ସଂସଦର ‘ମକରଦ୍ୱାର’ରେ ରାଜନୈତିକ ବିଦ୍ରୂପ

ଆମ ଗଣତନ୍ତ୍ର ଯେତେ ପାକଳ ହେଉଛି, ଆମ ସଂସଦୀୟ ମର୍ଯ୍ୟାଦା ଓ ମାନ୍ୟବର ଲୋକ ପ୍ରତିନିଧିମାନଙ୍କର ଆଚରଣ ଓ ଉଚ୍ଚାରଣ ସେତେ ଅଧିକ ଜଟିଳ ହେଉଥିବା ଦେଖାଯାଉଛି। ସମୟ ଓ ଅଭିଜ୍ଞତା ଆଧାରରେ ଯାହା ଅଧିକ ଶାଳୀନ ଓ ଶୋଭନୀୟ ହେବା କଥା ତାହା ନ ହେଲେ ଧରି ନେବାକୁ ପଡ଼ିବ ଯେ ଆମେ କ୍ରମଶଃ ବିଶୃଙ୍ଖଳ ଓ ପ୍ରତିଶୋଧ ପରାୟଣ ହୋଇପଡୁଛୁ। ସଂସଦ ବା ବିଧାନସଭାର କାର୍ଯ୍ୟକୁ ଶୃଙ୍ଖଳିତ ତଥା ଦାୟିତ୍ୱସମ୍ପନ୍ନ କରିବାକୁ ସମ୍ପୃକ୍ତ ସଦାଚାର […]

ଆମ ଗଣତନ୍ତ୍ର ଯେତେ ପାକଳ ହେଉଛି, ଆମ ସଂସଦୀୟ ମର୍ଯ୍ୟାଦା ଓ ମାନ୍ୟବର ଲୋକ ପ୍ରତିନିଧିମାନଙ୍କର ଆଚରଣ ଓ ଉଚ୍ଚାରଣ ସେତେ ଅଧିକ ଜଟିଳ ହେଉଥିବା ଦେଖାଯାଉଛି। ସମୟ ଓ ଅଭିଜ୍ଞତା ଆଧାରରେ ଯାହା ଅଧିକ ଶାଳୀନ ଓ ଶୋଭନୀୟ ହେବା କଥା ତାହା ନ ହେଲେ ଧରି ନେବାକୁ ପଡ଼ିବ ଯେ ଆମେ କ୍ରମଶଃ ବିଶୃଙ୍ଖଳ ଓ ପ୍ରତିଶୋଧ ପରାୟଣ ହୋଇପଡୁଛୁ। ସଂସଦ ବା ବିଧାନସଭାର କାର୍ଯ୍ୟକୁ ଶୃଙ୍ଖଳିତ ତଥା ଦାୟିତ୍ୱସମ୍ପନ୍ନ କରିବାକୁ ସମ୍ପୃକ୍ତ ସଦାଚାର କମିଟି ପକ୍ଷରୁ ନୀତି ନିୟମ ପ୍ରସ୍ତୁତ କରାଯାଇଥାଏ। ଉଭୟ ଶାସକ ଓ ବିରୋଧୀ ପକ୍ଷଙ୍କର ଏଥିରେ ପ୍ରତିନିଧିତ୍ୱ ଥାଏ। ସେହି ନୀତି ନିୟମ ମାନି ଶୃଙ୍ଖଳିତ ଆଚରଣ ଉଚ୍ଚାରଣ କରିବାକୁ ସମସ୍ତେ ବାଧ୍ୟ। ପ୍ରତିବାଦର ସ୍ୱର ମଧ୍ୟ ଶାଳୀନ ଏବଂ ମର୍ଯ୍ୟାଦାଜନକ ହେବା କଥା। ତେଣେ ନିଜେ ତିଆରି କରିଥିବା ଆଚରଣବିଧି ଓ ସଦାଚାର ନିୟମକୁ ମାନ୍ୟବର ସାଂସଦମାନେ ଯଦି ଉଦ୍ଦେଶ୍ୟମୂଳକ ଭାବେ ଭାଙ୍ଗିବେ, ତା’ହେଲେ ଦୋଷ ଦେବା କାହାକୁ? ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ ପାଇଁ ଏବେ ଅମୃତକାଳ ଯାତ୍ରାରେ ଅଛି। ଏଭଳି ସମୟରେ ଗଣତନ୍ତ୍ରର ମହିମା ଓ ଏହାର ସର୍ବୋଚ୍ଚ ପୀଠର ସୌରଭ ଲୋକତନ୍ତ୍ରରେ ଚହଟିବା ଆବଶ୍ୟକ। ତା’ ବଦଳରେ କିନ୍ତୁ ଯାହା ଘଟୁଛି, ତାହା ଦୁର୍ଭାଗ୍ୟଜନକ ଓ ବେଦନାଦାୟକ ବୋଲି ଦେଶର ଜନତା ଦରବାରରେ ଆଲୋଚନା ହେଉଛି।

ସମ୍ପ୍ରତି ସଂସଦର ସୁରକ୍ଷା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଦାବି କରି ଉଭୟ ଗୃହର ପ୍ରାୟ ୧୫୦ ବିରୋଧୀଦଳ ସଦସ୍ୟ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଯୋଗୁଁ ଅଧିବେଶନର ଅବଶିଷ୍ଟ କାଳ ପାଇଁ ନିଲମ୍ବିତ ହେବା ଘଟଣାକୁ ଅନେକ ନାପସନ୍ଦ କରିବା ସ୍ୱାଭାବିକ। ତେବେ ଏହି ବିଷୟରେ ଆଲୋଚନା ପାଇଁ ଗୃହର ଅଧ୍ୟକ୍ଷ ଅନୁମତି ନ ଦେବାର ଅର୍ଥ ନୁହେଁ ତାଙ୍କୁ ଅପମାନିତ କରିବା ଏବଂ ଗଣ୍ଡଗୋଳ ସୃଷ୍ଟି କରି ଗୃହକାର୍ଯ୍ୟକୁ ଅଚଳ କରାଇବା। ତେଣୁ ନିୟମ ଅନୁସାରେ ବିଶୃଙ୍ଖଳିତ ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମଥର ପାଇଁ ହୋଇ ନାହିଁ କିମ୍ବା ଆମ ସଂସଦୀୟ ଇତିହାସର ପ୍ରଥମ ଘଟଣା ନୁହେଁ। ଯିଏ ଯେତେବେଳେ ସରକାରରେ ରହିଛି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏଥର କଥା କିନ୍ତୁ ସାମାନ୍ୟ ଭିନ୍ନ। ପ୍ରଥମଥର କରି ସର୍ବାଧିକ ବିରୋଧୀ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ଅନ୍ୟ ଅର୍ଥରେ ନିୟମ ଅନୁସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସଂସଦ ଏକପ୍ରକାର ବିରୋଧୀ ବିହୀନ ହୋଇଛି। ପରିଣାମ ସ୍ୱରୂପ ଶାସକଦଳ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ଆଇନ ପ୍ରଣୟନ ଓ ଆନୁଷଙ୍ଗିକ ସଂସଦୀୟ କାର୍ଯ୍ୟକଳାପ ବିରୋଧୀ ଦଳ ଦ୍ୱାରା ବିତର୍କ ବିନା ଅନୁଷ୍ଠିତ ହେଉଛି। ଅନେକଙ୍କ ମତରେ ଏହା ସଂସଦୀୟ ଗରିମାକୁ କ୍ଷୁଣ୍ଣ କରୁଛି।

ଅତୀତରେ ଆମେ ଦେଖିଛୁ ଯେ ଗୃହରୁ ଯେତେବେଳେ ବହୁସଂଖ୍ୟକ ବିରୋଧୀ ସଦସ୍ୟଙ୍କୁ ବିଶୃଙ୍ଖଳା ଅଭିଯୋଗରେ ନିଲମ୍ବନ କରାଯାଏ, ତାହାର ଦିନେ ଓଳିଏ ପରେ ସ୍ୱୟଂ ଶାସକଦଳର ସଦସ୍ୟମାନେ ପ୍ରସ୍ତାବ ପାରିତ କରି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥା’ନ୍ତି। ଏହାପରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଶାସକଦଳର ସଦସ୍ୟମାନେ ସେମାନଙ୍କ ବିପକ୍ଷଦଳର ଲୋକପ୍ରତିନିଧି ଓ ସାଥୀମାନଙ୍କୁ ଗୃହକୁ ପାଛୋଟି ଆଣିଥା’ନ୍ତି। ଏଥିରେ ରାଜନୈତିକ ମିତ୍ରତା ଓ ଗଣତାନ୍ତ୍ରିକ ସଦ୍‌‌ଭାବନା ଥାଏ। ସବୁ ମାନ ଅଭିମାନ କ୍ଷଣିକରେ ତୁଟି ଯାଏ। ସଂସଦରେ ବାର୍ତ୍ତାଳାପ ସ୍ୱାଭାବିକ ହୁଏ। ଏଥର କିନ୍ତୁ ବିବାଦ ବଢ଼଼ୁଛି ଓ ଅଧିକ କଦର୍ଯ୍ୟ ଆକାର ଧାରଣ କରୁଛି। ନିଲମ୍ବିତ ସଦସ୍ୟମାନେ ସଂସଦଭବନ ବାହାରେ ଧାରଣା ଦେବା ସହ ସ୍ଲୋଗାନ ଦେଉଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀଶ ଧନକରଙ୍କୁ ଖତେଇ ହୋଇ ଛିଗୁଲି କରୁଛନ୍ତି। ସଂସଦର ମକର ଦ୍ୱାରରେ ଚାଲିଥିବା ଏହି ପ୍ରତିବାଦ ଓ ନକଲବାଜିର ଭିଡିଓ ମୋବାଇଲରେ ଉତ୍ତୋଳନ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାହାକୁ ଭାଇରାଲ କରିବାର ଅଭିଯୋଗ ଶାସକ ଦଳର ସଦସ୍ୟମାନେ ସଂସଦରେ ଉଠାଇଛନ୍ତି।

ଉପରାଷ୍ଟ୍ରପତି, ଯିଏ କି ସମ୍ବିଧାନ ଅନୁସାରେ ରାଜ୍ୟସଭାର ଅଧ୍ୟକ୍ଷ କାର୍ଯ୍ୟ ତୁଲାନ୍ତି। ତାଙ୍କୁ ନ୍ୟୂନକରି ଦେଖାଇବା ଓ ତାଙ୍କୁ ଥଟ୍ଟା ତାମସା କରି ଖତେଇ ହୋଇ ଭିଡିଓ ଜାରି କରିବା ନିଶ୍ଚିତ ଗର୍ହିତ ଓ ସଂସଦୀୟ ମର୍ଯ୍ୟାଦାର ଉଲ୍ଲଂଘନ ବୋଲି ଧରାଯିବ। ଏହି ଘଟଣାରେ ଉପରାଷ୍ଟ୍ରପତି ଶ୍ରୀ ଧନକର ନିଜର ଅସନ୍ତୋଷ ଜାହିର କରିଥିବା ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଉଦ୍‌‌ବେଗ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀ କିନ୍ତୁ କହିଛନ୍ତି ଯେ ସେ ଉତ୍ତୋଳନ କରିଥିବା ଭିଡିଓ ତାଙ୍କ ଫୋନ୍‌‌ରେ ରହିଛି ଓ ଏହା ଭାଇରାଲ୍‌‌ ହୋଇନାହିଁ। ସେ ଆହୁରି କହିଛନ୍ତି ଯେ ସଂସଦରୁ୧୫୦ ଜଣ ସଦସ୍ୟ ନିଲମ୍ବିତ ହେବା ଘଟଣା ବିଷୟରେ ଗୃହରେ ଆଲୋଚନା ହେଉ ନାହିଁ, ଅଥଚ ନିଲମ୍ବିତ ପ୍ରତିନିଧିଙ୍କ ସଂସଦ ବାହାରେ ପ୍ରତିବାଦକୁ ଏତେ ଗମ୍ଭୀର ଭାବରେ ନିଆଯାଉଛି। ସରକାର ସବୁ ସଂସଦୀୟ କାମ ବିରୋଧୀଙ୍କ ଅନୁପସ୍ଥିତିରେ କରୁଥିବା ବେଳେ ନିଲମ୍ବିତ ବିରୋଧୀଙ୍କ କଥା ଜାଣିଶୁଣି ଅଣଦେଖା କରୁଛନ୍ତି। ରାହୁଲ ଗାନ୍ଧୀଙ୍କ କଥାରେ କିଛି ଯଥାର୍ଥତା ଥାଇପାରେ; ମାତ୍ର ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ ବିଦ୍ରୂପ କରିବା, ଖତେଇ ହେବା ଓ ଏହାର ଭିଡିଓ ସୋସିଆଲ୍‌‌ ମିଡିଆରେ ଘୂରିବୁଲିବା କ’ଣ ମିଛ? ଏ ଘଟଣା ପଛରେ ତେବେ କାହାର ହାତ ଅଛି?

ସଂସଦ ଓ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ପକ୍ଷଙ୍କର ନିଜ ନିଜର କାର୍ଯ୍ୟସୂଚୀ ବା ଆଜେଣ୍ଡା ଥାଏ। ସେଥିରେ ପ୍ରତ୍ୟେକ ପକ୍ଷ ଅପରପକ୍ଷକୁ ଅଡୁଆରେ ପକାଇବା ବା ଚୁପ୍‌‌ କରାଇବା କୌଶଳରେ ଥାଆନ୍ତି। ସେ ହିସାବ କିତାବ ବିଗିଡ଼ି ଗଲେ ପରିସ୍ଥିତି ହାତଛଡ଼ା ହୁଏ। ଏବେ ପ୍ରାୟ ତାହା ହିଁ ଘଟୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଯଦି ତାଙ୍କ ନୈତିକତା ଦୃଷ୍ଟିରୁ ସଂସଦରେ ବିବୃତି ନ ରଖିଲେ ତାଙ୍କୁ ବାଧ୍ୟ କରିବା ପାଇଁ ସଂସଦ ଭିତରେ ହଙ୍ଗାମା, ଧାରଣା ଓ ପୋଷ୍ଟର ପ୍ରଦର୍ଶନ କରି ସଂସଦୀୟ ମର୍ଯ୍ୟାଦା କ୍ଷୁଣ୍ଣ କରିବା ଶାଳୀନ ରାଜନୈତିକ ରଣନୀତି ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଶେଷକରି ନୂତନ ପାର୍ଲାମେଣ୍ଟ ଭବନରେ କାର୍ଯ୍ୟାରମ୍ଭ ପୂର୍ବରୁ ଏ ବିଷୟରେ ବହୁଦଳୀୟ ସହମତି ଭିତ୍ତିରେ ଗୃହୀତ କାର୍ଯ୍ୟପ୍ରଣାଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରିବା ମଧ୍ୟ ମର୍ଯ୍ୟାଦାଜନକ ଆଦୌ ନୁହେଁ। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳମାନେ ଏଭଳି ରଣନୀତି ଦ୍ୱାରା ଦେଶବାସୀଙ୍କ ମନ ଜିଣିବା ଅସମ୍ଭବ ପରି ମନେ ହୁଏ। ଆହୁରି ମଧ୍ୟ ବିଧାନସଭା ପରାଜୟର ଗ୍ଳାନିକୁ କେନ୍ଦ୍ର କରି ସରକାରଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ ଯଦି ମନ୍ତ୍ରୀଙ୍କ ବିବୃତିକୁ ନେଇ ବିରୋଧୀ ଗଣ୍ଡଗୋଳ କରନ୍ତି ଏବଂ ଉପରାଷ୍ଟ୍ରପତି ବା ବାଚସ୍ପତିଙ୍କୁ ବ୍ୟଙ୍ଗ ବିଦ୍ରୂପ କରି ତାହାର ଭିଡିଓ ଭାଇରାଲ୍‌‌ କରାନ୍ତି, ତା’ହେଲେ ବୁଝିବାକୁ ହେବ ଯେ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ଓ ନିଜର ଦାବି ପ୍ରତି ଜବରଦସ୍ତ ଜନଅନୁକମ୍ପା ହାସଲ ପାଇଁ ଅପଚେଷ୍ଟା ଚଳାଇଛନ୍ତି।

ତାଳି ବାଜିବାକୁ ଦୁଇହାତ ଦରକାର ହୁଏ। ସଂଖ୍ୟା ନ୍ୟୂନତାର ପ୍ରତିଶୋଧ ଓ ନକାରାତ୍ମକ ଭାବ ବିରୋଧୀ ଦେଖାଇଲେ ଶାସକଦଳ ତାହାର ସଂଖ୍ୟାର ବଳ ଦେଖାଇବା ସ୍ୱାଭାବିକ। ଏଭଳି ନାଟକ କିନ୍ତୁ ଆସନ୍ନ ନିର୍ବାଚନ ନିମନ୍ତେ କୌଣସି ପକ୍ଷକୁ ବିଜୟ ବା ସହାନୁଭୂତିର ଇନ୍ଧନ ଯୋଗାଇବ ନାହିଁ। ବୋଧହୁଏ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦର ଏହା ଶେଷ ରାଜନୈତିକ ନାଟକ। ଏଭଳି ଘଟଣା ପାଇଁ ବିରୋଧୀ ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କହିପାରିବେ ନାହିଁ କିମ୍ବା ଶାସକଦଳ ନିଜର ଦାୟିତ୍ୱକୁ ଅସ୍ୱୀକାର କରିପାରିବନି। ପର୍ଯ୍ୟବେକ୍ଷକଙ୍କ ମତରେ ମକର ଦ୍ୱାରର ବ୍ୟଙ୍ଗ ବିଦ୍ରୂପ ବିରୋଧୀଙ୍କ ପାଇଁ ବିପରୀତ ପରିଣାମ ଆଣି ଦେଇପାରେ।

About The Author: The Sakala