କେଜ୍ରିୱାଲ୍‌ଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଦିଲ୍ଲୀ ସରକାରଙ୍କୁ ଶାସନ କ୍ଷମତା

ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌‌ସିଆର)କୁ ଶାସନ କରିବା ଘେନି କେନ୍ଦ୍ର ସରକାର ଓ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ମଧ୍ୟରେ ଯେଉଁ କ୍ଷମତା କନ୍ଦଳ ଚାଲିଥିଲା ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ପୀଠ ତାହାର ଅବସାନ ଘଟାଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ଦିଲ୍ଳୀର ନିର୍ବାଚିତ ସରକାର ଜାତୀୟ ରାଜଧାନୀ କ୍ଷେତ୍ରର ତିନି ବିଷୟକୁ ଛାଡ଼ି ଅନ୍ୟ ବିଷୟ ଉପରେ କର୍ତ୍ତୃତ୍ୱ ଜାହିର କରିବ। ଏଥିରେ କେନ୍ଦ୍ର ସରକାର କିମ୍ବା ତାଙ୍କର ପ୍ରତିନିଧି ଉପରାଜ୍ୟପାଳ କୌଣସି ପ୍ରକାର […]

ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌‌ସିଆର)କୁ ଶାସନ କରିବା ଘେନି କେନ୍ଦ୍ର ସରକାର ଓ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ମଧ୍ୟରେ ଯେଉଁ କ୍ଷମତା କନ୍ଦଳ ଚାଲିଥିଲା ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ପୀଠ ତାହାର ଅବସାନ ଘଟାଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ଦିଲ୍ଳୀର ନିର୍ବାଚିତ ସରକାର ଜାତୀୟ ରାଜଧାନୀ କ୍ଷେତ୍ରର ତିନି ବିଷୟକୁ ଛାଡ଼ି ଅନ୍ୟ ବିଷୟ ଉପରେ କର୍ତ୍ତୃତ୍ୱ ଜାହିର କରିବ। ଏଥିରେ କେନ୍ଦ୍ର ସରକାର କିମ୍ବା ତାଙ୍କର ପ୍ରତିନିଧି ଉପରାଜ୍ୟପାଳ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ। ଏହି ରାୟ ଫଳରେ ଦିଲ୍ଲୀରେ ଉପରାଜ୍ୟପାଳ ଏଣିକି ନିର୍ବାଚିତ ସରକାରଙ୍କ ପରାମର୍ଶ ଓ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ଏବଂ ତାଙ୍କର ଅଖଣ୍ଡ କ୍ଷମତାର ଅବସାନ ଘଟିବ। ଏହାର ତ୍ୱରିତ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ସର୍ଭିସ୍‌‌ ସେକ୍ରେଟାରୀ ଆଶିଷ ମୋରେଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌‌ ପଦଚ୍ୟୁତ କରିଛନ୍ତି। ଏଥିସହିତ ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ସେ ସୂଚନା ଦେବା ସହିତ ଯେଉଁ ଅଧିକାରୀମାନେ ଜନହିତକର ଯୋଜନା ରୂପାୟନରେ ବାଧା ସୃଷ୍ଟି କରୁଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।

ଦିଲ୍ଲୀ ଏକ ପ୍ରଦେଶ ହେବା ପରେ ସେଠାରେ ଏକ ନିର୍ବାଚିତ ବିଧାନସଭା କାର୍ଯ୍ୟ କରି ଆସୁଛି ଏବଂ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ଦଳ କ୍ଷମତାରେ ରହି ଦିଲ୍ଳୀକୁ ଶାସନ କରୁଛି। ଏବେ ଅରବିନ୍ଦ କେଜ୍ରିୱାଲ୍‌‌ଙ୍କ ‘ଆମ୍‌‌ ଆଦମ୍‌‌ୀ ପାର୍ଟି’ ଦିଲ୍ଲୀରେ କ୍ଷମତାରେ ଅଛି। ତେବେ ଦିଲ୍ଲୀର ଲୋକପ୍ରିୟ ନିର୍ବାଚିତ ସରକାରଙ୍କ ସେଠାକାର ଶାସନର ତିନିଟି ପ୍ରମୁଖ ବ୍ୟାପାର ଯଥା ସାଧାରଣ ଆଇନ ଶୃଙ୍ଖଳା, ପୁଲିସ୍‌‌ ଏବଂ ଭୂମି ଉପରେ ଅଧିକାର ନଥିଲା। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲାଫ ଏଥିସହିତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀମାନେ ଦିଲ୍ଲୀ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ନ ହୋଇ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ଏଭଳି ଅବସ୍ଥା ନିଶ୍ଚିତ ଭାବେ ଦିଲ୍ଲୀରେ ଏକ ଦ୍ୱୈତ ଶାସନର ସୁଯୋଗ ସୃଷ୍ଟି କରିଥିଲା। ନିର୍ବାଚିତ ସରକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କ୍ଷମତାହୀନ ହୋଇ କେନ୍ଦ୍ରର ଦୟା ଏବଂ ଉପରାଜ୍ୟପାଳଙ୍କ ଅନୁକମ୍ପା ପ୍ରାର୍ଥୀ ହେଉଥିଲେ। ଦିଲ୍ଲୀ ମୂଳତଃ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ସେହି ପୁରୁଣା ଆଇନ ସେଠାରେ କାର୍ଯ୍ୟକାରୀ ହେଉଥିଲା ଏବଂ ଏକ ପୂର୍ଣ୍ଣାଙ୍ଗ ପ୍ରାୟ ରାଜ୍ୟ ହେବା ସତ୍ତ୍ବେ ସେଠାକାର ନିର୍ବାଚିତ ସରକାରଙ୍କୁ ଶାସନର ସବୁକ୍ଷେତ୍ରରେ କ୍ଷମତା ପ୍ରୟୋଗ ଓ ନିୟନ୍ତ୍ରଣ ଜାହିର ଅଧିକାର ମିଳୁନଥିଲା।

ଅରବିନ୍ଦ କେଜ୍ରିୱାଲ୍‌‌ କ୍ଷମତାକୁ ଆସିବା ପରେ ଏଭଳି ଦ୍ୱୈତ ଶାସନର ଅବସାନ ଘଟାଇ ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁଇଜଣିଆ ପୀଠରେ ଦୁଇ ବିଚାରପତି ଭିନ୍ନମତ ପ୍ରକାଶ କରିବାରୁ ମାମଲାଟି ବୃହତ୍ତର ପୀଠ ଏବଂ ଶେଷରେ ସାମ୍ବିଧାନିକ ପୀଠକୁ ଯାଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁସବୁ କ୍ଷେତ୍ର ଦିଲ୍ଲୀ ସରକାରଙ୍କ ଆଇନ ପ୍ରଣୟନ କ୍ଷମତା ବାହାରେ ରହିଛି, ତାହାକୁ ଛାଡ଼ି ଆଉ ସମସ୍ତ ସେବା କ୍ଷେତ୍ର ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ଏଥିସହିତ ସାମ୍ବିଧାନିକ ଖଣ୍ଡପୀଠ ୨୦୧୯ର ସୁପ୍ରିମକୋର୍ଟ ରାୟକୁ ଖାରଜ କରି ଦେଇ କେଜ୍ରିୱାଲ୍‌‌ ସରକାରଙ୍କ ପାଇଁ ପଥ ପରିସ୍କାର କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୯ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଅଶୋକ ଭୂଷଣ ତାଙ୍କ ରାୟରେ କହିଥିଲେ ଯେ ଦିଲ୍ଲୀର ସେବା ବା ସର୍ଭିସ୍‌‌ ଉପରେ ଦିଲ୍ଲୀ ସରକାରଙ୍କ କୌଣସି କ୍ଷମତା କିମ୍ବା କର୍ତ୍ତୃତ୍ୱ ନାହିଁ। ଏଥିପାଇଁ ପ୍ରାଦେଶିକ ସରକାରଙ୍କୁ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବାକୁ ପଡ଼ିବ।

ଏବେ କିନ୍ତୁ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ପରେ ଜାତୀୟ ରାଜଧାନୀ କ୍ଷେତ୍ର(ଏନ୍‌‌ଟିସି)ରେ ଦିଲ୍ଲୀ ସରକାରଙ୍କ ସାଧାରଣ ଆଇନ୍‌‌ ଶୃଙ୍ଖଳା, ପୁଲିସ୍‌‌ ଓ ଭୂମିକୁ ଛାଡ଼ି ଆଉ ସବୁ ସେବା ଉପରେ ଆଇନ ପ୍ରଣୟନକାରୀ ଓ କାର୍ଯ୍ୟନିର୍ବାହୀ କ୍ଷମତା ରହିବ। ଏହିସବୁ ପ୍ରସଙ୍ଗରେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ବାଧ୍ୟ ହେବେ।

ଗୋଟିଏ ଦୃଷ୍ଟିରୁ ଏହି ରାୟ ଦିଲ୍ଲୀର ଶାସନ ଗତ କନ୍ଦଳର ଅବସାନ ଘଟାଇ କେନ୍ଦ୍ରୀୟ ଏଜେଣ୍ଟ ଉପରାଜ୍ୟପାଳଙ୍କ କ୍ଷମତାକୁ ସଂକୁଚିତ କରିଛି। ଏହାଛଡ଼ା ଗଣତାନ୍ତ୍ରିକ ଦୃଷ୍ଟିରୁ ଏହି ରାୟ ଏକ ଐତିହାସିକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଅଦାଲତ ଯଥାର୍ଥରେ କହିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଏକ ସରକାର ଯଦି ନିଜର ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ନ ପାଆନ୍ତି ଏବଂ ସେମାନଙ୍କୁ ନିଜର କାର୍ଯ୍ୟ ପାଇଁ ଉତ୍ତରଦାୟୀ କରିବାରେ ବିଫଳ ହୁଅନ୍ତି ତା’ ହେଲେ ସେହି ସରକାରର ଜନତା ଏବଂ ବିଧାନସଭା ପ୍ରତି ଥିବା ଦାୟିତ୍ୱ ଠିକ ଭାବେ ନିର୍ବାହ କରିପାରିବ ନାହିଁ। ଯଦି ଅଧିକାରୀମାନେ ଅନୁଭବ କରନ୍ତି ଯେ ନିର୍ବାଚିତ ସରକାରଙ୍କ ତାଙ୍କ ଉପରେ ନିୟନ୍ତ୍ରଣ ନାହିଁ ତେବେ ସେମାନେ ଉତ୍ତରଦାୟୀ ହେବେ ନାହିଁ କିମ୍ବା ରାଜ୍ୟ ସରକାରଙ୍କୁ ଗୁରୁତ୍ୱ ପ୍ରଦାନ କରିବେ ନାହିଁ। ଏହି ରାୟ ଏହି ବିବାଦର ଏକ ସ୍ଥାୟୀ ସମାଧାନ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରାଜଧାନୀ କ୍ଷେତ୍ର ଦିଲ୍ଲୀର ପ୍ରକୃତ ମାଲିକ କିଏ – ନିର୍ବାଚିତ ସରକାର ନା କେନ୍ଦ୍ର ସରକାର ଏ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାହାର ମଧ୍ୟ ଅବସାନ ଘଟିଛି। ସେନା ନିୟନ୍ତ୍ରଣ ଘେନି ରାଜ୍ୟ ସରକାର ଓ କେନ୍ଦ୍ର ଦ୍ୱାରା ମନୋନୀତ ଉପରାଜ୍ୟପାଳଙ୍କ ମଧ୍ୟରେ ମୁଖ୍ୟ ବିବାଦ ଥିଲା। ଏହାଫଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଦିଲ୍ଲୀ ସରକାରଙ୍କୁ ଉପରାଜ୍ୟପାଳଙ୍କ ଇଚ୍ଛା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଅନେକ ସମୟରେ ମତାନ୍ତର ଓ ମନାନ୍ତର ଘଟୁଥିବାରୁ ପରିସ୍ଥିତି ଜଟିଳ ହେଉଥିଲା। ଉପରାଜ୍ୟପାଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ ଜନବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଓ ପ୍ରତିବାଦ କରି ଅରବିନ୍ଦ କେଜ୍ରିୱାଲ୍‌‌ ଅତୀତରେ ଦୀର୍ଘ ଦିନ ଧରି ଧାରଣାରେ ବସିରହିଥିଲେ, ଯାହା ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ଐତିହାସିକ ନିଷ୍ପତ୍ତି ଫଳରେ ଦିଲ୍ଲୀରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ଓ କର୍ତ୍ତୃତ୍ୱର ଅବସାନ ଘଟିବ। ଅରବିନ୍ଦ କେଜ୍ରିୱାଲ୍‌‌ଙ୍କର ଏହା ଏକ ବ୍ୟକ୍ତିଗତ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କ ସରକାର ଦିଲ୍ଲୀରେ କ୍ଷମତାକୁ ଆସିବା ପରଠାରୁ ଉପରାଜ୍ୟପାଳଙ୍କ ମାର୍ଫତଦାରୀରେ ରହିଥିବା କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପବାଦୀ ଶାସନକୁ ବିରୋଧ କରି ଆସୁଥିଲେ। ସେଥିପାଇଁ ସେ ବାରମ୍ବାର ଅଦାଲତର ଦ୍ୱାରସ୍ଥ ହୋଇ ଶେଷରେ ନ୍ୟାୟ ପାଇଛନ୍ତି। ଏହି ନ୍ୟାୟ ଦିଲ୍ଲୀର ଶାସନ, ରାଜନୀତି ଓ ଇତିହାସରେ ଏକ ନୂଆ ଅଧ୍ୟାୟ ଅବଶ୍ୟ ସୃଷ୍ଟି କରିବ। ରାଜଧାନୀ କ୍ଷେତ୍ର ଆଳରେ ଗୋଟିଏ ଅଞ୍ଚଳର ନିର୍ବାଚିତ ସରକାରକୁ ଦୟାର ପାତ୍ର ଭାବେ ରଖିବାର କେନ୍ଦ୍ରୀୟ ବିଚାର ଓ ପଦକ୍ଷେପର ଅବସାନ ସବୁଦିନ ପାଇଁ ଘଟିବ।

About The Author: The Sakala