ମିଳିତ ଜାତିସଂଘ ଦ୍ୱାରା ଧାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ଅନ୍ୟତମ ସୋପାନ ହେଉଛି ବିଶ୍ୱର ସବୁ ରାଷ୍ଟ୍ର ୨୦୩୦ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଆବଶ୍ୟକ। ଜାତିସଂଘ ଦ୍ୱାରା ବହୁମୁଖୀ ଦାରିଦ୍ର୍ୟର ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ସେଥିରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ଖାଦ୍ୟ ନିରାପତ୍ତା, ପୁଷ୍ଟିସାଧନ, ଶିକ୍ଷାରେ ସ୍ୱାବଲମ୍ବନଶୀଳତା, ସାମାଜିକ-ଅର୍ଥନୈତିକ ମାନଦଣ୍ଡର ବିକାଶ ଆଦି କାରକ ଅନ୍ତର୍ଭୁକ୍ତ। ୟୁଏନ୍ଡିପିର ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ଏବେ ୧୧୦ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ବର୍ଗରେ ଥିବା ବେଳେ ଭାରତ ସମେତ ଦକ୍ଷିଣ-ଏସିଆ ଓ ଆଫ୍ରିକାରେ ସେମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ। ତେଣୁ ଭାରତ ପରି ବିଶାଳ ଓ ବିଶ୍ୱର ସର୍ବବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶରେ ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣ ପ୍ରସଙ୍ଗ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରୀ, ଅର୍ଦ୍ଧସରକାରୀ ଓ ବେସରକାରୀ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଚାଲିଛି। ଖାଦ୍ୟ ନିରାପତ୍ତା, ନିଶ୍ଚିତ ରୋଜଗାର ଯୋଜନା, ମାଗଣା ବା ରିହାତି ଦରରେ ବିଜୁଳି, ପାଣି, ଇନ୍ଧନ, ଘର, ସ୍ୱାସ୍ଥ୍ୟସେବା, ପୁଷ୍ଟିସାଧନ, କୃଷି ବୀମା ଓ ରିହାତି ବାବଦ ନଗଦ ହସ୍ତାନ୍ତର ଆଦି ବିଭିନ୍ନ ଯୋଜନା ଜରିଆରେ ସରକାର ବିପୁଳ ପରିମାଣର ଅର୍ଥ ସମାଜରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଗାଇ ଆସୁଛନ୍ତି। ଏ ଦିଗରେ ଯୋଜନା ଆୟୋଗ, ନିତି ଆୟୋଗ, ଜେ-ପଲ୍ ସାଉଥ ଏସିଆ, ଅମିଜ୍ ପ୍ରେମଜୀ ଫାଉଣ୍ଡେସନ୍, ସେୱା ପରି ଅନେକ ସଂସ୍ଥା ମଧ୍ୟ ନିରନ୍ତର ଗବେଷଣା ଓ ପ୍ରୟୋଗ ଜାରି ରଖିଛନ୍ତି। ଦାରିଦ୍ର୍ୟ ଦୂରୀକରଣରେ ଏସବୁର ପ୍ରଭାବ ମଧ୍ୟ ଅନେକାଂଶରେ ଉପଲବ୍ଧ ହେଉଛି। କିନ୍ତୁ ଦାରିଦ୍ର୍ୟ ଦୂରୀକରଣ ହାରକୁ ଅନୁଶୀଳନ କଲେ ମିଳିତ ଜାତିସଂଘର ଲକ୍ଷ୍ୟ ସୁଦୂର ପରାହତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଏହି ପୃଷ୍ଠଭୂମିରେ ସାର୍ବଜନୀନ ମୌଳିକ ଆୟ ବା ୟୁନିଭର୍ସାଲ୍ ବେସିକ୍ ଇନ୍କମ୍(ୟୁବିଆଇ)କୁ ଦାରିଦ୍ର୍ୟ ଦୂରୀକରଣର ଏକ ବିକଳ୍ପ ଯୋଜନା ଭାବେ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇ ଆସୁଛି। ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ପ୍ରତ୍ୟକ୍ଷ ନଗଦ ବା ଅର୍ଥର ଗୁରୁତ୍ୱ ଅଧିକ ଥିବାରୁ ୟୁବିଆଇ ଏକ ଫଳପ୍ରଦ ବିକଳ୍ପ ସାବ୍ୟସ୍ତ ହେବାର ଆଶା ରହିଛି।
ଅନେକ ଦେଶରେ ଓ ଭାରତର ବିଭିନ୍ନ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଶିଶୁ କଲ୍ୟାଣ ଭତ୍ତା, ମାତୃତ୍ୱ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଆଦି ଯୋଜନାରେ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର ଜରିଆରେ ସମାଜର ଗରିବ ବର୍ଗର ଜନସାଧାରଣଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ପଦକ୍ଷେପମାନ ନିଆଯାଉଛି। କିନ୍ତୁ ୟୁବିଆଇ ହେଉଛି ଏପରି ଏକ ଚିନ୍ତାଧାରା, ଯେଉଁଥିରେ ସମାଜର ଆର୍ଥିକ ଦୃଷ୍ଟିରୁ ବୃହତ୍ତର ଦୁର୍ବଳ ବର୍ଗର ସମସ୍ତ ଲୋକଙ୍କୁ(ବୃଦ୍ଧ, ମହିଳା, ଶିଶୁ, ସକ୍ଷମ, ଭିନ୍ନକ୍ଷମ ନିର୍ବିଶେଷରେ) ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣର ନିଶ୍ଚିତ ଓ ନିୟମିତ ନଗଦ ରାଶି ନିଃସର୍ତ୍ତ ଭାବରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସାଧାରଣତଃ ନିର୍ବାଚନରେ ସମୟରେ ୟୁବିଆଇ ଏବଂ ପ୍ରାୟତଃ ସେହି ଧରଣର ଯୋଜନା(କ୍ୱାସିୟୁବିଆଇ) ଘୋଷଣା କିମ୍ବା ଚର୍ଚ୍ଚା ହୁଏ।
ୟୁବିଆଇ ଚିନ୍ତାଧାରାର ଆଦ୍ୟଜନକ ହେଉଛନ୍ତି ଇଂଲିଶ୍ ଦାର୍ଶନିକ ଥୋମାସ୍ ମୋର। ୧୫୧୬ ମସିହାରେ ସେ ଯେଉଁ ସମାଜ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ସେଥିରେ ସମସ୍ତଙ୍କୁ ନିଶ୍ଚିତ ଆୟର ପ୍ରସ୍ତାବ ଥିଲା। ତାଙ୍କର ପ୍ରସିଦ୍ଧ ଉକ୍ତି ଥିଲା କଠୋରରୁ କଠୋରତମ ଦଣ୍ଡ ନୁହେଁ, ବରଂ ଯଦି ସମସ୍ତଙ୍କୁ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ଅର୍ଥରାଶି ଯୋଗାଇବା ନିଶ୍ଚିତ କରିଦିଆଯାଏ ତେବେ ଚୋରି ଭଳି ଅପରାଧ ଉଲ୍ଲେଖନୀୟ ହ୍ରାସ ପାଇପାରିବ। ପରବର୍ତ୍ତୀ ସମୟରେ ଥୋମାସ୍ ସ୍ପେନ୍ସ, ଥୋମାସ୍ ପାଇନ୍, ବର୍ଟ୍ରାଣ୍ଡ ରସେଲ୍ଙ୍କ ପରି ଅର୍ଥନୀତିଜ୍ଞମାନେ ନିଜସ୍ୱ ପରିକଳ୍ପନାରେ ୟୁବିଆଇ ଚିନ୍ତାଧାରାକୁ ଆହୁରି ପରିବର୍ଦ୍ଧିତ ଓ ପରିବ୍ୟାପ୍ତ କରିଥିଲେ। ମଡେଲ୍ ଭିନ୍ନ ହେଲେ ମଧ୍ୟ ସମସ୍ତଙ୍କର ପ୍ରାୟ ସମାନ ଉଦ୍ଦେଶ୍ୟ ଥିଲା ଯେ ଦାରିଦ୍ର୍ୟକୁ ଗୋଟିଏ ପିଢ଼ିରେ ହିଁ ସୀମିତ କରି ସମାଜରେ ଅର୍ଥନୈତିକ ସମାନତା ଆଣିବାରେ ୟୁବିଆଇ ଏକ ଶ୍ରେଷ୍ଠ ବିକଳ୍ପ। ଐତିହାସିକଙ୍କ ମତରେ ୟୁବିଆଇ ଚିନ୍ତାଧାରା ଖ୍ରୀଷ୍ଟପୂର୍ବ ୪୬ରୁ ରୋମରେ କାର୍ଯ୍ୟକାରୀ ହୋଇସାରିଥିଲା। ତେବେ ଏହାର ବ୍ୟବସ୍ଥିତ ଓ ପ୍ରୟୋଗାତ୍ମକ ରୂପରେଖ ସାମ୍ନାକୁ ଆସିଲା ୨୦୦୮ ମସିହାରେ। ସେହିବର୍ଷ ନାମିବିଆରେ ବିଶ୍ୱର ପ୍ରଥମ ୟୁବିଆଇ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ଇତିମଧ୍ୟରେ ଭାରତ ସମେତ ବିଶ୍ୱର ଆଠଟି ଦେଶରେ ୟୁବିଆଇର ପାଇଲଟ୍ ପ୍ରକଳ୍ପ ସଫଳ ଭାବେ କାର୍ଯ୍ୟକାରୀ ହୋଇସାରିଛି। କିନ୍ତୁ କେବଳ ଇରାନ୍ ଓ ମଙ୍ଗୋଲିଆ(ସାମୟିକ)କୁ ଛାଡ଼ିଦେଲେ କୌଣସି ଦେଶର ସରକାର ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ନାହାନ୍ତି।
ଭାରତରେ ସରକାରୀ ଭାବେ ୟୁବିଆଇ କାର୍ଯ୍ୟକାରୀ କରିବାର ପ୍ରଥମ ପ୍ରୟାସ ଆରମ୍ଭ ହୋଇଥିଲା ୨୦୧୬-୧୭ରେ। ସେହିବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ୟୁବିଆଇ ସପକ୍ଷରେ ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଦ୍ୱାରା ଗଠିତ ‘ଅସମାନତା ଆୟୋଗ’ ରିପୋର୍ଟରେ ମଧ୍ୟ ଏହା ସପକ୍ଷରେ ସୁପାରିସ କରାଯାଇଥିଲା। ସୁବ୍ରମଣ୍ୟନ୍ଙ୍କ ଏହି ପ୍ରସ୍ତାବର ଆଧାର ଥିଲା ୨୦୧୦ରେ ଭାରତ ଓ ଏସିଆର ପ୍ରଥମ ୟୁବିଆଇ ପାଇଲଟ୍ ପ୍ରକଳ୍ପର ସଫଳତା ଓ ନିଷ୍କର୍ଷ। ୨୦୧୦ ରୁ ୨୦୧୩ ମଧ୍ୟରେ ‘ସେୱା’ ନାମକ ମହିଳା ସଂଗଠନ, ମଧ୍ୟପ୍ରଦେଶ ସରକାର ଓ ୟୁନିସେଫ୍ ଆନୁକୂଲ୍ୟରେ ମଧ୍ୟପ୍ରଦେଶରେ ‘ମଧ୍ୟପ୍ରଦେଶ ଅନ୍କଣ୍ଡିସନାଲ୍ କ୍ୟାସ୍ ଟ୍ରାନ୍ସଫର ପ୍ରୋଜେକ୍ଟ’ ନାମରେ କେତୋଟି ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଦିଲ୍ଲୀରେ ମଧ୍ୟ ଏକା ସମୟରେ ଦୁଇଟି ପ୍ରକଳ୍ପ ଆରମ୍ଭ ହେଲା। ଏ ସମସ୍ତ ପ୍ରକଳ୍ପ ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଏହି ଯୋଜନାର ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସାମାଜିକ କ୍ଷେତ୍ର ସହିତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି, ଋଣ ଭାର ହ୍ରାସ ପାଇଛି, ଉତ୍ପାଦକତା ବଢ଼଼ିଛି। ଅଧିକ ଟଙ୍କା ନିଶାସକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ଯେଉଁ ଅଭିଯୋଗ ହେଉଛି ତାହା ମଧ୍ୟ ଉପରୋକ୍ତ ପ୍ରକଳ୍ପ ରିପୋର୍ଟରେ ଭୁଲ୍ ବୋଲି ଦର୍ଶାଯାଇଥିଲା। ସେହିପରି ୨୦୨୨ ମସିହାରେ ବାଥ୍ ବିଶ୍ୱବିଦ୍ୟାଳୟ, ମଣ୍ଟଫୋର୍ଟ ସୋସିଆଲ୍ ଇନ୍ଷ୍ଟିଚ୍ୟୁଟ୍, ୟୁରୋପିଆନ୍ ରିସର୍ଚ୍ଚ କାଉନ୍ସିଲ୍ ଦ୍ୱାରା ପରିଚାଳିତ ଇଣ୍ଡିଆ ନେଟ୍ୱର୍କ ଫର ବେସିକ୍ ଇନ୍କମ୍ର ମିଳିତ ଆନୁକୂଲ୍ୟରେ ତେଲଙ୍ଗାନାରେ ‘ୱାର୍କଫ୍ରି’ ନାମରେ ୟୁବିଆଇର ଆଉ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୧୮ ମାସ ପରେ ଦେଖାଗଲା ଯେ ହିତାଧିକାରୀମାନେ ସେହି ଟଙ୍କାରେ ଚୁଡ଼ି ବ୍ୟବସାୟ ଆରମ୍ଭ କରି ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ଉଲ୍ଳେଖନୀୟ ପରିବର୍ତ୍ତନ ଆଣିପାରିଥିଲେ।
ଓଡ଼ିଶାର କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୟୁବିଆଇର ସଫଳ ପ୍ରୟୋଗ ହୋଇସାରିଛି। ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରାପ୍ତ ଅଭିଜିତ୍ ବାନାର୍ଜୀ, ଇ ଡୁଫ୍ଲୋଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜେ-ପଲ୍(ଅବଦୁଲ୍ ଲତିଫ୍ ଜମିଲ୍ ପୋଭର୍ଟି ଆକ୍ସନ୍ ଲାବ୍) ସାଉଥ ଏସିଆ’ ଉପରୋକ୍ତ ଦୁଇ ଜିଲ୍ଲାର ପ୍ରାୟ ୪୦୦ ଗ୍ରାମ ପଞ୍ଚାୟତରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୨୦୨୦ ମସିହାରେ ଏହି ପ୍ରୟୋଗ ଆରମ୍ଭ କରିଥିଲା। ଏହି ଦୀର୍ଘ ସମାବେଶୀ ପ୍ରୟୋଗାତ୍ମକ ଗବେଷଣାତ୍ମକ ରିପୋର୍ଟରେ ଜେ-ପଲ୍ ଉଲ୍ଲେଖ କରିଥିଲା ଯେ ମାସିକ ଶହେ ଟଙ୍କା ଆଜିର ଯୁଗରେ ମାମୁଲି ହେଲେ ମଧ୍ୟ ଗରିବରୁ ଅତିଗରିବ ହିତାଧିକାରୀଙ୍କ ମଧ୍ୟରୁ ୧୦ ଭାଗ ଲୋକଙ୍କର ମାସିକ ଉପଭୋଗ(କଞ୍ଜପସନ୍) ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ସାମଗ୍ରିକ ଭାବେ ସମସ୍ତ ହିତାଧିକାରୀଙ୍କ ମାସିକ ଉପଭୋଗ ୧୪% ବଢ଼଼ିଛି। ନାବାଳକମାନଙ୍କ ପ୍ରାପ୍ୟ ସେମାନଙ୍କ ମାଆମାନଙ୍କ ଆକାଉଣ୍ଟରେ ଜମା ହେବା ଫଳରେ ସେହି ବର୍ଗର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣରେ ଉଲ୍ଲେଖନୀୟ ଉନ୍ନତି ଦେଖାଦେଇଛି। ତେଣୁ ୟୁବିଆଇ ଜରିଆରେ ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ମିଳିପାରିବ ବୋଲି ଜେ-ପଲ୍ ପ୍ରସ୍ତାବ ଦେଇଥିଲା।
କେତେକ ସମାଜ-ଅର୍ଥ ଶାସ୍ତ୍ରୀ ୟୁବିଆଇକୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ଉତ୍ତମ, ଦୁର୍ନୀତିମୁକ୍ତ ଏବଂ ସରଳ, ସୁଲଭ ପ୍ରଶାସନିକ ବ୍ୟବସ୍ଥାଗତ ବିକଳ୍ପ ଭାବେ ଅଭିହିତ କରୁଥିବା ବେଳେ ଆଉ କେତେଜଣ ଏହାର ରୂପାୟନରେ ଥିବା ଜଟିଳତା ପ୍ରତି ସତର୍କ କରାଇ ଦେଇଛନ୍ତି। ସେହିପରି ଆଉ କେତେକ ଦର୍ଶାଇଛନ୍ତି ଯେ ଏହାଦ୍ୱାରା ଲୋକେ କର୍ମକୁଣ୍ଠ ଓ ଶ୍ରମବିମୁଖ ହୋଇଯିବାର ଆଶଙ୍କା ଅଧିକ ରହିଥିବାରୁ ଦେଶର ମାନବ ସମ୍ବଳର ଉତ୍ପାଦକତା ହ୍ରାସ ପାଇବ। ଏହାଛଡ଼ା ଦେଶର ରାଜକୋଷ ଉପରେ ଅଧିକ ଚାପ ସୃଷ୍ଟି ହେବ, ଦେଶର ଋଣ ଭାର, ମୁଦ୍ରାସ୍ଫୀତି, କର ଓ ଟିକସ ହାର ବୃଦ୍ଧି ପାଇବ, ଯୋଜନା ବ୍ୟୟବରାଦ କାଣ୍ଟଛାଣ୍ଟ ହେବ ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ମୌଳିକ ଆବଶ୍ୟକତା ପ୍ରତି ସରକାର ଅଧିକ ବ୍ୟୟବରାଦ କରିବେ ନାହିଁ। ବର୍ତ୍ତମାନର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ୱରନ୍ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ୟୁବିଆଇର ପ୍ରାସଙ୍ଗିକତା ଓ ଉପଯୋଗିତା ନାହିଁ ବୋଲି ଦର୍ଶାଇଛନ୍ତି। ଭାରତରେ ବହୁଦଳୀୟ ଶାସନ ବ୍ୟବସ୍ଥା କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଥିବାରୁ ୟୁବିଆଇ କାର୍ଯ୍ୟକାରୀ କରିବାରେ ଦଳୀୟ ଆଦର୍ଶଗତ ବିରୋଧାଭାସ ଉଠି ପାରେ ବୋଲି କେତେକ ରାଜନୀତି-ଅର୍ଥନୀତିଜ୍ଞ ମତ ଦେଇଛନ୍ତି।
ଉପରୋକ୍ତ କେତେକ ପାଇଲଟ୍ ପ୍ରକଳ୍ପର ସିଦ୍ଧାନ୍ତରୁ ଏହା ଜଣାପଡ଼େ ଯେ ସମାଜର ସବୁଠାରୁ ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରତିଟି ସଦସ୍ୟଙ୍କୁ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଜନା ସହିତ ସମାନ୍ତରାଳ ଭାବରେ ୟୁବିଆଇ କାର୍ଯ୍ୟକାରୀ କରାଗଲେ ସେମାନଙ୍କ ଆର୍ଥିକ ସ୍ୱାଧୀନତା, ମାନସିକ ଓ ସ୍ବାସ୍ଥ୍ୟଗତ ସ୍ଥିତିରେ ଉନ୍ନତି ଆସିବା ସହିତ ଜୀବନଧାରଣ ମାନ ବିକଶିତ ହୋଇପାରିବ। ସାମଗ୍ରିକ ଭାବରେ ଚାହିଦା ଓ ଯୋଗାଣ ବୃଦ୍ଧି ଜରିଆରେ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗର ସମ୍ପ୍ରସାରଣ, ମୁଣ୍ଡ ପିଛା ଆୟ ବୃଦ୍ଧି ପାଇପାରିବ। ଅନେକେ ମଧ୍ୟ ଯୁକ୍ତି କରନ୍ତି ଯେ ଭାରତରେ ମାଗଣା ରାସନ୍, ବିଭିନ୍ନ ରିହାତିମୂଳକ ଯୋଜନା ବାବଦରେ ଉପଭୋକ୍ତାଙ୍କୁ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର(ଡିବିଟି) କରାଯାଉଥିବାରୁ ୟୁବିଆଇର ଆବଶ୍ୟକତା ନାହିଁ। କିନ୍ତୁ ଡିବିଟି କେବଳ ବ୍ୟାବହାରିକ ବା ଉପଭୋଗ ଭିତ୍ତିକ ହୋଇଥିବାରୁ ଏହା ସମାଜରେ ଆର୍ଥିକ ସମାନତା ଆଣିପାରିବ ନାହିଁ। ଅରବିନ୍ଦ ସୁବ୍ରମଣ୍ୟନ୍ ମତ ଦେଇଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଥିବା ସଂଗ୍ରହ, ଭଣ୍ଡାରଣ, ପରିବହନ, ସୁଲଭ ବିକ୍ରୟ କେନ୍ଦ୍ରର ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାହା ତୁଳନାରେ ୟୁବିଆଇରେ ତୁଳନାତ୍ମକ ଭାବେ କମ୍ ଖର୍ଚ୍ଚ ହେବ। ଅପରପକ୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ କରିଦିଆଗଲେ ଖାଉଟି ସାମଗ୍ରୀର ବଜାର ଦର ବଢ଼଼ିଯିବ, ଯାହାକୁ ୟୁବିଆଇ ଦ୍ବାରା ସମାଧାନ କରିହେବ ନାହିଁ। ତେଣୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ୟୁବିଆଇ କାର୍ଯ୍ୟକାରୀ ହେବା ସର୍ବାଦୌ ବାଞ୍ଛନୀୟ।
ଗୌରୀ ପ୍ରସାଦ ମହାପାତ୍ର
ଭୁବନେଶ୍ୱର, ମୋ: ୯୩୩୮୦୮୭୯୦୦