ଅନନ୍ତ ପଥ ଏ ରଥପଥ

ପ୍ରଭୁ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଆସନ୍ତି, ପୂଜା ପାଇବା ପାଇଁ ନୁହେଁ, ବରଂ ଆମକୁ କୋଳେଇ ନେବା ପାଇଁ ଆଉ ମନେ ପକାଇଦେବା ପାଇଁ ଯେ, ଏ ଧୂଳି ଧୂସରିତ ପବିତ୍ର ରଥପଥରେ କେବେ ସ୍ୱୟଂ ଲୀଳାମୟ, ଭକ୍ତଙ୍କ ସାଙ୍ଗରେ ଏକାଠି ଚାଲିବାର କଷ୍ଟ ବି ଉଠାନ୍ତି। ଏମିତି ଏକ ବିଗ୍ରହ ଯାହାର ନା ହାତ ଅଛି ନା ପାଦ ଅଛି। ହେଲେ ଭୂମିରୁ ଭୂମା ଯାଏଁ ସେ ପରିବ୍ୟାପ୍ତ। ଯେ ଅପଲକ ନୟନରେ ସମଗ୍ର ବ୍ରହ୍ମାଣ୍ଡକୁ […]

ପ୍ରଭୁ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଆସନ୍ତି, ପୂଜା ପାଇବା ପାଇଁ ନୁହେଁ, ବରଂ ଆମକୁ କୋଳେଇ ନେବା ପାଇଁ ଆଉ ମନେ ପକାଇଦେବା ପାଇଁ ଯେ, ଏ ଧୂଳି ଧୂସରିତ ପବିତ୍ର ରଥପଥରେ କେବେ ସ୍ୱୟଂ ଲୀଳାମୟ, ଭକ୍ତଙ୍କ ସାଙ୍ଗରେ ଏକାଠି ଚାଲିବାର କଷ୍ଟ ବି ଉଠାନ୍ତି।
ଏମିତି ଏକ ବିଗ୍ରହ ଯାହାର ନା ହାତ ଅଛି ନା ପାଦ ଅଛି। ହେଲେ ଭୂମିରୁ ଭୂମା ଯାଏଁ ସେ ପରିବ୍ୟାପ୍ତ। ଯେ ଅପଲକ ନୟନରେ ସମଗ୍ର ବ୍ରହ୍ମାଣ୍ଡକୁ ଅନନ୍ତ କାଳ ପାଇଁ ଅବଲୋକନ କରିପାରନ୍ତି, ଏମିତି ଅପରିସୀମ ଅପାଣିପାଦ ବିଗ୍ରହ ବିଶ୍ୱରେ ଆଉ କେଉଁଠି ଅଛି କହିଲେ ସତରେ? ଏ ଅନନ୍ତ ପଥକୁ କାହିଁ କେଉଁ ଅନାଦି କାଳରୁ ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ ନିଜର ଅଦୃଶ୍ୟ ବାହୁ ବନ୍ଧନୀରେ ସମସ୍ତଙ୍କୁ ବାନ୍ଧି ନେବା ପାଇଁ। କେବେ ପଚାରି ନାହାନ୍ତି ସେ, ତାଙ୍କୁ ଭେଟିବାକୁ ଆସିଥିବା ମଣିଷଟା କେଉଁ ଜାତିର, କେଉଁ ଧର୍ମର, କେଉଁ ସଂପ୍ରଦାୟର। ପଚାରିନାହାନ୍ତି କେବେ ତା’ର ଆର୍ଥିକ ସ୍ଥିତି, ସାମାଜିକ ଅବସ୍ଥା କିମ୍ୱା ଶିକ୍ଷାଗତ ଯୋଗ୍ୟତା କ’ଣ। ସେ କେଉଁ ଭାଷାରେ ନିଜ ଭାବକୁ ପ୍ରକାଶ କରୁଛି ବା ଗଦ୍ୟ, ପଦ୍ୟ, ସଂଗୀତ, ନୃତ୍ୟ ନା ଅନ୍ୟ କିଛି ମାଧ୍ୟମରେ ନିଜ ମନ କଥାକୁ ତାଙ୍କୁ ଶୁଣାଇବାକୁ ଆସିଛି। ନା କେବଳ ନିରବ ରହି ଅଶ୍ରୁପ୍ଳୁତ ନୟନରେ ନିଜ ମନ କଥା ତାଙ୍କୁ ମନେ ମନେ ଶୁଣାଇ ଦେଉଛି। ଭାବ ବିନୋଦିଆ ହରି ବୁଝି ଯା’ନ୍ତି ସବୁକଥାକୁ। କହିବା ଆଗରୁ ଜାଣି ଯା’ନ୍ତି ମନକଥା। ତା’ନ ହୋଇଥିଲେ କି ଏ ରଥପଥ ବଡ଼ଦାଣ୍ଡ ଏମିତି ଅନନ୍ତ କାଳରୁ ଭକ୍ତଙ୍କୁ କୋଳେଇ ନିଅନ୍ତା!

ଜୀବନ ଓ ମୃତ୍ୟୁର ନିରନ୍ତର ଚକ୍ରରୁ ଖୁବ୍‌‌ ଊର୍ଦ୍ଧ୍ବରେ ଏ ଅନନ୍ତ ରଥପଥ। ପିଢ଼ି ପରେ ପିଢ଼ି ମଣିଷ ଦୌଡ଼ି ଆସୁଛି ଏହି ରଥପଥକୁ। ସେ ଜାଣିଛି ଯେ, ତା’ ପିତୃପୁରୁଷ ଆଉ ଉତ୍ତରପୁରୁଷର ତ୍ରାଣକର୍ତ୍ତା ଏହି ଅନନ୍ତ ଜଗନ୍ନାଥ। ଏହି ରଥପଥରେ ହିଁ ଲେଖା ହୋଇଛି ତା’ ମୁକ୍ତିର କଥା, ତିଆରି ହୋଇଛି ତା’ ମୋକ୍ଷର ମାର୍ଗ। ପ୍ରତିବର୍ଷ ଯେତେବେଳେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥଯାତ୍ରାର ଆୟୋଜନ ହୁଏ, ସେତେବେଳେ ଏକ ଅସାଧାରଣ ଘଟଣା ଘଟେ, ଯାହା ଧର୍ମ, ଜାତି, ସମୟ, ସମ୍ୱତ୍ସର, ଶତାବ୍ଦୀର ସୀମାକୁ ଅତିକ୍ରମ କରେ। କେହି କାହାକୁ ଜାଣିନଥିବା ମଣିଷମାନେ ଏକାଠି ହୁଅନ୍ତି ଏଇଠି। ସମସ୍ତଙ୍କ ମନରେ ଥା’ନ୍ତି କେବଳ ଶ୍ରୀଜଗନ୍ନାଥ। ମହାଶୂନ୍ୟରୁ ଯଦି ମାପି ହୁଅନ୍ତା, ତା’ହାଲେ ଆମେ ଜାଣିପାରନ୍ତେ ବଡ଼ଦାଣ୍ଡରେ ଅଦୃଶ୍ୟ ଭାବରେ ଅବସ୍ଥାନ କରୁଥିବା ଭାବାବେଗମାନଙ୍କୁ। ଦେଖି ହୁଅନ୍ତା ଯଦି, ଦେଖି ନିଅନ୍ତେ ଏହି ଅନନ୍ତ ପଥରେ ଉଭା ମଣିଷମାନଙ୍କ ମନକୁ। ହେଲେ ସେ ଦାୟିତ୍ୱ କ’ଣ ଆମର? ଏ ସମସ୍ତେ ଯେଉଁଥି ପାଇଁ ଆସିଛନ୍ତି, ଯାହାଙ୍କ ପାଇଁ ଆସିଛନ୍ତି, ସେ ପରା ନିଜେ ନିଜ ଆସ୍ଥାନ ଛାଡ଼ି ଆସିଛନ୍ତି, ଏଇମାନଙ୍କ ମନକଥା ଜାଣିବା ପାଇଁ!

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିମ୍ୱା ରଥ ମହୋତ୍ସବ କେବଳ ଏକ ଧାର୍ମିକ ଶୋଭାଯାତ୍ରା ନୁହେଁ, ବରଂ ଏକ ମହାନ ଆଧ୍ୟାତ୍ମିକ ଯାତ୍ରା, ଯାହା ଲକ୍ଷ ଲକ୍ଷ ମଣିଷଙ୍କୁ ବିଶ୍ୱାସ, ବିନମ୍ରତା ଏବଂ ବିଭୁବୋଧର ଏକ ଭିନ୍ନ ଭାବଧାରାରେ ଏକତ୍ରିତ କରେ। ଆମ ହାତ ଆକାଶକୁ ଛୁଉଁ ବରଂ ଆମ ପାଦ ସବୁବେଳେ ମାଟି ସହିତ ଯୋଡ଼ି ହୋଇ ରହିଥାଉ। ଏହି ଭାବନା ହିଁ ରହିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରେକ୍ଷାପଟରେ। ନିଜ ମାଟି, ନିଜ ଜନ୍ମସ୍ଥାନ ଅନ୍ତୁଡ଼ିଶାଳ ସହିତ ଯୋଡ଼ି ହୋଇ ରହିବା ଉଦ୍ଦେଶ୍ୟରେ ହିଁ ତ ମହାପ୍ରଭୁ କେବେ ନିଜ ଇଚ୍ଛା ପ୍ରକାଶ କରିଥିଲେ ବର୍ଷରେ ଥରେ ଅନ୍ତତଃ ଗୁଣ୍ଡିଚା ମନ୍ଦିରକୁ ବୁଲିଯିବା ପାଇଁ। ଆଉ ସେବେଠାରୁ ଚାଲିଛି ଏହି ଅନନ୍ତ ଯାତ୍ରା, ଯାହା ମହାପ୍ରଭୁଙ୍କୁ ତାଙ୍କ ମୂଳ, ତାଙ୍କ ବନ୍ଧୁ ପରିଜନ ଏବଂ ପ୍ରାକୃତିକ ଜଗତ ସହିତ ପୁନଃ ସଂଯୋଗ ପାଇଁ ତାଙ୍କ ଆଗ୍ରହର ପ୍ରତୀକ ପାଲଟିଯାଇଛି।

ଏ ଯାତ୍ରାରେ ଯେତେବେଳେ ଅଭିଯାତ୍ରୀ ହୋଇ ବାହାରନ୍ତି ମହାପ୍ରଭୁ, ସେତେବେଳେ ତାଙ୍କୁ ଆଉ ଶ୍ରୀମନ୍ଦିରର ଗର୍ଭଗୃହରେ ଥିବା କଟକଣା, ରୀତିନୀତି କିଛି ମାନିବାକୁ ପଡ଼େନି। ଅନନ୍ତ ଆକାଶ ତଳେ ପ୍ରକୃତିର କୋଳରେ ସେ ନିଜ ସହିତ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲନ୍ତି। ତାଙ୍କରି ରଥପଥରେ ଧୀରେ ଧୀରେ ଭକ୍ତ ତାଙ୍କ ନିକଟତର ହୁଏ। ମନର କଥାକୁ ବଖାଣେ। ସମସ୍ତଙ୍କ ଅଭିମାନ, ଅଭିଯୋଗକୁ ନିଜ ଅନନ୍ତ ହୃଦୟରେ ସ୍ଥାନ ଦେଇ ଭକ୍ତ ସହିତ ଏକାକାର ହୋଇଯାଆନ୍ତି ମହାପ୍ରଭୁ। ବିନା ବାଛବିଚାରରେ ସମସ୍ତଙ୍କୁ କୋଳେଇ ନିଅନ୍ତି ବଳୀୟାରଭୁଜ। ଏ ଦୃଶ୍ୟ ଦେଖିଲେ ଅନୁଭବ ହୁଏ, ଯେମିତି ଦେବତ୍ୱର ଧରାବତରଣ ହୋଇଛି। ଭୂମିକୁ ସ୍ପର୍ଶ କରୁଛନ୍ତି ଭଗବାନ। ପ୍ରଭୁ ଜଗନ୍ନାଥଙ୍କ ବିଶାଳ, କରୁଣାମୟ ଚକାଡୋଳାକୁ ଦେଖି ଦେଇ ତାରି ଭିତରେ ସମାହିତ ହୋଇଯାଏ ଏ ଅନନ୍ତ ଜନସମୁଦ୍ର। ବଡ଼ଦାଣ୍ଡରେ ରଥ ଟାଣିଲା ବେଳେ ଲାଗେ ଯେମିତି ଲକ୍ଷ ଲକ୍ଷ ହାତ ଗୋଟିଏ ହୃଦୟରେ ସେ କୋଟି ହୃଦୟେଶ୍ୱରଙ୍କୁ ନିଜ ହୃଦୟ ସିଂହାସନରେ ବସାଇ ଟାଣି ନେଉଛନ୍ତି ଅନନ୍ତ ପଥରେ।

ରଥପଥରେ ଚଳନ୍ତି ଦେଉଳ ତିନି ରଥ ଗଡ଼଼ିଗଲା ବେଳେ ‘ଜୟ ଜଗନ୍ନାଥ!’ ଧ୍ୱ୍ୱନିରେ ପ୍ରକମ୍ପିତ ହୁଏ ଚଉଦ ଭୁବନ। ସମସ୍ତେ ଏମିତି ଏକ ଅବସ୍ଥାରେ ଥା’ନ୍ତି ଯେ, କିଏ ଭକ୍ତିରେ ହସୁଥା’ନ୍ତି, କାନ୍ଦୁଥା’ନ୍ତି, ଗୀତ ଗାଉଥା’ନ୍ତି ଏବଂ ନୃତ୍ୟ କରନ୍ତି ଅଥବା ରଥପଥରେ ଲୋଟିପଡ଼ନ୍ତି। ମଣିଷ ଗଢ଼ିଥିବା ବିଭାଜନର ରେଖା ଏ ଅନନ୍ତ ପଥରେ ଅପସରିଯାଏ। ଧନୀ-ଗରିବ, ସନ୍ଥ-ସନ୍ଦେହୀ, ବୃଦ୍ଧ-ଯୁବକ ସମସ୍ତେ ପ୍ରଭୁଙ୍କ ସହିତ ଏକ ହୋଇଯା’ନ୍ତି। ଏ ରଥଯାତ୍ରାର ପ୍ରତ୍ୟେକ ଉପାଦାନ ଗଭୀର ପ୍ରତୀକବାଦରେ ପରିପୂର୍ଣ୍ଣ। ପ୍ରଭୁ ଜଗନ୍ନାଥଙ୍କ ରୂପ – ବଡ଼ ବଡ଼ ଚକା ଆଖି ଓ ଅସମ୍ପୂର୍ଣ୍ଣ ଅଙ୍ଗ ଅନନ୍ତକୁ ପ୍ରତିନିଧିତ୍ୱ କରେ। କହିଯାଏ ଗୋଟିଏ କଥା ଆଦି କିମ୍ୱା ଅନ୍ତ ବିନା ଏକ ହିଁ ଈଶ୍ୱର, ଯିଏ କି ମଣିଷର ସମସ୍ତ କଳ୍ପନାକୁ ଅତିକ୍ରମ କରିପାରନ୍ତି। ଏ ପବିତ୍ର ଘୋଷଯାତ୍ରା ଜନ୍ମ-ପୁନର୍ଜନ୍ମ ମାଧ୍ୟମରେ ଆତ୍ମାର ଯାତ୍ରାର ରୂପକ ମାତ୍ର।

ଆଜି ମଧ୍ୟ ଏକ କ୍ରମବର୍ଦ୍ଧିଷ୍ଣୁ ବିଖଣ୍ଡିତ ବିଶ୍ୱରେ ରଥଯାତ୍ରା ଏକତା, ନମ୍ରତା ଓ ଆଶାର ଏକ ଆଲୋକପଥ ଭାବରେ ଠିଆ ହୋଇଛି। ପ୍ରମାଣ କରୁଛି ଯେ, ସେ ଦିବ୍ୟସତ୍ତା ସମସ୍ତଙ୍କର। ଏ ଅନନ୍ତ ରଥପଥ ହିଁ ଶ୍ରୀଜଗନ୍ନାଥ। ଏହା ବିଶ୍ୱର ଆଧ୍ୟାତ୍ମିକ ଐତିହ୍ୟ ଏବଂ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଅନନ୍ତ ବନ୍ଧନର ଏକ ଜୀବନ୍ତ ପ୍ରତିମୂର୍ତ୍ତି। ବର୍ଷ ପରେ ବର୍ଷ ଏମିତି ଅନନ୍ତ କାଳ ଯାଏଁ ଜାରି ରହିଥିବ ଏ ଅନନ୍ତ ଯାତ୍ରା। ଯେତେବେଳେ ପଶ୍ଚିମାକାଶରେ ସୂର୍ଯ୍ୟ ଅସ୍ତଗାମୀ ହେଉଥିବେ, ଯେତେବେଳେ ଶେଷ ରଥ ମନ୍ଦିର ଦ୍ୱାରରେ ପହଞ୍ଚୁଥିବ ଏବଂ ସଂକୀର୍ତ୍ତନରେ ଉଦଣ୍ଡ କୀର୍ତ୍ତନ କରୁଥିବା ଭକ୍ତମାନେ ଥକି ପଡୁଥିବେ, ସେତେବେଳେ ଘରମୁହାଁ ହେବାକୁ ଚାହୁଁଥିବ ଭକ୍ତ, ହେଲେ ତା’ମନରେ ଥିବ ଗୋଟିଏ କଥା – ପ୍ରଭୁ କେବଳ ମନ୍ଦିର ଏବଂ ରଥାରୂଢ଼ ହୋଇ ନାହାନ୍ତି, ତାଙ୍କୁ ମୁଁ ତ ମୋ ହୃଦରତ୍ନସିଂହାସନରେ ବସାଇ ଯାତ୍ରା କରୁଛି…।

ଡକ୍ଟର ଫକୀର ମୋହନ ନାହାକ
ଜୟ ଜଗନ୍ନାଥ!
(ମଣିପାଲ ବିଶ୍ୱବିଦ୍ୟାଳୟ)
ଜୟପୁର(ରାଜସ୍ଥାନ) ମୋ: ୯୯୩୭୨୫୨୪୬୪

About The Author: The Sakala