ବିଜୟଲକ୍ଷ୍ମୀ ପଟ୍ଟନାୟକ ଭୁବନେଶ୍ୱର, ମୋ: ୮୮୯୫୨୭୪୭୯୪
ଗତ କେତେବର୍ଷ ହେଲାଣି ମାଟ୍ରିକ ବା ତତ୍ତୁଲ୍ୟ ପରୀକ୍ଷା ଫଳ ପ୍ରକାଶିତ ହେଲା ପରେ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି କିଶୋର/କିଶୋରୀଙ୍କ ଆତ୍ମହତ୍ୟା ସମ୍ବାଦଟି। ଆତ୍ମହତ୍ୟା ସମ୍ବାଦ ସହିତ ଆଜିର ଶିକ୍ଷା ପଦ୍ଧତି ସେମାନଙ୍କୁ କେତେମାତ୍ରାରେ ସୁରକ୍ଷିତ ରଖି ପାରିଛି ଏ ପ୍ରଶ୍ନ ମନରେ ଆସେ। ଅସୁମାରୀ ସ୍ବପ୍ନ ରାଜ୍ୟରେ ବିଚରଣ କରୁଥିବା ସେମାନଙ୍କର କଅଁଳ ମନଟି ପରୀକ୍ଷା ଫଳ ଖରାପ ହେଲେ ଖାଲି ଭାଙ୍ଗି ଯାଏ ନାହିଁ, ବରଂ କ୍ଷତବିକ୍ଷତ ହୋଇଯାଏ। ସାଙ୍ଗ ପିଲାଏ ପାସ୍ କରିଯିବା ଏବଂ ନିଜର ଅହେତୁକ କୋହକୁ କାହାକୁ ନ କହି ପାରିବାର ଯନ୍ତ୍ରଣାକୁ ସହ୍ୟ କରିବାର ଦକ୍ଷତା ସେମାନଙ୍କ ମଧ୍ୟରେ ନ ଥାଏ। ପରିବାରର ଗାଳିଗୁଲଜ, ଅବହେଳା, (ବିଶେଷ କରି ଝିଅଟିଏ ପ୍ରତି) ପଇସାପତ୍ର ନ ଦେବା, ଅତିରିକ୍ତ କଠୋରପନ୍ଥୀ ମନୋଭାବ, ଅନୁଶାସନରେ ତ୍ରୁଟି, ସାଙ୍ଗସାଥିମାନଙ୍କର ତାଚ୍ଛଲ୍ୟ, ଅନ୍ୟ ସହିତ ପିଲାକୁ ତୁଳନା, ଅଲିଖିତ ଦୁର୍ବ୍ୟବହାର(ମୁହଁ ମୋଡ଼ିବା, ନ ଚାହିଁବା , ସ୍ଥାନ ଛାଡି ପଳେଇବା) ଇତ୍ୟାଦି କାରଣରୁ ଏବଂ କେତେକ ସ୍ଥାନରେ ବାଲ୍ୟ ପ୍ରେମଜନିତ ସମସ୍ୟା କାରଣରୁ ପ୍ରସ୍ଫୁଟନମୁଖୀ କିଶୋର କିଶୋରୀମାନଙ୍କର ଅମୂଲ୍ୟ ଜୀବନଦୀପ ଲିଭିଯାଉଛି।
କିଶୋର କିଶୋରୀ ବୟସରେ ପିଲାର ଦେହ ଓ ମନରେ ତଥା ଭାବରେ ଅନେକ ପରିବର୍ତ୍ତନ ଘଟିଥାଏ। ବାର ବର୍ଷ ପରେ ଝିଅମାନଙ୍କର ଏବଂ ଚଉଦ/ପନ୍ଦର ବର୍ଷ ପରେ ପୁଅମାନଙ୍କର ଦେହରେ ଅନେକ ପରିବର୍ତ୍ତନ ଆସେ। ଦେହର ପରିବର୍ତ୍ତନ ମନରେ ମଧ୍ୟ ପ୍ରଭାବ ପକାଏ। ପିଲା ହଠାତ୍ କିଛି ବୁଝି ପାରେନି ଏବଂ ଗୋଟେ ଦ୍ବନ୍ଦ୍ବ ମଧ୍ୟକୁ ଠେଲି ହୋଇଯାଏ। କେତେକ ପିଲା ବିଦ୍ରୋହୀ, ବିପ୍ଳବୀ ଏବଂ ଅମାନିଆ ହୋଇ ଯାଆନ୍ତି। ସ୍ବପ୍ନ ଜଗତରେ ବୁଲିଲା ପରି ମନେ କରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ସେ ବୟସରେ ସ୍ବାଭାବିକ କଥା। ଅତ୍ୟଧିକ ପ୍ରତିରୋଧ, ଅନୁଶାସନ, କଟକଣା ପିଲାର କୋମଳ ମନକୁ ପୁଞ୍ଜିଭୂତ କ୍ରୋଧରେ ପରିଣତ କରିଦିଏ। ତେଣୁ ଏ ବୟସରେ ପିତାମାତାଙ୍କୁ ବିଶେଷ ଭାବରେ ଧ୍ୟାନ ଦେବା ଦରକାର। ବାେଡ଼ଇପିଟି ଆକଟ କରିବାର ଚେଷ୍ଟା ନିଷ୍ଫଳ କେବଳ ହୁଏନି, ବରଂ ଅଧିକ କ୍ଷତିକାରକ ହୋଇଥାଏ।
ବହୁଦିନ ତଳେ ଖବରକାଗଜରେ ଅଷ୍ଟ୍ରେଲିଆର ଗୋଟିଏ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଉଲ୍ଲେଖ ଥିଲା ଚାରିଜଣରେ ଜଣେ ପିଲା ଅସ୍ବାଭାବିକ ଚରିତ୍ରର। ସେମାନଙ୍କ ମଧ୍ୟରୁ ୨୩% ପିଲାଙ୍କର ନିଜ ପିତାମାତାଙ୍କ ପ୍ରତି ବିଶ୍ବାସ ବା ଭଲପାଇବା ମନୋଭାବ ନାହିଁ। ୨୦% ପିଲା ଅଧିକାଂଶ ସମୟରେ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥା’ନ୍ତି। ସ୍କୁଲମାନେ ଚାହାନ୍ତି ଯେ ପିତାମାତା ସେମାନଙ୍କ ପିଲାଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହ ଅଧିକ ସମୟ ଦିଅନ୍ତୁ। ପାରିବାରିକ ବନ୍ଧନ ହ୍ରାସ ପାଉଥିବା ଯୋଗୁଁ କୁସଙ୍ଗରେ ପଡ଼ି ପିଲା ନିଶାସକ୍ତ ହେଉଛନ୍ତି। ପାରିବାରିକ ନିର୍ଯାତନା ବଢୁଛି। କାରଣ ପିଲାର ଆଖି ଆଗରେ ଅଭିଭାବକ ନାହାନ୍ତି। ସ୍ନେହ ପ୍ରେମ କମୁଛି। ପାରିବାରିକ ସମ୍ପର୍କ ହୁଗୁଳା ଏବଂ ନିଜଲୋକଙ୍କ ସହିତ ସମ୍ପର୍କ ରହୁ ନ ଥିବା ଯୁବ ଆତ୍ମହତ୍ୟାର ମୁଖ୍ୟ କାରଣ। ପିଲାମାନଙ୍କର ଘରେ ଏବଂ ସ୍କୁଲରେ କିପରି ଯତ୍ନ ନେବାକୁ ହେବ ଏବଂ ସେମାନଙ୍କୁ ସୁରକ୍ଷିତ ରଖି ହେବ ସେ ବିଷୟରେ ଶିକ୍ଷା ଦିଆଯିବା ଦରକାର।
ପରିବାରର ମାନସିକତା, ଅନୁଭବ, ସଂସ୍କାର, ବିଶ୍ବାସ, ଉତ୍ତମ ଚିନ୍ତା ଏବଂ ଉତ୍ତମ ଆଚରଣ ଆଦିର ସାମୂହିକ ପ୍ରଭାବ ଉପରେ ଆଧାରିତ ହୋଇଥାଏ ପିଲାର ଚରିତ୍ର। ପରିବାରରେ ଭାବର ଆଦାନ ପ୍ରଦାନ ଯଦି ଉତ୍ତମ ବୁଝାମଣା, ପ୍ରେମ, ସମଚିତ୍ତତା ଓ ଧୈର୍ଯ୍ୟ ଉପରେ ଆଧାରିତ, ତେବେ ସେହି ଗୃହ ବୈକୁଣ୍ଠ ସମାନ ହୋଇଥାଏ। ପରିବାର ତିନୋଟି ସମ୍ପର୍କ ଉପରେ ମଜଭୂତ ହୋଇଥାଏ। ସେଗୁଡ଼ିକ ହେଲା – ପିତାମାତାଙ୍କ ମଧ୍ୟରେ ଥିବା ସମ୍ପର୍କ, ପିତାମାତାଙ୍କର ପିଲାଙ୍କ ସହିତ ସମ୍ପର୍କ ଓ ପରିବାରର ଅନ୍ୟ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ।
ପିତାମାତାଙ୍କ ଭିତରେ ଭଲପାଇବା, ଉତ୍ତମ ବୁଝାମଣାର ସମ୍ପର୍କକୁ ପିଲା ଗଭୀର ଭାବରେ ଲକ୍ଷ୍ୟ କରେ। ସେମାନେ ସମସ୍ୟାଗୁଡ଼ିକୁ କିପରି ସମାଧାନ କରୁଛନ୍ତି ତାହା ସେ ଲକ୍ଷ୍ୟ କରେ। ପିତାମାତାଙ୍କର ପିଲା ଆଗରେ କଳିଝଗଡା, ଯୁକ୍ତିତର୍କ ପିଲାକୁ ଅସହାୟ ହେବାକୁ ବାଧ୍ୟ କରେ। ପରୀକ୍ଷାରେ ତାଙ୍କ ପିଲାଟି ଅକୃତକାର୍ଯ୍ୟ ହେଲେ ସେ ନିଜେ ନିଜର ବିଚାରକ ହୋଇ ନିଜକୁ ଦୋଷୀ ମାନିନିଏ। ନିଜର ଦଣ୍ଡ ନିଜେ ସ୍ଥିର କରିନିଏ। ଆତ୍ମହତ୍ୟା କରେ, ନଚେତ୍ ଘର ଛାଡ଼ି ଚାଲିଯାଏ। ଦ୍ବିତୀୟ ସମ୍ପର୍କଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲା ପ୍ରତି ସମୟ ନ ଦେବା, ତା’ କୋମଳ ମନକୁ ଆଘାତ ଦେବା, ପ୍ରତି କଥାରେ ତା’କୁ ଦୋଷୀ କରିବା, କୌଣସି କଥା ନ ବୁଝି ତା’କୁ ଗାଳି କରିବା, ତା’ର ଉଚିତ୍ ଆବଶ୍ୟକତା ପୂରଣ ନ କରିବା, ଖରାପ କଥାକୁ ଖରାପ ବୋଲି ବୁଝାଇ ନ ଦେବା, ଅନେକ ସମୟ ତା’କୁ ଏକୁଟିଆ ଛାଡ଼ିବା – ଏ ସବୁ ଦ୍ବାରା ପିଲା ଦ୍ବନ୍ଦ୍ବରେ ପଡ଼େ ଏବଂ ଠିକ୍ ବାଟ ପାଏ ନାହିଁ। ପିତାମାତାଙ୍କ ଅଭୟ ଆଶ୍ରୟ ଓ ଯତ୍ନରେ ଯେଉଁ ଛୋଟଛୋଟ ସମସ୍ୟା ସମାଧାନ ହେଇ ପାରନ୍ତା ତାହା ହୋଇ ନ ପାରିଲେ ତା’ର କୋମଳ ମନ ଭାଙ୍ଗି ଯାଏ। ସମସ୍ତଙ୍କୁ ସେ ଅବିଶ୍ୱାସ କରିବାକୁ ଲାଗେ। ସହଜଲବ୍ଧ ସମୃଦ୍ଧି ପଛରେ ଗୋଡ଼ାଇଥିବା ପିତାମାତାଙ୍କର ନିଜ ପିଲାଙ୍କ ପାଇଁ ସମୟ ନାହିଁ। ଟ୍ୟୁସନ ମାଷ୍ଟରଙ୍କ କବଜାରେ ଆମମାନଙ୍କ ପରିବାରର ଅମୂଲ୍ୟ ସମ୍ପଦ, ଆମ ପିଲାର ଭବିଷ୍ୟତ। ସେ ପାଠ ପଢୁଛି କି କୁସଙ୍ଗରେ ପଡୁଛି କିଏ ଦେଖିବ!
ପିଲାଟି ଯେତେବେଳେ ଅକୃତକାର୍ଯ୍ୟ ହୁଏ ସେତେବେଳେ ସମସ୍ତଙ୍କର ଦୃଷ୍ଟି ତା’ ଉପରକୁ ଆସେ। କିନ୍ତୁ ପ୍ରକୃତରେ ଦୋଷ କେବଳ ପିଲାର ନୁହେଁ। ଦୋଷ ପିତାମାତାଙ୍କର ସବୁଠାରୁ ଅଧିକ। ତା’କୁ କୁହାଯାଏ ଅମୁକ ଲୋକର ପିଲା ତ ଭଲ ପଢୁଛି ତୁ କାହିଁକି ପଢୁନୁ? ତା’ର ନମ୍ବର ଅଧିକ ତୋର କାହିଁକି ହେଲାନି? ଖାଲି ଟିଉସନ ମାଷ୍ଟର ପାଖରେ ପଇସା ଫୋପାଡ଼ି ଦେଲେ ପିଲା ମଣିଷ ହେଇ ଯିବନି। ପିଲାଟି କୋଉ ବିଷୟରେ ଦୁର୍ବଳ ସେ କଥା ବୁଝି ପିତାମାତା କିମ୍ବା ଶିକ୍ଷକ ଯଦି ବାରମ୍ବାର ସେ ଦିଗରେ ଦୃଷ୍ଟି ଦେବେ ଏବଂ ତା’କୁ ବୁଝାଇବାରେ ସହାୟତା କରିବେ ତେବେ ସିନା ସେ ବିଷୟଟିକୁ ବୁଝିବ।
ପରୀକ୍ଷାରେ ଖରାପ କଲେ ପ୍ରଥମ କଥା ହେଉଛି ପରିବାରର ସହଯୋଗ ଓ ସହାନୁଭୂତି। ତା’ ହେଲେ ସେ ସମସ୍ତଙ୍କୁ ବିଶ୍ୱାସକୁ ଆଣି ମନର କଥା କହି ପାରିବ। ପାସ୍ ଫେଲ୍ ଆଜିକାଲି ଜମା ବଡ଼ କଥା ନୁହେଁ। ବହୁ ଦିଗ ଖୋଲା ପଡ଼ିଛି। ଯୋଉ ଦିଗକୁ ପିଲା ଚାହିଁଲା ବା ଆଗ୍ରହ ଦେଖାଇଲା ସେ ଦିଗରେ ଅଭିଭାବକମାନେ ତା’କୁ ସହଯୋଗ କରିବାର ଆବଶ୍ୟକତା ରହିଛି। ଅତ୍ୟନ୍ତ କଠୋର ଭାବରେ ମାରପିଟ୍ ଓ ବ୍ୟବହାର କଲେ, ତାଚ୍ଛଲ୍ୟ କଲେ କୌଣସି ସୁଫଳ ମିଳେନାହିଁ। ସେ ଆତ୍ମହତ୍ୟାକୁ ଶେଷ ପନ୍ଥା ମନେକରେ। ଖୁବ୍ ଭଲ ନମ୍ବର ରଖି ପାସ୍ କରି ଜଣେ ନୀତିହୀନ ମଣିଷ ହୋଇ ନାନା ଦୂର୍ନୀତି କରି ଅସାମାଜିକ ହେବା ଅପେକ୍ଷା ଭଲ ମଣିଷଟେ ହେବା ଶ୍ରେୟସ୍କର।
ତୃତୀୟ କଥାଟି ହେଲା ପରିବାରର ଅନ୍ୟମାନଙ୍କ ସହିତ ସମ୍ପର୍କ। ଜେଜେ ବାପା, ଜେଜେ ମା’ଙ୍କୁ ଯଦି ନିଜ ବାପା ମା’ ଭଲ ବ୍ୟବହାର ଦେଖାଉ ନ ଥିବେ ତେବେ ପିଲାମନରେ ନିଜ ପିତାମାତାଙ୍କ ପ୍ରତି ଭଲ ଧାରଣା ରହେ ନାହିଁ। ସେମାନେ ମଧ୍ୟ ନିଜ ବାପାମାଙ୍କଠାରୁ ଖରାପ ବ୍ୟବହାର କରିବା ଶିଖି ସେଇମାନଙ୍କ ଉପରେ ବଡ଼ ହେଲା ପରେ ତାହାର ପ୍ରୟୋଗ କରନ୍ତି। ବନ୍ଧୁ ବାନ୍ଧବ ଘରକୁ ଆସିଲେ ତାଙ୍କୁ ଯଦି ଭଲ ବ୍ୟବହାର କରାଯାଏ ପିଲା ତାହା ହିଁ ଶିଖେ। ଅତିଥିଙ୍କୁ ଆତିଥ୍ୟ ଦେବା ଆମର ମହାନ ପରମ୍ପରା। ବନ୍ଧୁ ବାନ୍ଧବ, ଅତିଥି, ସାଇପଡ଼ିଶା ସମସ୍ତଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ପିଲାଟି ଗଭୀର ଭାବରେ ଅନୁଧ୍ୟାନ କରେ। ଯଦି ସେଥିରେ ପିଲା ଆଗ୍ରହ ଦେଖାଉ ନାହିଁ ତେବେ ତା’କୁ ସେ ବିଷୟ ବୁଝେଇଦେବା ଦରକାର।
ଏ ସବୁ ସତ୍ତ୍ବେ ଆମ ଦେଶରେ, ରାଜ୍ୟରେ, ପରିବାରରେ ଆଦର୍ଶ ପିତାମାତାଙ୍କର ଅଭାବ ନାହିଁ। ଶିକ୍ଷକ ଓ ଆଦର୍ଶ ବ୍ୟକ୍ତିତ୍ବର ଅଭାବ ନାହିଁ, ଯେଉଁମାନେ କି ପିଲା ପାଇଁ ଯେ କୌଣସି ବି ତ୍ୟାଗ କରିବାକୁ ପ୍ରସ୍ତୁତ। ତା’ର ସାଙ୍ଗସାଥି କିଏ, ସେ କ’ଣ କୋଉଠି କରୁଛି, କିପରି ପାଠ ପଢୁଛି ଆଦି ସେମାନେ ଲକ୍ଷ୍ୟ କରିଥା’ନ୍ତି। ତେଣୁ ଅନେକ ଭଲପିଲା ନିଜର ନିଜ ପରିବାରର ମାନ ରକ୍ଷା କରି ଉତ୍ତମ ନାଗରିକ ହୋଇ ପାରୁଛନ୍ତି। ବହୁ ପରିବାର ଏବେବି ସବୁ ଆଦର୍ଶ ପାଳନ କରୁଛନ୍ତି ଏବଂ ଉତ୍ତମ ସଂସ୍କାର ଦେଇ ପିଲାଙ୍କୁ ଗଢୁଛନ୍ତି। ସବୁ ଭଲମନ୍ଦ କଥାରେ ପିଲାକୁ ପ୍ରତିରୋଧ ନ କରି ତା’କୁ ସହଯୋଗ କରୁଛନ୍ତି। ସେମାନେ ପିଲାର ଗାଇଡ ବା କାର୍ଯ୍ୟ ସୁଗମକାରୀର ଭୂମିକା ନିର୍ବାହ କରୁଛନ୍ତି। ସିଧା କଥା କାହାରିକୁ ଭଲ ଲାଗେନାହିଁ। ବିଶେଷକରି ସେହି ବୟସରେ ପିଲା ଭାବେ ସେ ଯାହା କହୁଛି ସବୁ ଠିକ୍ ଓ ଅନ୍ୟମାନେ ଭୁଲ୍। ତେଣୁ ତା’ର କାଉନସେଲିଂ ଦରକାର ଗଳ୍ପ ମାଧ୍ୟମରେ ବା କୌଣସି ଉଦାହରଣ ମାଧ୍ୟମରେ। ଅନେକ ପିତାମାତା ଏ ବିଷୟରେ ଜାଣିଛନ୍ତି ଏବଂ ଧ୍ୟାନ ବି ଦେଇଥା’ନ୍ତି। ବେଶୀ ଉପଦେଶ ବା ନୀତିବାଣୀ ପିଲାକୁ ଭାରାକ୍ରାନ୍ତ କରିଦିଏ। ତେଣୁ ସେଥିପ୍ରତି ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ।
ପିଲାଟିଏ ଆମ ସମସ୍ତଙ୍କର। ସେ କୀଟଦ୍ରଂଷ୍ଟ ନ ହୋଇ ଉତ୍ତମ ନାଗରିକଟିଏ ହୋଇ ବଢ଼ି ଉଠୁ – ଏକଥା ସମସ୍ତ ସଚେତନ ନାଗରିକ ନିଶ୍ଚୟ ଚାହିଁବେ। ଏହା ଆମ ସମସ୍ତଙ୍କର ଦାୟିତ୍ବ। ଉତ୍ତମ ସଂସ୍କାର ଦେଇ ପିଲା ସୁମଣିଷଟିଏ ହେଲେ ଦେଶ ଓ ଜାତିର ମଙ୍ଗଳ ହେବ। ପିଲା ଟିଭି କିମ୍ବା କମ୍ପ୍ୟୁଟରରେ ନ ଖେଳୁ ବୋଲି ଯଦି ଆମେ ଚାହୁଁ, ତେବେ ତା’ର ପ୍ରତିବଦଳରେ ସେହି ସମୟତକ ଆମେ ତା’କୁ ଅଲଗା କିଛି ଖେଳ କୌତୁକରେ ନିୟୋଜିତ କରିବା ଦରକାର। ତା’କୁ ସମୟ ଦେବା ଦରକାର। ଆସନ୍ତୁ ଆମ ପିଲାକୁ ଅସହାୟତାରୁ ମୁକ୍ତି ଦେବା, ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତ କରିବା ଏବଂ ତା’ର କୋମଳ ମନରେ ପିତାମାତା, ଶିକ୍ଷକ, ସମାଜ ପ୍ରତି ବିଶ୍ବାସ ଦୃଢ଼ କରିବାରେ ସହାୟକ ହେବା, ତା’ର ଏକୁଟିଆପଣକୁ ଗଳ୍ପ, ଗୀତ, କବିତା, ଖେଳ ମାଧ୍ୟମରେ ପୁଷ୍ଟ କରିବା। ଏହା ଆମ ସମସ୍ତଙ୍କର ଦାୟିତ୍ବ।