ଜାତୀୟ ଜୀବନରେ ବେଳେବେଳେ ଏମିତି କ୍ଷଣ ଆସି ପହଞ୍ଚେ ଯେତେବେଳେ ସାରା ଦେଶ ବିଷାଦ, ଅସହାୟତା, ଲଜ୍ଜା ଓ ଦୁର୍ଭାଗ୍ୟଗ୍ରସ୍ତ ମନୋପୀଡ଼ାରେ ଜର୍ଜରିତ ହୋଇଯାଏ। ସମଗ୍ର ଦେଶବାସୀଙ୍କ ହୃଦୟରୁ ଏକ ସମ୍ମିଳିତ କୋହ ଉଠି ଆସି ଗଳା ବାଷ୍ପରୁଦ୍ଧ କରିଦିଏ। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ଓ ଛୋଟବଡ଼ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପ୍ରାଣ ଉଦ୍ବେଳିତ ଓ ଆନ୍ଦୋଳିତ ହୁଏ। ଏଭଳି ଦୁଃସ୍ଥିତିରେ ବିପତ୍ତି ସୃଷ୍ଟିକାରୀ ତତ୍ତ୍ୱମାନଙ୍କ ଉପରେ ସମସ୍ତ ଜାତୀୟ କ୍ରୋଧ କେନ୍ଦ୍ରୀଭୂତ ହୁଏ। ସେହି ହତାଶା ଓ ହୁତାଶନର ବିକିରଣ ଶାସନ, ପ୍ରଶାସନ ଓ ସମଗ୍ର ସମାଜ ବ୍ୟବସ୍ଥାକୁ ଦଗ୍ଧ କରିବାର ଶକ୍ତି ରଖେ। ଆମେ କେଉଁ ସନ୍ଦର୍ଭରେ ଏ କଥା ଲେଖୁଛୁ ତାହା ଖୋଲାଖୋଲି ନ କହିଲେ ମଧ୍ୟ ଆପଣମାନେ ସ୍ପଷ୍ଟ ବୁଝି ପାରୁଥିବେ ଯେ ସମ୍ପ୍ରତି ମଣିପୁର ରାଜ୍ୟରେ ଗତ ଅଢ଼େଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ହିଂସା ଓ ଏଥିରେ ବୀଭତ୍ସତାର ଚରମ ସୀମାରେ ପହଞ୍ଚି ଥିବା ଅଘଟଣ ଟୁଇଟରର ଭିଡିଓରେ ସାରା ବିଶ୍ୱରେ ପ୍ରସାରିତ ହେବା ଘଟଣା। ଜାତିଗତ ହିଂସା ଓ ବିଦ୍ୱେଷର ଏଭଳି ଅମାନୁଷିକ ତାଣ୍ଡବର ହୁଏତ ଭାରତୀୟ ଇତିହାସରେ ପଟାନ୍ତର ମିଳିବ ନାହିଁ।
କେବଳ ମଣିପୁର ନୁହେଁ, ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଭିନ୍ନ ଜନଜାତିଗୁଡ଼ିକ ମଧ୍ୟରେ ବହୁକାଳ ଧରି ବିଦ୍ୱେଷ ଓ ପ୍ରତିଦ୍ୱନ୍ଦ୍ୱିତା ଭାବନା ରହି ଆସିଛି। ଏଇମିତି ମଧ୍ୟ ନାଗା, ମିଜୋ ଓ ବୋଡୋ ଆଦି ଜନଜାତିମାନଙ୍କର ଆନ୍ଦୋଳନାତ୍ମକ ତଥା ବିଦ୍ରୋହାତ୍ମକ କାର୍ଯ୍ୟକଳାପକୁ ନେଇ ଉତ୍ତର-ପୂର୍ବର ରାଜ୍ୟଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି ହିଂସା, ସାମାଜିକ ଉତ୍ତେଜନା ଓ ଜାତିଆଣ କନ୍ଦଳରେ ପୀଡ଼ିତ ରହି ଆସିଛି। ମଣିପୁରରେ ମଧ୍ୟ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଏବଂ ଇମ୍ଫାଲ୍ ଉପତ୍ୟକାରେ ରହୁଥିବା ଅପେକ୍ଷାକୃତ ସମ୍ପନ୍ନ ଅଣଆଦିବାସୀମାନଙ୍କ ମଧ୍ୟରେ ଏହିଭଳି ଅସଦ୍ ଭାବ ଓ ଅସହିଷ୍ଣୁତା ଅସ୍ପଷ୍ଟ, ଅଣସଂଗଠିତ ଓ ଅପେକ୍ଷାକୃତ ଅବଦମିତ ଅବସ୍ଥାରେ ରହି ଆସିଥିଲା। ବିଚ୍ଛିନ୍ନତାବାଦୀ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ନିୟନ୍ତ୍ରଣ ପାଇଁ ବହୁବର୍ଷ ଧରି ମଣିପୁରରେ ସେନାବାହିନୀ ତଥା ସୀମା ସୁରକ୍ଷା ବଳର ଯବାନମାନଙ୍କୁ ମୁତୟନ କରାଯାଇ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନ(ଏଏଫ୍ଏସ୍ପିଏ) ଲାଗୁ କରାଯାଇଥିଲା। ସଶସ୍ତ୍ର ବାହିନୀର ଅତ୍ୟାଚାର ବିରୁଦ୍ଧରେ ମଣିପୁର ଜନତା ସବୁବେଳେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ କରି ଆସୁଥିଲେ। ସୁଶ୍ରୀ ଇରମ୍ ଶର୍ମିଳାଙ୍କ ଐତିହାସିକ ଆମରଣ ଅନଶନର କାହାଣୀ ସାରା ଭାରତକୁ ଜଣା।
ଏଭଳି ଅଶାନ୍ତ ପୃଷ୍ଠଭୂମିରେ ଗତ ଏପ୍ରିଲ୍ ମାସରେ ମଣିପୁର ହାଇକୋର୍ଟର ରାୟ ଦ୍ୱାରା ଇମ୍ଫାଲ୍ ଉପତ୍ୟକାର ମୈତେଇ ବର୍ଗର ଲୋକମାନଙ୍କୁ ଆଦିମ ଜନଜାତି ଭାବେ ଗଣନା କରାଯିବାର ନିଷ୍ପତ୍ତି ଶୁଣାଇବା ପରେ କୁକି ନାଗା ଓ ମୈତେଇ ଜାତିଙ୍କ ମଧ୍ୟରେ ହିଂସା ବିଦ୍ୱେଷର ବହ୍ନି ଜଳିବା ଆରମ୍ଭ କଲା। ବ୍ୟାପକ ହିଂସା, ଜଳାପୋଡ଼ା, ହତ୍ୟା ଓ ନାରକୀୟ ଘଟଣାମାନ ବଢ଼଼ି ଚାଲିଥିଲେ ସୁଦ୍ଧା ମଣିପୁରର ପୁଲିସ କିମ୍ବା ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ପ୍ରମାଣିତ ହେଲା। ସଶସ୍ତ୍ର ବାହିନୀଙ୍କୁ ମଧ୍ୟ ଏ କାର୍ଯ୍ୟରେ ମୁତୟନ କରାଗଲା। ତେବେ ଜନପ୍ରତିନିଧି ରାଜ୍ୟ ସରକାର ଓ ପ୍ରଶାସନର ସ୍ଥାଣୁତ୍ୱ ଗଣମାଧ୍ୟମରେ ପ୍ରସାରିତ ହୋଇ ସାରା ଦେଶ ଓ ସାରା ବିଶ୍ୱ ଦେଖିଲା। ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଲା ରାଜ୍ୟରେ ବିଜେପି ସରକାର ଥାଇ ସୁଦ୍ଧା କେନ୍ଦ୍ରର ଏନ୍ଡିଏ ସରକାର ଓ ବିଶେଷକରି ପ୍ରଧାନମନ୍ତ୍ରୀ ମଣିପୁରର ହିଂସାତ୍ମକ ଘଟଣାଗୁଡ଼ିକ ପାଇଁ ନିରବ ଦର୍ଶକ ସାଜିଥିଲେ। ଅବଶ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଇମ୍ଫାଲ୍ ଗସ୍ତରେ ଯାଇ ଉଭୟ ପକ୍ଷର ନେତୃବର୍ଗଙ୍କ ସହ ଶାନ୍ତି ସ୍ଥାପନ ପାଇଁ ଆଲୋଚନା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। ତେଣେ ନିରୀହ ଜନସାଧାରଣ, ବିଶେଷକରି ମହିଳା ଓ ଶିଶୁ ଜାତିଗତ ଦଙ୍ଗାରେ ଶିକାର ହୋଇ ଚାଲୁଥିଲେ ହେଁ ଜାତୀୟ ମୁଖ୍ୟ ରାଜନୈତିକ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ଆରମ୍ଭ କଲେ। ମଣିପୁରରେ ଇଣ୍ଟରନେଟ୍ର ପ୍ରଚଳନ ବାତିଲ୍ କରାଯିବା ସତ୍ତ୍ବେ ବହୁ ବିଳମ୍ବରେ କାଙ୍ଗପୋକ୍ପି ଜିଲ୍ଲାର ବି ଫାଇନମ ଗାଁରେ ଗତ ମେ’ ମାସରେ ମହିଳାମାନଙ୍କ ଉପରେ ହୋଇଥିବା ନାରକୀୟ ଗଣଆକ୍ରମଣର ଭିଡିଓ ଚିତ୍ର ଟୁଇଟର ମାଧ୍ୟମରେ ପ୍ରକାଶ ପାଇ ସମସ୍ତ ଦେଶର ବିବେକ ଓ ହୃଦୟକୁ ଚହଲାଇ ଦେଲା। ମହିଳାଙ୍କୁ ଉଲଗ୍ନ କରି ଖୋଲାଖୋଲି ଗଣବଳାତ୍କାର କରିବା କେବଳ ଜାତିଗତ ବିଦ୍ୱେଷର ପରିଚୟ ନୁହେଁ, ବରଂ ଘୃଣ୍ୟ ହିଂସା, ପାଶବିକତା ଓ ଅମାନବୀୟ ଅଘଟଣ ବୋଲି ସାରା ଦେଶର ଉପଲବ୍ଧି ହୋଇଛି। ତେଣୁ ସ୍ୱାଭାବିକ ଭାବେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦୁଇଦିନ ରାଜନୈତିକ ବତାସରେ ଅକାମୀ ହୋଇଛି।
ମଣିପୁରରେ ବିଭିନ୍ନ ଗଣ ଆନ୍ଦୋଳନରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ଏହାସତ୍ତ୍ବେ ବିଡ଼ମ୍ୱନା ହେଲା ସମ୍ପ୍ରତି ସେଠି ଚାଲିଥିବା ଜାତିଗତ ଦଙ୍ଗାରେ ମହିଳାମାନେ ଆଦିବାସୀ ଓ ଅଣଆଦିବାସୀ, ଜାତି, ଧର୍ମ ଓ ସମ୍ପ୍ରଦାୟ ଆଧାରରେ ବିଭାଜିତ ହୋଇଯାଇଛନ୍ତି। ଏକ ବଡ଼ଭାଗ ମହିଳା ସେନା ଓ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିବାବେଳେ ସଂଖ୍ୟାଲଘୁ ମହିଳା ଏହାକୁ ସମର୍ଥନ କରୁଛନ୍ତି। ଜାତିଗତ ହିଂସାବେଳେ ସଂଖ୍ୟାଲଘୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ସେଥିରେ ବେଶୀ ନିର୍ଯାତିତ ହୁଅନ୍ତି ମହିଳା ଓ ଶିଶୁ। ସେଠି ସଂଖ୍ୟାଲଘୁ କୁକି ଓ ନାଗାମାନେ ଏଭଳି ସ୍ଥିତିରେ ରାଜନୈତିକ କାରଣରୁ ଶାସକ, ବିରୋଧୀ, ପ୍ରଶାସନ ଓ ତଥାକଥିତ ବୁଦ୍ଧିଜୀବୀଙ୍କଠାରୁ ଆଶାନୁରୂପ ସାହାଯ୍ୟ ଓ ସମର୍ଥନ ପାଉନାହାନ୍ତି। ଧର୍ମ ଆଧାରରେ ଏହି ସଂଖ୍ୟାଲଘୁମାନେ ବାହ୍ୟଶକ୍ତିଙ୍କ ସମର୍ଥନ ପାଉଥିବା ଅଭିଯୋଗ ମଧ୍ୟ ହେଉଛି। ଯେଉଁ କୁକି, ନାଗା ଓ ପାହାଡ଼ିମାନେ ଆଦିବାସୀ ଭାବେ ଆଗରୁ ଗଣ୍ୟ ହେଉଥିଲେ ସେମାନେ ନିଜର ସୁଯୋଗ ସୁବିଧା ସଂକୁଚିତ ହେବା ଭୟରେ ପ୍ରତିବାଦ କରିବାରୁ ହିଂସା ଆରମ୍ଭ ହୋଇ ଆଜି ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।
ଜାତିଗତ ଦଙ୍ଗା ଓ ଗଣହିଂସା ସମୟରେ ସାଧାରଣତଃ ସ୍ଥାନୀୟ ସରକାର ରାଜଧର୍ମ ପାଳନ କରିବାରେ ବିଫଳ ହୁଅନ୍ତି। ଭାରତରେ ତାହାର ଉଦାହରଣ ଅନେକ ରହିଛି। ସେଠାରେ ଏଡ଼େ ବକଟେ ରାଜ୍ୟରେ କୁକି, ଜୋମି ଆଦିବାସୀ ଖ୍ରୀଷ୍ଟିଆନଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଏତେ ଶୀଘ୍ର ସୃଷ୍ଟି କରିବା ନିଶ୍ଚିତ ଭାବେ ସମ୍ଭବ ନୁହେଁ। ତେବେ ଜାତିଗତ ହିଂସା ରୋକିବା ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ହିଂସା ଭିଆଉଥିବା ଲୋକଙ୍କ ଉପରେ ଅତିଶୟ ଦୃଢ଼ ଦମନ ଆବଶ୍ୟକ। ଏଭଳି ବ୍ୟାପକ ଓ ଅନିୟନ୍ତ୍ରିତ ଜାତିଗତ ହିଂସା ସାରା ମଣିପୁରରେ ବ୍ୟାପୀ ଥିବା ସତ୍ତ୍ବେ ରାଜ୍ୟରେ କାହିଁକି ସମ୍ବିଧାନର ୩୫୫ ଧାରା ଘୋଷଣା କରାଯାଇନାହିଁ, ତାହା ଏକ ବିସ୍ମୟର ବିଷୟ। ଏଭଳି ଘୋର ଦୁର୍ଗତି ସମୟରେ ରାଜ୍ୟ ସରକାରଙ୍କ ଅପାରଗତା ଭିତ୍ତିରେ ରାଜ୍ୟ ସରକାରଙ୍କୁ ତାଙ୍କର ଅକ୍ଷମତା ଓ ଅପରାଗତା ଭିତ୍ତିରେ ବରଖାସ୍ତ କରାଯାଇ ରାଷ୍ଟ୍ରପତି ଶାସନ ଲାଗୁ କରିବା ବୋଧହୁଏ ସମସ୍ୟାର ସମାଧାନ ପାଇଁ ପ୍ରକୃଷ୍ଟ କ୍ଷେତ୍ର ସୃଷ୍ଟି କରିପାରେ। ଏ ସମ୍ପର୍କୀୟ ମୁଖ୍ୟ ବିରୋଧୀ ଦଳଗୁଡ଼ିକର ଦାବି କେନ୍ଦ୍ର ସରକାର ମାନି ନେଲେ ତାହା ଜନହିତରେ ହେବ ବୋଲି ଆମେ ଆଶା କରୁ।
କେନ୍ଦ୍ରର ଏନ୍ଡିଏ ମେଣ୍ଟ ସରକାର ଦ୍ୱାରା ମଣିପୁର ହିଂସାତ୍ମକ ସ୍ଥିତିକୁ ନିୟନ୍ତ୍ରଣ କରିବା ରଣନୀତିକୁ ଯେ ସାରା ଦେଶରେ ଜନସମର୍ଥନ ମିଳୁନାହିଁ ଏ କଥା ସ୍ପଷ୍ଟ। ବିଜେପି ମଣିପୁରରେ ତାଙ୍କ ନିଜ ଦଳର ସରକାରକୁ ବଞ୍ଚାଇବାର ଉଦ୍ୟମ ଜାତୀୟ ରାଜନୀତି ଉପରେ ନିଶ୍ଚୟ ନକାରାତ୍ମକ ପ୍ରଭାବ ପକାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏତେଦିନ ଧରି ନିରବତା ଭଙ୍ଗ କଲା ପରେ ସେ ବ୍ୟଥିତ ହୃଦୟରେ ଯେଉଁ ତୀକ୍ଷ୍ଣ ମନ୍ତବ୍ୟ କରିଛନ୍ତି ସେହି ମାର୍ଗରେ ଯାଇ କେନ୍ଦ୍ର ସରକାର ଯଦି ଦୃଢ଼ ପଦକ୍ଷେପ ନିଅନ୍ତେ ତେବେ ମଣିପୁରର ଅନେକ କିଛି ଧନଜୀବନ କ୍ଷତି ହେବାରୁ ରକ୍ଷା ପାଆନ୍ତା ଓ ଦେଶରେ ରାଜନୈତିକ ଅସଦ୍ଭାବ ବଢ଼଼ନ୍ତା ନାହିଁ। ଇତିମଧ୍ୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବ୍ୟଥିତ ଓ ଉତ୍କ୍ଷିପ୍ତ ହୋଇ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ଯଦି ସତରେ ମଣିପୁରରେ ପ୍ରଶାସନିକ ସ୍ଥାଣୁତା ଲାଗି ରହେ ଏବଂ ହିଂସା ଦମନ ସଫଳ ନ ହୁଏ, ତେବେ ଉଚ୍ଚତମ ବିଚାରାଳୟ ମଣିପୁର ସ୍ଥିତିରେ ସାମ୍ବିଧାନିକ ହସ୍ତକ୍ଷେପ କରିବା ନିଶ୍ଚିତ ବୋଲି ଜଣାପଡ଼ୁଛି। ସେଭଳି ସ୍ଥିତି ଉପୁଜିଲେ କେନ୍ଦ୍ର ଏନ୍ଡିଏ ଶାସକ ମେଣ୍ଟର ରାଜନୈତିକ ଭାବମୂର୍ତ୍ତି ହାନି ହେବାର ସମ୍ଭାବନା ରହିଛି। ନିକଟରେ ହେବାକୁ ଥିବା ରାଜ୍ୟ ନିର୍ବାଚନ ଓ ଆସନ୍ତା ବର୍ଷ ହେବାକୁ ଥିବା ଜାତୀୟ ନିର୍ବାଚନ ପରିଦୃଶ୍ୟରେ ଏହାର ପ୍ରଭାବ ଏନ୍ଡିଏ ମେଣ୍ଟ ପାଇଁ ହିତକର ହେବ ନାହିଁ।