‘ରେରା’ ଆଇନ୍ ସହ ସମତାଳ ରଖି ଆପାର୍ଟମେଣ୍ଟ ଆଇନ ପ୍ରଣୟନ କରିବାକୁ ଓଡ଼ିଶା ମନ୍ତ୍ରିମଣ୍ଡଳ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁସାରେ ବିଧାନସଭାର ଚଳିତ ଅଧିବେଶନରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍-୨୦୨୩ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଅତଏବ ଏ ସମ୍ପର୍କରେ ଯେଉଁ ନୂଆ ଆଇନ କାର୍ଯ୍ୟକାରୀ ହେବ, ତାହା କେନ୍ଦ୍ରୀୟ ଆଇନ୍, ରିୟଲ୍ ଇଷ୍ଟେଟ ବିକାଶ ଓ ନିୟନ୍ତ୍ରଣ ଆଇନ (ରେରା)-୨୦୧୬ ଅନୁସାରେ କରାଯିବ। ଓଡ଼ିଶାର ‘ଆପାର୍ଟମେଣ୍ଟ ଆଇନ ୨୦୨୧’ ‘ରେରା’ ଆଇନ୍ ଅନୁସାରେ ହୋଇନଥିବାରୁ ଏଥିରେ ଆପାର୍ଟମେଣ୍ଟ କ୍ରେତା କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇ କେତେକ ପକ୍ଷ ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନୂଆ ଆଇନକୁ ‘ରେରା’ ଅନୁକୂଳ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ତଦନୁସାରେ ନୂଆ ଆପାର୍ଟମେଣ୍ଟ ଆଇନ ଆଣିବା ସ୍ୱାଗତଯୋଗ୍ୟ।
ଓଡ଼ିଶାରେ ନୂତନ କେନ୍ଦ୍ରୀୟ ରେରା ଆଇନ ୨୦୧୭ ମସିହା ଏପ୍ରିଲ୍ ମାସରୁ ଲାଗୁ କରାଗଲା। ରେରାର ଭୁବନେଶ୍ୱର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାକୁ ପ୍ରାଥମିକ ଅବସ୍ଥାରେ କିଛି ସମୟ ଚାଲିଗଲା। ଏହାପରେ ଆପାର୍ଟମେଣ୍ଟ ନିର୍ମାତାମାନଙ୍କ ବିରୁଦ୍ଧରେ ବହୁସଂଖ୍ୟାରେ ଅଭିଯୋଗ ଆସିଲା ଯେ ଆବାସିକ ଆପାର୍ଟମେଣ୍ଟର ପରିସରରେ ଥିବା ସାମୂହିକ ସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଜାଗା ଯଥା ଖେଳପଡ଼ିଆ, ସୁଇମିଂ ପୁଲ୍, କମନ କ୍ଲବ୍ ହାଉସ ଆଦି ଜାଗାଗୁଡ଼ିକର ମାଲିକାନା ସ୍ୱତ୍ତ୍ୱ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିଥିବା ବ୍ୟକ୍ତିଙ୍କ ନାମରେ ଆବଣ୍ଟିତ ପରିମାଣ ହିସାବରେ ପଞ୍ଜିକରଣ କରାଯାଉଛି। ଏହା କିନ୍ତୁ କେନ୍ଦ୍ରୀୟ ରେରା ଆଇନର ବିରୁଦ୍ଧ ଥିଲା। ରେରା ଆକ୍ଟ ଅନୁସାରେ ସାମୂହିକ ବ୍ୟବହାର ପାଇଁ ସାଧାରଣ ଜାଗାଗୁଡ଼ିକ ଫ୍ଲାଟ୍ କିଣୁଥିବା ବ୍ୟକ୍ତିମାନଙ୍କର ପଞ୍ଜିକୃତ ଆସୋସିଏସନ୍ ନାମରେ କରାଯିବା କଥା। ଓଡ଼ିଶାର ପୂର୍ବତନ ଆପାର୍ଟମେଣ୍ଟ ସମ୍ପର୍କିତ ନିୟମାବଳୀ ଅନୁସାରେ ଏହି ସର୍ବସାଧାରଣ ବ୍ୟବହୃତ ଜାଗା ଫ୍ଲାଟ୍ କ୍ରୟକାରୀ ବ୍ୟକ୍ତିବିଶେଷଙ୍କୁ ତାଙ୍କ ଫ୍ଲାଟ୍ର ବର୍ଗଫୁଟ୍ ପରିମିତ ଜାଗାର ଅନୁପାତରେ ମାଲିକାନା ସ୍ୱତ୍ତ୍ୱ ଦିଆଯାଉଥିଲା। ଏହାଫଳରେ ଚତୁର ଆପାର୍ଟମେଣ୍ଟ ନିର୍ମାଣକାରୀମାନେ ଗୋଟିଏ ସର୍ବସାଧାରଣ ବ୍ୟବହୃତ ଅଞ୍ଚଳକୁ ଦେଖାଇ ଏକରୁ ଊର୍ଦ୍ଧ୍ବ ଆପାର୍ଟମେଣ୍ଟ ତିଆରି କରିଦେଉଥିଲେ। ସର୍ବଭାରତୀୟ ସ୍ତରରେ ଏଭଳି ଚଞ୍ଚକତାକୁ ହଟାଇ ଫ୍ଲାଟ୍ କିଣାଳିମାନଙ୍କ ଅଧିକାରକୁ ସୁନିର୍ଦ୍ଦିଷ୍ଟ କରିବା ପାଇଁ ସରକାର ରେରା ଆଇନ ପ୍ରଣୟନ କରିଥିଲେ। ସବୁ ରାଜ୍ୟର ଆପାର୍ଟମେଣ୍ଟ ନିୟମାବଳୀ ପରବର୍ତ୍ତୀ ସମୟରେ ରେରା ଆଇନର ଅନୁକୂଳ କରାଯାଇଥିଲା। ଓଡ଼ିଶାରେ ତାହା ହୋଇନଥିବାରୁ ବିଭିନ୍ନ ଅଭିଯୋଗ ମାମଲା ଓଡ଼ିଶା ରେରା ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିଲା। ହାଇକୋର୍ଟର ନିର୍ଦ୍ଦେଶମତେ ଉଭୟ ରେରା ଓ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗ ରାଜ୍ୟ ଆପାର୍ଟମେଣ୍ଟ ନିୟମାବଳୀରେ ସଂଶୋଧନ କରିବା ପୂର୍ବକ ଚଳିତ ବଜେଟ୍ ସେସନ୍ରେ ଏହାକୁ ବିଧାନସଭାରେ ପାରିତ କରାଇବାର ପ୍ରସ୍ତାବ ରହିଛି। ସରକାର ‘ରେରା’ ଉପଯୁକ୍ତ ନୂଆ ଆପାର୍ଟମେଣ୍ଟ ଆଇନ କାର୍ଯ୍ୟକାରୀ କଲେ ଗୃହକ୍ରେତାମାନେ ଉପକୃତ ହେବେ ଏବଂ ବିଲଡର ବା ଆବାସିକ ପ୍ରକଳ୍ପର ପ୍ରମୋଟରମାନେ ସେମାନଙ୍କୁ ଠକି ପାରିବେ ନାହିଁ। ଦ୍ୱିତୀୟତଃ, ଆପାର୍ଟମେଣ୍ଟବାସୀଙ୍କୁ ଆବଶ୍ୟକ ଖୋଲାଜାଗା ବିଭିନ୍ନ ସାମୂହିକ ବ୍ୟବହାର ପାଇଁ ମିଳିବ। ଏହି ଆଇନ ଯେତେ ଫ୍ଲାଟକ୍ରେତା ଓ ସେମାନଙ୍କ ପରିବାର ପାଇଁ ବ୍ୟବହାର ଅନୁକୂଳ ହେବ ସେଥିପାଇଁ ପ୍ରସ୍ତାବିତ ଆଇନରେ ବ୍ୟବସ୍ଥା କରାଯାଉଛି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ସହରାଞ୍ଚଳରେ ଆବାସିକ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଏବେ ବ୍ୟାପକ ଭାବେ ଚାଲିଛି। ସହରାଞ୍ଚଳ ପ୍ରକ୍ରିୟା ଫଳରେ ଆପାର୍ଟମେଣ୍ଟ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଏକ ବିରାଟ ଉଦ୍ୟୋଗରେ ପରିଣତ ହୋଇଛି। ପୂର୍ବରୁ ଏ ସମ୍ପର୍କିତ ଆଇନକାନୁନ ସ୍ପଷ୍ଟ ନଥିବାରୁ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିବାକୁ ଯାଇ ଅନେକ ଲୋକ ଠକାମୀର ସମ୍ମୁଖୀନ ହେଉଥିଲେ। ବହୁ ଅସାଧୁ ବିଲ୍ଡର ଘର କ୍ରେତାମାନଙ୍କୁ ପ୍ରଲୋଭିତ କରି ସେମାନଙ୍କର ସାରାଜୀବନର ସଞ୍ଚୟକୁ ହଡ଼ପ କରି ନେଉଥିଲେ ବୋଲି ଅସଂଖ୍ୟ ଅଭିଯୋଗ ଓ ଆଇନଗତ ମାମଲା ଦାୟର ହୋଇ ଆସିଛି। ଆହୁରି ମଧ୍ୟ ଦୁର୍ବଳ ରିୟଲ ଇଷ୍ଟେଟ୍ ନିୟମ ଫଳରେ ବିଲ୍ଡରମାନେ ଅନୁପଯୁକ୍ତ ଏବଂ କମ୍ ସ୍ଥାନରେ ଫ୍ଲାଟ୍ ଓ ଆପାର୍ଟମେଣ୍ଟମାନ ନିର୍ମାଣ କରି କ୍ରେତାଙ୍କୁ ସମସ୍ତ ଆଇନଗତ ସୁବିଧା ସୁଯୋଗ ଯୋଗାଣରୁ ବଞ୍ଚିତ କରୁଥିଲେ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରିୟଲ ଇଷ୍ଟେଟ୍ ଆଇନର ସଂଶୋଧନ କରି ଏଥିରେ ଥିବା ତ୍ରୁଟି ବିଚ୍ୟୁତିକୁ ଦୂର କରିବାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆଇନରେ ପରିବର୍ତ୍ତନ କରାଯାଉଛି ଏବଂ ଗୃହକ୍ରେତାଙ୍କୁ ବିଲ୍ଡରଙ୍କ ଠକାମୀ ଓ ଶୋଷଣରୁ ରକ୍ଷା କରିବାକୁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନୁସାରେ ଆମ ଆଇନ ସମୟ ଉପଯୋଗୀ ଏବଂ ଗ୍ରାହକ ସ୍ୱାର୍ଥ ରକ୍ଷାକାରୀ। ଏ କ୍ଷେତ୍ରରେ ଆଇନର ସଂଶୋଧନ ଗୃହକ୍ରେତାଙ୍କ ଆତ୍ମବିଶ୍ୱାସ ବଢ଼଼ାଇବ ଏବଂ ରିୟଲ ଇଷ୍ଟେଟ୍ କାରବାରରେ ଅଧିକ ସ୍ୱଚ୍ଛତା ଆସିବ। ଓଡ଼ିଶାରେ ନୂଆ ସଂଶୋଧିତ ଆପାର୍ଟମେଣ୍ଟ ଆଇନ ଜରୁରୀ ଥିଲା। ତାହାକୁ ସବୁଜ ସଂକେତ ପ୍ରଦାନ କରି ସରକାର ଠିକଣା ନିଷ୍ପତ୍ତି ନେଇଛନ୍ତି।