‘ଟାଟୁ’ଚିତ୍ର ମୁକ୍ତ ପୁଲିସ୍‌‌ ବାହିନୀ

ଶରୀରରେ ଚିତା କୁଟାଇବା ଏକ ଫେସନ। ଏଥିରେ କଳାତ୍ମକତା ଅଛି ଓ ଅନେକଙ୍କ ପାଇଁ ଏହା ଏକ ବିଳାସ। ଏହା ପଛରେ ପରମ୍ପରା ଓ ଏକ ସାଂସ୍କୃତିକ ଛାପ ଥିଲେ ମଧ୍ୟ ଏକଦା ଓଡ଼ିଶାରେ ରାଜାରାଜୁଡ଼ା ଶାସନରେ ଅତ୍ୟାଚାରୀ ନରପତିଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ସୁନ୍ଦରୀ ଲଳନାମାନେ ଦେହରେ ଚିତା କୁଟାଇ ନିଜକୁ ଅସୁନ୍ଦର ଓ ବିବର୍ଣ୍ଣା କରୁଥିଲେ। ଅପରପକ୍ଷରେ କେତେକ କନ୍ଧ ସମ୍ପ୍ରଦାୟର ମହିଳା ଚିତାକୁଟାକୁ ନିଜ ସଂସ୍କୃତିର ଏକ ଅଙ୍ଗ ଭାବେ […]

ଶରୀରରେ ଚିତା କୁଟାଇବା ଏକ ଫେସନ। ଏଥିରେ କଳାତ୍ମକତା ଅଛି ଓ ଅନେକଙ୍କ ପାଇଁ ଏହା ଏକ ବିଳାସ। ଏହା ପଛରେ ପରମ୍ପରା ଓ ଏକ ସାଂସ୍କୃତିକ ଛାପ ଥିଲେ ମଧ୍ୟ ଏକଦା ଓଡ଼ିଶାରେ ରାଜାରାଜୁଡ଼ା ଶାସନରେ ଅତ୍ୟାଚାରୀ ନରପତିଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ସୁନ୍ଦରୀ ଲଳନାମାନେ ଦେହରେ ଚିତା କୁଟାଇ ନିଜକୁ ଅସୁନ୍ଦର ଓ ବିବର୍ଣ୍ଣା କରୁଥିଲେ। ଅପରପକ୍ଷରେ କେତେକ କନ୍ଧ ସମ୍ପ୍ରଦାୟର ମହିଳା ଚିତାକୁଟାକୁ ନିଜ ସଂସ୍କୃତିର ଏକ ଅଙ୍ଗ ଭାବେ ଏବେ ମଧ୍ୟ ବଜାୟ ରଖିଛନ୍ତି। ଆଉ ଏବେ ଆଧୁନିକ ସମୟର ଯୁବସମାଜ ପାଇଁ ଟାଟୁ ଏକ ନୂଆ ଉନ୍ମାଦ (କ୍ରେଜ୍‌‌)। ଏହା ଏକ ଫେସନ ଚଳଣ ଓ ରୁଚି ପାଲଟି ଯାଇଛି। ଏହି ‘ଫ୍ୟାଡ୍‌‌’ ବା ଫେସନ ମଧ୍ୟରେ ଓଡ଼ିଶା ପୁଲିସ୍‌‌ର ସ୍ୱତନ୍ତ୍ର ସିକ୍ୟୁରିଟ ବାଟାଲିୟନ (ଏସ୍‌‌ଏସ୍‌‌ବି) ଅପ୍ରତ୍ୟାଶିତ ଭାବେ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ୧୫ ଦିନ ମଧ୍ୟରେ ଏହାର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଶରୀରରେ ଅଙ୍କା ଯାଇଥିବା ଟାଟୁକୁ ହଟାଇବାକୁ ପଡ଼ିବ। ତାହା ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ପରବର୍ତ୍ତୀ ସମୟରେ କ୍ରମଶଃ ରାଜ୍ୟର ସମଗ୍ର ପୁଲିସ ବାହିନୀର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏସ୍‌‌ଏସ୍‌‌ବି ଅଧିକାରୀ ଓ କର୍ମଚାରୀମାନେ ଓଡ଼ିଶା ହାଇକୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଆବାସ, ରାଜଭବନ ସମେତ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦପ୍ତର ତଥା ପ୍ରତିଷ୍ଠାନରେ ନିରାପତ୍ତା ଦାୟିତ୍ୱ ବୁଝିଥା’ନ୍ତି।

ଏଭଳି ଏକ ଆଦେଶ ଅପ୍ରତ୍ୟାଶିତ ଏବଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଏଥିରେ ଏସ୍‌‌ଏସ୍‌‌ବିର କର୍ମଚାରୀ ଓ କମିଶନରେଟ ପୁଲିସ କର୍ମଚାରୀମାନେ ଅସନ୍ତୁଷ୍ଟ ହୋଇପାରନ୍ତି ଏବଂ କହିପାରନ୍ତି ଯେ ଏହା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାରରେ ଏକ ହସ୍ତକ୍ଷେପ। ଆମ ବିଚାରରେ କିନ୍ତୁ ଏହା ଉଚିତ। ପୁଲିସ୍‌‌ ଏକ ଶୃଙ୍ଖଳିତ ପେସାଦାର ବାହିନୀ ଏବଂ ଏହାର ଡ୍ରେସ୍‌‌କୋଡ୍‌‌ ସହିତ ଅନ୍ୟାନ୍ୟ ନୀତି ନିୟମ ରହିଛି। ଓଡ଼ିଶା ପୁଲିସ୍‌‌ ମାନୁଆଲ୍‌‌ରେ ଉପଯୁକ୍ତ ପୋଷାକ ନିୟମ (ଡ୍ରେସକୋଡ୍‌‌)ର ବର୍ଣ୍ଣନା ରହିଛି ଯାହାକୁ କର୍ମଚାରୀମାନେ ମାନିବାକୁ ବାଧ୍ୟ। ତଦନୁସାରେ କୌଣସି ପୁଲିସ୍‌‌ କର୍ମଚାରୀ କର୍ତ୍ତବ୍ୟପାଳନ ସମୟରେ ମୁଣ୍ଡ ବା ଶରୀରରେ ଜାତିଗତ, ଧାର୍ମିକ ଓ ସମ୍ପ୍ରଦାୟଜନିତ ଚିହ୍ନ ଧାରଣ କରିପାରିବେ ନାହିଁ। ସେମାନଙ୍କର ମୁହଁ ଓ ଶରୀରକୁ ମଧ୍ୟ ଜାତି ଓ ସମ୍ପ୍ରଦାୟଗତ ରୂପରଙ୍ଗରେ ସଜାଇ ପାରିବେ ନାହିଁ। କେବଳ ଶିଖମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ରିହାତି ରହିଛି। ଅନ୍ୟମାନଙ୍କ ପାଇଁ ତାହା ନାହିଁ; ଏପରିକି ଦାଢ଼ି ରଖିବାକୁ ହେଲେ ବରିଷ୍ଠ ଅଧିକାରୀମାନଙ୍କଠାରୁ ଅନୁମତି ନେବାର ଆବଶ୍ୟକତା ରହିଛି। ପୁଲିସ୍‌‌ ଏକ ଶୃଙ୍ଖଳିତ ବାହିନୀ ହୋଇଥିବାରୁ ସେମାନଙ୍କ ବେଶ ପୋଷାକ, ବାଳକଟା ସବୁ ଏକାପରି ଓ ନିୟମବନ୍ଧ। ଏହାର ମୁଖ୍ୟ କାରଣ ହେଲା ପୁଲିସ୍‌‌ ବାହିନୀ ବା ସମ୍ପୃକ୍ତ ବିଭାଗ ପେସାଦାରୀ ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଏ ଏବଂ ତଦନୁସାରେ ନିଜର କର୍ମଚାରୀଙ୍କୁ ଶୃଙ୍ଖଳିତ ରଖେ। ସୁତରାଂ ପୁଲିସ କର୍ମଚାରୀ ଯଦି ଧାର୍ମିକ ଓ ଅନ୍ୟାନ୍ୟ ସଂବେଦନଶୀଳ ବିଷୟବସ୍ତୁ ଉପରେ ଶରୀରରେ ଟାଟୁ କରିବେ, ତାହା ବୃତ୍ତିଗତ ଓ ନିରାପତ୍ତା ଜନିତ ବିପଦ ସୃଷ୍ଟି କରିପାରେ। ଏହା ମଧ୍ୟ ପୁଲିସ ବାହିନୀକୁ ଜାତି ଓ ଧର୍ମ ଆଧାରରେ ବିଭାଜିତ କରିବାର ଆଶଙ୍କା ରହିଛି। ଗଣହିଂସା ଓ ଗଣ୍ଡଗୋଳ ସମୟରେ ଲୋକେ ଜାତି ଧର୍ମ ଆଧାରରେ ଏହି ଟାଟୁକୁ ଦେଖି କର୍ମଚାରୀଙ୍କୁ ଆକ୍ରମଣ କରିପାରନ୍ତି।

ପୁଲିସ ସେବା / ଚାକିରି ଅତ୍ୟନ୍ତ ଆନୁଷ୍ଠାନିକ ବା ଔପଚାରିକ ଏବଂ ଏହା ଅତ୍ୟନ୍ତ ଶୃଙ୍ଖଳିତ। ସେହି ଶୃଙ୍ଖଳା ଏହାର ଆଚରଣ, ଉଚ୍ଚାରଣ ଏବଂ ବେଶ ପୋଷାକରେ ରହିବାକୁ ବାଧ୍ୟ। ସୁତରାଂ ଟାଟୁ ଏକ ଫେସନ ଚିହ୍ନ ଏବଂ ପୁଲିସ୍‌‌ ମାନୁଆଲ ବହିର୍ଭୂତ। ତେଣୁ ତାହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକ ଏହା ଦେଖିଲେ ପୁଲିସକୁ ଚପଳ ଓ ନିଷ୍ଠାବିହୀନ ବୋଲି ଧରି ନେଇପାରନ୍ତି। ଏହାଦ୍ୱାରା ପୁଲିସ ବାହିନୀର ଛବି ମଳିନ ହେବାର ଆଶଙ୍କା ଥାଏ।

ଅବଶ୍ୟ କେତେକ ଯୁକ୍ତି କରିପାରନ୍ତି ଯେ ସେନାରେ ଟାଟୁକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ସତକଥା ହେଲା ଯେଉଁ ଟାଟୁ ଆପତ୍ତିଜନକ ନୁହେଁ, ଯଥା ଜଣେ ସୈନିକ ବା ଅଧିକାରୀ ନିଜ ହାତରେ ନିଜର ନାମ ଟାଟୁ କରିବା ବା ଅନୁରୂପ ଚିତାକୁଟାକୁ ସେନା ଅନୁମତି ଦେଇଛି। ଯେଉଁ ଟାଟୁ ଅଣ ଆପତ୍ତିଜନକ, ଭଦ୍ର ଏବଂ ସୁନ୍ଦର ସେଥିରେ ସେନାର କିଛି ଆପତ୍ତି ନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଜଣେ ଏହି ଚିତା କୁଟାଇପାରିବ। ଏବେ କିନ୍ତୁ ଟାଟୁ କେବଳ ବିଚିତ୍ର, ଭୟଙ୍କର ଓ ଅବିବେକୀ ହେଉ ନାହିଁ ଏହା ଏକ ଅଚିନ୍ତନୀୟ ସଂସ୍କୃତି ସୃଷ୍ଟି କରିଛି। ଯେଉଁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଟାଟୁ କରିଛନ୍ତି, ସେମାନେ କ’ଣ ଏ କ୍ଷେତ୍ରରେ ବିଭାଗୀୟ ନିୟମ ଓ ଶାଳୀନତାକୁ ପାଳନ କରୁଛନ୍ତି? ଏହା ବିଶୃଙ୍ଖଳା ନୁହେଁ ତ ଆଉ କ’ଣ ହୋଇପାରେ?

ମାନବାଧିକାର ପ୍ରେମୀଙ୍କ ପାଇଁ ଏହା ଏକ ଅଗ୍ରହଣୀୟ ନିଷ୍ପତ୍ତି ହୋଇପାରେ। ତେବେ ଏହି ପ୍ରସଙ୍ଗରେ ବ୍ରିଟେନରେ ଘଟିଥିବା ଏକ ଘଟଣାର ଅବତାରଣା ଯୁକ୍ତିଯୁକ୍ତ ମନେ ହୁଏ। ଜଣେ ମହିଳା ସେନା ଅଧିକାରୀ ଯୁଦ୍ଧ ସମ୍ପର୍କୀୟ କିଛି ଗୁପ୍ତ ଖବର ସର୍ବସାଧାରଣଙ୍କ ଗୋଚରରେ ପ୍ରେସ୍‌‌କୁ ପ୍ରଘଟ କରିଦେଲେ। ଯୁଦ୍ଧ ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ତାଙ୍କୁ ସେନା ବରଖାସ୍ତ କରିବାରୁ ସେ ବ୍ରିଟିଶ ପାର୍ଲାମେଣ୍ଟରେ ନିଜ ଆବେଦନ ରଖି କହିଲେ ବ୍ରିଟେନବାସୀଙ୍କୁ ଯୁଦ୍ଧ ସମ୍ପର୍କରେ ତଥ୍ୟ ଦେଇ ସେ ନିଜର ନାଗରିକ ଅଧିକାର ନିର୍ବାହ କରିଛନ୍ତି। ବହୁ ବିଚାର ବିମର୍ଶ ପରେ ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କ ରାୟରେ ସେହି ବରଖାସ୍ତ ମହିଳା ଅଧିକାରୀଙ୍କୁ କହିଲେ, ଯେ ଜଣେ ନାଗରିକ ଭାବରେ ତୁମେ ତୁମ ଦାୟିତ୍ୱ ଓ ଅଧିକାର ସାବ୍ୟସ୍ତ କରିଛ; କିନ୍ତୁ ସେନା ଅଧିକାରୀଭାବେ ସେଥିରେ ରହିବାର ଅଧିକାର ଆଉ ତୁମର ନାହିଁ। ଏଥିରେ ସେନାଭଳି ଶୃଙ୍ଖଳିତ ବାହିନୀର ନୀତି ନିୟମ ଓ ପେସାଦାରୀ ଆଭିମୁଖ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ପ୍ରମାଣ ମିଳେ। ଆମ ପୁଲିସ୍‌‌ ଓ ବ୍ରିଟିଶ ପୁଲିସର ଦାୟାଦ ଓ ତାହାର ଅଧିକାଂଶ ନିୟମ ଏବେ ମଧ୍ୟ ଏଠାରେ ବଳବତ୍ତର। ତେଣୁ ନୀତି ନିୟମର ଉଲ୍ଲଂଘନ ହେବ କିପରି?

About The Author: The Sakala