ଅସୁରକ୍ଷିତ ମହିଳା

ଭାରତ ଆସୁଥିବା ଆମେରିକାର ପର୍ଯ୍ୟଟକଙ୍କୁ ତାଙ୍କ ଦେଶର ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ସତର୍କ ରହିବାକୁ ଚେତାବନୀ ଦେଇଛି। ଭାରତକୁ ହଠାତ କାହିଁକି ଅସୁରକ୍ଷିତ ରାଷ୍ଟ୍ର ରୂପେ ପରିଗଣିତ କରାଗଲା ତାହା ଯେକୌଣସି ଭାରତୀୟଙ୍କ ସକାଶେ ଚିନ୍ତା ଓ ଉଦ୍‌‌ବେଗର ବିଷୟ। ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ସେହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଆମ ଦେଶରେ ଓଡ଼ିଶା ଅପେକ୍ଷାକୃତ ଅଧିକ ଶାନ୍ତିପ୍ରିୟ ରାଜ୍ୟ ଓ ଭାଇଚାରା ସମ୍ପର୍କରେ ବିଶ୍ୱାସୀ। ସେଥିରେ ଆମେରିକା […]

ଭାରତ ଆସୁଥିବା ଆମେରିକାର ପର୍ଯ୍ୟଟକଙ୍କୁ ତାଙ୍କ ଦେଶର ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ସତର୍କ ରହିବାକୁ ଚେତାବନୀ ଦେଇଛି। ଭାରତକୁ ହଠାତ କାହିଁକି ଅସୁରକ୍ଷିତ ରାଷ୍ଟ୍ର ରୂପେ ପରିଗଣିତ କରାଗଲା ତାହା ଯେକୌଣସି ଭାରତୀୟଙ୍କ ସକାଶେ ଚିନ୍ତା ଓ ଉଦ୍‌‌ବେଗର ବିଷୟ। ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ସେହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଆମ ଦେଶରେ ଓଡ଼ିଶା ଅପେକ୍ଷାକୃତ ଅଧିକ ଶାନ୍ତିପ୍ରିୟ ରାଜ୍ୟ ଓ ଭାଇଚାରା ସମ୍ପର୍କରେ ବିଶ୍ୱାସୀ। ସେଥିରେ ଆମେରିକା ହଠାତ୍‌‌ କଳଙ୍କ ଲେପିଲା କାହିଁକି? ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ସକାଶେ ରାଜ୍ୟବାସୀ ୨୪ ବର୍ଷର ଲୋକପ୍ରିୟ ସରକାରରେ ପରିବର୍ତ୍ତନ ଘଟାଇଥିଲେ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି। ଯେଉଁ ସତର୍କତା ଚେତାବନୀ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ତାହା କ’ଣ ଆମ ଅସ୍ମିତାର ପରିପନ୍ଥୀ ନୁହେଁ?
ଏତେ ସବୁ କାହିଁକି ମଧ୍ୟରେ ଏବେ ଆସିବା ଅସଲ କଥାକୁ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ। ରାଜ୍ୟବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଦାୟିତ୍ୱ ସେ ନିଜେ ସମ୍ଭାଳୁଛନ୍ତି। ତେଣୁ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟତ ଓ ରହଣିରେ ସ୍ୱାଭାବିକ ଭାବେ କିଛି ଅସୁବିଧା ବା ପ୍ରତିବନ୍ଧକ ରହିବା କଥା ନୁହେଁ। ଆମେରିକା ସରକାରଙ୍କ ଦ୍ବାରା ସେମାନଙ୍କ ନାଗରିକଙ୍କ ସକାଶେ ଜାରି ପର୍ଯ୍ୟଟନ ଚେତାବନୀରେ ଦର୍ଶାଯାଇଛି ଯେ ଭାରତରେ ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରେ ଦୁଷ୍କର୍ମ ସ୍ଥାନ ସର୍ବାଗ୍ରେ। ପର୍ଯ୍ୟଟନ ସ୍ଥଳୀ ଓ ତାହାର ଆଖପାଖ ଅଞ୍ଚଳରେ ଯୌନ ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧ ବଢ଼଼ୁଛି। ଏଭଳି ଅସୁରକ୍ଷିତ ପରିବେଶରେ ଯଥେଷ୍ଟ ସାବଧାନତା ଅବଲମ୍ବନ ନ କଲେ ପ୍ରତିକୂଳ ପରିସ୍ଥିତିର ଶିକାର ହେବା ଆଶଙ୍କା ଅଧିକ। ଅନ୍ୟ ଏକ ବିପଦର କାରଣ ହେଲା ଆତଙ୍କବାଦୀ ବିନା ଚେତାବନୀରେ କେବଳ ବିଦେଶୀ ପର୍ଯ୍ୟଟକ ନୁହନ୍ତି ସ୍ଥାନୀୟ ଅଧିବାସୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥା’ନ୍ତି। ସେମାନଙ୍କ ଟାର୍ଗେଟ୍‌‌ରେ ଅଛି – ପର୍ଯ୍ୟଟନସ୍ଥଳ, ପରିବହନ କେନ୍ଦ୍ର ଓ ସପିଙ୍ଗ ମଲ୍‌‌। ବିଦେଶାଗତଙ୍କୁ ଏ ସବୁ ସ୍ଥାନକୁ ତ ଯିବା ସକାଶେ ବାରଣ କରାଯାଇପାରିବନି। ଯଦି ବା ବାରଣ କରାଯାଏ ତେବେ ସେମାନେ ଭାରତ ଆସିବେ କହିଁକି? ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା ମହିଳାଙ୍କ ଏକୁଟିଆ ଯାତ୍ରା ନ କରିବାକୁ ବାରଣ କରାଯାଇଛି। ଏଥିରୁ ସ୍ପଷ୍ଟ ଯେ ନାରୀଜନିତ ଅପରାଧ ଭାରତରେ ସବୁଠାରୁ ଦ୍ରୁତିଗତିରେ ବୃଦ୍ଧି ପାଇଛି। ଦୁଷ୍କର୍ମ ଓ ଯୌନ ନିର୍ଯାତନା ସୀମା ଅତିକ୍ରମ କରିଛି।

ଏ ସବୁ ଯେ କେବଳ ସହରାଞ୍ଚଳରେ ସୀମିତ ଅଛି ଏକଥା ନୁହେଁ। ଗ୍ରାମାଞ୍ଚଳ ମଧ୍ୟ ଅପରାଧୀଙ୍କ ଚରାଭୂଇଁ ପାଲଟୁଥିବାର ନିର୍ଦ୍ଦେଶାବଳୀର ନିର୍ଯାସରୁ ସ୍ପଷ୍ଟ ହେଉଛି। ବିଶେଷ ଭାବେ ଗ୍ରାମାଞ୍ଚଳ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ଆମେରିକାର ସୀମିତ କ୍ଷମତା ରହିଛି। ପୂର୍ବ ମହାରାଷ୍ଟ୍ର ଓ ଉତ୍ତର ତେଲଙ୍ଗାନାଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏହି ବିପଦପୂର୍ଣ୍ଣ ଅଞ୍ଚଳ ପରିବ୍ୟାପ୍ତ। ଭାରତରେ କାର୍ଯ୍ୟରତ ଆମେରିକୀୟ କର୍ମଚାରୀ ବିନା ସ୍ୱତନ୍ତ୍ର ଅନୁମତିରେ ସହାୟତା ଯୋଗାଇବାକୁ ସେଠାରେ ପହଞ୍ଚି ପାରିବେ ନାହିଁ। ଜାମ୍ମୁ-କାଶ୍ମୀର ଓ ଭାରତ-ପାକିସ୍ତାନ ସୀମାର ସମ୍ବେଦନଶୀଳ ଅଞ୍ଚଳ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ହୋଇଥିବା ବେଳେ ବିନା ଅନୁମତିରେ ଯାତ୍ରା କରିବାକୁ ବାରଣ କରାଯାଇଛି। ଏହି ଅନୁମତି ସାପେକ୍ଷ ରାଜ୍ୟ ମଧ୍ୟରେ ଅଛି ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼଼, ପଶ୍ଚିମବଙ୍ଗ ଓ ମେଘାଳୟ। ସତର୍କ ଓ ଚେତବାନୀର ଯେଉଁ କାରଣ ଆମେ ଆଗରୁ ଦର୍ଶାଇଛୁ ତାହା ଏହି ରାଜ୍ୟଗୁଡ଼ିକ କ୍ଷେତ୍ରରେ ପ୍ରଯୁଜ୍ୟ।

ଆମ ରାଜ୍ୟରେ ଦୁର୍ଷ୍କମ ଓ ଯୌନ ନିର୍ଯାତନା କ୍ରମାଗତ ବଢ଼଼ି ଚାଲିଥିବା ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟରୁ ସ୍ପଷ୍ଟ। ତେବେ ସରକାରୀ ରିପୋର୍ଟରେ ଏହା ହ୍ରାସ ଘଟିଥିବା ଦର୍ଶାଯାଇଛି। ଗତ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉପସ୍ଥାପନା କରି ଗୃହ କମିଟି ମାଧ୍ୟମରେ ବ୍ୟବସ୍ଥା ଓ କାର୍ଯ୍ୟଧାରାରେ ସଂଶୋଧନ ଆଣିବାକୁ ପରାମର୍ଶ ଦିଆଯାଇଥିଲା। ଗତ ମାର୍ଚ୍ଚ ୭ ତାରିଖରେ କଂଗ୍ରେସ ଦର୍ଶାଇଥିଲା ଯେ ୮ ମାସ ମଧ୍ୟରେ ୫୪ଟି ଗଣଦୁଷ୍କର୍ମ ମାମଲା ରାଜ୍ୟରେ ହୋଇଥିଲେ ହେଁ ଡବଲ୍‌‌ ଇଞ୍ଜିନ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। କିନ୍ତୁ ବିଧାନସଭାରେ ବିରୋଧୀ ଦଳର ଆକ୍ଷେପ ଓ କଟୁକ୍ତିର ଉତ୍ତର ଦେଇ ସରକାର ଦର୍ଶାଇଥିଲେ ଯେ ୨୦୨୪ ଜୁନ୍‌‌ ୧୨ରେ ବିଜେପି ସରକାର ରାଜ୍ୟରେ କ୍ଷମାସୀନ ହୋଇଥିଲେ। ଗତ ଜୁନ୍‌‌ରୁ ଚଳିତ ବର୍ଷ ଫେବୃଆରୀ ମାସ ମଧ୍ୟରେ ନାରୀଜନିତ ଅପରାଧ ସଂଖ୍ୟା ୨୨, ୯୪୧ ହୋଇଥିବା ବେଳେ ପୂର୍ବବର୍ଷ ଏହି ସମୟରେ ଅନୁରୂପ ଅପରାଧ ସଂଖ୍ୟା ଥିଲା ୨୩, ୯୪୪। ତେଣୁ ଅପରାଧ ସଂଖ୍ୟା ୪.୧ ପ୍ରତିଶତ ହ୍ରାସ ପାଇଛି। ତେବେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡିତ କରାଯିବା କ୍ଷେତ୍ରରେ ପରିଲକ୍ଷିତ ଶୀଥିଳତା ଚିନ୍ତାଜନକ। ପରିସଂଖ୍ୟାନର କୁହୁକ ଯାହା ହେଉନା କାହିଁକି ସାମାଜିକ ଓ ପାରିବାରିକ ଜୀବନରେ ଶୃଙ୍ଖଳା ଫେରିବା ଜରୁରୀ। ଉପୁଜିଥିବା ପରିସ୍ଥିତିର ପ୍ରତିବାଦରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିବାର ପରିଲକ୍ଷିତ ହୋଇଛି।

ଆମେରିକୀୟ ପ୍ରଶାସନ ଏହି ତେଚାବନୀ ସମ୍ପର୍କରେ ଉଲ୍ଲେଖ କଲା ବେଳେ ଟ୍ରମ୍ପଙ୍କ ଦୋମୁହାଁ ନୀତି ଓ ଭାରତ ବିରୋଧ କୂଟନୈତିକ ଗୋଟିଚାଳନା ସ୍ୱତନ୍ତ୍ର ଆଲେଚନା ଦାବି କରେ। ପହଲ୍‌‌ଗାମରେ ପାକ୍‌‌ ପ୍ରାୟୋଜିତ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାରେ ବିଶ୍ୱ ସମୁଦାୟର ଦୁଃଖ ଓ କ୍ଷୋଭ ପ୍ରକାଶ ଆମେରିକାକୁ ବିଚଳିତ କରିପାରିଲାନି। ପାକ୍‌‌ ଆତଙ୍କବାଦୀ ବିରୋଧରେ ଭାରତର ‘ଅପରେସନ୍‌‌ ସିନ୍ଦୂର’ ଏକ ନିର୍ଣ୍ଣାକୟ ସ୍ଥିତିରେ ଥିବା ବେଳେ ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ସହାୟତା ଓ ସମର୍ଥନ ଦେଇଛି ଟ୍ରମ୍ପ ପ୍ରଶାସନ। ସେହି ପ୍ରଶାସନ ପକ୍ଷରୁ ଘୋଷିତ ନିର୍ଦ୍ଦେଶାବଳୀରେ ଭାରତରେ ଆତଙ୍କବାଦୀ ପ୍ରତି ସତର୍କ ରହିବାକୁ ଆମେରିକାର ପର୍ଯ୍ୟଟକଙ୍କୁ ତେବାବଦୀ ନିଆଯାଇଛି। ଆମକୁ ଏଠରେ ପ୍ରଶ୍ନ କରିବାକୁ ପଡ଼ୁଛି ଯେ ଆତଙ୍କବାଦୀ କିଏ ଓ କାହା ପ୍ରରୋଚନରେ ଭାରତରେ ସେ କାର୍ଯ୍ୟକଳାପ ଜାରି ରଖିଛନ୍ତି? ଏ ପ୍ରକାର ଦୋ ମୁହାଁ ନୀତି ବିରୋଧରେ ଭାରତ ମଧ୍ୟ ଆନ୍ତର୍ଜାତିକ ଫୋରମ୍‌ରେ ଆମେରିକାର ମୁଖା ଖୋଲିବା ଉଚିତ।

ଏହା ସତ୍ତ୍ବେ ମହିଳାଙ୍କୁ ମର୍ଯ୍ୟାଦାଜନକ ଜୀବନ ଜିଇଁବାକୁ ଦିଆଯିବା ଉଚିତ। ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ କେନ୍ଦ୍ର କରି ରାଜନୀତି କରିବା ଅପେକ୍ଷା ମାନବୀୟ ମୂଲ୍ୟାବୋଧକୁ ସୁରକ୍ଷା ଦେବା ଦିଗରେ ଦଳମତ ନିର୍ବିଶେଷର କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ମଧ୍ୟ ଜରୁରୀ। ମାତୃଜାତିର ସୁରକ୍ଷା ଓ ସମ୍ମାନ ପାଇଁ କେବଳ ସୁଭଦ୍ରା ଯୋଜନା ନୁହେଁ, ଅନୁରୂପ ଭାବେ ସାମାଜିକ ନିରାପତ୍ତା ବଳୟ ସୃଷ୍ଟି କରିବା ଉଚିତ।

About The Author: The Sakala