କୌଣସି ବିକାଶଶୀଳ ଗଣତନ୍ତ୍ର ତା’ର କୃଷକ ସମୁଦାୟକୁ ଅସନ୍ତୁଷ୍ଟ ବା ଆନ୍ଦୋଳିତ ଅବସ୍ଥାରେ ରଖି ବାସ୍ତବ ପ୍ରଗତି ହାସଲ କରିପାରିବ ନାହିଁ। ଯଦିବା କୌଣସି ରାଷ୍ଟ୍ରରେ କୃଷକ ସମୁଦାୟ ଆନୁଷ୍ଠାନିକ ଭାବେ ସଂଗଠିତ ହୋଇ ନଥା’ନ୍ତି, ତଥାପି ସେମାନଙ୍କର ସମସ୍ୟା, ଦେଶର ଅର୍ଥନୀତି ଯେ ସେମାନଙ୍କ ପ୍ରତି ଉଚିତ ନ୍ୟାୟ କରୁନାହିଁ ତାହାର ସୂଚନା ଦେଇଥାଏ। ତେଣୁ କୃଷିପ୍ରଧାନ ଅର୍ଥନୀତିରେ କୃଷକ ଓ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ଶୁଣାଣି ପାଇଁ ଶାସନତନ୍ତ୍ର ସବୁବେଳେ ପ୍ରସ୍ତୁତ ରହିଥାଏ। କୃଷକଙ୍କର ସମ୍ପୃକ୍ତ ସମସ୍ୟାଗୁଡ଼ିକର ସମୟୋଚିତ ସମାଧାନ ନ େହଲେ ଏହା ଆନ୍ଦୋଳନର ରୂପ ଧାରଣ କରିଥାଏ। ଏହାସହିତ ଅନ୍ୟ ଅସନ୍ତୁଷ୍ଟ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଭିନ୍ନ ଉଦ୍ଦେଶ୍ୟ ନେଇ କୃଷକ କଲ୍ୟାଣ ଆଳରେ ଏକଜୁଟ ହୋଇଯିବାର ସମ୍ଭାବନା ରହେ।
ଆମ ଦେଶରେ ପ୍ରାୟ ଦୁଇବର୍ଷର ବ୍ୟବଧାନ ପରେ ପୁଣି ଥରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। ପଞ୍ଜାବ ଓ ହରିଆଣାର କିଛି କୃଷକ ସଂଘ ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’(ଅଣ-ରାଜନୈତିକ) ପତାକା ତଳେ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଏକଜୁଟ୍ ହୋଇଛନ୍ତି ଏବଂ ହରିଆଣା ଭିତର ଦେଇ ଦିଲ୍ଳୀ ସୀମାନ୍ତ ଶମ୍ଭୁ, ଖନୌରି ଓ ଟିକ୍ରି ଆଦି ରାଜମାର୍ଗ ଦେଇ ରାଜଧାନୀ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ତିନିମାସ ଭିତରେ ହେବାକୁ ଯାଉଥିବା ଦେଶର ସାଧାରଣ ନିର୍ବାଚନ ପୃଷ୍ଠଭୂମିରେ ଏହି ଆନ୍ଦୋଳନର ପ୍ରଭାବ ଦୂରଗାମୀ ହେବାର କ୍ଷମତା ରଖେ। ପ୍ରଥମଥରର ଆନ୍ଦୋଳନ ଏକବର୍ଷରୁ ଅଧିକ ଚାଲିବା ପରେ ଶେଷ ପର୍ଯ୍ୟାୟରେ କିଛିଟା ହିଂସ୍ରକ ହୋଇଥିଲା ଏବଂ ଅନେକ ନିରୀହ ଆନ୍ଦୋଳନକାରୀଙ୍କ ପ୍ରାଣ ଯିବାର ଦୁଃଖଦ ଘଟଣା ଦେଖାଯାଇଥିଲା। କୃଷକ ସଂଘଙ୍କ ସହିତ ବହୁପର୍ଯ୍ୟାୟ ସରକାରୀସ୍ତରୀୟ ଆଲୋଚନା ତଥା ସର୍ବୋଚ୍ଚ ଅଦାଲତର ପରାମର୍ଶ ବିଫଳ ହେବାରୁ ତତ୍କାଳୀନ କେନ୍ଦ୍ର ସରକାର ତିନିଟି ନୂଆ କୃଷି ସମ୍ବନ୍ଧୀୟ ଆଇନକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ। କାରଣ ସେତେବେଳେ ଉତ୍ତରପ୍ରଦେଶ ସମେତ ଆଉକେତୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ପାଖେଇ ଆସୁଥିଲା। ଏଥରର କୃଷକ ସଂଘର ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ଦୁଇଟି ନ୍ୟାୟୋଚିତ ଜଣାପଡ଼ୁଥିଲେ ମଧ୍ୟ ତା’ସହିତ ଆଉ କେତୋଟି ଦାବିକୁ ସମ୍ମିଳିତ କରି ସଂଘଟିତ କୃଷକ ଆନ୍ଦୋଳନ କେତେକାଂଶରେ ରାଜନୈତିକ ଅଭିସନ୍ଧିମୂଳକ ବୋଲି ପର୍ଯ୍ୟବେକ୍ଷକଙ୍କ ମତ।
ଏହି ଆନ୍ଦୋଳନର ମୂଳ ମଞ୍ଜ ବିଷୟଟି ହେଲା କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ବ୍ୟବସ୍ଥା ଓ ସେଥିରେ ଉପୁଜୁଥିବା କେତେକ ସମସ୍ୟା। ଏଥର କୃଷକ ସାମ୍ମୁଖ୍ୟ ଦାବି କରୁଛନ୍ତି ଯେ ଏମ୍ଏସ୍ପି ବ୍ୟବସ୍ଥାକୁ ଆଇନର ସ୍ୱରୂପ ଦିଆଯାଉ। ତା’ ହେଲେ ଏହା ସମକାଳୀନ ଶାସକ ଦଳର ଅନୁକମ୍ପାରେ ପର୍ଯ୍ୟବସିତ ନ ହୋଇ ଆଇନଗତ ନିର୍ଣ୍ଣୟ ବ୍ୟବସ୍ଥା ଅନୁସାରେ ପରିଚାଳିତ ହେବ ଏବଂ ସରକାର ଚାଷୀଙ୍କର ସବୁ ବିକ୍ରିୟଯୋଗ୍ୟ ବଳକା ଶସ୍ୟ ବାଧ୍ୟତାମୂଳକ ଭାବରେ ଖରିଦ କରିବେ। ଏଥର ଆନ୍ଦୋଳନ ଘୋଷଣା ପୂର୍ବରୁ ହିଁ କେନ୍ଦ୍ର ଓ ପଞ୍ଜାବ ସରକାର କୃଷକ ମୋର୍ଚ୍ଚା ସହ ଚାରି ପର୍ଯ୍ୟାୟରେ ଆଲୋଚନା କରିସାରିଲେଣି। ଚତୁର୍ଥ ପର୍ଯ୍ୟାୟରେ କିଛିଟା ସହମତି ହାସଲ ହେବା ପରେ ଆଶା ଦେଖାଯାଉଥିଲା ଯେ ଏମ୍ଏସ୍ପିକୁ ନେଇ ଉଭୟ ପକ୍ଷରୁ ରାଜିନାମା ହେବ ଏବଂ ଆନ୍ଦୋଳନ ଟଳି ଯିବ ଅଥବା ସ୍ଥଗିତ ହେବ। ଉଭୟ ସରକାରୀ ପକ୍ଷ ଓ କୃଷକ ମୋର୍ଚ୍ଚା ଏ କଥା ସାମ୍ବାଦିକଙ୍କ ଆଗରେ ଘୋଷଣା ମଧ୍ୟ କରିଥିଲେ।
ସହମତି ଅନୁସାରେ ଏମ୍ଏସ୍ପି ପାଇଁ ଆଇନ ପ୍ରଣୟନ ପରିବର୍ତ୍ତେ ଏନ୍ସିସିଏଫ୍ ଓ ନାଫେଡ୍ ଭଳି କେତେକ କେନ୍ଦ୍ରୀୟ ସରକାରୀ ଓ ସହକାରୀ ସଂସ୍ଥା ଏକ ଧାର୍ଯ୍ୟ ସର୍ବନିମ୍ନ ମୂଲ୍ୟରେ ଡାଲିଜାତୀୟ ଶସ୍ୟ, ତୈଲବୀଜ, ମକା ଓ କପା ସିଧାସଳଖ କିଣିବେ। ଏହି ବ୍ୟବସ୍ଥା ପାଞ୍ଚବର୍ଷ ପାଇଁ ଲାଗୁ ହେବ। ଏହାଦ୍ୱାରା କୃଷକମାନେ ଧାନ ଓ ଗହମ ଫସଲରୁ ଓହରି ଉପରୋକ୍ତ ଅର୍ଥକରୀ ଫସଲ ପ୍ରତି ଆଗ୍ରହୀ ହେବେ, ଯାହାର କି ଭାରତୀୟ ବଜାରରେ ଯଥେଷ୍ଟ ଚାହିଦା ରହିଛି। ଏକ ପ୍ରତିଶ୍ରୁତିବଦ୍ଧ ପାଞ୍ଚବର୍ଷିଆ ଚୁକ୍ତିନାମା ବଳରେ ଚାଷୀମାନେ ମଧ୍ୟ ଦୀର୍ଘକାଳୀନ ଚାଷ ଯୋଜନା କାର୍ଯ୍ୟକାରୀ କରିପାରିବେ। ଏହାସହିତ ଅନ୍ୟ କେତେକ ବିନ୍ଦୁରେ ମଧ୍ୟ ସହମତି ହୋଇଥିଲା ବୋଲି ଜଣାପଡ଼ିଥିଲା। ଏହାର ବିଚାର ପାଇଁ କୃଷକ ସାମ୍ମୁଖ୍ୟ ଦୁଇଦିନ ସମୟ ମାଗିଥିଲେ ଏବଂ ‘ଦିଲ୍ଲୀ ଚଲୋ’ ଅଭିଯାନ ସ୍ଥଗିତ ହେଲା ବୋଲି କହିଥିଲେ। କିନ୍ତୁ ଦୁଃଖର କଥା ଗତକାଲି ସରକାରୀ ସୂତ୍ରରୁ ଜଣାପଡ଼ିଲା ଯେ କୃଷକ ସାମ୍ମୁଖ୍ୟ ତାଙ୍କର ଆନ୍ଦୋଳନ ଜାରି ରଖି ଦିଲ୍ଳୀ ଯାତ୍ରା ପ୍ରସ୍ତୁତି ଅବ୍ୟାହତ ରଖିଛନ୍ତି। କୃଷକ ମୋର୍ଚ୍ଚା ସୂତ୍ରରୁ ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ ସହମତି କଥାକୁ ମଧ୍ୟ ଅସ୍ୱୀକାର କରାଯାଉଛି। ତେଣୁ ଦିଲ୍ଲୀ ସୀମାନ୍ତ ଆଡ଼କୁ କୃଷକ ମୋର୍ଚ୍ଚାର ଟ୍ରାକ୍ଟର, ବସ୍ ଓ ଯାନବାହନ ବାହିନୀ ବଳପୂର୍ବକ ଆଗେଇବାକୁ ଚେଷ୍ଟା କରୁଛନ୍ତି ଏବଂ କେତେକ ସ୍ଥାନରେ ପୁଲିସ୍କୁ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ସରକାରଙ୍କ ପକ୍ଷ ଆଶାବାଦୀ ଥିଲେ ମଧ୍ୟ ଏହି ଆନ୍ଦୋଳନ ଧୀରେ ଧୀରେ ଗତଥର ପରି ହିଂସ୍ରକ ହେବାର ସବୁ ଆଶଙ୍କା ବୃଦ୍ଧି ପାଉଛି।
କୃଷକ ଆନ୍ଦୋଳନ କୃଷିଭିତ୍ତିକ ବା ଅର୍ଥନୈତିକ ସମସ୍ୟା ସମାଧାନର ଆଉ ମଞ୍ଚ ହୋଇ ରହି ନାହିଁ ବୋଲି ଜଣାପଡ଼ୁଛି। ଏହି ଆନ୍ଦୋଳନର ନିଅାଁରେ ନିର୍ବାଚନୀ ରୁଟି ସେକା ଗଲେ କୃଷକମାନଙ୍କର ବା ଦେଶର କ’ଣ ଯେ ଲାଭ ହେବ ତାହା ଭଗବାନଙ୍କୁ ଜଣା। ଯାହା ବୁଝା ପଡ଼ୁଛି ଯେ ଗତ ଥର ପରି ଏ ଥରର ଆନ୍ଦୋଳନ ମଧ୍ୟ ଅନେକାଂଶରେ ପ୍ରାୟୋଜିତ ତଥା ଦେଶବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ତଥା ଅପ୍ରତ୍ୟକ୍ଷ ସମର୍ଥନ ପ୍ରାପ୍ତ। ନ ହେଲେ କି ଆନ୍ଦୋଳନକାରୀମାନେ ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଛଅମାସର ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହୃତ ଜିନିଷ ଟ୍ରାକ୍ଟର ଓ ଟ୍ରକ୍ରେ ଲଦି ଦିଲ୍ଲୀ ସୀମାକୁ ଲଂଘିବାକୁ ଆସନ୍ତେ? ତେଣେ ପଞ୍ଜାବ ସରକାର ଖୋଲାଖୋଲି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଯୋଗାଉଥିବାରୁ ଘଟଣା ଆହୁରି ଏକତରଫା ହେଉଛି।
ସତରେ କ’ଣ କ୍ଷୁଦ୍ର ତଥା ନାମକୁମାତ୍ର ଚାଷୀ ତଥା କୃଷି ଶ୍ରମିକ ଆଦିଙ୍କ ସମସ୍ୟା ସମାଧାନ ପାଇଁ ଏହି ଆନ୍ଦୋଳନ ଉଦ୍ଦିଷ୍ଟ? ଏ କଥା ସତ ଯେ ନିର୍ବାଚନ ଇସ୍ତାହାରରେ କେନ୍ଦ୍ର ଶାସକ ଦଳ ସ୍ୱାମୀନାଥନ୍ କମିଟିର ସୁପାରିସକୁ ଅଗ୍ରାଧିକାର ଦେବେ ବୋଲି କହିଥିଲେ। କିନ୍ତୁ ଗତ ଦଶବର୍ଷ ମଧ୍ୟରେ କୃଷିର ବିକାଶ ଓ କୃଷକ କଲ୍ୟାଣ ନିମନ୍ତେ ଯେଉଁ ପ୍ରଭାବୀ ପଦକ୍ଷେପ ନିଆଯାଇଛି ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସମୀଚୀନ ନୁହେଁ। ଏହା ମଧ୍ୟ ଏକ ଜଣାଶୁଣା କଥା ଯେ ପଞ୍ଜାବ, ହରିଆଣା ଆଦି ଅନେକ କୃଷିସମ୍ପନ୍ନ ରାଜ୍ୟରେ ଏମ୍ଏସ୍ପି ବ୍ୟବସ୍ଥା ତଥା ନିୟନ୍ତ୍ରିତ ବଜାର ବ୍ୟବସ୍ଥା ଅଣକୃଷକ ତଥା ରାଜନୈତିକ ତତ୍ତ୍ୱଙ୍କ କବ୍ଜାରେ ରହିଛି। ଦୁର୍ବଳ ଶ୍ରେଣୀର କୃଷକମାନେ ମଧ୍ୟସ୍ଥି ବେପାରୀମାନଙ୍କୁ ଏମ୍ଏସ୍ପିଠାରୁ ବହୁ କମ୍ ମୂଲ୍ୟରେ ଶସ୍ୟ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି।
ପନିପରିବା, ଫଳ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ କିଣିବା ପାଇଁ ଜଣେ ସାଧାରଣ ଖାଉଟି ସହରାଞ୍ଚଳରେ ଯେଭଳି ମଧ୍ୟସ୍ଥିଙ୍କ ଶୋଷଣର ଶିକାର ହେଉଛି ତାହା କାହାରିକୁ ଅଜଣା ନାହିଁ। ସମ୍ପ୍ରତି ପିଆଜ, ରସୁଣ ଓ ଟମାଟୋ ଆଦିର ମୂଲ୍ୟରେ ଅଚାନକ ବୃଦ୍ଧି ଓ ହ୍ରାସ ଉଭୟ ଚାଷୀ ଓ ଖାଉଟିଙ୍କୁ ହନ୍ତସନ୍ତ କରି ପକାଇଛି। ଏ ପର୍ଯ୍ୟନ୍ତ ଯାହା ହେଉଛି ଦୁଇପକ୍ଷ କଳିରେ ତୃତୀୟ ପକ୍ଷ ବାଜି ମାରୁଛି। ଉଭୟ ଚାଷୀ ଓ ଖାଉଟି ବାପୁଡ଼ା ଦାନ୍ତଚିପି ଅତ୍ୟାଚାର ସହୁଛନ୍ତି। କେତେକ ସ୍ତରରେ ପ୍ରଶ୍ନ ଉଠୁଛି କୃଷକଙ୍କୁ ଓ ବିଶେଷକରି କୃଷି ବଜାରର କ୍ଷମତାଶାଳୀ ମଧ୍ୟସ୍ଥିଙ୍କୁ ଲାଭ ଦେବା ନାଁରେ ଆନ୍ଦୋଳନ ମାଧ୍ୟମରେ ସରକାରମାନଙ୍କୁ ଯେପରି ଚାପଗ୍ରସ୍ତ କରାଯାଉଛି, ସେହିଭଳି ଖାଉଟିମାନେ ଯଦି ସଂଗଠିତ ହୋଇ ଆଇନ ମାଧ୍ୟମରେ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ପାଇଁ ଦାବିରେ ଆନ୍ଦୋଳନ କରନ୍ତି ତାହା ହେଲେ ସମାଧାନର ପନ୍ଥା କ’ଣ ହେବ?