ବାହାନଗାରେ ଶତାବ୍ଦୀର ସର୍ବବୃହତ୍‌‌ ରେଳ ଦୁର୍ଘଟଣା; ବିଶାଳ ବିପତ୍ତିରେ ବିରାଟ ମାନବିକତାର ପ୍ରଦର୍ଶନ

ବିପତ୍ତି କାଳରେ ମାନବିକତାର ଯେଉଁ ଅନୁପମ ପ୍ରଦର୍ଶନ ଘଟେ, ତାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଲା ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଚଳିତ ଶତାବ୍ଦୀର ସବୁଠାରୁ ଭୟାବହ ଟ୍ରେନ୍‌‌ ଦୁର୍ଘଟଣାରେ। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କର ପ୍ରାଣହାନି ହୋଇଛି ଏବଂ ପ୍ରାୟ ୧ ହଜାର ଆହତ ହୋଇଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବାର ଭାଷା ଆମ ପାଖରେ ନାହିଁ। ଉଭୟ ଯାନ୍ତ୍ରିକ ବ୍ୟବସ୍ଥା ଓ ମାନବିକ ତ୍ରୁଟି ଯୋଗୁଁ ଏକ ସମୟରେ ତିନିଟି ଟ୍ରେନ୍‌‌ ଦୁର୍ଘଟଣାର […]

ବିପତ୍ତି କାଳରେ ମାନବିକତାର ଯେଉଁ ଅନୁପମ ପ୍ରଦର୍ଶନ ଘଟେ, ତାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଲା ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଚଳିତ ଶତାବ୍ଦୀର ସବୁଠାରୁ ଭୟାବହ ଟ୍ରେନ୍‌‌ ଦୁର୍ଘଟଣାରେ। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କର ପ୍ରାଣହାନି ହୋଇଛି ଏବଂ ପ୍ରାୟ ୧ ହଜାର ଆହତ ହୋଇଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବାର ଭାଷା ଆମ ପାଖରେ ନାହିଁ। ଉଭୟ ଯାନ୍ତ୍ରିକ ବ୍ୟବସ୍ଥା ଓ ମାନବିକ ତ୍ରୁଟି ଯୋଗୁଁ ଏକ ସମୟରେ ତିନିଟି ଟ୍ରେନ୍‌‌ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ରାତିର ଅନ୍ଧାର ଭିତରେ ସ୍ଥାନୀୟ ଲୋକେ ଯେଉଁ ସାହସିକତା ଓ ହୃଦୟବତ୍ତା ଦେଖାଇ ଦୁର୍ଗତମାନଙ୍କ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଲାଗିଲେ, ତାହା ଥିଲା ଅଭୂତପୂର୍ବ। ସେହି ସ୍ଥାନୀୟ ଜନସାଧାରଣ ଥିଲେ ଶୁକ୍ରବାରର ସେହି କାଳ ରାତ୍ରିର ଦୁର୍ଯୋଗରୁ ବିଶେଷ ଉଦ୍ଧାରକ, ଯେଉଁମାନେ ଦୁର୍ଗତଙ୍କୁ ସାହାଯ୍ୟ କରିବାକୁ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସିଥିଲେ। ବାହାନଗା ରେଳଷ୍ଟେସନର ଆଖପାଖରେ ଥିବା ସ୍ଥାନୀୟ ଲୋକେ ଯେଉଁ ଭଳି ବିପୁଳ ସଂଖ୍ୟାରେ ଅଯାଚିତ ଭାବରେ ଦୁର୍ଘଟଣାସ୍ଥଳକୁ ଅବିଳମ୍ବେ ପହଞ୍ଚି ଯାଇଥିଲେ ଏବଂ ରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବରେ ଯୋଗ ଦେଇଥିଲେ, ତାହା ବର୍ତ୍ତମାନ ସାରା ରାଜ୍ୟରେ ଓ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏଭଳି ଅନେକ ଦୁର୍ଘଟଣାସ୍ଥଳରେ ମୃତ ଓ ଆହତ ବ୍ୟକ୍ତିମାନଙ୍କଠାରୁ ମୂଲ୍ୟବାନ ଜିନିଷପତ୍ର ଛଡ଼ାଇ ନେବା ଘଟଣା ଆମେ ସମସ୍ତେ ଶୁଣିଛୁ। କିନ୍ତୁ ଶୁକ୍ରବାର ସଂଧ୍ୟାରେ ବାହାନଗା ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବା ଓ ସାହାଯ୍ୟ ପ୍ରକୃତ ମାନବିକତାର ଜ୍ୱଳନ୍ତ ପରିଚୟ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଭଳି ସେବାର ଭୂରି ଭୂରି ପ୍ରଶଂସା କରିଛନ୍ତି।

କୁହାଯାଏ ସାମୂହିକ ବିପତ୍ତି ମାନବିକତାକୁ ଜାଗ୍ରତ କରେ ଓ ସମସ୍ତଙ୍କୁ ଯୋଡ଼େ। ତାହା ହିଁ ହେଲା, ସମାଜର ପ୍ରତ୍ୟେକ ସ୍ତର ଓ ବର୍ଗର ଲୋକେ ଦୁର୍ଗତଙ୍କୁ ସାହାଯ୍ୟ କରିବାକୁ ଦୁର୍ଘଟଣା ସ୍ଥଳକୁ ଧାଇଁ ଆସିଲେ। ଡାକ୍ତର, ନର୍ସ, ପୁଲିସ୍‌‌, ଛାତ୍ରଛାତ୍ରୀ, ବିଭିନ୍ନ ଯାନର ଚାଳକ, ବ୍ୟବସାୟୀ, ସାଧାରଣ ଜନତା ଏହି ସହାୟତା କାର୍ଯ୍ୟରେ ସାମିଲ ହୋଇ ନିଜ ନିଜର କର୍ତ୍ତବ୍ୟ ନିର୍ବାହନ କଲେ। ବାଲେଶ୍ୱର, ଭଦ୍ରକ, କଟକ ଏବଂ ଭୁବନେଶ୍ୱର ଆଦି ସହରରେ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବା, ଗାଡ଼ିମାଲିକମାନେ ଆହତଙ୍କୁ ବିଭିନ୍ନ ହସ୍ପିଟାଲ୍‌‌କୁ ନେବା ଏବଂ ରାଜ୍ୟର ଅନେକ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଆହତଙ୍କ ପାଇଁ ଶଯ୍ୟା ଓ ଚିକିତ୍ସକ ପ୍ରସ୍ତୁତ କରିବା ଘଟଣା ଥିଲା ଅଭୂତପୂର୍ବ। ଗୋଟେ ମହାବିପତ୍ତି ବେଳେ ମଣିଷ କିପରି ଏକାଠି ହୋଇପାରନ୍ତି, ତାହାର ଉଦାହରଣ ଦେଖିବାକୁ ମିଳିଲା। ଏଠାରେ ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମରୁ ବ୍ୟକ୍ତିଗତ ସମ୍ବେଦନଶୀଳତା, ସରକାରୀ ପ୍ରଶାସନର ବିଭିନ୍ନ ସ୍ତରରେ ନିଷ୍ଠା ଓ ଉତ୍ସାହର ସହିତ ସେବା କାର୍ଯ୍ୟ ପାଇଁ ଆଗେଇ ଆସିବା ଘଟଣା ହୁଏତ ସ୍ଥାନୀୟ ଜନସାଧାରଣଙ୍କୁ ଆହୁରି ପ୍ରେରିତ କରିଥିବ।

ସରକାରୀ ସାହାଯ୍ୟ ଓ ଉଦ୍ଧାର ବ୍ୟବସ୍ଥା ପ୍ରାୟତଃ ସମୟ ସାପେକ୍ଷ ହୋଇଥାଏ। ସମନ୍ୱୟ ସ୍ଥାପନ ପାଇଁ ଏଥିରେ ସମୟ ଲାଗେ। ଏହି ଦୁର୍ଘଟଣାରେ କିନ୍ତୁ ଓଡ଼ିଶା ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଶେଷ ସମୟ ଲାଗି ନଥିଲା। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ପରିଚାଳନା ନୀତିର ଅଭିଜ୍ଞତା ଏଥିରେ ଦେଖିବାକୁ ମିଳିଲା। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିରେ ରାଜ୍ୟ ସରକାର ଏହି ବିପତ୍ତିର ପରିଚାଳନା ଆରମ୍ଭ କରିଥିଲେ ଏବଂ ଏଥିରେ ଅଗ୍ରଭାଗରେ ଥିଲେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ରାଜଧାନୀରେ ଖୋଲିଥିବା କଂଣ୍ଟ୍ରୋଲ ରୁମ୍‌‌ରେ ବିଳମ୍ବିତ ରାତି ଯାଏ ବସି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ ତଥା ପରିଚାଳନା କାର୍ଯ୍ୟର ତଦାରଖ କରିଥିଲେ। ନିଜେ ପରଦିନ ସକାଳୁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ କମ୍‌‌ ହେବ। ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତୁରନ୍ତ ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓ ଚାରିଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପଠାଯିବା ସହିତ ଅଗ୍ନିଶମ ବିଭାଗର ଡିଜିଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟର ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଭୁବନେଶ୍ୱରରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏହି ଘଟଣାର ସମନ୍ୱୟ ଓ ପରିଚାଳନାକୁ ସକ୍ରିୟଭାବେ ନିୟନ୍ତ୍ରିତ କରୁଥିଲେ। ସେଥିପାଇଁ ଅବିଳମ୍ବେ ଉଭୟ ଓଡ୍ରାଫ୍‌ ଓ ଏନ୍‌‌ଡିଆରଏଫ୍‌‌ ଯବାନଙ୍କୁ ତୁରନ୍ତ ଦୁର୍ଘଟଣାସ୍ଥଳକୁ ପଠାଯାଇପାରିଲା।

ରେଳମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଏହି ବିପତ୍ତି କାଳରେ ଆହତମାନଙ୍କୁ ଭେଟିବା ସହିତ ଚିକିତ୍ସାର ସୁବନ୍ଦୋବସ୍ତ କଥା ବୁଝିଥିଲେ। ଏହାଛଡ଼ା ଦୁର୍ଘଟଣାସ୍ଥଳରୁ ସଫା କରି ଟ୍ରେନ୍‌‌ ଚଳାଚଳକୁ ସ୍ୱାଭାବିକ କରିବାକୁ ସ୍ୱୟଂ ରେଳବାଇ ମନ୍ତ୍ରୀ ଘଟଣାସ୍ଥଳରେ ଶିବିର ପକାଇବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସଂକଟର ଏହି ଘଡ଼ିରେ ରାଜନୀତିକ ଓ ଆଦର୍ଶଗତ ବିବାଦ ଭୁଲି ସବୁ ଦଳର ନେତା ତଥା କର୍ମୀ ଦୁର୍ଘଟଣା ସ୍ଥଳକୁ ଯିବା ଏବଂ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ଏକ ନୂଆ ନଜିର ସୃଷ୍ଟି କରିଛି। ପଡ଼ୋଶୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର, ତାମିଲନାଡୁ ଆଦିର ମନ୍ତ୍ରୀ ଓ ଅଧିକାରୀ, ଆମ ପୁଲିସ୍‌‌ ବାହିନୀ, ଦମକଳ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଯେଉଁ ସାହାଯ୍ୟ ସହଯୋଗ ଏହି ଘଟଣାରେ ଯୋଗାଇଛନ୍ତି, ତାହା ଭୁଲିବାର ନୁହେଁ। ଏହା ମାନବିକତାକୁ ଏକ ନୂଆ ପରିଭାଷା ଦେଇଛି।

ଆମ ଗଣମାଧ୍ୟମର ପ୍ରତିନିଧିମାନେ ସମସ୍ତ ପ୍ରତିକୂଳ ସ୍ଥିତିକୁ ଅତିକ୍ରମ କରି ଲୋକଙ୍କୁ ଆବଶ୍ୟକୀୟ ସମ୍ବାଦ ଓ ସୂଚନା ଯୋଗାଇବା ସହିତ ଏହାକୁ ସାରା ବିଶ୍ୱରେ ପହଞ୍ଚାଇ ପାରିଛନ୍ତି। ଆମର ଏହି ଦୁଃଖ ସମୟରେ ସମଗ୍ର ବିଶ୍ୱରୁ ସମବେଦନାର ସୁଅ ଛୁଟୁଛି। ଏଥିପାଇଁ ଆମ ଗଣମାଧ୍ୟମର ପ୍ରତିନିଧି ଓ କର୍ମଚାରୀମାନେ ଧନ୍ୟବାଦର ପାତ୍ର।

ଯେଉଁମାନଙ୍କ ଜୀବନ ଯାଇଛି, ସେମାନଙ୍କୁ ଫେରାଇ ଆଣିବା ସମ୍ଭବ ନୁହେଁ। ସେମାନଙ୍କ ପରିବାର ସହିତ ଯେଉଁମାନେ ଏହି ଘଟଣାରେ ପଙ୍ଗୁ ଓ ଅକର୍ମଣ୍ୟ ହୋଇଯାଇଛନ୍ତି, ସେମାନଙ୍କର ଉଚିତ ଥଇଥାନ ଲୋଡ଼ା। ଆହୁରି ହୃଦୟ ବିଦାରକ ଘଟଣା ହେଲା ଏବେ ମଧ୍ୟ ୧୫୦ରୁ ଊର୍ଦ୍ଧ୍ବ ମୃତଦେହ ଚିହ୍ନଟ ହୋଇପାରୁନାହିଁ। ଦେଶର କେଉଁ କୋଣ ଅନୁକୋଣରୁ ମୃତକଙ୍କ ନିକଟ ସମ୍ପର୍କୀୟ ଭୁବନେଶ୍ୱର ଆସି ସେମାନଙ୍କୁ ଚିହ୍ନଟ କରି ନେବା ସହଜ କଥା ନୁହେଁ। ତେଣୁ ଦାବିଦାର ନଥିବା ମୃତଦେହଗୁଡ଼ିକର ଶେଷକୃତ୍ୟ ମାନବୀୟ ମର୍ଯ୍ୟାଦା ସହିତ କରାଯିବା ଆବଶ୍ୟକ। ମାନବିକତାର ଅପୂର୍ବ ନିଦର୍ଶନ ଭିତରେ ଶେଷ କଥା ହେଲା, ଆମକୁ ଏଭଳି ମନୁଷ୍ୟକୃତ ବା ଯାନ୍ତ୍ରିକ ତ୍ରୁଟିର ପୁନରାବୃତ୍ତି ରୋକିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର କାଳ ବିଳମ୍ବ ନ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରନ୍ତୁ। ଦୋଷୀଙ୍କୁ ଉଦାହରଣୀୟ ଦଣ୍ଡ ମିଳୁ।

About The Author: The Sakala