ଗତ ସନ୍ଧ୍ୟା ଭାରତୀୟ ସମୟ ୫ଟା ୪୫। ସାରା ଭାରତର ଲୋକେ ନିଃଶ୍ୱାସ ବନ୍ଦ କରି ଚାହିଁ ରହିଥିଲେ ଟିଭି ପରଦା ଓ ସ୍ମାର୍ଟ ଫୋନ୍ରେ ଭାରତୀୟ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣର ଇସ୍ରୋ ଦ୍ୱାରା ସିଧା ପ୍ରସାରଣ। ୧୪୦ କୋଟି ଭାରତୀୟ ହୃଦୟର ତ୍ୱରିତ ସ୍ପନ୍ଦନ ସାରା ଦେଶରେ ଅନୁଭୂତ ହେଉଥିଲା। ମନେ ପଡ଼ିଯାଉଥିଲା ଚନ୍ଦ୍ରଯାନ-୨ର ଚନ୍ଦ୍ରାବତରଣ କାଳର ସେହି ‘୧୫ ମିନିଟ ଆତଙ୍କର ସମୟ’! ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ(ଭାରତୀୟ ମହାକାଶ ଗବେଷଣାର ଜନକ ବିକ୍ରମ ସରାଭାଇଙ୍କ ସ୍ମୃତିରେ ନାମିତ) ଟେଲିଭିଜନ୍ର ଗ୍ରାଫ୍ଚାର୍ଟରେ ଗୋଟିଏ ଚଳନ୍ତି ଆଲୋକିତ ବିନ୍ଦୁ ପରି ଧୀରେ ଧୀରେ ତଳକୁ ଗତି କରୁଥିଲା ଏବଂ ଇସ୍ରୋର ଟେଲିମେଟ୍ରି ଅବଗଣନା ବିକ୍ରମର ଚନ୍ଦ୍ରପୃଷ୍ଠରୁ ଦୂରତ୍ୱ ଓ ଅବତରଣର ବେଗର ହ୍ରାସ ଗଣତି କାଉଣ୍ଟରରେ ଯେତିକି ଯେତିକି କମୁଥିଲା ଭାରତୀୟ ଦର୍ଶକମାନଙ୍କ ଉତ୍କଣ୍ଠା ଓ ହୃତସ୍ପନ୍ଦନ ସେତିକି ସେତିକି ବଢ଼଼ୁଥିଲା! ଗୋଟିଏ ଗୋଟିଏ ପର୍ଯ୍ୟାୟ ପାରି ହେବା ସମୟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କଣ୍ଟ୍ରୋଲ୍ ରୁମ୍ରେ ଉପସ୍ଥିତ ବୈଜ୍ଞାନିକମାନଙ୍କ ମୁହଁରେ ହସ ଖେଳି ଯାଉଥିଲା, ସେମାନେ ତାଳି ମାରୁଥିଲେ ଏବଂ ଅବତରରଣର ସର୍ବଶେଷ ପର୍ଯ୍ୟାୟ ପାଇଁ ବେଶ୍ ଉତ୍କଣ୍ଠିତ ହୋଇ ଟିଭି ପରଦାକୁ ଚାହୁଁ ରହୁଥିଲେ। ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଭାରତୀୟ ଆତ୍ମନିର୍ଭରଶୀଳତାର ଏକ ସର୍ବୋତ୍ତମ ଅନୁପମ ଉଦାହରଣ ଆମେ ସମସ୍ତେ ଦେଖିଲେ ଟିଭି ପରଦାରେ।
ଉଲ୍ଲେଖଯୋଗ୍ୟ ଯେ ବିକ୍ରମର ଚନ୍ଦ୍ରାବତରଣର ଏହି ଶେଷ ପର୍ଯ୍ୟାୟ ସମ୍ପୂର୍ଣ୍ଣ ତାହାର ସ୍ୱାୟତ୍ତାଧୀନ ଥିଲା ଏବଂ କୃତ୍ରିମ ବୁଦ୍ଧିମତ୍ତାର ପ୍ରାକ୍ଖଚିତ କମ୍ପ୍ୟୁଟରୀକରଣ ବିକ୍ରମକୁ ଚନ୍ଦ୍ରପୃଷ୍ଠକୁ ସତେଯେପରି ସ୍ୱାଗତ କରି ନେଉଥିଲା। ଜହ୍ନମାମୁ ଭାରତରୁ ପ୍ରେରିତ ଏହି ମହାକାଶ ବିଜ୍ଞାନର ପରାକ୍ରମ ‘ବିକ୍ରମ’କୁ ଶରଧାରେ ପାଛୋଟି ନେଉଥିଲେ। ସନ୍ଧ୍ୟା ଠିକ୍ ୬ଟା ବାଜି ୩ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର କୋଟି କୋଟି ଦେଶବାସୀଙ୍କ ଆଶା ଓ ଉଦ୍ଦୀପନାକୁ ନେଇ ଧୀରସ୍ଥିର ଭାବେ ପାଦ ଥାପିଲା ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ଠାରୁ ମାତ୍ର ୧୭ ଡିଗ୍ରୀ ଦୂରତ୍ୱରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ। ଇସ୍ରୋ କଣ୍ଟ୍ରୋଲ୍ ରୁମ୍ରେ, ସାରା ଦେଶରେ ଓ ସାରା ବିଶ୍ୱରେ, ହର୍ଷୋଲ୍ଲାସ, କରତାଳି ଧ୍ୱନି, ଭାରତ ମାତା କି ଜୟ ଧ୍ୱନି, ନୃତ୍ୟ ବାଦ୍ୟର କୋଳାହଳ ତଥା ପରସ୍ପରକୁ ଅଭିନନ୍ଦନ କରିବାର ଆନନ୍ଦ ଲହରି ଖେଳିଗଲା। ଅନେକ ଭାରତୀୟଙ୍କର ଆଖିରୁ ଗଳି ପଡ଼ୁଥିଲା ଆନନ୍ଦାଶ୍ରୁ। ସତରେ ୧୯୪୭ ଅଗଷ୍ଟ ୧୫ର ସ୍ୱାଧୀନତା ଉତ୍ସବ ପରଠାରୁ ସାରା ଦେଶ ଏକ ମନ ଏକ ପ୍ରାଣ ହୋଇ ହର୍ଷ-ଉଲ୍ଲାସ ଓ ଗର୍ବ-ଗୌରବର ଏକତ୍ରିତ ସ୍ପନ୍ଦନ ଏଇ ପ୍ରଥମ ଥର ପାଇଁ ଅତି ସ୍ପଷ୍ଟ ଭାବରେ ଅନୁଭବ କଲେ। ଇସ୍ରୋର ବୈଜ୍ଞାନିକମାନଙ୍କୁ ସାରା ଦେଶ ଜଣାଇଲା ସାଦର ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବ୍ରିକ୍ସ’ ଶିଖର ସମ୍ମିଳନୀ ସ୍ଥାନ ଦକ୍ଷିଣ ଆଫ୍ରିକା ରାଜଧାନୀ ଜୋହାନ୍ସବର୍ଗରୁ ଚନ୍ଦ୍ରଯାନ-୩ର ବିକ୍ରମ ଅବତରଣ ଦୃଶ୍ୟ ଦେଖିସାରି ଅତ୍ୟନ୍ତ ଭାବୁକ ହୋଇ ଇସ୍ରୋର ବୈଜ୍ଞାନିକ ତଥା ସମଗ୍ର ଭାରତବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ।
ଏକଦା ଜହ୍ନମାମୁ ଭାବେ ଆମ ସଂସ୍କୃତି ଓ ପରମ୍ପରାରେ ଆସ୍ଥାନ ଜମାଇ ଏକ ଦୂରବନ୍ଧୁ ଭାବେ ରହିଥିବା ଏହି ରହସ୍ୟମୟ ଉପଗ୍ରହରେ ଭାରତ ଚନ୍ଦ୍ରଯାନ ମାଧ୍ୟମରେ କେବଳ ପାଦ ଥାପି ନାହିଁ, ଚନ୍ଦ୍ରଜିତ୍ ବା ଚନ୍ଦ୍ରବିଜୟୀ ହୋଇଛି। ଭୂପୃଷ୍ଠରୁ ପ୍ରାୟ ୩୮୪୪୦୦ କିମି (୨୩୮୮୫୫ ମାଇଲ୍) ଦୂରରେ ଥିବା ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଭାରତର ଯେଉଁ କ୍ରମାଗତ ଉଦ୍ୟମ ଚାଲିଥିଲା ସେଥିରେ ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମକୁ ଦ୍ବିତୀୟ ଥରରେ ସଫଳତା ଦେଇଛନ୍ତି। ଚନ୍ଦ୍ରଯାନ-୨ର ବିଫଳତାରୁ ଆମେ ଅନେକ କିଛି ଶିଖି ତ୍ରୁଟି ସୁଧାରି ଚନ୍ଦ୍ରଯାନ-୩କୁ ପ୍ରେରଣ କରିଥିଲୁ। ଚନ୍ଦ୍ରଯାନ-୨ ବେଳେ ଦୁର୍ଭାଗ୍ୟବଶତଃ ସମସ୍ୟାବହୁଳ ଚନ୍ଦ୍ରର ଦକ୍ଷିଣ ମେରୁରେ ନିୟନ୍ତ୍ରିତ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) ବେଳେ ଜହ୍ନର ମାଧ୍ୟାକର୍ଷଣ ଶକ୍ତିର ପ୍ରଚଣ୍ଡ ପ୍ରଭାବରେ ଲ୍ୟାଣ୍ଡରଟି ଜୋର୍ରେ ପିଟି ହୋଇ ଅକାମୀ ହୋଇଯାଇଥିଲା। ସେହି ବିଫଳତାରୁ ଶିକ୍ଷା ହିଁ ଆମକୁ ତୃତୀୟ ଉଦ୍ୟମରେ ସଫଳତା ଦେଇଛି। ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରି ଗତ ସଂଧ୍ୟା ୬.୩ ମିନିଟ୍ରେ ନିର୍ଦ୍ଧାରିତ ସମୟରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କଲା। ଏବେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ବିଭିନ୍ନ ପ୍ରକାର ଫଟୋ ଉତ୍ତୋଳନ କରି ଇସ୍ରୋର ଭୂପୃଷ୍ଠ ନିୟନ୍ତ୍ରଣ କକ୍ଷକୁ ପଠାଇବା ଆରମ୍ଭ କରିଛି। ଏହାକୁ ଅନୁଧ୍ୟାନ କରି ଚନ୍ଦ୍ରର ଭୂରୂପ, ଜଳଉତ୍ସ ଓ ଅନ୍ୟାନ୍ୟ ସ୍ଥିତି ସମ୍ପର୍କରେ ଭାରତକୁ ତଥ୍ୟ ମିଳିବ। ଏହି ସଫଳତା ମଧ୍ୟ ଭାରତକୁ ଭବିଷ୍ୟତରେ ଚନ୍ଦ୍ର ପୃଷ୍ଠକୁ ମଣିଷ ପଠାଇବାକୁ ଅଭିଜ୍ଞତା ଓ ପ୍ରେରଣା ଯୋଗାଇବ। ଏହାସହିତ ଭାରତୀୟ ମହାକାଶ ଅଭିଯାନ ସୌର ମଣ୍ଡଳର ଅନ୍ୟାନ୍ୟ ଗ୍ରହ, ବିଶେଷକରି ମଙ୍ଗଳ ଗ୍ରହ ନିମିତ୍ତ ଅଭିଯାନ ପାଇଁ ମଧ୍ୟ ଭିତ୍ତିଭୂମି ଭଳି କାର୍ଯ୍ୟ କରିବ।
ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ର ମହାକାଶ ଅଭିଯାନ କ୍ଷେତ୍ରରେ ଯେଉଁ ସଫଳତା ଅର୍ଜନ କରୁଛି ତାହା ଅନେକ ବିକଶିତ ରାଷ୍ଟ୍ରଙ୍କ ପାଇଁ ଏକ ଉଦାହରଣ। ସେମାନେ ଏ ଦିଗରେ ଚିନ୍ତା ମଧ୍ୟ କରିପାରୁ ନାହାନ୍ତି। ଏହି ସବୁ ଅଭିଯାନ ବ୍ୟୟବହୁଳ ନିଶ୍ଚିତ। ତେବେ ମହାକାଶର ରହସ୍ୟ ଭେଦ କରିବା ଏବଂ ଏଥିରୁ ପ୍ରଯୁକ୍ତିଗତ ଲାଭ ଉଠାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଏହାକୁ ଅସ୍ୱୀକାର କରିହେବ ନାହିଁ।
ବିଶ୍ୱର ଅନ୍ୟ ବିକାଶଶୀଳ ବା ଅଳ୍ପୋନ୍ନତ ରାଷ୍ଟ୍ରମାନଙ୍କ ପାଇଁ ଭାରତର ଏହି ସଫଳତା ପ୍ରେରଣାଦାୟୀ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଧନ୍ୟବାଦ ଜ୍ଞାପନରେ ସୂଚାଇଛନ୍ତି। ଭାରତର ଏହି ଚନ୍ଦ୍ର ବିଜୟୀ ଅଭିଯାନ ଦକ୍ଷିଣ ଗୋଲାର୍ଦ୍ଧର ସମଗ୍ର ବିକାଶଶୀଳ ଦେଶମାନଙ୍କ ହିତରେ ଲାଗିବ ବୋଲି ସେ କହିଛନ୍ତି। ଭାରତର ଏହି ସଫଳତା ସମଗ୍ର ମାନବ ଜାତି ପ୍ରତି ଉଦ୍ଦିଷ୍ଟ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଜହ୍ନ ଆଉ ଦୂର ଆକାଶର ରହସ୍ୟମୟ ମାମୁ ହୋଇ ରହିନାହିଁ। ଏହା ଆମର ନିକଟବର୍ତ୍ତୀ ଏବଂ ଘରର କୁଣିଆ ପାଲଟିଛି କହିଲେ ଠିକ୍ ହେବ। ଆତ୍ମନିର୍ଭର ମାର୍ଗରେ ଅଗ୍ରସର ଭାରତର ପ୍ରଯୁକ୍ତି ଓ ପ୍ରୟାସ ଏହି ଦୂରତ୍ୱକୁ ହ୍ରାସ କରିଛି ଏବଂ ଚନ୍ଦ୍ରର ଅନେକ ଅଜଣା କଥା ଆମେ ଜାଣିବାର ବାଟ ଫିଟିଛି। ବିଶ୍ୱର ସବୁ ରାଷ୍ଟ୍ର ଧନୀ ନିର୍ଦ୍ଧନ, ଉନ୍ନତ ଅନୁନ୍ନତ ନିର୍ବିଶେଷରେ ଭାରତର ଚନ୍ଦ୍ର ଅଭିଯାନ ଉପରେ ଉତ୍କଣ୍ଠାର ସହ ନଜର ରଖିଥିଲେ। ଆମ ମହାକାଶ ବିଜ୍ଞାନୀମାନେ ଏହି ଉଦ୍ୟମରେ ସଫଳ ହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି। ସେମାନଙ୍କୁ ଯେତେ ପ୍ରଶଂସା କରାଯିବ ତାହା କମ୍ ହେବ। ଆହୁରି ମଧ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇବା ନିଶ୍ଚିତ ପ୍ରଶଂସନୀୟ। ଏବେ ଲ୍ୟାଣ୍ଡର ବିକ୍ରମ କିପରି ଚନ୍ଦ୍ର ପୃଷ୍ଠରେ କାମ କରୁଛି ଏବଂ ଇସ୍ରୋର ନିୟନ୍ତ୍ରଣ କକ୍ଷକୁ କି ପ୍ରକାର ଫଟୋଚ୍ଚିତ୍ର ଓ ତଥ୍ୟ ଦେଉଛି, ସେଥିପାଇଁ ଅପେକ୍ଷା ରହିଲା।
ଜୟ ବିଜ୍ଞାନ! ଜୟ ଚନ୍ଦ୍ରଯାନ! ଜୟ ଗଗନଯାନ!