ଦକ୍ଷିଣ ଏସିଆରେ ଚୀନ୍‌‌ର ବିସ୍ତାରବାଦୀ ରଣନୀତି: ଭାରତର ଏକ ନମ୍ବର ଶତ୍ରୁ ଚୀନ୍‌‌କୁ ସାବଧାନ

ଭାରତର ଉତ୍ତର-ଉତ୍ତରପୂର୍ବ ସୀମାନ୍ତରେ ବିସ୍ତାରବାଦୀ ଚୀନ୍‌‌ର ଅସ୍ଥିରତାବାଦୀ ଉଦ୍ୟମ ଜାରି ରହିଛି। ଇତିମଧ୍ୟରେ ଚୀନ୍‌‌ ପକ୍ଷରୁ ଅରୁଣାଚଳ ପ୍ରଦେଶ ଉପରେ ତାହାର ଦାବିକୁ ବାରମ୍ବାର ଦୋହରାଯିବା ସହିତ ସେହି ସୀମାନ୍ତ ରାଜ୍ୟର ୧୬ଟି ସ୍ଥାନର ନାମକରଣ ବେଜିଂ ସରକାରଙ୍କ ପକ୍ଷରୁ ଏକତରଫା ଭାବେ କରାଯାଇଛି। ଅକ୍‌‌ଶାଇ ଚୀନ୍‌‌ ଇଲାକାରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଥିବା ଚୀନ୍‌‌ ଏବେ ଭୁର୍କାନର କିଛି ଅଞ୍ଚଳକୁ ଜବରଦଖଲ କରି ସେଠାରେ ଏକ ବଡ଼ ସାମରିକ ଶିବିର ନିର୍ମାଣ କରିଛି। ସେଠାରେ ସୈନ୍ୟ […]

ଭାରତର ଉତ୍ତର-ଉତ୍ତରପୂର୍ବ ସୀମାନ୍ତରେ ବିସ୍ତାରବାଦୀ ଚୀନ୍‌‌ର ଅସ୍ଥିରତାବାଦୀ ଉଦ୍ୟମ ଜାରି ରହିଛି। ଇତିମଧ୍ୟରେ ଚୀନ୍‌‌ ପକ୍ଷରୁ ଅରୁଣାଚଳ ପ୍ରଦେଶ ଉପରେ ତାହାର ଦାବିକୁ ବାରମ୍ବାର ଦୋହରାଯିବା ସହିତ ସେହି ସୀମାନ୍ତ ରାଜ୍ୟର ୧୬ଟି ସ୍ଥାନର ନାମକରଣ ବେଜିଂ ସରକାରଙ୍କ ପକ୍ଷରୁ ଏକତରଫା ଭାବେ କରାଯାଇଛି। ଅକ୍‌‌ଶାଇ ଚୀନ୍‌‌ ଇଲାକାରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଥିବା ଚୀନ୍‌‌ ଏବେ ଭୁର୍କାନର କିଛି ଅଞ୍ଚଳକୁ ଜବରଦଖଲ କରି ସେଠାରେ ଏକ ବଡ଼ ସାମରିକ ଶିବିର ନିର୍ମାଣ କରିଛି। ସେଠାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ଚୀନ୍‌‌ ଉଦ୍ୟମ ଜାରି ରଖିଥିବାବେଳେ ଦୁର୍ଦ୍ଦାନ୍ତ ବେଜିଂ ସରକାରଙ୍କ ଏଭଳି ଜବରଦସ୍ତ କାର୍ଯ୍ୟକଳାପ ବିରୋଧରେ ପ୍ରତିବାଦ କରିବାର ଶକ୍ତି ଭୁଟାନ ସରକାର ଜୁଟାଇ ପାରୁନାହିଁ। ତେଣେ ଭାରତକୁ ତାଚ୍ଛଲ୍ୟ କରି ଚୀନ୍‌‌ କହିଛି ଯେ ଭାରତ ମହାସାଗର ଭାରତର ନୁହେଁ। ଏଠାରେ ସେ ଶ୍ରୀଲଙ୍କା ଉପକୂଳରେ ଯେଉଁ ସାମରିକ ରାଡାର କେନ୍ଦ୍ର ସ୍ଥାପନ କରିବ, ତାହାକୁ ଭାରତ ବିରୋଧ କରିପାରିବ ନାହିଁ।

ଚୀନ୍‌‌ର ଏସବୁ ଉସୁକାନୀ ଓ ଜୋର ଜବରଦସ୍ତ କାର୍ଯ୍ୟ ପଛରେ ସେ ଦେଶର ଭୂ-ରାଜନୀତି ଓ ରଣନୀତି ସ୍ପଷ୍ଟ ଭାବେ ପରିଲକ୍ଷିତ। ଚୀନ୍‌‌ ତିବ୍ଦତକୁ ଦଖଲ କରିବା ପରେ ଲଦାଖ ଓ କାଶ୍ମୀରରୁ ଆରମ୍ଭ କରି ଭୁଟାନ, ସିକିମ୍‌‌ ଓ ଅରୁଣାଚଳ ପ୍ରଦେଶକୁ ନିଜର ଭୂଖଣ୍ଡରେ ସାମିଲ କରିବାର ଏକ ବଡ଼ଗୁପ୍ତ ଯୋଜନା ରଖିଛି। ସେଥିପାଇଁ ଅକଶାଇ ଚୀନ୍‌‌, ଡୋକଲାମ ଓ ଅରୁଣାଚଳ ସୀମାନ୍ତରେ ବାରମ୍ବାର ଅସ୍ଥିରତା ସୃଷ୍ଟି କରୁଛି। ତେଣେ କେନ୍ଦ୍ର ଏସିଆରେ ‘ବେଲ୍ଟ ଆଣ୍ଡ ରୋଡ୍‌‌’ ପ୍ରକଳ୍ପ ଚଳାଇଛି। ଶ୍ରୀଲଙ୍କା ଉପକୂଳରେ ସାମରିକ ରାଡାର ଘାଟି ସ୍ଥାପନ କରି ଭାରତ ମହାସାଗରରେ ତାହାର ସାମରିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବାକୁ ଚାହୁଁଛି। ‘ଆସିଆନ୍‌‌’ କ୍ଷେତ୍ରରେ ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏବେ ଚୀନ୍‌‌ର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ନିଜର ପ୍ରଚଣ୍ଡ ସାମରିକ ଶକ୍ତି ବଳରେ ସେ ଭାରତକୁ ବିଭିନ୍ନ ଉପାୟରେ ଅସୁବିଧାରେ ପକାଇ ଅସ୍ଥିର ଓ ଦୁର୍ବଳ କରିବାକୁ ଯୋଜନାବଦ୍ଧ ଭାବେ କାମ କରୁଛି।

ଭାରତ ଅବଶ୍ୟ ଚୀନ୍‌‌ ସୀମାନ୍ତରେ ତାହାର ସାମରିକ ଶକ୍ତିକୁ ବଢ଼଼ାଇଛି ଏବଂ ବେଜିଂର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି। ଏହାଛଡ଼ା ଚୀନ୍‌‌ର ମୁକାବିଲା କରିବାକୁ ଉଭୟ କୂଟନୀତିକ ଓ ରଣକୌଶଳାତ୍ମକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଆମେରିକା ସରକାର ଅରୁଣାଚଳ ପ୍ରଦେଶ ଉପରେ ଚୀନର ଅଧିକାର ଦାବିକୁ ବିରୋଧ କରି ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ବାଇଡେନ୍‌‌ ପ୍ରଶାସନ ମଧ୍ୟ ଭାରତ ମହାସାଗରରେ ଚୀନ୍‌‌ର ସାମରିକ କାର୍ଯ୍ୟକଳାପ ବୃଦ୍ଧିକୁ ବିରୋଧ କରିବା ସହିତ ଦକ୍ଷିଣ ଚୀନ୍‌‌ ସାଗର ଅଞ୍ଚଳରେ ସବୁ ଆଞ୍ଚଳିକଦେଶଙ୍କୁ ସମାନ ଅଧିକାର ଦେବାକୁ ଦାବି ଦୋହରାଇ ପାଲଟା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।

ଭାରତର ନିମନ୍ତ୍ରଣ କ୍ରମେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଂ ନିକଟରେ ନୂଆଦିଲ୍ଲୀ ଆସିଥିଲେ। ଡୋକଲାମ ବିବାଦର ସମାଧାନରେ ଭୁଟାନର ସହଯୋଗ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଭୁଟାନ ଏହା ପୂର୍ବରୁ ଚୀନ୍‌‌ର ଚାପରେ ପଡ଼ି ତାହାର ସମର୍ଥନରେ ଏକ ବିବୃତି ଦେଇଥିଲା। ଭୁଟାନର ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ ଯେ ଡୋକଲାମ ବିବାଦର ସମାଧାନରେ ଚୀନ୍‌‌ର ଭାରତ ଭଳି ସମାନ ଭୂମିକା ରହିଛି। ତିନିଟି ଦେଶର ଏହି ମିଳନସ୍ଥଳ ଡୋକଲାମ ନେଇ ୨୦୧୯ ପୂର୍ବରୁ ଭୁଟାନର ନୀତି ଚୀନ୍‌‌ ବିରୋଧରେ ଥିଲା ଏବଂ ଡୋକଲାମରେ ଚୀନ୍‌‌ର ସ୍ଥିତିକୁ ଭୁଟାନ ସ୍ୱୀକୃତି ଦେଉନଥିଲା। ଏପରିକି ଭାରତର ଛୋଟ ଛୋଟ ପଡୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ନେପାଳ ଆଦି ଯେଉଁମାନେ ଭାରତ ଦ୍ୱାରା ବିଭିନ୍ନ ଉପାୟରେ ଉପକୃତ ଓ ଅନୁଗୃହୀତ, ସେମାନେ ଏବେ ଚୀନ ବିରୋଧରେ ସ୍ୱର ଉଠାଇବାକୁ ସାହସ କରୁନାହାନ୍ତି। ପାକିସ୍ତାନ କଥା ନକହିବା ଭଲ; କାରଣ ଏହା ଚୀନ୍‌‌ର ଏକ ଖାସ୍‌‌ ମିତ୍ର ଏବଂ ଚୀନ୍‌‌ର କୂଟନୀତି ଦ୍ୱାରା ସମ୍ପୂର୍ଣ୍ଣ ଭାବେ କବଳିତ। ଆମ ପଡୋଶୀଙ୍କ ଏଭଳି ଆଚରଣରେ ଭାରତ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ଭୂ-ରାଜନୀତିକ ରଣନୀତିରେ ରହିଛି ଏସବୁ ରାଷ୍ଟ୍ରଙ୍କୁ ଚୀନର ପ୍ରଚୁର ଋଣ ଓ ଆର୍ଥିକ ସହାୟତା ଯୋଗାଣ। ଏମାନଙ୍କୁ ଚୀନ୍‌‌ ଯେଉଁ ପରିମାଣରେ ଆର୍ଥିକ ସହାୟତା ଓ ଋଣ ଦେଇଛି, ଭାରତ ତାହା କଳ୍ପନା କରିପାରିବ ନାହିଁ। ସେଥିରୁ କେତେକ ଦେଶ ଏବେ ଚୀନ୍‌‌ ଋଣ ଯନ୍ତାରେ ପଡ଼ି ଛଟପଟ ମଧ୍ୟ ହେଉଛନ୍ତି। ଶ୍ରୀଲଙ୍କା ଓ ପାକିସ୍ତାନ ତାହାର ପ୍ରକୃଷ୍ଟ ଉଦାହରଣ। ନେପାଳ ଓ ବାଂଲାଦେଶ ମଧ୍ୟ ସେ ରାସ୍ତାରେ ଯାଉଛନ୍ତି।

ଏଭଳି ସମୟରେ ନିଜର ସ୍ଥିତି ରକ୍ଷା ପାଇଁ ଭାରତକୁ ଆମେରିକା ଓ ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ରଙ୍କ ନୈତିକ ଏବଂ ଅନ୍ୟାନ୍ୟ ସମର୍ଥନ ଜୁଟାଇବାକୁ ପଡ଼ିବ। ଏହାଛଡ଼ା ଜି-୨୦ ଓ ‘କ୍ୱାର୍ଡ’ ଭଳି ମଞ୍ଚକୁ ଭାରତ ଯେତେ ଅଧିକ ଏହି ପ୍ରସଙ୍ଗରେ ଉପଯୋଗ କରିବ, ସେତେ ଭଲ। ଆମକୁ ଚୀନ୍‌‌ ବିରୋଧରେ ଆମର ସାମରିକ ସାମର୍ଥ୍ୟ ଯଥେଷ୍ଟ ବଢ଼଼ାଇବାକୁ ପଡ଼ିବ, ଏହା ସହିତ ଉଭୟ ଉତ୍ତର-ପୂର୍ବାଞ୍ଚଳ ଓ ଆଣ୍ଡାମାନ ନିକୋବର ଅଞ୍ଚଳରେ ଆମର ସାମରିକ ଉପସ୍ଥିତି ଓ ଘାଟି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ହେବ।

ଏ ପରିସ୍ଥିତିରେ ଭାରତକୁ ମଧ୍ୟ ଦକ୍ଷିଣ ଏସିଆରେ ତାହାର ବଡ଼ଭାଇ ପଣିଆ ଜାହିର ନୀତିକୁ ପରିହାର କରି ନିଜସ୍ୱ ସାମରିକ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ବିକାଶ ପ୍ରକ୍ରିୟାରେ ଚୀନ୍‌‌ ସହିତ ପ୍ରତିଯୋଗିତା କରିବା ଓ ପଡୋଶୀଙ୍କୁ ଋଣ ଓ ଅର୍ଥ ସହାୟତା ଦେଇ ନିଜ ପକ୍ଷରେ ରଖିବା କାମ ଭାରତ ପାଇଁ ବୋଧହୁଏ ଉପଯୁକ୍ତ ହେବନାହିଁ। ତଥାପି ‘ପଡ଼ୋଶୀ ପ୍ରଥମ’ ନୀତିରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ଆମକୁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ ଭଳି ଦେଶଙ୍କ ସହିତ ମୈତ୍ରୀ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ତା’ନହେଲେ ଚୀନ୍‌‌ର ରଣନୀତି ଆଗରେ ଆମେ ପଛରେ ପଡ଼ିଯିବା। ଏଥିପାଇଁ ଭାରତକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଚୀନ୍‌‌ ଯେ ଭାରତର ଏକ ନମ୍ବର ଶତ୍ରୁ, ଏହାକୁ ମୂଳମନ୍ତ୍ର କରି ଭାରତ ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବିସ୍ତାର ପାଇଁ ଅନୁକୂଳ ପଦକ୍ଷେପ ନେବା ଉଚିତ।

About The Author: The Sakala