ଓଡ଼ିଶା ସମେତ ସମଗ୍ର ଦେଶରେ ଯେଉଁ ଜଳାଭାବ ଓ ଅଂଶୁଘାତ ଜନିତ ସ୍ଥିତି ସୃଷ୍ଟି ହୋଇଛି ଆଗୁଆ ମୌସୁମି ପ୍ରବାହ ତାହାକୁ ଲାଘବ କରିବାରେ ସହାୟକ ହୋଇପାରେ। ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ଏବର୍ଷ ଜଳକଷ୍ଟ ଚରମ ସୀମାରେ ପହଞ୍ଚିଥିବା ବେଳେ ସମଗ୍ର ଉତ୍ତର ଓ ପଶ୍ଚିମ ଭାରତ ଏବଂ ଓଡ଼ିଶା ଓ ଆନ୍ଧ୍ର ଭଳି ପୂର୍ବତଟୀୟ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଛି। ଏମିତି ଦେଖିବାକୁ ଗଲେ ଦେଶର ପାଞ୍ଚଟି ରାଜ୍ୟରେ ଜଳକଷ୍ଟ ଅଧିକ ଏବଂ ଏହା ଏକ ପୁରୁଣା ସମସ୍ୟା। ଏସବୁ ରାଜ୍ୟଗୁଡ଼ିକ ହେଲା ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ। କେବଳ ରାଜସ୍ଥାନକୁ ଛାଡ଼ିଦେଲେ ଏହି ତାଲିକାରେ ଥିବା ଅନ୍ୟ ଚାରିଟି ରାଜ୍ୟ ଉନ୍ନତ ଏବଂ ସମୃଦ୍ଧ। ତେବେ ଏଠାରେ ଜଳାଭାବର ମୁଖ୍ୟ କାରଣ ହେଲା କୃଷି, ଶିଳ୍ପ ଏବଂ ସହର ପାଇଁ ମାତ୍ରାଧିକ ଜଳର ବ୍ୟବହାର ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ପ୍ରତି ଉପେକ୍ଷା। ଆହୁରି ମଧ୍ୟ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ଫଳରେ ଏହାର ସ୍ତର ହ୍ରାସ ପାଉଛି ଏବଂ ପୁନଃକ୍ଷରଣ ବ୍ୟବସ୍ଥା ଅଭାବରୁ ଭୂତଳ ଜଳ ଆବଶ୍ୟକତା ଅନୁସାରେ ମିଳୁନାହିଁ। ଅପରପକ୍ଷରେ ମରୁଭୂମି ପ୍ରଧାନ ରାଜସ୍ଥାନରେ ଜଳକଷ୍ଟ ଏକ ସ୍ୱାଭାବିକ ଘଟଣା।
ପଞ୍ଜାବ, ହରିୟାଣା ଓ ଦିଲ୍ଲୀର ଜଳକଷ୍ଟର କାରଣ ହେଲା ଭୂତଳ ଜଳର ମାତ୍ରାଧିକ ଉପଯୋଗ। ସହର ଓ ଶିଳ୍ପ ପାଇଁ ଅଧିକ ଜଳ ଯୋଗାଣ ସତ୍ତ୍ବେ ଜଳଉତ୍ସ ସବୁ ଅଧିକ ଚାପ ସହ୍ୟ କରିବା ସ୍ଥିତିରେ ନାହାନ୍ତି। ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶର ନଦୀ, କେନାଲ ଓ ଭୂପୃଷ୍ଠରେ ଉପଲବ୍ଧ ଜଳ ଲୋକଙ୍କ ଚାହିଦା ଅନୁସାରେ ଯଥେଷ୍ଟ ହେଉନାହିଁ। ଏବେ ମୌସୁମି ଆଗୁଆ ଆସିଥିବାରୁ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସମଗ୍ର ଦେଶରେ ଏହା ପହଞ୍ଚିବା ଘେନି ଆଶା ବଳବତ୍ତର ହୋଇଛି। ଫଳରେ ଖରିଫ ଚାଷ ସମେତ ଦେଶର ବ୍ୟାପକ ଅଞ୍ଚଳରେ ଜଳକଷ୍ଟ ଅବଶ୍ୟ ଏହାଦ୍ୱାରା ଦୂର ହେବ।
ସରକାର ଯେ ଏ କ୍ଷେତ୍ରରେ ନିରବ ହୋଇ ବସିଛନ୍ତି, ତାହା ନୁହେଁ। ଜାତୀୟ ସ୍ତରରେ ‘ହରଘର ଜଳ’ ଯୋଜନାରେ ସବୁ ଘରକୁ ପାଇପ ଯୋଗେ ଆବଶ୍ୟକ ପାନୀୟ ଜଳ ଯୋଗାଇ ଦେବା କାମ ଚାଲିଛି। ଏଥିରେ ସବୁ ରାଜ୍ୟ ସରକାର ଉଲ୍ଲେଖନୀୟ ସହଯୋଗ ଯୋଗାଉଛନ୍ତି। ଓଡ଼ିଶାରେ ତ ଏହି ଯୋଜନାର ଅଗ୍ରଗତି ବେଶ୍ ଉଲ୍ଲେଖନୀୟ ରହିଛି। ଏହି ଯୋଜନା ସହିତ ଜଳଉତ୍ସଳ ସଂରକ୍ଷଣ, ପୁନରୁଦ୍ଧାର ଓ ପୁନଃକ୍ଷରଣ କାର୍ଯ୍ୟକୁ ଯୋଡ଼ା ଯାଇ ଗ୍ରାମ୍ୟ କମିଟି ଜରିଆରେ ଏହାର ଦେଖାରଖା ଓ ପରିଚାଳନା କରାଯାଉଛି। ତା’ସତ୍ତ୍ବେ କିଛି ଅଞ୍ଚଳରେ ଯେଉଁ କଳକଷ୍ଟ ଅନୁଭୂତ ହେଉଛି, ତାହାର ମୂଳ କାରଣ ହେଲା ସେଠାରେ ଯୋଜନାର ରୂପାୟନ କ୍ଷେତ୍ରରେ ପ୍ରତିବନ୍ଧକ ଓ ଅସୁବିଧା।
ଆମେ ଓଡ଼ିଶା କଥା ବିଚାର କରିବା। ଏହା ଜାତୀୟ ତାଲିକାରେ ଏକ ଜଳ ବଳକା ରାଜ୍ୟ। ତେବେ ଉପକୂଳ ଅଞ୍ଚଳର ଅଧିକାଂଶ ସ୍ଥାନରେ ଭୂତଳ ଜଳ ଲୁଣିଆ ହୋଇଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଯୋଜନାର କାର୍ଯ୍ୟକାରିତାରେ ବିବିଧ ପ୍ରତିବନ୍ଧକ ରହିଛି। ତଥାପି ଧୀରେ ଧୀରେ ଜିଲ୍ଲା ପ୍ରଶାସନ ସବୁ ଏହାର ସମାଧାନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପରିମାଣ କମିଛି। ଏଥିସହିତ ମଧୁରଜଳର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ବର୍ଷା ପାଣିର ସଂରକ୍ଷଣ ଓ ସୁପରିଚାଳନା ଏକ ନୂଆ ଜରୁରୀ ଆବଶ୍ୟକତା ପାଲଟିଛି।
ଓଡ଼ିଶା ସମେତ ସମଗ୍ର ଦେଶରେ ଏବେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢ଼଼ିଛି। ଏଥର ରାଜ୍ୟର ପଶ୍ଚିମାଞ୍ଚଳରେ ବେସରକାରୀ ଭାବେ ୧୦୦ ଲୋକ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହେଉଛି। ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଏହାର ମୁଖ୍ୟ କାରଣ। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ଆସନ୍ତା ରଜ ଉତ୍ସବ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତା’ପରେ ମୌସୁମୀ ପ୍ରବାହ ଫଳରେ ପାଗରେ ପରିବର୍ତ୍ତନ ଘଟିପାରେ। ଅଂଶୁଘାତ ମୃତ୍ୟୁକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ ନ କରିବା ଦୁର୍ଭାଗ୍ୟଜନକ। ଏହା ଫଳରେ ମୃତକଙ୍କ ପରିବାର ସରକାରୀ ଅନୁକମ୍ପାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ନିରାଶାଜନକ ସ୍ଥିତି ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମି ବର୍ଷା ଆଶା ସଞ୍ଚାର କରିଛି। ବିଶେଷକରି ରାଜ୍ୟର ଉପକୂଳ ଅଞ୍ଚଳରେ ଭଲ ବର୍ଷା ହେବା ଫଳରେ ଗ୍ରୀଷ୍ମ ପ୍ରବାହ ଓ ଜଳକଷ୍ଟ ଲାଘବ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ବର୍ଷା ଆରମ୍ଭ ହୋଇଗଲେ ସ୍ଥିତି ବଦଳିଯିବ। ଏଥିସହିତ ଗ୍ରୀଷ୍ମପ୍ରବାହର ଅବସାନ ସହିତ ଜଳାଭାବ ଦୂର ହେବ ଓ ଖରିଫ ଚାଷ ପାଇଁ ସ୍ଥିତି ଅନୁକୂଳ ରହିବ।
ଏଥିସହିତ ଆଉ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସୁଛି। ଗତ ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ମାତ୍ର ଘଣ୍ଟାଏ/ଦୁଇଘଣ୍ଟା ବର୍ଷାରେ ରାଜଧାନୀର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ତେଣୁ ଆଗକୁ ବର୍ଷା ଋତୁରେ ରାଜଧାନୀର ଅବସ୍ଥା କ’ଣ ହେବ ତାହା ସହଜେ ଅନୁମେୟ। ସମଗ୍ର ରାଜ୍ୟ ପାଇଁ ନୀତି ନିର୍ଦ୍ଧାରଣ ଓ ଯୋଜନା ପ୍ରଣୟନ ରାଜଧାନୀରେ ହେଉଥିବାରୁ ଏହି ଅଞ୍ଚଳ ଉପରେ ରାଜ୍ୟସାରା ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଥାଏ। ତେଣୁ ରାଜଧାନୀରେ ଯେକୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଲେ ସରକାର ବଦ୍ନାମ ହୁଅନ୍ତି। ରାଜଧାନୀରେ ପ୍ରତିବର୍ଷ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ଉଭୟ ସରକାର ଓ ମହାନଗର ନିଗମ ନିନ୍ଦିତ ହୋଇଆସୁଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ମହାନଗର ନିଗମ ଉଭୟେ ଉଭୟଙ୍କ ଉପରେ ଦୋଷ ଲଦାଲଦି ହୋଇ ସମୟ ବିତିଯାଉଛି ସିନା ଜଳାର୍ଣ୍ଣବ ସମସ୍ୟାରୁ ରାଜଧାନୀକୁ ସୁରକ୍ଷା ଦେବାକୁ କୌଣସି ଦୀର୍ଘମିଆଦୀ ଯୋଜନା ପ୍ରଣୟନ ପାଇଁ ମିଳିତ ଉଦ୍ୟମ ହେଉନାହିଁ। ନିକଟରେ ସମାପ୍ତ ସାଧାରଣ ଓ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ସମସ୍ୟା କ୍ୱଚିତ ପ୍ରସଙ୍ଗ ପାଲଟିଛି। ଏବେ ସହରାଞ୍ଚଳ ବଢ଼଼ିବା ସହିତ ଓଭରବ୍ରିଜ୍ ଓ କୋଠାବାଡ଼ି ସଂଖ୍ୟା ସହିତ ତାଳ ଦେଇ ଜବରଦଖଲ ମଧ୍ୟ ବଢ଼଼ୁଛି, ଯାହା ଭୁବନେଶ୍ୱରକୁ ବର୍ଷାଦିନେ ନୟାନ୍ତ କରୁଛି। ଅନେକ ଧନଜୀବନ ହାନି ଘଟୁଛି। ତେଣୁ ଅନ୍ତତଃ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରୁ ଏହି ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ଜନପ୍ରତିନିଧିମାନେ ଦୃଷ୍ଟି ଦେବା ଜରୁରୀ।