ଜାତିପ୍ରାଣ ମଧୁବାବୁ

ପୁରାଣ ବା ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଓଡ଼ିଆ ଜାତିର ଅସ୍ତିତ୍ୱ ସର୍ବତ୍ର ଅନୁଭୂତ ହୁଏ। ଏକ ଐତିହାସିକ ଜାତି, ଯାହାର ଭାଷା ଦୁଇହଜାର ବର୍ଷରୁ ଅଧିକ ପ୍ରାଚୀନ, ଯାହାର କଳା ସଂସ୍କୃତି ବିଶ୍ୱର ଅନେକ ସଭ୍ୟତାକୁ ଅନୁପ୍ରାଣିତ କରିବାର ଦେଖିବାକୁ ମିଳେ, ଯାହାର ଅଧିବାସୀ ବିଶ୍ୱର ବିଭିନ୍ନ କୋଣରେ ନୌବାଣିଜ୍ୟ କରି ନିଜ ଜାତିର ବିଜୟ ବୈଜୟନ୍ତୀ ଉଡ଼ାଉଥିଲେ, ସେହି ଜାତିର ଅସ୍ତିତ୍ୱକୁ ନିଶ୍ଚିହ୍ନ କରିବା ପାଇଁ ୧୮୦୩ ମସିହାରୁ ୧୯୦୩ ମସିହା ମଧ୍ୟରେ ଏହାର […]

ପୁରାଣ ବା ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଓଡ଼ିଆ ଜାତିର ଅସ୍ତିତ୍ୱ ସର୍ବତ୍ର ଅନୁଭୂତ ହୁଏ। ଏକ ଐତିହାସିକ ଜାତି, ଯାହାର ଭାଷା ଦୁଇହଜାର ବର୍ଷରୁ ଅଧିକ ପ୍ରାଚୀନ, ଯାହାର କଳା ସଂସ୍କୃତି ବିଶ୍ୱର ଅନେକ ସଭ୍ୟତାକୁ ଅନୁପ୍ରାଣିତ କରିବାର ଦେଖିବାକୁ ମିଳେ, ଯାହାର ଅଧିବାସୀ ବିଶ୍ୱର ବିଭିନ୍ନ କୋଣରେ ନୌବାଣିଜ୍ୟ କରି ନିଜ ଜାତିର ବିଜୟ ବୈଜୟନ୍ତୀ ଉଡ଼ାଉଥିଲେ, ସେହି ଜାତିର ଅସ୍ତିତ୍ୱକୁ ନିଶ୍ଚିହ୍ନ କରିବା ପାଇଁ ୧୮୦୩ ମସିହାରୁ ୧୯୦୩ ମସିହା ମଧ୍ୟରେ ଏହାର ଭୂଭାଗକୁ କେନ୍ଦ୍ରୀୟ ପ୍ରୋଭିନସ, ମାଡ୍ରାସ ପ୍ରୋଭିନସ, ବେଙ୍ଗଲ ପ୍ରୋଭିନସ, ବିହାର ପ୍ରୋଭିନସରେ ଭାଗଭାଗ କରାଇବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଏହାଦ୍ୱାରା ଏକ ସ୍ୱାଭିମାନୀ ଜାତି ନିଜର ପରିଚୟ ହରାଇଥିଲା। ଏମିତ ଏକ ଦୁଃସମୟରେ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ମଣିଷ ନିଜ ଜୀବନ କାଳର ସମ୍ପୂର୍ଣ୍ଣ ଆୟୂଷ ଓ ସର୍ବସ୍ୱ ସମର୍ପଣ କରି ଏହି ଜାତିର ପରିଚୟ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ। ସେହି ମହାନ ଜାତିପ୍ରେମୀ ଓଡ଼ିଆ ଜାତିର ଭଗୀରଥ ଅଟନ୍ତି ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ। ତାଙ୍କ ଅଧିନାୟକତ୍ୱରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ‘ଓଡ଼ିଶା’ ପ୍ରଦେଶ ଗଠନ ପାଇଁ ବିରାମହୀନ ସଂଗ୍ରାମ ଓ ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶର ଗଠନ ହେଉଛି ଏକ ଯୁଗାନ୍ତକାରୀ ଘଟଣା।

ସ୍ୱତନ୍ତ୍ର ଓଡ଼ିଶାର ପ୍ରତିଷ୍ଠାତା ରୂପେ ସମଗ୍ର ଓଡ଼ିଶାର ଭୂଖଣ୍ଡ ହେଉଛି ମଧୁସୂଦନଙ୍କର ଓଡ଼ିଆ ଜାତି ପ୍ରତି ପ୍ରତିଶ୍ରୁତିବଦ୍ଧତାର ଦାନ। ଏହି ଯୁଗାନ୍ତକାରୀ ଦେଶ-ମିଶ୍ରଣ ସଂଗ୍ରାମରେ ତାଙ୍କ ଅଧିନାୟକତ୍ୱରେ ଯେଉଁ ମହାମନୀଷୀମାନେ ସମର୍ପିତ ଭାବରେ ନିଜକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଗୌରୀଶଙ୍କର ରାୟ, ବ୍ରଜ ସୁନ୍ଦର ଦାସ, ଭୁବନାନନ୍ଦ ଦାସ, ରାମଶଙ୍କର ରାୟ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ବ୍ରଜବନ୍ଧୁ ଦାସ, ଲେଖକମାନଙ୍କ ମଧ୍ୟରୁ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ, ନନ୍ଦକିଶୋର ବଳ, ଗଙ୍ଗାଧର ମେହେର, ବିଚ୍ଛନ୍ଦାଚରଣ ପଟ୍ଟନାୟକ, ଆର୍ତ୍ତବଲ୍ଲଭ ମହାନ୍ତି, ପଶ୍ଚିମ ଓଡ଼ିଶାରୁ ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ମଦନ ବିହାରୀ ଦାସ, ଶ୍ରୀପତି ମିଶ୍ର ପ୍ରମୁଖ, ଖରସୁଅାଁରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାରୁ ଶଶିଭୂଷଣ ରଥ, ନରସିଂହ ଦାସ, ନିରଞ୍ଜନ ପଟ୍ଟନାୟକ, ହରିହର ପଣ୍ଡା, ସତ୍ୟବାଦୀରୁ ଗୋପବନ୍ଦୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ପ୍ରମୁଖ ଅଟନ୍ତି।

ସେ ଓଡ଼ିଶାର ପଲ୍ଲୀ ଅର୍ଥନୀତିର ପଟ୍ଟଭୂମିରେ ଜନ୍ମଗ୍ରହଣ କରି ତାଙ୍କର ପ୍ରଖର ବୁଦ୍ଧିମତ୍ତା ଓ ଅନୁସନ୍ଧିତ୍ସା ଦ୍ୱାରା ବାଲ୍ୟକାଳରୁ ଓଡ଼ିଶାର କୃଷି ଓ ଗ୍ରାମ୍ୟଶିଳ୍ପର ଉତ୍ପାଦନ ପ୍ରକ୍ରିୟା ସହ ଘନିଷ୍ଠ ଭାବେ ନିଜକୁ ଜଡ଼ିତ କରିଥିଲେ। ଓଡ଼ିଶାର ଦୁର୍ବଳ ଅର୍ଥନୀତିର ମୌଳିକ ସମସ୍ୟାଗୁଡ଼ିକୁ ଅତି ଗଭୀର ଭାବରେ ଅନୁଧ୍ୟାନ କରି ଏହି ଜାତିର ସାମଗ୍ରିକ ଉନ୍ନତି ପାଇଁ ପ୍ରତ୍ୟେକ ଓଡ଼ିଆ ଏକ ହେବା ଏବଂ କୋଟିଏ ପ୍ରାଣରେ ଗୋଟିଏ ସ୍ୱରର ପ୍ରତିଧ୍ୱନିତ କରାଇବାର ଦୁର୍ବାର ପ୍ରୟାସ କରି ସେଥିରେ ସଫଳ ହେବା ତାଙ୍କ ବିରଳ ମାଟିମନସ୍କତାର ପ୍ରମାଣ ଦିଏ।
ଓଡ଼ିଆ ଭାଷାର ଅସ୍ତିତ୍ୱ ବଜାୟ ରଖିବା ପାଇଁ ତାଙ୍କ ମନ ଓ ହୃଦୟର ପ୍ରତ୍ୟେକ ତନ୍ତ୍ରୀ ସମର୍ପିତ ଥିଲା। ଇଂରେଜ ସରକାର ଦ୍ୱାରା ସମ୍ୱଲପୁରରେ ଓଡ଼ିଆ ଭାଷା ଉଚ୍ଛେଦର ଘୋଷଣାନାମା ପରେ ମଧୁସୂଦନ ୧୮୯୫ ର ଫେବୃୟାରୀରୁ ମଇ ମାସ ମଧ୍ୟରେ ପ୍ରାୟ ପ୍ରତିପକ୍ଷରେ ‘ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ନିର୍ବାସନ’ ଶୀର୍ଷକ ଆଠଗୋଟି ଭାଷା ସମ୍ପର୍କିତ ନିବନ୍ଧ ଇଂରାଜୀ ଭାଷାରେ ‘ଏନ୍‌‌ ଓରିଆ’ ଲେଖକୀୟ ନାମରେ ‘ଉତ୍କଳ ଦୀପିକା’ରେ ପ୍ରକାଶ କରି ବ୍ରିଟିଶ ପ୍ରସାଶନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଅନ୍ତିମ ଲେଖାରେ ବ୍ରିଟିଶ ସରକାରକୁ ଆକ୍ଷେପ କରି ସେ ଲେଖିଥିଲେ, ‘ମାତୃଭାଷାର କଣ୍ଠରୋଧ କରିବା ଭଳି ଜଘନ୍ୟ ଅପରାଧ ବର୍ବରତମ ପ୍ରଶାସନରେ ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ।’ ଏଥିରୁ ମାତୃଭାଷାର ସୁରକ୍ଷା ପ୍ରତି ସେ କେତେ ସମର୍ପିତ ଓ ନିର୍ଭୀକ ଥିଲେ ତାହା ପ୍ରମାଣ ଦିଏ। ‘ଏନ୍‌‌ ଓରିଆ’ର ଲେଖକୀୟ ନାମରେ ‘ଅଭିନୀତ ନାଟକର ପର୍ଯ୍ୟାଲୋଚନା’, ‘ୟୁରୋପ ଭ୍ରମଣ ଡାଏରୀ’, ‘କର୍ଜନଙ୍କର ଓଡ଼ିଶା ପରିଦର୍ଶନ’, ‘ଚାଷୀର କଷଣ ଶିଳ୍ପୀର ଦୈନ୍ୟ’, ‘ଉତ୍କଳ ସମ୍ମିଳନୀ ଓଡ଼ିଶାର ଅନ୍ତର୍ନିହିତ ସ୍ୱାର୍ଥ ତଥା ପ୍ରଶାସନର ଅତ୍ୟାଚାର’ ସମ୍ପର୍କରେ ପ୍ରକାଶିତ କରି ଓଡ଼ିଶାର ଗରିମାମୟ ମହତ୍ୱକୁ ସଗର୍ବେ ଉପସ୍ଥାପନ କରିଥିଲେ। ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ଗୃହୀତ ପ୍ରସ୍ତାବବଳୀ ସର୍ବପ୍ରଥମେ ଓଡ଼ିଆ ଭାଷାରେ ଗ୍ରହଣ କରି ବଙ୍ଗ ଆଦି ଭାରତର ବହୁ ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ମଧୁସୂଦନ ପ୍ରଗାଢ଼ ଜାତିପ୍ରୀତି ଆଧାରରେ ଯେଉଁ ଭାବୋଦ୍ଦୀପକ ଲେଖା, ନିବନ୍ଧ, ବକ୍ତୃତା ଏବଂ କବିତାମାନ ରଚନା କରିଛନ୍ତି, ତାହା ଓଡ଼ିଆ ସାହିତ୍ୟକୁ ଚିରଦିନ ପାଇଁ ରୁଦ୍ଧିମନ୍ତ କରିଛି।
ମଧୁସୂଦନଙ୍କ ମାତୃଭାଷା ପ୍ରତି ବିରଳ ପ୍ରତିଶ୍ରୁତିବଦ୍ଧତା ଓ ସମର୍ପଣ ଭାବରେ ପ୍ରଭାବିତ ହୋଇ ମହାତ୍ମା ଗାନ୍ଧୀ ୧୯୨୫ ମସିହାରେ କଟକଠାରେ କହିଥିଲେ, ‘ଜଣେ ବ୍ୟକ୍ତି ମାତୃଭାଷାକୁ ପରିତ୍ୟାଗ କରି ଯଦି ଅନ୍ୟ ଏକ ଭାଷାକୁ ଗ୍ରହଣ କରେ, ସେ ନିଶ୍ଚିତରେ ତାହାର ସମାଜ ଆଉ ସଂସ୍କୃତି ପ୍ରତି ବୈର ଭାବ ଯୋଗୁଁ ଏହା କରିଥାଏ। ଆଉ ପରିଣାମରେ ହୋଇଥାଏ ସମାଜରୁ ବିଚ୍ଛିନ୍ନ। ସମାଜରୁ ବିଚ୍ଛିନ୍ନ ହେବା ଏକ ଭାବଗତ ବିରୋଧୀ କାର୍ଯ୍ୟ। ଏଣୁ ଅନ୍ୟ ଅର୍ଥରେ ମାତୃଭାଷାର ନିର୍ବାସନ ପ୍ରକୃତରେ ଏକ ଭାବଗତ ଦ୍ରୋହୀ କାର୍ଯ୍ୟକ୍ରମ ଅଟେ।’
ମଧୁସୂଦନ ଶୈଶବରୁ ଓଡ଼ିଆ ଅସ୍ମିତାର ସ୍ୱର ଶୁଣିଥିଲେ ଓଡ଼ିଆ ଭାଷାର କାବ୍ୟ ସମ୍ଭାର ମଧ୍ୟରେ। ଓଡ଼ିଆ ସାହିତ୍ୟର ଆଦ୍ୟ ଉତ୍ସରୁ ପ୍ରବାହିତ ଜାତିପ୍ରେମର ଅମୃତ ଧାରାକୁ ପାନ କରି ଋଦ୍ଧିମନ୍ତ ହୋଇଥିଲା ତାଙ୍କ କୈଶୋର ସୁଲଭ ପ୍ରାଣ। ସେ ସମ୍ପର୍କରେ ତାଙ୍କର ଏକାନ୍ତ ସ୍ୱୀକାରୋକ୍ତି ଥିଲା – ‘ପିଲାଦିନେ କୋଇଲି ଗୋପୀଭାଷା ପଢ଼଼ିଥିଲି। ମୋର ମାଆଙ୍କୁ ଖୁସି କରାଇବା ପାଇଁ ବଳରାମ ଦାସଙ୍କ ରାମାୟଣ, ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ପୋଥିରୁ ପଢ଼଼ି ଶୁଣାଉଥିଲି। ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ଲାବଣ୍ୟବତୀ, ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି, ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ ଉପର ଠାଉରିଆ ଭାବେ ପଢ଼଼ିଥିଲି।’ ବାସ୍ତବରେ ମଧୁସୂଦନ ଏହି ସବୁ ଅମୂଲ୍ୟ ଗ୍ରନ୍ଥକୁ ଅତ୍ୟନ୍ତ ପ୍ରଗାଢ଼ ମନୋନିବେଶ ସହିତ ଅଧ୍ୟୟନ କରିଥିଲେ ଯଦ୍ୱାରା ବହୁ ଛାନ୍ଦ ତାଙ୍କର କଣ୍ଠସ୍ଥ ଥିଲା। ଏ ସମ୍ପର୍କରେ ଭାଷାବିତ୍‌‌ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଗଭୀର ଅଭିବ୍ୟକ୍ତି ଥିଲା – ‘ହେ ମଧୁସୂଦନ! ତୁମେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ଆଦିଙ୍କର ବଡ଼ବଡ଼ ଛାନ୍ଦମାନ ମୁହଁରେ ନଝୁଣ୍ଟି ଆବୃତ୍ତି କରିଥିବା ଯେ ଶୁଣିଛନ୍ତି, କବିସୂର୍ଯ୍ୟ, ବନମାଳୀ ଆଦିଙ୍କର ସଙ୍ଗୀତ ବୋଲିବାର ଯେ ଶୁଣିଛନ୍ତି, ତୁମ ବକ୍ତୃତା ଯେ ଶୁଣିଛି ସେ ଜାଣେ ଯେ, ତୁମେ ଉଚ୍ଚଶ୍ରେଣୀର ସାହିତ୍ୟାନୁରାଗୀ ଓ ସାହିତ୍ୟସେବୀ ଥିଲ।’
ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ତାଙ୍କର ଏକମାତ୍ର ପରିଚୟ ଥିଲା ‘ଓଡ଼ିଆ’ ଆଉ ‘ଓଡ଼ିଆ’। ସେ ଥିଲେ ସର୍ବକାଳୀନ ସର୍ବଶ୍ରେଷ୍ଠ ଓଡ଼ିଆ। ସମଗ୍ର ଓଡ଼ିଶା ପ୍ରଦେଶ ହିଁ ହେଉଛି ମଧୁବାବୁଙ୍କର ସିଦ୍ଧି ଆଉ ଉପଲବ୍ଧି। ସେ ଥିଲେ ନବ ଓଡ଼ିଶାର ନିର୍ମାତା। ତାଙ୍କର ବିହୁନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା ଥିଲା ଅଚିନ୍ତନୀୟ। ତାଙ୍କର ଚିନ୍ତା, ଚେତନା, ଜୀବନ ଦର୍ଶନ ପ୍ରତ୍ୟେକ ଓଡ଼ିଆ ପାଇଁ ସବୁଦିନ ପ୍ରେରଣାର ଉତ୍ସ ହୋଇ ରହିବ। ସେହି ମହାନ ବ୍ୟକ୍ତିତ୍ୱକୁ ଉତ୍ତର ପିଢ଼ି ପାଖରେ ଯେତେ ପ୍ରଭାବୀ ଭାବରେ ଉପସ୍ଥାପନ କରିବା ଆମ ଜାତି ସେତେ ଅଧିକ ସମୃଦ୍ଧ ଓ ସ୍ୱାବଲମ୍ୱୀ ହୋଇପାରିବ।

ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ:୯୩୫୦୧୨୭୩୭୦

About The Author: The Sakala