ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା। ବଡ଼ଦାଣ୍ଡରେ ଦିବ୍ୟ ଆଭରଣରେ ମଣ୍ଡିତ ହୋଇ ଝଟକୁଛନ୍ତି ତିନିରଥ। ନିର୍ଦ୍ଦେଶ ପାଇବା ମାତ୍ରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ଅତିକ୍ରମ କରିଯିବେ। ରଥରୂଢ଼ ନୀଳାଚଳ ଶିଖା ମଣେ। କ୍ଷରଶୀଳ ଜଗତରୁ ଅତୀତ, ଅକ୍ଷର ଜୀବ ଭୂତ ଆତ୍ମାଠାରୁ ଶ୍ରେଷ୍ଠ, ସବୁର ଆଦି, ଅନ୍ତ, ମଧ୍ୟ, ପରମ- ଧାମ ଓ ଆଧାର ମଧ୍ୟ ଏହି। ଏଠି ରାଜା-ପ୍ରଜା, ଉଚ୍ଚ-ନୀଚ, ଧନୀ-ଦରିଦ୍ର, ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ସମସ୍ତେ ସମାନ। କେହି ଜ୍ୟେଷ୍ଠ-ଶ୍ରେଷ୍ଠର ଅଧିକାରୀ ନୁହନ୍ତି। ସେହି କ୍ଷରାକ୍ଷରାତୀତ ଏ ପରମ ପୁରୁଷ ଜଗତର ଏକମାତ୍ର କାରଣ। ସମସ୍ତ ଚିନ୍ତା-ଚେତନାକୁ, ଧର୍ମ-ଧାରଣାକୁ ଧଣ୍ଡା ମାଳ ସମ ଗଳାରେ ଲମ୍ୱାଇ ସୃଷ୍ଟି କରିଛନ୍ତି ଏକ ଧର୍ମୀୟ ମହୋଦଧି। ‘ଐତିହାସିକତାର ପ୍ରମାଣ ଖୋଜ ନାହିଁ; କେବଳ ମାନବବାଦର ଆଧ୍ୟାତ୍ମିକ ଭାବନାକୁ ସାକ୍ଷ୍ୟ ରୂପେ ଗ୍ରହଣ କର’ – ଏ ଭାବନା ତାଙ୍କ ସଂସ୍କୃତିରେ ପାଖୁଡ଼ା ପାଖୁଡ଼ା ହୋଇ ଉନ୍ମୋଚିତ ହୋଇଛି।
ବହୁ ଧର୍ମର ଧ୍ୱଜା ଏ ମାଟିରେ ଉଡ଼ିଛି। ବହୁ ଧର୍ମର ମହାପ୍ଳାବନ ଘଟିଛି ଏ ମାଟିରେ। ତଥାପି ତା’ର ରୂପ, ଗୁଣ, ଧର୍ମକୁ କେହି ପରିବର୍ତ୍ତନ କରିପାରି ନାହାନ୍ତି; ବରଂ ସେମାନେ ସେ ଦାରୁଦେହରେ ସ୍ୱ ସ୍ୱ ଧର୍ମର ଇଷ୍ଟକୁ ଦର୍ଶନ କରି ପ୍ରତ୍ୟେକେ ତା’କୁ ନିଜର କରି ନେଇଛନ୍ତି। ଫଳତଃ ତାହାକୁ କେନ୍ଦ୍ର କରି ଗଢ଼ି ଉଠିଛି ଏକ ବିରାଟ ସାଂସ୍କୃତିକ ସୌଧ। ସମୟର ସ୍ରୋତରେ ମହାଭାରତୀୟ ବିଚାରଧାରା, ବ୍ୟବହାରିକ ରୀତିନୀତିକୁ ନେଇ ଗଢ଼ି ଉଠିଥିବା ଆର୍ଷ ଓ ଆପ୍ତ ରୂପକ ଦୁଇଟି ପରମ୍ପରା ଦିନେ ବିପରୀତ ଦିଗରେ ଧାବିତ ହୋଇ ସରସ୍ୱତୀ ସଭ୍ୟତାଠାରୁ ଆରମ୍ଭ କରି ସରିତ ସଭ୍ୟତା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା। ଗୋଷ୍ଠୀ ଭାବନାକୁ କେନ୍ଦ୍ର କରି ମୈତ୍ରୀ ଭାବନା ବିବାଦରେ ପରିଣତ ହୋଇଥିଲା। ସେହି ବିବାଦର ସମାଧାନ ଏହିଠାରେ ହିଁ ସମ୍ଭବ ହୋଇଛି।
ବଡ଼ ବିଚିତ୍ର ବିଚିତ୍ର ଏହାଙ୍କ ପରମ୍ପରା। ଯେଉଁଠାରେ ଶବର, ଦିଶାରି ଓ ଆର୍ଯ୍ୟ ପୁରୋଧା ସମାନ ଭାବରେ ସ୍ୱସ୍ୱ ଆସନରେ ମର୍ଯ୍ୟାଦାବନ୍ତ ହୋଇଥା’ନ୍ତି। ଯେଣୁ ଏ ସଂସ୍କୃତିର ମୂଳମନ୍ତ୍ର ସମନ୍ୱୟବାଦ, ଏହାଙ୍କ ଯଜ୍ଞ ପ୍ରତିଷ୍ଠିତ ଅନ୍ନ(ମହାପ୍ରସାଦ) ଜାତିଭେଦ ରହିତ। ମୁକ୍ତିକାମୀ ଜନଜୀବନର ଆଲୋକବର୍ତ୍ତିକା। ଏହାଙ୍କ ନିର୍ମାଣ ଶୈଳୀକୁ ଦେଖାଯାଉ। ସବୁରି ମଧ୍ୟରେ ତାଙ୍କର ନେତ୍ରଦ୍ୱୟ। କେହି କେବେ ଏହାଙ୍କ ନେତ୍ରଦ୍ୱୟକୁ ରମଣୀୟ ନେତ୍ର କହିପାରେ? ଶାବର ପଦ୍ଧତିରେ ଏ ନେତ୍ର ଉପାସିତ ହେଉଥିଲେ ମଧ୍ୟ ସମଗ୍ର ଜଗତ୍ ଏ ନେତ୍ର ମଧ୍ୟରେ ଯେଉଁ ଚରମ ସତ୍ୟକୁ ଉଦ୍ଘାଟନ କରିଛି, ତାହା ହେଉଛି ‘ସମ ଦୃଷ୍ଟିପାତ’। ନେତ୍ର ମଧ୍ୟସ୍ଥ ଘୂର୍ଣ୍ଣିୟମାନ ସେ ତ୍ରାଟକ ଡୋଳା, ଦଶଦିଶାକୁ ସମ ବ୍ୟବଧାନରେ ଧାବିତ ହୋଇଥାଏ। ଏଥିରୁ କ’ଣ ପ୍ରମାଣିତ ହୁଏ? ଏଥିରୁ ପ୍ରମାଣିତ ହୁଏ ଏ ଦ୍ରଷ୍ଟା ନିରପେକ୍ଷ ଭେଦଭାବରହିତ। ଅଙ୍ଗୁଳିଯୁକ୍ତ ହସ୍ତ ଦଣ୍ଡ ନିର୍ଦ୍ଦିଷ୍ଟ ବସ୍ତୁକୁ ସ୍ପର୍ଶ ଜନିତ ସୁଖ ପ୍ରଦାନ କରିଥାଏ। ମାତ୍ର ଅଙ୍ଗୁଳି ବିହୀନ ହସ୍ତ ସାର୍ବଜନୀନ ସୁଖ ଦିଏ, ଯାହାକି ସଦା ନିରପେକ୍ଷତା ଉପରେ ପ୍ରତିଷ୍ଠିତ।
ଏବେ ଏହାଙ୍କ ସୃଷ୍ଟିରେ ବିରଳ ଦର୍ଶନ ବିଧିକୁ ଦେଖାଯାଉ। ଦେଖିଛ କେଉଁଠାରେ ସାଧକ ତା’ର ସାଧ୍ୟକୁ କୋଳ କରିବାର ପଦ୍ଧତି? ଉପାସ୍ୟ ତା’ର ଉପାସକକୁ ଆଲିଙ୍ଗନ କରିବାର ଭାବଭଙ୍ଗୀ? ଏଥିରେ ଜାତି-ଅଜାତି, ସ୍ପୃଶ୍ୟ-ଅସ୍ପୃଶ୍ୟର ହୀନମାନ୍ୟତା ଭାବ ନାହିଁ। ଏବେ ଦେଖିବା ବର୍ଣ୍ଣ ବା ରଙ୍ଗ ଭେଦ। ସମଗ୍ର ବିଶ୍ୱବାସୀଙ୍କୁ ତିନି ଗୋଟି ବର୍ଣ୍ଣ (ରଙ୍ଗ) ଭେଦରେ ବିଭକ୍ତ କରାଯାଇପାରେ – ଶ୍ୱେତ, ପୀତ, କୃଷ୍ଣ। ତାହାର ଏକତ୍ରୀକରଣ ଶ୍ରୀପୁରୁଷୋତ୍ତମ ଚେତନାରେ ସମ୍ଭବ ହୋଇପାରିଛି। ଏହାଦ୍ୱାରା ସମଗ୍ର ବିଶ୍ୱରେ ମୁଣ୍ଡଟେକି ଉଠୁଥିବା ବର୍ଣ୍ଣଭେଦ ଭାବ ଏଠାରେ ବିଲୟ ଘଟିଛି। ପ୍ରକାରାନ୍ତରେ ଶ୍ରୀପୁରୁଷୋତ୍ତମ ଚିନ୍ତନ ଘୋଷଣା କରୁଛି – ବର୍ଣ୍ଣବୈଷମ୍ୟ ଜନିତ ଭାବନାକୁ ମନ ମଧ୍ୟରୁ ପରିହାର କରି ଭ୍ରାତୃତ୍ୱର ଶୃଙ୍ଖଳାରେ ସମସ୍ତେ ଆବଦ୍ଧ ହୁଅ।
ମଣିଷ ମନରେ ପୂର୍ଣ୍ଣତା ଆସେ, ଯେବେ ତା’ର ମନ ମଧ୍ୟରେ ସହନଶୀଳତାର ଭାବ ସାର୍ଥକ ଲଭେ। ଅର୍ଥାତ୍ ଯେତେବେଳେ ସେ ଦୀପ୍ତତା ସହିତ ସହନଶୀଳତାକୁ ସମଜ୍ଞାନ କରେ। ଏପରି ଧାରା କେବଳ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ସଂସ୍କୃତିରେ ପ୍ରତିଭାତ ହେଉଛି। ଏଠାରେ ସୃଷ୍ଟି ବିଚାର ଧାରାକୁ ପର୍ଯ୍ୟାଲୋଚନା କରାଯାଉ। ଜଗତରେ ଯେତେ ପଦାର୍ଥ ଅଛି, ତା’କୁ ଯଦି ଅଗ୍ନିରେ ନିକ୍ଷେପ କରିବା ତା’ର ଏକ ପାର୍ଶ୍ବ ଉତ୍ତପ୍ତ ହେଲେ ଅପର ପାର୍ଶ୍ବ ତାପ ପ୍ରଦାନ କରିବ। ମାତ୍ର ସମଗ୍ର ଜଗତରେ ଏକମାତ୍ର ଦାରୁ (କାଷ୍ଠ)କୁ ଯଦି ସେହି ପକ୍ରିୟାରେ ଦେଖାଯାଏ, ତେବେ ତା’ର ଏକ ପାର୍ଶ୍ବ ଉତ୍ତପ୍ତ (ଜଳୁଥିବା) ହେଉଥିବା ସମୟେ ପାରପାର୍ଶ୍ବ ଶୀତଳତା ପ୍ରଦାନ କରୁଥିବ। ତେଣୁ ଜଡ଼ ଓ ଚେତନା ମଧ୍ୟରେ ସମନ୍ୱୟ ରକ୍ଷା କରେ ଶ୍ରୀପୁରୁଷୋତ୍ତମ ସଂସ୍କୃତି, ଯାହାର ପଟ୍ଟାନ୍ତର ନାହିଁ। ଏ ଚିନ୍ତନକୁ ଭୁବନବିଦିତ କରିବା ପାଇଁ ସ୍ୱୟଂ ଦେବାଧିଦେବରାଜ ଆପଣାର ବାପୁକୁ ଦାରୁରେ ନିର୍ମାଣ କରାଇଛନ୍ତି।
ସେବା ଭାବକୁ ଦେଖିବା। ଆର୍ଯ୍ୟ ମତବାଦର ପ୍ରବର୍ତ୍ତକ ରାଜଶ୍ରୀ ଇନ୍ଦ୍ରଦ୍ୟୁମ୍ନ ଯଦି ଶାବରମାନଙ୍କୁ ଯଥାମାନ୍ୟ ମର୍ଯ୍ୟାଦା ଦେଇ ସେମାନଙ୍କୁ ତୃପ୍ତ କରିବାର ଅଭିଳାଷ ମନରେ ପୋଷଣ କରିଥା’ନ୍ତେ, ତେବେ ତାଙ୍କୁ ମହାପ୍ରଭୁଙ୍କ ବହୁ ମହାର୍ଘ୍ୟ ସେବା ମିଳି ପାରିଥା’ନ୍ତା। ପରନ୍ତୁ ଏ ପ୍ରତିଷ୍ଠାପକ ଶକ୍ତି ସମାଜର ସର୍ବକନିଷ୍ଠ ସେବା(ମାର୍ଜନୀ)କୁ ଆଦରି ନେଲେ କାହିଁକି? ପରକ୍ଷଣରେ ସେ ମହାଭାଗ ପ୍ରମାଣ କରିଦେଇ ଗଲେ ସମାଜର ସର୍ବୋଚ୍ଚ ଆସନରେ ଯେ ଆସୀନ ହେବ ସେ ସମାଜର ସର୍ବନିମ୍ନ ସେବାର ଆଦର୍ଶକୁ ଗ୍ରହଣ କରିବା ଉଚିତ୍। ସୃଷ୍ଟିର ଆଦିମ ଚିନ୍ତା ଏହି କି, କନିଷ୍ଠକୁ ତଥା ତାଙ୍କର ମହତ୍ତ୍ୱକୁ ପ୍ରତିଷ୍ଠା କରାଇବା ଜ୍ୟେଷ୍ଠର ପ୍ରଧାନ କର୍ତ୍ତବ୍ୟ। ତେଣୁ ଏ ଭାବ ଧାରାକୁ ଲୋକଲୋଚନରେ ପରିପ୍ରକାଶ କରିବା ପାଇଁ ସ୍ୱୟଂ ମହାପ୍ରଭୁ ତଳେ ରହି ପ୍ରାସାଦର ସର୍ବୋଚ୍ଚ ଶିଖରରେ ଦେବାୟୁଧ ସୁଦର୍ଶନଙ୍କୁ ସ୍ଥାନ ଦେଇ ତାହାଙ୍କ ନିକଟରେ ଜଗତର କଲ୍ୟାଣକାରୀ ବାଣୀକୁ ଉଦ୍ଘୋଷଣା କରାଉଛନ୍ତି। ଏ ସଂସ୍କୃତିରେ ଭାଇ-ଭଉଣୀ ମଧ୍ୟରେ ଯେଉଁ ଅପ୍ରାକୃତ ସ୍ନେହ, ପ୍ରେମ ତା’ର ସର୍ବବାଦୀ ଦର୍ଶନର ଚରମ ନିଦର୍ଶନ ମଧ୍ୟ ପ୍ରତିଷ୍ଠା ଲାଭ କରିଛି। ଏହି ଭାବଧାରାକୁ ଆଜି ସକଳ ମାନବ ସମାଜ ଆଦରି ନେବା ଉଚିତ୍।
ପରିଶେଷରେ ଏତିକି କୁହାଯାଇପାରେ ଯେ ଏ ସଂସ୍କୃତିରେ ସଦାସର୍ବଦା ଧର୍ମନିରପେକ୍ଷତା, ଧର୍ମସହବସ୍ଥାନ, ସମନ୍ୱୟବାଦୀ ଦର୍ଶନ, ନିରହଙ୍କାରିତା, ଶାନ୍ତି, ମୈତ୍ରୀ, ପ୍ରୀତି ଓ ସଂହତିର ଘଟିଛି ପୁଷ୍କଳ ପରିପ୍ରକାଶ, ଯହାକି କୋଣସି ଶାସକ ଆପଣାର କ୍ଷମତା ବଳରେ ଏହାକୁ ପ୍ରତିଷ୍ଠା କରିନାହିଁ, ବରଂ ଏହା ଶତାଦ୍ଦୀ ଶତାଦ୍ଦୀ ଧରି ସାଧନା, ପରୀକ୍ଷା, ନିରୀକ୍ଷା ମଧ୍ୟରେ ଗତିକରି ପରିପକ୍ୱତା ଲାଭ କରିଛି। ପରବର୍ତ୍ତୀ ସମୟରେ ଆତ୍ମୀୟତା ଓ ବିଶ୍ୱାସର ଶାଶ୍ୱତ ଧାରାରେ ରୂପ ନେଇଛି ଏକ ଗଣଧର୍ମର। ପୁରୁଷୋତ୍ତମ ଜଗନ୍ନାଥ ଉକ୍ତ ଚେତନା/ ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ସଂହତି ରକ୍ଷାର ଦୃଢ଼ କବଚ। ସେ ଏକ ସ୍ୱଚ୍ଛ ମୁକୁର, ଯେଉଁଥିରେ ପ୍ରତିବିମ୍ୱିତ ହୁଏ ମହାନ୍ ଐତିହ୍ୟ ତଥା ସୁସଂହତ ଭାବନାର, ଆଧ୍ୟାତ୍ମିକ ଉଦାରତାର, ମୈତ୍ରୀ ଚେତନାର, ବିଶ୍ୱ ଭ୍ରାତୃତ୍ୱର। ମାନବିକ ଐକ୍ୟ, ସାମ୍ୟ ତଥା ସମନ୍ୱୟବାଦ, ଜାତୀୟ ସଂହତି, ମାନବିକତା ଏବଂ ସୁସ୍ଥ ସାମାଜିକ ପରମ୍ପରାର ସନ୍ଦେଶ ଏହି ମହାନ ସଂସ୍କୃତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷ ଯାତ୍ରା ଅବକାଶରେ ସତେଯେପରି ସୂକ୍ଷ୍ମ ଶ୍ରୁତି ଲଭ୍ୟ ଜ୍ଞାନରେ ଶୁଣାଉଛନ୍ତି – ହେ ବିଶ୍ୱ ମାନବ ଗଣ! ପରସ୍ପର ମଧ୍ୟରୁ ଭେଦଭାବ ଭୁଲି ସ୍ନେହର ବନ୍ଧନରେ ଆବଦ୍ଧ ହୁଅ। ସଂଘବଦ୍ଧ ଭାବରେ ମୈତ୍ରୀ ଭାବନାରେ ପରସ୍ପରକୁ କୋଳାଗ୍ରତ କର। କାରଣ ମୈତ୍ରୀ ପ୍ରଣୋଦିତ ଜନସଂହତି ବିନା ରାଷ୍ଟ୍ରସଂହତି ରକ୍ଷା ଅସମ୍ଭବ। ତେଣୁ ଐକ୍ୟବଦ୍ଧ ହୁଅ। ଏହାଦ୍ୱାରା ରାଷ୍ଟ୍ରୀୟ ମହତ୍ତ୍ୱ ପ୍ରତିଷ୍ଠା ହେବ। ମାନବିକତାର ଅମୀୟ ଧାରା ସର୍ବତ୍ର ପ୍ରବାହିତ ହେବ।
ପଦ୍ମଶ୍ରୀ ରଥଶର୍ମାଙ୍କ ଭାଷାରେ, ଶ୍ରୀଜଗନ୍ନାଥ ସଂସ୍କୃତି କେଉଁ ସ୍ମରଣାତୀତ କାଳରୁ ମହାଭାରତୀୟ ସନାତନ ଚିନ୍ତନରେ ଏକ ସାଂସ୍କୃତିକ ପିଣ୍ଡି, ଯେଉଁଥିରେ ବୈଦିକ ବିଚାର, ବ୍ରହ୍ମ ଜିଜ୍ଞାସାର ସିଦ୍ଧାନ୍ତ, ତାନ୍ତ୍ରିକ ଆଚରଣ ବିଧି, ପୌରାଣିକ ଆଦର୍ଶ ଗତ ଆକ୍ଷାୟିକା ସ୍ତର ବିସ୍ତାରିତ ହୋଇଛି। ତାଦୃଶୀ ତାଙ୍କର ଘୋଷଯାତ୍ରା। ଆଜି ଜଗତ ଯୋଡ଼ହସ୍ତ ହୋଇ ପ୍ରାର୍ଥନା କରୁଛି – ହେ ମହାପ୍ରଭୁ! ତୁମେ ହିଁ ଜଗତର କାରଣ। ଜୟ ଜଗନ୍ନାଥ!
ଚାରଣ ବସନ୍ତ ପଣ୍ଡା
ନୟାଗଡ଼଼, ମୋ: ୯୨୩୭୦୯୫୨୪୯