗତ ସାତଦିନ ମଧ୍ୟରେ ଦେଶରେ ଏଭଳି ତିନିଟି ଅଘଟଣ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି, ଯାହା ଆଜିର ସଭ୍ୟ ସମାଜ ଓ ଏକବିଂଶ ଶତାବ୍ଦୀର ମାନବ ସଭ୍ୟତା ପ୍ରତି ଏକ କଳଙ୍କ କହିବାର ଯଥାର୍ଥତା ରହିଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଦେଶରେ ପ୍ରତିକୋଣରେ ପ୍ରତିକ୍ଷଣରେ ଏଭଳି ଅନେକ ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ନିର୍ଯାତିତ ଓ ପୀଡ଼ିତମାନେ ଭାଗ୍ୟକୁ ଆଦରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। କେଉଁଠାରେ ଦଳିତମାନଙ୍କର ଘର ପୋଡ଼ି ଦିଆଯାଉଛି ତ କେଉଁଠାରେ ନିଅାଁପାଣି ବାସନ୍ଦ […]

ଗତ ସାତଦିନ ମଧ୍ୟରେ ଦେଶରେ ଏଭଳି ତିନିଟି ଅଘଟଣ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି, ଯାହା ଆଜିର ସଭ୍ୟ ସମାଜ ଓ ଏକବିଂଶ ଶତାବ୍ଦୀର ମାନବ ସଭ୍ୟତା ପ୍ରତି ଏକ କଳଙ୍କ କହିବାର ଯଥାର୍ଥତା ରହିଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଦେଶରେ ପ୍ରତିକୋଣରେ ପ୍ରତିକ୍ଷଣରେ ଏଭଳି ଅନେକ ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ନିର୍ଯାତିତ ଓ ପୀଡ଼ିତମାନେ ଭାଗ୍ୟକୁ ଆଦରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। କେଉଁଠାରେ ଦଳିତମାନଙ୍କର ଘର ପୋଡ଼ି ଦିଆଯାଉଛି ତ କେଉଁଠାରେ ନିଅାଁପାଣି ବାସନ୍ଦ କରାଯାଉଛି। ଏପରିକି ପିଇବା ପାଇଁ ପାଣିରୁ ମଧ୍ୟ ବଞ୍ଚିତ କରାଯାଉଛି। ସେଥିମଧ୍ୟରୁ କାଁ ଭାଁ କେତୋଟି ଘଟଣା ଗଣମାଧ୍ୟମ ଜରିଆରେ ପ୍ରତିଫଳିତ ହେଉଛି।

ନିକଟରେ ଘଟିଥିବା ସେଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ଉତ୍ତରପ୍ରଦେଶରେ ଇଟାହ୍ୱା ଜିଲ୍ଳାର ଦାଦରପୁର ଗାଁରେ ଜଣେ ଦଳିତ ବ୍ୟକ୍ତି ପ୍ରବଚନ ଦେଉଥିବା ବେଳେ ସେଥିପାଇଁ ତାଙ୍କର ଅଧିକାର ଉପରେ ପ୍ରଶ୍ନ ଉଠାଇ କିଛି ଲୋକ ତାଙ୍କୁ ଅଧାମୁଣ୍ଡନ କରିବା ଓ ପରିସ୍ରା ପିଇବାକୁ ବାଧ୍ୟ କରିବା ସହିତ ମାଡ଼ ମାରିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦ୍ୱିତୀୟ ଘଟଣା ଘଟିଛି ଓଡ଼ିଶାରେ। ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିରି ଗ୍ରାମରେ ଦଳିତ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ସେମାନଙ୍କ ଝିଅର ଶାଶୂଘରକୁ ଯୌତୁକ ଦେବା ପାଇଁ ତିନିଟି ଗାଈ ନେଇ ଯାଉଥିବା ବେଳେ କିଛି ଲୋକ ସେମାନଙ୍କୁ ଅଟକାଇ ଚାନ୍ଦା ଦାବି କରିଥିଲେ। ଚାନ୍ଦା ଦେବାକୁ ମନା କରିବାରୁ ସେମାନଙ୍କୁ ଗୋଚାଲାଣକାରୀ ଭାବେ ଅଭିଯୁକ୍ତ କରି ଅଧା ମୁଣ୍ଡନ କରାଇବା ସହିତ ନର୍ଦ୍ଦମା ପାଣି ପିଆଇବା ଏବଂ ପ୍ରାୟ ଦୁଇକିମି ପର୍ଯ୍ୟନ୍ତ ଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ। ଦୁଇଟିଯାକ ଘଟଣାରେ ପୁଲିସ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଓଡ଼ିଶା ଘଟଣାରେ ଦଳିତ ମହାସଭା ଆପତ୍ତି ଉଠାଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ୍‌‌ ଗାନ୍ଧୀ ଘଟଣାକୁ ନିନ୍ଦା କରିଛନ୍ତି।

ଉତ୍ତରପ୍ରଦେଶ ଘଟଣାରେ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ତୃତୀୟ ଘଟଣା ଘଟିଛି ଏକ ଘରୋଇ ବିମାନ ଚଳାଚଳ ସଂସ୍ଥାରେ। ବିମାନରେ ତାଲିମ ନେଉଥିବା ଜଣେ ଅଧସ୍ତନଙ୍କୁ ଉପରିସ୍ଥ ଅଧିକାରୀ ଜାତିଆଣ ଆକ୍ଷେପ କରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ବିମାନ ସଂସ୍ଥା ପକ୍ଷରୁ ଜାତିଆଣ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ପୁଲିସ୍‌‌ ଏଫ୍‌‌ଆଇଆର ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜାତିଆଣର ଧୂଅାଁ ଯେ ଶିଳ୍ପ ଓ ସମ୍ଭ୍ରାନ୍ତ ଜଗତକୁ ମଧ୍ୟ ବ୍ୟାପୀଚାଲିଛି ତାହା ଉପରୋକ୍ତ ଘଟଣାରୁ ପ୍ରମାଣିତ ହୋଇଛି।
ବିଡ଼ମ୍ବନା ହେଉଛି ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ତା’ର ସମ୍ବିଧାନର ୭୫ତମ ବର୍ଷ ପାଳନ କରୁଛି। ଦେଶ ସ୍ୱାଧୀନତାର ଅମୃତକାଳରେ ଯାତ୍ରା କରୁଛି। ରୂଢ଼ିବାଦୀ ପରମ୍ପରା ଅନ୍ଧବିଶ୍ୱାସ ଆଦିକୁ ପଛରେ ଛାଡ଼ି ବିଶ୍ୱଗୁରୁ ହେବା ପାଇଁ ଭାରତ ସ୍ୱପ୍ନ ଦେଖୁଛି। ଅଥଚ ଆଜି ମଧ୍ୟ ଆମ ସମାଜ ମଧ୍ୟଯୁଗୀୟ ରକ୍ଷଣଶୀଳତା ଓ ବର୍ବରତାରୁ ମୁକ୍ତି ପାଇନାହିଁ। ଆମ ସମ୍ବିଧାନର ଅନେକ ବିଶେଷତ୍ୱ ମଧ୍ୟରୁ ସ୍ୱତନ୍ତ୍ର ହେଲା ସମାଜର ନିମ୍ନସ୍ତରରେ ଥିବା ବର୍ଗଙ୍କ ବିକାଶ ଓ କଲ୍ୟାଣ। ଏହି ପୃଷ୍ଠଭୂମିରେ ସ୍ୱତଃ ପ୍ରଶ୍ନ ଉଠେ ଆମେ ୭୫ ବର୍ଷ ଭିତରେ ସମ୍ବିଧାନର ଏହି ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛୁ କି? ଇଟ୍‌‌ହ୍ୱା ଓ ଧରାକୋଟ ପରି ଘଟଣା ଭିଆଇ ଆମେ ଆମ ଦେଶଶାସନ ଓ ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ ସମ୍ବିଧାନର ସ୍ୱତଃ ଅପମାନ କରୁନାହୁଁ କି? ସଂଯୋଗବଶତଃ ଏହି ଦୁଇଟି ଯାକ ରାଜ୍ୟ ନିକଟରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛନ୍ତି। ତେଣୁ ଉକ୍ତ ଦିବସ ପାଳନର ଶବ୍ଦାର୍ଥ ଓ ତାତ୍ତ୍ୱିକ ଅନୁଶୀଳନ ଏବଂ ଦଳିତ ବିରୋଧୀ ଅଘଟଣକୁ ମିଶାଇ ତର୍ଜମା କଲେ ସାଧାରଣ ଭାବେ ଯେଉଁ ନିଷ୍କର୍ଷ ଆସୁଛି ତାହାର ସରଳ ଓ ସ୍ପଷ୍ଟ ବ୍ୟାଖ୍ୟା ଜରୁରୀ ମନେ ହୁଏ।

ପ୍ରାଚୀନ କାଳରୁ ବର୍ଣ୍ଣାଶ୍ରମ ଆଧାରରେ ଗଢ଼ି ଉଠିଥିବା ଭାରତୀୟ ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ ପ୍ରଥାରୁ ଯେ ଜାତିବାଦ ବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମ୍ପୂର୍ଣ୍ଣ ଲୋପ କରିଦିଆଯାଇପାରିବ ସେ କ୍ଷମତା ବା ସୁଯୋଗ ଆପାତତଃ କୌଣସି ଶାସନ ଓ ପ୍ରଶାସନର ଥିବା ପରି ମନେ ହେଉନାହିଁ। ତେଣୁ କୌଣସି ସରକାରଙ୍କୁ ଏଥିପାଇଁ ଆକ୍ଷେପ ବା ସମାଲୋଚନା କରିବା ବୃଥା। ଅନ୍ତତଃ ସ୍ୱାଧୀନତାର ଅମୃତକାଳ ମଧ୍ୟରେ ଜାତିବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିବା ସମ୍ଭାବନା ଯେ ଆଦୌ ନାହିଁ, ତାହା ଆଗାମୀ ଜାତିଭିତ୍ତିକ ଜନଗଣନା ଘୋଷଣାରୁ ଜୋର ଦେଇ କହିହେଉଛି। ଆଇନ କାନୁ୍‌‌ନ ଓ ବିଧିବ୍ୟବସ୍ଥା ଯେତେ ସ୍ୱଚ୍ଛ, ସରଳ, ଉଦାର କିମ୍ବା କଠୋର ହେଲେ ମଧ୍ୟ ଆମ ଗଣତନ୍ତ୍ରର ନିର୍ବାଚନୀ-ସଂସ୍କୃତି ଜାତିବାଦକୁ ସମାପ୍ତ ହେବାକୁ ଦେବ ନାହିଁ – ଏହା ଅବଧାର୍ଯ୍ୟ। କେବଳ ଆରୋପ-ପ୍ରତ୍ୟାରୋପ, ଆଲୋଚନା-ସମାଲୋଚନା, ଆଲୋଡ଼ନ-ସମବେଦନାର କିଞ୍ଚିତ ଜଳଛିଞ୍ଚନ ଦ୍ୱାରା ଜାତିଆଣ ହିଂସା ଓ ଉତ୍ତେଜନା ସାମୟିକ ପ୍ରଶମିତ ହୋଇଯିବ ସିନା ପାଉଁଶ ତଳେ ଥିବା ନିଅାଁ କେବେ ଲିଭିବ ନାହିଁ। ସମୟ ସମୟରେ ଉସୁକାଣର ପବନରେ ତାହା ପୁଣି ଅଗ୍ନିସ୍ଫୁଲିଙ୍ଗ ପାଲଟୁଥିବ ଏବଂ ଇତିହାସରେ ଗୋଟିଏ ଲେଖାଏଁ କଳଙ୍କିତ ଅଧ୍ୟାୟ ଲେଖି ଚାଲିଥିବ।

ସାମାଜିକ ବ୍ୟବସ୍ଥାରୁ ଜାତିଆଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଲୋପ ନ ହେବା ପଛରେ ଅନେକ କାରଣ ରହିଛି। କିନ୍ତୁ ଏହା ଯଦି ଉଚ୍ଚଶିକ୍ଷିତ ଓ ସଭ୍ୟ ସମାଜର ପରିଚାୟକ କର୍ପୋରେଟ୍‌‌ କ୍ଷେତ୍ରକୁ ବ୍ୟାପିଥାଏ ତେବେ ତାହାର ପ୍ରତିକାର ଏକ ଉଦ୍‌‌ବେଗଜନକ ଓ ଜଟିଳ ପ୍ରସଙ୍ଗ। କର୍ପୋରେଟ୍‌‌ ଅର୍ଥନୀତିରେ ଜାତିବାଦକୁ ଅନୁଶୀଳନ କରି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକର କହିଥିଲେ ଯେ ଅର୍ଥନୀତିରେ ଜାତିବାଦ ଶ୍ରମ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବର) ନୁହେଁ, ବରଂ ଶ୍ରମିକଙ୍କ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବରର)। ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏଭଳି ତୀବ୍ର ବର୍ଣ୍ଣବୈଷମ୍ୟ ଓ ଜାତିଆଣ ମନୋଭାବରୁ ହିଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥାଟି ଜନ୍ମ ନେଇଥିଲା, ଯାହା ହଟିବାର କୌଣସି ସମ୍ଭାବନା ଭବିଷ୍ୟତରେ ଦେଖାଯାଉନାହିଁ।

ଆମ ଧର୍ମଧାରଣା ବସୁଧୈବ କୁଟୁମ୍ବକମ୍‌‌ ଉପରେ ଆଧାରିତ। ସର୍ବଧର୍ମ ସମନ୍ୱୟ ଓ ଜାତି-ଧର୍ମ-ବର୍ଣ୍ଣ-ସମ୍ପ୍ରଦାୟ ଭାବନାର ଊର୍ଦ୍ଧ୍ବରେ ମାନବତାର ଉଦ୍‌‌ଘୋଷଣା କରୁଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପତିତପାବନ ଜଗତରନାଥ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି। ଏହି ପତିତପାବନ ଯାତ୍ରାର ପବିତ୍ର ସନ୍ଦେଶ ଆମ ଜୀବନାଦର୍ଶ ହେଉ। ସବର୍ଣ୍ଣ-ଅସବର୍ଣ୍ଣ ବିଭେଦରୁ ଊର୍ଦ୍ଧ୍ବରେ ଆମ ଦୃଷ୍ଟିକୋଣ ଓ ମାନସିକତା ମାନବବାଦୀ ହେଉ। ମାନବତାର ସୁରକ୍ଷା ହୋଇପାରିଲେ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସ୍ୱତଃ ହୋଇଯିବ।

 

About The Author: The Sakala