ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ଏତେ ଦୁର୍ବଳ ହେବା ଆମ ଭାଷା ପ୍ରତି ନିଶ୍ଚିତ ଭାବରେ ଲଜ୍ଜାର ବିଷୟ। କାହିିଁକି ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାର ବ୍ୟବହାର, ଉଚ୍ଚାରଣ, ଲିଖନ, ପଠନରେ ଏତେ ଦୁର୍ବଳ? ଆମ ମାତୃଭାଷା ଓଡ଼ିଆ। ତା’ ପରେ ବି ଆମେ ଓଡ଼ିଆରେ ଦୁର୍ବଳ- ଏ କଥାଟି ଯେତିକି ମର୍ମାହତ କରେ ସେତିକି ବୁଦ୍ଧିଜୀବୀ, ଶିକ୍ଷକ/ଶିକ୍ଷୟତ୍ରୀ, ଅଭିଭାବକ ସର୍ବୋପରି ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରେ।
ମନୁଷ୍ୟର ଭାଷା ବିନ୍ୟାସ ହିଁ ତା’ର ପରିଚୟ। ଭାଷା ବ୍ୟକ୍ତିକୁ ଶାଳୀନତା ପ୍ରଦାନ କରେ ଏବଂ ବ୍ୟକ୍ତିତ୍ୱକୁ ମାର୍ଜିତ କରେ। ଭାଷା ଏକ ପୋଷାକ ପରି। ସଠିକ ଭାବରେ ପିନ୍ଧି ନ ପାରିଲେ ବ୍ୟକ୍ତିତ୍ୱ ଉଲଗ୍ନ ହୋଇଯାଏ, ଶରବ୍ୟର ଶିକାର ହେବାକୁ ପଡ଼େ। ଓଡ଼ିଆ ଭାଷା ମୋ ମାଆ ମାଟିର ଭାଷା। ମାଆ ମାଟିର ଭାଷାକୁ କରାଗତ କରିବାରେ ଆମେ ବିଫଳ। ଏହା ଜଣେ ସଚ୍ଚା ଓଡ଼ିଆକୁ ବିଚଳିତ କରିବାରେ ଯଥାର୍ଥ। ସଙ୍ଗୀତର ସୁମଧୂର ମୁର୍ଚ୍ଛନା – ‘କେଡ଼େ ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା, ଓଡ଼ିଶା ମୋ ଓଡ଼ିଶା’ ଯେତେବେଳେ ଝଙ୍କୃତ ହୁଏ ସେତେବେଳେ ଓଡ଼ିଆର ଛାତି ଗର୍ବରେ ଫୁଲିଉଠେ। ପ୍ରତିଟି ଓଡ଼ିଆର ହୃଦୟକୁ ଆନ୍ଦୋଳିତ କରେ। ଓଡ଼ିଶାକୁ ଓଡ଼ିଆ ଭାଷାକୁ ଭଲ ପାଉଥିବା ମହାମନୀଷୀଙ୍କର ଉଦ୍ୟମ ଯୋଗୁଁଁ ଆଜି ଓଡ଼ିଶା ଏକ ଭାଷାଭିତ୍ତିକ ରାଜ୍ୟରେ ପରିଣତ ହୋଇଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିଛି। କିନ୍ତୁ ଆମେ ଓଡ଼ିଆ ଭାଷାରେ ଦୁର୍ବଳ – ଏକଥା ଚିନ୍ତନ କରିବା ମାତ୍ରକେ ନିଜର ସ୍ୱପ୍ରୀତି କେତେ ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି।
ମାଟି ମାଆର ଭାଷାରେ ଆମେ ଏତେ ଦୁର୍ବଳ କାହିଁକି? ଜନ୍ମଠାରୁ ଆମେ ଆମ ମାତୃଭାଷା ସହିତ ପରିଚିତ। କିନ୍ତୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାମାଜିକ ଚାଲିଚଳଣିରେ ଭାଷାଗତ ଜ୍ଞାନର ଅଭାବ ପରିଲକ୍ଷିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଜ୍ଞାନ, ବନାନ ଶୁଦ୍ଧତାର ଲେଶମାତ୍ର ଚିହ୍ନନାହିଁ। କାରଣ ପିଲାଟି ଦିନରୁ ଛାତ୍ରଛାତ୍ରୀଙ୍କର ଶ୍ରୁତଲିଖନ, ସଂଶୋଧନ, ବର୍ଣ୍ଣବୋଧ ପାଠ, ପୁସ୍ତକ ପଠନ, ହସ୍ତାକ୍ଷର ମଧ୍ୟରେ ସୁନ୍ଦର ଅକ୍ଷର ଲିଖନ, ଉଚ୍ଚାରଣ ଆଦିର ଘୋର ଅଭାବ ରହିଛି। ଉଚ୍ଚାରଣରେ ଭାଷାର ଶୁଦ୍ଧତା ନାହିଁ। ବ୍ୟାକରଣ ଶୁଦ୍ଧତା ଆଦୌ ନାହିଁ କହିଲେ ଚଳେ। ଧୀରେ ଧୀରେ ଓଡ଼ିଆ ଭାଷାର ଶାଳୀନତା ହ୍ରାସ ପାଉଛି। ଭାଷାର ବର୍ଣ୍ଣ ଶୁଦ୍ଧି/ଅଶୁଦ୍ଧି ବି ଦେଖାଯାଉ ନାହିଁ।
ବର୍ଣ୍ଣବୋଧ ପଢ଼଼ିଥିବା ଏବଂ ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ ସହିତ ମାତ୍ରା, ଫଳାକୁ ଯେ ସଠିକ ଭାବରେ ହାସଲ କରିଛି ସେ କେବେ ମାତୃଭାଷାରେ ଦୁର୍ବଳ ନୁହଁ। ଯେ ଲେଖିବାର ଅଭ୍ୟାସ ବଳବତ୍ତର ରଖିଛି, ଖବରକାଗଜଠାରୁ ଆରମ୍ଭ କରି ଉପନ୍ୟାସ, ଗଳ୍ପ, କାହାଣୀ, ପତ୍ରପ୍ରତ୍ରିକା ପଠନରେ ମନୋନିବେଶ କରିଛି ସେ ନିଶ୍ଚିତ ଭାଷାର ବ୍ୟବହାର ଜାଣିଛି। ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ଯଦି ମୂଳରୁ ପିଲାମାନଙ୍କୁ ବର୍ଣ୍ଣବୋଧର ବର୍ଣ୍ଣକୁ ସଠିକ ଭାବରେ ଶିକ୍ଷା ଦେଇଥିବେ, ହସ୍ତାକ୍ଷର ଠାରୁ ଆରମ୍ଭ କରି ସଂଶୋଧନ କାର୍ଯ୍ୟ କରିଥିବେ, ତେବେ ଭାଷାରେ ଛାତ୍ରଛାତ୍ରୀ ଦୁର୍ବଳ ହେବେ କାହିଁକି? କିନ୍ତୁ ଯଦି ମୂଳରୁ ‘ମାନେବହି’ର ସାହାରା ଏକମାତ୍ର ଲକ୍ଷ୍ୟ ହୁଏ, ତେବେ ଭାଷାର ବିକାଶ ହେବ କେମିତି! ଘରର ମୂଳଦୂଆ ଯେଉଁଠି ଦୁର୍ବଳ, ତା’ ଉପରେ କୋଠାଘରର ସ୍ୱପ୍ନ କଳ୍ପନା କରିବା ଅବାସ୍ତବ। ପ୍ରାଥମିକ ସ୍ତରରୁ ହିଁ ଏହି ଦୁର୍ବଳତା ଏବର ପିଢ଼ିଙ୍କୁ କବଳିତ କରିରଖିଛି।
ସ୍ମରଣ ରଖିବା ଉଚିତ ଯେ ଜାତିର ପରିଚୟ ହିଁ ତା’ର ଭାଷା। ଭାଷା ନାହିଁ ତ ମଣିଷ ନାହିଁ। ଭାଷା ମରିଗଲେ ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼ିବ। ପ୍ରାୟ ଦଶହଜାର ବର୍ଷ ତଳର ଓଡ଼ିଆ ଭାଷା ଲିଖିତ ଭାବରେ ଦୁଇ ହଜାର ପାଞ୍ଚଶହ ବର୍ଷ ତଳର। ଯେତେବେଳେ ଲିଖିତ ଭାଷା ନ ଥିଲା, ଅର୍ଥାତ୍ ଯେ ନିରକ୍ଷର ଥିଲା, ସେ ବି ଭାଷା ଜାଣିଥିଲା। ଓଡ଼ିଆ ଭାଗବତ ହେଉ କି ପୁରାଣ, ରାମାୟଣ ହେଉ କି ମହାଭାରତ ଶୁଣି ଶୁଣି ମନେ ରଖୁଥିଲା। ଭାବକୁ ପରିବ୍ୟାପ୍ତ କରି ନିଜର ଆବଶ୍ୟକତାକୁ ପରିପ୍ରକାଶ କରିବା ଥିଲା ମୂଳଲକ୍ଷ୍ୟ। ଓଡ଼ିଆ ଭାଷାର ପ୍ରକୃତ ବିକାଶ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ଘଟିଥିବାର ଜଣାଯାଏ। ଚୋଡ଼ଗଙ୍ଗଙ୍କ ସମୟରେ ମାଦଳା ପାଞ୍ଜିକୁ ବି ଓଡ଼ିଆ ଭାଷା ବିକାଶର ବାହକ ଭାବରେ ଗ୍ରହଣ କରାଯାଏ। ଏହାସହିତ ବିଭିନ୍ନ ସ୍ଥାନରେ ରହିିଥିବା ଲୋକଗୀତ, ଲୋକନୃତ୍ୟରେ ବୋଲା ଯାଉଥିବା ସଙ୍ଗୀତ ଭାଷାର ବିକାଶରେ ସହାୟକ ହୋଇଥିଲା। ଖନା ବଚନ କୃଷି ଏବଂ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ ବିସ୍ତୃତ ଭାବରେ ଲିଖିତ ହୋଇଥିବା ବେଳେ ଏହା ଥିଲା ଓଡ଼ିଆ ଭାଷା ବିକାଶର ଅନ୍ୟ ଏକ ସାହାରା। ଓଡ଼ିଆ ଭାଷାର ପ୍ରକୃତ ଉତ୍ପତ୍ତି ସାରଳା ଦାସଙ୍କ ଲିଖିତ ମହାଭାରତଙ୍କୁ ହିଁ ଅୟମାରମ୍ଭ ବୋଲି କୁହାଯାଏ। ବିଲଙ୍କା ରାମାୟଣ, ଅଠର ଖଣ୍ଡ ମହାଭାରତ ଏବଂ ଚଣ୍ଡିପୁରାଣ ଓଡ଼ିଆ ଭାଷାର ବିକାଶ ସମ୍ପର୍କରେ ଉଲ୍ଲେଖ କରିଥାଏ। ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’ ଏବଂ ବତ୍ସଦାଶଙ୍କ ‘କଳସ ଚଉତିଶା’, ମାର୍କଣ୍ଡଦାସଙ୍କ ‘କେଶବ କୋଇଲି’, ନାରାୟଣ ନନ୍ଦ ଅବଧୂତ ସ୍ୱାମୀଙ୍କର ‘ରୁଦ୍ରସୁଧାନିଧି’ ବି ଓଡ଼ିଆ ଭାଷାର ବିକାଶର ସହାୟକ। ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ପ୍ରସାର-ପ୍ରଚାର କରିବାରେ ସହାୟକ ହୋଇଥିଲା ଆଞ୍ଚଳିକ ଭିତ୍ତିରେ ଅନୁଷ୍ଠିତ ସାଂସ୍କୃତିକ ଓ ପାରମ୍ପରିକ କଥାକୁ ନେଇ ପ୍ରଚଳିତ ଲୋକଗୀତ, ବୋଲି, ଲୋକନୃତ୍ୟ, ଦଣ୍ଡ, ବଣ୍ଡି, ଘୋଡ଼ା ନାଚ, ଦାସକାଠିଆ ପ୍ରଭୃତି। ସବୁକିଛି ଏବେ ସ୍ୱପ୍ନ ପାଲଟି ଯାଇଛି।
ଓଡ଼ିଶା ମାଟିରେ ଓଡ଼ିଆ ଭାଷା କ୍ରମଶଃ ଲୁକ୍କାୟିତ ହେବାରେ ଲାଗିଛି। ମାତୃଭାଷା ଦୁର୍ବଳ ହେବାରେ ଲାଗିଛି। ପ୍ରଶ୍ନ ସବଳ ହେବ କିପରି? କୁମ୍ଭକାର କର୍ମ ଯଦି ତ୍ରୁଟିପୂର୍ଣ୍ଣ ହୁଏ, ମାଟିପାତ୍ର ଭାଙ୍ଗିବା ସାର। ମାଟିରେ ଗୋଡ଼ି କିମ୍ବା ଅଦରକାରୀ ପଦାର୍ଥ ମିଶିଲେ ପାତ୍ରରେ ପାଣି ଗଳିବା ସାର। ମାଟିପାତ୍ର ଭଲରେ ପୋଡ଼ା ନଗଲେ ଭାଙ୍ଗିବା ସାର। ଏଠି ଦୋଷ କାହାର? ମାଟିର ନା କୁମ୍ଭାରର? ମୂର୍ତ୍ତି ଗଢ଼ିବାର ମଣିଷଟି ମାଟିର ପାତ୍ରଟି ଗଢ଼ିବା ପୂର୍ବରୁ ବାରମ୍ବାର ମାଟିକୁ ଚକଟି ପ୍ରସ୍ତୁତ କରିବା ଦରକାର। ନଚେତ ମାଟିର ପାତ୍ରରେ ପାଣିଗଳିବା ସାର। ହୁଏତ ଷ୍ଟିଲ ପାତ୍ର ବ୍ୟବହାର କରାଯାଇପାରେ। କିନ୍ତୁ ଷ୍ଟିଲପାତ୍ରରେ ‘ପଣ୍ଡା’ ନୁହଁ କେବଳ ଅନୁସାର ଦେଇ ‘ପଂଡା’ ଲେଖିହେବ। ସେତେବେଳେ ଓଡ଼ିଆ ଭାଷା ବିନ୍ୟାସ କେବଳ ପୋଥିରେ ରହିବା ସାର। ତେଣୁ ଏବେଠୁ ସଚେତନ ହେବା ଦରକାର।
ଅଧ୍ୟାପକ ଅଶୋକ ମହାରଣା
ଢେଙ୍କାନାଳ, ମୋ:୯୪୩୭୨୯୦୧୮୧