ଆମ ରାସ୍ତାଘାଟ, ଜନପଥ ଓ ରାଜପଥ ସବୁ ଯେତେ ଉନ୍ନତ ଓ ଲୋକାନୁକୁଳ ହେଉଛି, ସେ ସବୁ ପଥଚାରୀ, ସାଧାରଣ ପଥିକ, ଏପରିକି ସାଇକଲ ଚାଳକଙ୍କ ପାଇଁ କ୍ରମଶଃ ସେତେ ପ୍ରତିକୂଳ ହେଉଛି। ଏସବୁ ପଥରେ ସାଧାରଣ ପଥିକର ଯାତ୍ରା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ। ଏହି ବ୍ୟତିକ୍ରମର ପ୍ରମୁଖ କାରଣଟି ହେଲା ରାସ୍ତାଘାଟ ସବୁ ଆଜିକାଲି ଯାନବାହନ ଚଳାଚଳ ପାଇଁ ସୁଗମ ତ ହେଉଛି, କିନ୍ତୁ ଏହାର ଢାଞ୍ଚା, ମାନ ଓ ମୌଳିକ ସୁବିଧା ସୁଯୋଗ ସାଧାରଣ ପଥଚାରୀ ବା ସାଇକଲ ଆରୋହୀଙ୍କୁ ଦୃଷ୍ଟିରେ ରଖି କରାଯାଉ ନାହିଁ। ଯେଉଁଠି ଫୁଟ୍ପାଥ ବା ପାଦଚଲା ରାସ୍ତାର ବ୍ୟବସ୍ଥା ରହିଛି, ତାହା ଅନେକଙ୍କ ଦ୍ୱାରା କବଳିତ, ଜବରଦଖଲ ହୋଇ ସେମାନଙ୍କ ହସ୍ତମୁଦି ମାହାଲ ପାଲଟିଛି। ଏଠି ଛୋଟବଡ଼ ଯାନସବୁ ପାର୍କିଂ ହେବା ସହିତ ଉଠା ଦୋକାନୀ, ବୁଲା ବିକାଳି ଓ ଅନ୍ୟମାନଙ୍କ ବ୍ୟବସାୟ ସ୍ଥଳ ପାଲଟିଛି। ସୁତରାଂ ରାସ୍ତାରେ ଚାଲିବାର ଅଧିକାର ଆଉ ସାଧାରଣ ଜନତାଙ୍କର ନାହିଁ କହିଲେ ଚଳେ। ସେହି ଅଧିକାର ସେମାନେ ଅଲିଖିତ ଭାବେ ହରାଇ ବସିଛନ୍ତି।
ଗତ ଜାନୁଆରୀ ମାସରେ ହକି ବିଶ୍ୱକପ୍ ଆୟୋଜନ ଅବସରରେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଜଣେ ବିଦେଶୀ ସାମ୍ବାଦିକ ଖୋଲା ଡ୍ରେନ୍ରେ ଗଳିପଡ଼ି ଆହତ ହୋଇଥିବା ଘଟଣା ଆମ ପାଇଁ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା। ସେହିପରି ଅନେକ ସମୟରେ ରାସ୍ତା ପାର୍ଶ୍ବରେ ଥିବା ମୁକୁଳା ଡ୍ରେନ୍ରେ ଛାତ୍ରଛାତ୍ରୀ ଭାସିଯାଇ ମୃତ୍ୟୁମୁଖରେ ପଡ଼ୁଥିବା ଭଳି ଅଘଟଣ ବାରମ୍ବାର ଘଟୁଛି। ତେଣୁ ଭିଡ଼ ସମୟରେ ରାସ୍ତାକଡ଼କୁ ଘୁଞ୍ଚି ଆସିବାରେ ମଧ୍ୟ ଯେ ବିପଦ ପାଦେ ପାଦେ ରହିଛି ତାହା ହୁଏତ ପଥଚାରୀଟିଏ ଜାଣିପାରେ ନାହିଁ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ପଥଚାରୀ କିମ୍ବା ସାଇକଲ୍ ଚାଳକଟିଏ ଏବେ ରାସ୍ତା ପାରି ହେବା ସତେଯେମିତି ଗଡ଼ ଜିତିବା ପରି ଉବଲବ୍ଧି ହେଉଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅତିକ୍ରମ କରି ସ୍କୁଲ୍ ଯିବା ପାଇଁ ଛାତ୍ରଛାତ୍ରୀ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିଲେ ହେଁ ଏବଂ ଏଥିପାଇଁ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁ ନଥିଲେ। ଅଭିଯୋଗ ନ୍ୟାୟାଳୟରେ ପହଞ୍ଚିବା ପରେ ସ୍କୁଲ୍ ପିଲାମାନଙ୍କ ସହିତ ନିଜେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ରାସ୍ତା ପାରି ହେବା ଏବଂ ଏଥିରେ ଭିଡିଓ ଚିତ୍ର ଦାଖଲ କରିବା ପାଇଁ ଓଡ଼ିଶା ହାଇକୋର୍ଟ ଗତ ଜାନୁଆରୀ ମାସରେ ନିର୍ଦ୍ଦେଶ ଦେବା ପରେ ଚନ୍ଦନପୁରଠାରେ ଅଣ୍ଡରପାସ୍ ନିର୍ମାଣ ପାଇଁ ପଦକ୍ଷେପ ତ୍ୱରାନ୍ୱିତ ହୋଇଥିଲା।
ଅତ୍ୟାଧୁନିକ ସଡ଼କ ସଂଯୋଗ ଓ ଆଧୁନିକ ଭିତ୍ତିଭୂମି ଯେତେ ବିକଶିତ ହେଉଛି ସେ ସବୁ ସାଧାରଣ ପଥିକଠାରୁ ଚାଲିବାର ଅଧିକାର କ୍ରମଶଃ ଏକପ୍ରକାର ଛଡ଼ାଇ ନେଉଛି। ମେକାନିକାଲ୍ ମୋବିଲିଟି (ଯାନ୍ତ୍ରିକ ଗମନାଗମନ, ମାସ୍ ଟ୍ରାଂଜିଟ୍ (ଗଣ ପରିବହନ) ଏକ୍ସପ୍ରେସ୍ ୱେ ଆଦି ମଣିଷର ପ୍ରାକୃତିକ ଗତିଶୀଳତାକୁ ଏକ ପ୍ରକାର ପଙ୍ଗୁ କରିଦେଇଛି। ଆପଣ ରହୁଥିବା ସହରର ମୁଖ୍ୟ ରାସ୍ତାରେ ଥରେ ଚାଲି ଚାଲି ଦେଖନ୍ତୁ, ପରିସ୍ଥିତି କ’ଣ? ଆମ ଯୋଜନାର ତ୍ରୁଟି ହେଲା ଆମେ ସାଧାରଣଙ୍କ କଥାକୁ ଅସାଧାରଣ କାମ କରିବା ମାଧ୍ୟମରେ ପାଶୋରି ଦେଉଛୁ। ଆଉ ଯଦି କିଛି ପଥଚାରୀ, ପାଦରେ ଚାଲିବା ଭଳି ଲୋକଙ୍କ ପାଇଁ କରିବାର ଯୋଜନା କରାଯାଉଛି, ସେ ବ୍ୟବସ୍ଥାଟିକୁ ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରାଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ପଞ୍ଜାବ ସରକାର ପଥଚାରୀଙ୍କୁ ଚାଲିବାର ଅଧିକାର ଦେବାକୁ ପଦକ୍ଷେପ ନେବା ନିଶ୍ଚିତ ଅଭିନବ ଏବଂ ଅଭିନନ୍ଦନୀୟ। ଏହା ଫଳରେ ନିରାପଦ ଫୁଟ୍ପାଥଟିଏ ପାଇବା, ଲୁହାବାଡ଼ ଘେରା ରାଜପଥ ଅତିକ୍ରମ କରିବାକୁ ଗଳାପୋଲ ବା ଓଭରବ୍ରିଜ୍ର ସୁବିଧା ଉପଭୋଗ କରିବା ନିଶ୍ଚିତ ଏକ ସାଧୁ ଉଦ୍ୟମ।
ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଚାଲିବାର ଅଧିକାର (ରାଇଟ୍ ଟୁ ୱାକ୍)କୁ ସହରାଞ୍ଚଳରେ ସୁନିଶ୍ଚିତ କରିବାକୁ ପ୍ରୟାସ ଆରମ୍ଭ କରିଛି। ସେଠା ସରକାର କରିଥିବା ନୂଆ ନିୟମ ଅନୁସାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସବୁ ସଡ଼କ ଓ ରାସ୍ତା ନିର୍ମାଣକାରୀ ସଂସ୍ଥା ଫୁଟ୍ପାଥ ନିର୍ମାଣକୁ ପଥଚାରୀ ଅନୁକୂଳ କରି ଏହାକୁ ଜବରଦଖଲରୁ ମୁକ୍ତ ରଖିବାକୁ ପଦକ୍ଷେପ ନେବେ। ଆହୁରି ମଧ୍ୟ ମୁଖ୍ୟ ସଡ଼କ ପାର୍ଶ୍ବର ସେମାନଙ୍କୁ ସାଇକଲ ଟ୍ରାକ୍ ବାଧ୍ୟତାମୂଳକ ଭାବେ ନିର୍ମାଣ କରିବାକୁ ପଡ଼ିବ। ହାଇକୋର୍ଟରେ ଦାଏର ଏ ସଂକ୍ରାନ୍ତ ଦୁଇଟି ଜନସ୍ୱାର୍ଥ ମାମଲାର ରାୟ ଆଧାରରେ ପଞ୍ଜାବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଅନ୍ୟ ଏକ ସମାନ ମାମଲାରେ ଏକପ୍ରକାର ରାୟ ଦେଇଛନ୍ତି। ଆମ ଦେଶର ବିଡ଼ମ୍ବନା ହେଲା ଏଠି ଅନେକ କାମ, ଯାହା ସରକାର କରିବା କଥା ସେଥିରେ ଉଦାସୀନତା ପ୍ରକାଶ କରନ୍ତି। ତେଣୁ ଅଦାଲତ ବାଧ୍ୟ ହୋଇ ସରକାରଙ୍କ କାମ କରେ।
ଚାଲିବାର ଅଧିକାର ଜାହିର କରିବା ଏବଂ ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏକ ଭଲ ବିଚାର। ସେଥିପାଇଁ ଫୁଟ୍ପାଥ ଓ ସାଇକଲ ଟ୍ରାକ୍ ସର୍ବତ୍ର ତିଆରି ହେବା ଆବଶ୍ୟକ। ଏହା କରିବା ସହିତ ବିଭିନ୍ନ ରାଜ୍ୟ ସରକାର ପ୍ରଥମେ ଏହା ଦେଖନ୍ତୁ ଯେ ବିଭିନ୍ନ ସ୍ଥାନରେ ରହିଥିବା ଫୁଟ୍ପାଥଗୁଡ଼ିକର ସ୍ଥିତି କ’ଣ? ଏହାକୁ ଯାଞ୍ଚ କଲେ ଏହାର ଜବରଦଖଲ ଓ ଅପବ୍ୟବହାର ସ୍ପଷ୍ଟ ଭାବେ ଜାଣିହେବ। ତେଣୁ ପ୍ରଥମେ ଉପଲବ୍ଧ ସବୁ ଫୁଟ୍ପାଥ ଓ ସାଇକଲ୍ ଟ୍ରାକ୍କୁ ଅବରୋଧ ମୁକ୍ତ କରାଯାଇ ପଥିକ ତଥା ସାଇକଲ ଚାଳକଙ୍କ ପାଇଁ ସୁନିଶ୍ଚିତ କରାଯାଉ। ଆହୁରି ମଧ୍ୟ ସଡ଼କ ଓ ମୁଖ୍ୟରାସ୍ତା ସବୁକୁ ସାଧାରଣ ପଥିକଙ୍କ ପାଇଁ ନିରାପଦ କରାଯାଉ।
ଆଶା କରିବା ସବୁ ରାଜ୍ୟ ସରକାର ଏଥିରୁ ଶିକ୍ଷା ଲାଭ କରିବେ ଏବଂ ଚାଲିବାର ଅଧିକାରକୁ ଏକ ମିଶନରେ ପରିଣତ କରିବାକୁ ଅଭିଯାନ ଆରମ୍ଭ କରିବେ। କିଛିକାଳ ଧରି ବିଭିନ୍ନ ସହରରେ ଯେଉଁ ରାହାଗିରି ଚାଲିଥିଲା, ତାହା ଏ କ୍ଷେତ୍ରରେ ଥିଲା ଏକ ଛୋଟ ଉଦ୍ୟମ। ଏହି ରାହାଗିରିକୁ ବ୍ୟାପକ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରାଯାଉ ଏବଂ ଏଥିରେ ଚାଲିବାର ଅଧିକାରକୁ ସୁରକ୍ଷିତ ଏବଂ ନିରାପଦ କରିବାର ପ୍ରୟାସ ହେଉ।