କରୋନା ମହାମାରୀର ପ୍ରତିକୂଳ ପରିବେଶରେ ୨୦୨୧ରେ ହେବାକୁ ଥିବା ଜନଗଣନା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ତେଣୁ ଦଶବର୍ଷର ବ୍ୟବଧାନରେ ହେବାକୁ ଥିବା ଜନଗଣନା ୧୬ ବର୍ଷ ପରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି। ଭୌଗୋଳିକ ଦୃଷ୍ଟିରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥÒବା ବରଫାବୃତ୍ତ ଲଦାଖ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନସୁମାରି ୨୦୨୬ ଅକ୍ଟୋବର ୧ରୁ ଆରମ୍ଭ ହେବ। ଗତ ସୋମବାର ଏଥିସକାଶେ କେନ୍ଦ୍ର ସରକାର ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ୧୯୪୮ ଜନଗଣନା ଆଇନ ଧାରା ୩ ଓ ୧୯୯୦ ନିୟମାବଳୀ ଭିତ୍ତିରେ ଏହି ଜନସୁମାରି କରାଯିବ। ଏହି ବିଜ୍ଞପ୍ତି ଜାରି ପରବର୍ତ୍ତୀ ସମୟଠାରୁ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ କୌଣସି ଥାନା, ଜିଲ୍ଲା, ତହସିଲ ପରିସର ବୃଦ୍ଧି କରାଯାଇପାରିବ ନାହିଁ।
ଆଗାମୀ ଜନଗଣନା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ ଜନସୁମାରି ସହିତ ଏକାସଙ୍ଗରେ ଜାତି ଗଣନା ହେବ। ପୁଣି ଏହି ଜନଗଣନା ଆଧାରରେ ସଂସଦ ଓ ବିଧାନସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବାର ସମ୍ଭାବନା ରହିବ ଏବଂ ବିଧାନପାଳିକାରେ ମହିଳାଙ୍କ ସକାଶେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବାଟ ଫିଟିବ। ଲୋକସଭା ଓ ବିଧାନସଭା ନିର୍ବାଚନମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସୁବିଧା ପ୍ରଦାନ ସକାଶେ ସରକାରଙ୍କ ପକ୍ଷରୁ ଆଗତ ପ୍ରସ୍ତାବ ସଂସଦରେ ଗୃହୀତ ହୋଇଥିବା ବେଳେ ତାହାର କାର୍ଯ୍ୟକାରିତା ନେଇ ବିଭିନ୍ନ ମହଲରେ ସନ୍ଦେହ ଉଙ୍ଗି ମାରିଥିଲା। ସେତେବେଳେ ଯେଉଁମାନେ ଏହାକୁ ବିରୋଧ କରୁଥିଲେ ସେମାନେ ଆଇନର ଦାୟରେ ପଡ଼ି ମହିଳା ପ୍ରାର୍ଥୀ ଦେବାକୁ ବାଧ୍ୟ ହେବେ।
ସେହିଭଳି ଗତ ସାଧାରଣ ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ଜାତିଭିତ୍ତିକ ଜନଗଣନାକୁ ଏକ ପ୍ରମୁଖ ପ୍ରସଙ୍ଗ କରାଯାଇଥିଲା। ଏପରିକି କେତେକ ବିରୋଧୀ ଦଳ ଶାସିତ ରାଜ୍ୟରେ ଜାତିଭିତ୍ତିକ ଜନସୁମାରି ମଧ୍ୟ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଆଣ ରାଜନୀତିକୁ ବଳ ଦେବା ପାଇଁ ଏ ଦିଗରେ ଉଦ୍ୟମ କରି ଯେଉଁ ଜନମତ ସୃଷ୍ଟି କରିଥିଲେ ତାହାର ପ୍ରଭାବ ମଧ୍ୟ ଗତ ଲୋକସଭା ନିର୍ବାଚନରେ ଅନୁଭୂତ ହୋଇଥିଲା। ଜାତି ଆଧାରରେ ଜନଗଣନା ଦାବିକୁ ଭିତ୍ତି କରି ଜାତୀୟ ରାଜନୀତିରେ ସୃଷ୍ଟି ହୋଇଥିବା ବିବଦମାନ ପରିସ୍ଥିତିର ଅବସାନ ପାଇଁ ଏହା ସପକ୍ଷରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ତେଣୁ ଜନଗଣନା ବିଜ୍ଞପ୍ତିର ଯଥେଷ୍ଟ ପୂର୍ବରୁ(ଏପ୍ରିଲ୍ ୩୦)ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟପାର କମିଟି ବୈଠକରେ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ତେବେ ଏହାର ଆଧାରଶିଳାକୁ ନେଇ ବିଭିନ୍ନ ମହଲରେ ମତଭେଦ ଜାରି ରହିଛି। ଜାତି ଆଧାରରେ ଜନଗଣନା ଓ ତାହା ଭିତ୍ତିରେ ସଂରକ୍ଷଣ ସୁବିଧା ପ୍ରଦାନକୁ ନେଇ ପୁଣି ଯେ ବିବାଦ ମୁଣ୍ଡ ନ ଟେକିବ ଏ କଥା ନୁହେଁ। ମଣ୍ଡଳ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଏେବ ବି ମନରୁ ଲିଭିନାହିଁ।
ଅନ୍ୟ ଏକ ଦିଗ ହେଲା, ଜନଗଣନା ରିପୋର୍ଟ ଭିତ୍ତିଭୂମିରେ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରାଯିବାର ଯେଉଁ ସୁଯୋଗ ରହିଛି ତାହାକୁ ଭିତ୍ତି କରି ପୁଣି ଏକ ବିଭାଜନର ସୀମାରେଖା ଟାଣିଲା ଭଳି ପରିସ୍ଥିତି ଉପୁଜିବ। ଏଥିମଧ୍ୟରେ ଏହାର ପ୍ରାକ୍ ସୂଚନା ମିଳିସାରିଲାଣି। ଗୋଟିଏ ପକ୍ଷରେ ଦେଶର ଜନବିସ୍ଫୋରଣକୁ ରୋକିବା ପାଇଁ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିଥିବା ରାଜ୍ୟ ସମୂହ ଏବଂ ଅନ୍ୟପକ୍ଷରେ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଘଟାଇଥିବା ଅନଗ୍ରସର ରାଜ୍ୟ। ସଂସଦରେ ପ୍ରତିନିଧିତ୍ୱ ବୃଦ୍ଧି ଓ ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ମୁଣ୍ଡ ଟେକିବା ଏକପ୍ରକାର ଥୟ। ଏନ୍ଡିଏ ସରକାର ପ୍ରମୁଖ ସହଯୋଗୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିକଟରେ ଏହି ସମ୍ଭାବନା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କାରଣ ତାଙ୍କ ରାଜ୍ୟ ମଧ୍ୟ ଏହି ଫର୍ମୁଲାରେ କ୍ଷତିଗ୍ରସ୍ତ ହେବ। ଅଥଚ କ୍ଷମତା ରାଜନୀତିର ସମ୍ଭାବନା ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ସରକାର ସାଲିସ୍ କରିବା ପ୍ରଶ୍ନ ଉଠୁନାହିଁ।
ଏ କଥା ଅସ୍ବୀକାର କରିବାର ନାହିଁ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ଅଧÒକାରକୁ ଏଡ଼ାଇ ଯିବା ସମ୍ଭବ ନୁହେଁ। କିନ୍ତୁ ସମୟର ଆବ୍ୟଶ୍ୟକତା ଦୃଷ୍ଟିରୁ ସମୃଦ୍ଧିର ଦିଗ ନିର୍ଣ୍ଣୟ କରିବାରେ ଅସଫଳ ରାଜ୍ୟକୁ ଅଧିକ ପ୍ରତିନିଧିତ୍ୱ ସୁଯୋଗ ଦେବା କେତେଦୂର ସମୀଚୀନ ତାହା ମଧ୍ୟ ବିଚାର୍ଯ୍ୟ। ଯଦି ଆଶଙ୍କା ଅନୁରୂପ ସୀମା ପୁନଃନିର୍ଦ୍ଧାରଣ ବେଳେ ଜନସଂଖ୍ୟାର ଘନତ୍ବ ଗୁରୁତ୍ବ ଲାଭ କରିବ ତେବେ ସରକାର ଗଠନରେ ସଂଖ୍ୟା ରାଜନୀତି ପୁଣି ପ୍ରଭାବ ବିସ୍ତାର କରିବ। ଏହି ବିବଦମାନ ପ୍ରସଙ୍ଗକୁ ଯଥାସମ୍ଭବ ଦୂରେଇ ରଖÒବା ପାଇଁ ୧୯୭୧ ମସିହାରୁ ଲୋକସଭା ଅାସନ ସଂଖ୍ୟା ଅପରିବର୍ତ୍ତିତ ରଖିବାକୁ ଅତୀତର ସରକାରମାନେ ବାଧ୍ୟ ହୋଇଛନ୍ତି। ଆଗାମୀ ଜନଗଣନା ପରେ କେନ୍ଦ୍ର ସରକାରଙ୍କ ଆଗରେ ଏହିସବୁ ଆହ୍ବାନ ସୃଷ୍ଟି ହେବ।
ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥÒବା ଅାଗାମୀ ଜନଗଣନା ପାଇଁ କେନ୍ଦ୍ରୀୟ ବଜେଟ୍ରେ ୩, ୭୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାସଗୃହ ଗଣତି ଓ ଦ୍ୱିତୀୟ ପର୍ଯ୍ୟାୟରେ ଲୋସଂଖ୍ୟା ଗଣତି କରାଯିବ। ଏଥିରେ ପରିବାର ଓ ବ୍ୟକ୍ତିଗତ ସମ୍ପତ୍ତି, ଆୟ, ଆୟର ଉତ୍ସ, ଜାତି, ଉପଜାତି ଏବଂ ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ତଥ୍ୟ ରହିବ। ଜନଗଣନା ପରିଚାଳନା ସକାଶେ ୩୪ ଲକ୍ଷ ତଥ୍ୟ ସଂଗ୍ରାହକ ଓ ତଦାରଖକାରୀଙ୍କୁ ନିଯୁକ୍ତି ଦିଆଯିବ ଏବଂ ୧.୩ ଲକ୍ଷ ଜନଗଣନା ଅଧିକାରୀ ସମ୍ପୃକ୍ତ ରହିବେ। ଆମ ଦେଶରେ ସ୍ୱାଧୀନତା ପୂର୍ବରୁ ୧୮୮୧ ରୁ ଜନଗଣନା କରାଯାଉଛି। ସେହି ଆଧାରରେ ସମ୍ପ୍ରତି ଜନଗଣନା ବିଜ୍ଞପ୍ତି ଷୋଡ଼ଶ ହୋଇଥିଲେ ମଧ୍ୟ ସ୍ୱାଧୀନତା ପରେ ଆମ ସରକାରଙ୍କ ଦ୍ୱାରା ପରିଚାଳିତ ଏହା ଅଷ୍ଟମ ସଂସ୍କରଣ।