ଆନ୍ତର୍ଜାତିକ ମହିଳା ଦିବସ ପାଳନ ଏବେ ଆଉ କେବଳ ଔପଚାରିକତା ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ବିଶ୍ୱବ୍ୟାପୀ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସଂକଳ୍ପ ନେଇ ପାଳିତ ହେଉଛି। ତା’ଛଡ଼ା ମାର୍ଚ୍ଚ ମାସର ପ୍ରଥମ ସପ୍ତାହଟି ଆନ୍ତର୍ଜାତିକ ମହିଳା ସପ୍ତାହ ଭାବେ ପାଳିତ ହୋଇ ‘ମହିଳା ଦିବସ’ ପାଳନର ପ୍ରସ୍ତୁତି ଓ ଆୟୋଜନର ଗୁରୁତ୍ୱ ବୃଦ୍ଧି କରୁଛି। ସୁଖର କଥା ଯେ ‘ଆନ୍ତର୍ଜାତିକ ମହିଳା ଦିବସ’ ଇତିମଧ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ବିଶ୍ୱର ଅର୍ଦ୍ଧେକ ଜନସଂଖ୍ୟା ପାଇଁ ଅଧିକାର ସାବ୍ୟସ୍ତ କରିବା ସହିତ ସେମାନଙ୍କର ସର୍ବାଙ୍ଗୀଣ ବିକାଶର ଖସଡ଼ା ପ୍ରସ୍ତୁତ କରୁଛି। ପ୍ରତିବର୍ଷ ଏହି ଦିବସ ପାଳନରେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବା ଥିମ୍କୁ ବଛାଯାଇ ତାହାକୁ ମହିଳା ବିକାଶ ଓ ନାରୀ ସଶକ୍ତୀକରଣ ସହିତ ସମ୍ପୃକ୍ତ କରାଯାଉଛି। କହିବା ବାହୁଲ୍ୟ ଯେ ବିଶ୍ୱର ନାରୀ ଏବେ ପୂର୍ବାପେକ୍ଷା ଅଧିକ ସଶକ୍ତ ଓ ସମର୍ଥା। ଭାରତ ଓ ଓଡ଼ିଶାର ନାରୀ ସମାଜ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି। ଚଳିତବର୍ଷର ‘ଆନ୍ତର୍ଜାତିକ ମହିଳା ଦିବସ’ର ବାର୍ତ୍ତା ହେଲା ‘ଲିଙ୍ଗୀୟ ସମାନତା ପାଇଁ ନବସୃଜନ ଓ ପ୍ରଯୁକ୍ତି’ (ଇନୋଭେସନ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୱାଲିଟି)।
ମହିଳାମାନଙ୍କ ପ୍ରଗତି ଓ ସଶକ୍ତୀକରଣର ସ୍ଥିତି କ’ଣ, ତାହା ଜାଣିବା ପାଇଁ ଆମକୁ ବେଶୀ ଦୂର ଯିବାକୁ ପଡ଼ିବ ନାହିଁ କିମ୍ବା ଅଧିକ ଅନୁସନ୍ଧାନ କରିବାର ଆବଶ୍ୟକତା ନାହିଁ। ଆମେ ଆମ ପରିବାର, ସମାଜ ଓ ବ୍ୟବସ୍ଥାରେ ଏହାର ବାସ୍ତବଚିତ୍ର ଦେଖିପାରୁଛୁ। ମହିଳାମାନେ ପୁରୁଷପ୍ରଧାନ ରକ୍ଷଣଶୀଳ ବ୍ୟବସ୍ଥାର ଗଡ଼୍ଡଳିକା ଭାଙ୍ଗି ଏକ ନୂଆ ଧାରା ସୃଷ୍ଟି କରିଛନ୍ତି ଏବଂ ସବୁକ୍ଷେତ୍ରରେ ପୁରୁଷଙ୍କ ସହ ସମାନ ଅଧିକାର ଜାହିର କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଛନ୍ତି। ସେମାନେ ଆଉ ଅବଳା ଦୁର୍ବଳା ହୋଇ ଘରକୋଣରେ ଲୁଚି ରହି ନାହାନ୍ତି କିମ୍ବା ପୁରୁଷର ଦାସତ୍ୱ ସ୍ୱୀକାର କରି ସବୁ ଅତ୍ୟାଚାର, ଅବହେଳା ଓ ପାତରଅନ୍ତରକୁ ମୁଣ୍ଡପାତି ସହିଯାଉ ନାହାନ୍ତି। ଶିକ୍ଷା, ଦୀକ୍ଷା, ସଚେତନତା, ଆଇନ, ବ୍ୟବସ୍ଥା ସେମାନଙ୍କୁ ସୁରକ୍ଷା ଓ ଶକ୍ତି ଯୋଗାଇ ଅଗ୍ରସର ହେବାକୁ ବଳ ଏବଂ ମଞ୍ଚ ଯୋଗାଉଛି। ହଜାର ହଜାର ବର୍ଷର ମାନସିକତା ଓ ରକ୍ଷଣଶୀଳତା ହଠାତ୍ ବଦଳିବା ସହଜ ନୁହେଁ। ଏହାସତ୍ତ୍ବେ ମହିଳାଙ୍କ ପ୍ରତି ଆମ ସମାଜର ଦୃଷ୍ଟିକୋଣ ଯେଭଳି ଦ୍ରୁତଗତିରେ ବଦଳୁଛି, ତାହା ବିଶେଷ ଉତ୍ସାହଜନକ।
ମହିଳା ଓ ଶିଶୁକଲ୍ୟାଣ ବିଭାଗ ତରଫରୁ ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ‘ଆନ୍ତର୍ଜାତିକ ମହିଳା ସପ୍ତାହ’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କେତେକ କଥା କହିଛନ୍ତି, ସେଥିରୁ ରାଜ୍ୟର ନାରୀ ସମାଜ ପ୍ରତି ତାଙ୍କର ଓ ତାଙ୍କ ସରକାରର ମନୋଭାବ ସ୍ପଷ୍ଟ ହୋଇଯାଉଛି। ଲିଙ୍ଗଗତ ସମାନତା ଦ୍ୱାରା ମହିଳାଙ୍କ ବିରୋଧରେ ହିଂସା ଓ ପାତରଅନ୍ତର ରୋକିହେବ ଏବଂ ଏହା ମାଧ୍ୟମରେ ଏକ ନ୍ୟାୟୋଚିତ ସମାଜଗଠନ ସମ୍ଭବ। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେବା ଅର୍ଥ ତାଙ୍କ ସରକାର ଲିଙ୍ଗଗତ ସମାନତା ପ୍ରତିଷ୍ଠା ପାଇଁ ଅଙ୍ଗୀକୃତ ଏବଂ ତଦନୁସାରେ କାର୍ଯ୍ୟ କରୁଛନ୍ତି ବୋଲି ସ୍ପଷ୍ଟ ହେଉଛି। ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ରୋଜଗାର ଯୋଗାଇ ଆର୍ଥିକ ଦୃଷ୍ଟିରୁ ସବଳ କରିବାକୁ ଯେଉଁ ‘ମିଶନ ଶକ୍ତି’ ଚାଲିଛି, ତାହା ଏକ ଅନନ୍ୟ ଉଦାହରଣ। କହିବା ବାହୁଲ୍ୟ ଯେ ଆର୍ଥିକ ସ୍ୱଚ୍ଛଳତା ମଣିଷକୁ ସାମାଜିକ ଦୃଷ୍ଟିରୁ ସଶକ୍ତ କରିଥାଏ।
ଏବେ ସମାଜରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାର ସମୟ ଆସିଛି। ଏଥିପାଇଁ ମୌଳିକ ଆବଶ୍ୟକତାଗୁଡ଼ିକ ହେଲା ଶିକ୍ଷା, ସଚେତନତା, ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ଏବଂ ରୋଜଗାର ସୁବିଧା ଯୋଗାଣ। ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ନିଶ୍ଚିତ ପ୍ରଶଂସନୀୟ। ବାକି ରହିଲା ସମାଜରୁ ଲିଙ୍ଗଗତ ବ୍ୟବଧାନ ଦୂର କରିବା ପାଇଁ ନବସୃଜନ (ଇନୋଭେସନ) ଓ ପ୍ରଯୁକ୍ତି ବା ଟେକ୍ନୋଲୋଜିର ପ୍ରୟୋଗ। ଏଥିରେ ପ୍ରସ୍ତାବନା ଅପେକ୍ଷା ପ୍ରୟୋଗାତ୍ମକ ଦିଗ ଅଧିକ ଗୁରୁତ୍ୱ ପାଉଛି। ଟେକ୍ନୋଲୋଜି ଓ ଇନୋଭେସନ ନୂଆ ଯୁଗର ନୂଆ ସାଧନ ଏବଂ ସମସ୍ୟା ସମାଧାନର ସୂତ୍ର। ଏହା ଆଉ ପୋଥି ବାଇଗଣ ହୋଇ ରହିନାହିଁ। ଟେକ୍ନୋଲୋଜି ଯେତେବେଳେ ଉପଲବ୍ଧ, ତାହାର ପ୍ରୟୋଗକୁ ବିଳମ୍ବିତ କରାଯିବା ଅନୁଚିତ।
ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଓ ସମାଜ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଲିଙ୍ଗଗତ ଅବିଚାର ଓ ପାତରଅନ୍ତରରୁ ସୁରକ୍ଷିତ କରିବା ପାଇଁ ନବସୃଜନ ଏବଂ ବିଜ୍ଞାନ ଭିତ୍ତିକ ନୂତନ କୌଶଳର ଉପଯୋଗ ଅଗ୍ରାଧିକାର ଭିତ୍ତିରେ କରାଯିବା ଆବଶ୍ୟକ। ସୁଖର କଥା ଆମ ମୁଖ୍ୟମନ୍ତ୍ରୀ କେବଳ ଏହା କଥାରେ କହୁନାହାନ୍ତି, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହାର ପ୍ରୟୋଗ ଦୁଇଦଶନ୍ଧି ଧରି ହୋଇଚାଲିଛି। କାରଣ ସେ ଭଲ ଭାବେ ଜାଣିଛନ୍ତି ଯେ ମହିଳାମାନଙ୍କ ଅଧିକାର ପ୍ରଥମେ ସୁରକ୍ଷିତ ନ ହେଲେ ସେମାନଙ୍କର ଓ ସମ୍ପୂର୍ଣ୍ଣ ସମାଜର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ନାହିଁ। ଆମେ ଆଶା କରିବା ମହିଳା ଶିଶୁ କଲ୍ୟାଣ ବିଭାଗର ମାସ୍କଟ୍ ‘କୁନି’ ରାଜ୍ୟରେ ନାରୀ ଅଧିକାର ଓ ସଶକ୍ତୀକରଣକୁ ପ୍ରେରଣା ଯୋଗାଇବ ଏବଂ ଓଡ଼ିଶା ଏ କ୍ଷେତ୍ରରେ ନୂଆ ଇତିହାସ ରଚିବ।