ଆଜି (ଫେବୃୟାରୀ ୨୪) ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଏକ ବର୍ଷ ପୂରିଲା। ଯେଉଁମାନେ ଆରମ୍ଭରେ ଏହାକୁ ଏକ ସଂକ୍ଷିପ୍ତ ଯୁଦ୍ଧ ବୋଲି ଆକଳନ କରିଥିଲେ ସେମାନଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଛି। ସେହିଭଳି ଯେଉଁମାନେ ଆମେରିକା ସମ୍ପୃକ୍ତି ସମ୍ପର୍କରେ ଦ୍ୱନ୍ଦ୍ୱରେ ଥିଲେ ରାଷ୍ଟ୍ରପତି ବାଇଡେନ୍ଙ୍କ ଅପ୍ରତ୍ୟାଶିତ ୟୁକ୍ରେନ୍ ଗସ୍ତ ପରେ ସେମାନଙ୍କ ଆଖି ଖୋଲି ଯାଇଛି। ବିଶ୍ୱ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଏବଂ ବିଶ୍ୱ ରାଜନୀତି, ଅର୍ଥନୀତି ଓ କୂଟନୀତି ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ। ବର୍ତ୍ତମାନ ଉଭୟ ରୁଷ ଓ ଆମେରିକା ପ୍ରତ୍ୟକ୍ଷ ଭାବରେ ମୁହାମୁହିଁ ହୋଇଛନ୍ତି। ୟୁକ୍ରେନ୍ କେବଳ ଏକ ଛାୟା ରାଷ୍ଟ୍ର ବା ବିଶ୍ୱ ରାଜନୀତିର ପଶାପାଲିରେ ଏକ ଗୋଟି ହୋଇ ରହିଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ୟୁକ୍ରେନ୍ ଓ ରୁଷ୍ର ହଜାର ହଜାର ସୈନିକ ମୃତାହତ ହେଲେଣି। ୟୁକ୍ରେନ୍ର ଅନେକ ସାଧାରଣ ନାଗରିକ ମଧ୍ୟ ମୃତାହତ ହୋଇଛନ୍ତି। ସେଠାକାର ଶକ୍ତି ଉତ୍ପାଦନ ଓ ବିତରଣ ବ୍ୟବସ୍ଥା ଏକପ୍ରକାର ଧ୍ୱଂସ ହୋଇଯାଇଛି। ଯୁଦ୍ଧର ପ୍ରଭାବରେ ୟୁରୋପ, ଆଫ୍ରିକା ଓ ଅନ୍ୟାନ୍ୟ ଦେଶରେ ଖାଦ୍ୟ ଓ ଶକ୍ତି ସଂକଟ ଉତ୍କଟ ହେଉଛି। ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବା ସହ ଗରିବ ବିକାଶଶୀଳ ରାଷ୍ଟ୍ରମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଷ ଲକ୍ଷ ୟୁକ୍ରେନ୍ବାସୀ ବିସ୍ଥାପିତ ହୋଇଛନ୍ତି, ଯାହା ବିଶ୍ୱ ଯୁଦ୍ଧ ପରେ ସର୍ବାଧିକ। ଆଶ୍ଚର୍ଯ୍ୟର କଥା ଯୁଦ୍ଧକୁ ଏକ ବର୍ଷ ପୂରି ଥିଲେ ମଧ୍ୟ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରମାନେ ଉଭୟ ରୁଷ୍ ଓ ୟୁକ୍ରେନକୁ ଆଲୋଚନା ମଞ୍ଚରେ ଏକାଠି କରିପାରି ନାହାନ୍ତି। ଅଧିକନ୍ତୁ ଏହି ଯୁଦ୍ଧକୁ ଆମେରିକା ଉସୁକାଉଥିବା ପ୍ରମାଣିତ ହେବାକୁ ଆଉ ବାକି ନାହିଁ। ଜାତିସଂଘ ଯୁଦ୍ଧ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ନବ୍ୟ-ଶୀତଳ ଯୁଦ୍ଧ ଅଧିକ ଆକ୍ରମଣାତ୍ମ ଢଙ୍ଗରେ ପୁନଃଉଜ୍ଜୀବିତ ହୋଇଛି।
ଏବେ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଆଗାମୀ ଦିନରେ ଏହି ଯୁଦ୍ଧ ଆହୁରି ଅଧିକ ଭୟଙ୍କର ହେବ। କାରଣ ଆମେରିକା ରୁଷ ସହ ଛାୟା ଯୁଦ୍ଧରେ ଲିପ୍ତ। ବର୍ତ୍ତମାନ ରୁଷ ୟୁକ୍ରେନର ଲୁଗାନ୍ସ ଅଞ୍ଚଳ, ଡୋନଟସ୍କ ଓ ମାରିଆପୁଲ୍ର ଅଧିକାଂଶ ଅଞ୍ଚଳ ଦଖଲ କରିସାରିଛି। ଏହାଦ୍ୱାରା ଆଜୋଭ୍ ସମୁଦ୍ରକୁ ନିଜ ନିୟନ୍ତ୍ରଣକୁ ଆଣିପାରିଛି। ଡନ୍ବାସ ଅଞ୍ଚଳରେ ରୁଷ ଆକ୍ରମଣରେ ୟୁକ୍ରେନ୍ ସେନା ଆତ୍ମରକ୍ଷା ସ୍ଥିତିରେ ଅଛି। ପ୍ରାଥମିକ ଅବସ୍ଥାରେ ରୁଷ୍ର ଆକଳନ ଓ ରଣକୌଶଳ ତ୍ରୁଟିପୂର୍ଣ୍ଣ ଥିଲା। ଏହାକୁ ସଜାଡ଼ି ରୁଷ ଆକ୍ରମଣ ତୀବ୍ରତର କରିଛି। ୟୁକ୍ରେନ ନାଟୋ ରାଷ୍ଟ୍ରଙ୍କର ସାମରିକ ସାହାଯ୍ୟ ଦୟାରେ ଅଛି। ମାଗି ଆଣିଥିବା ଯୁଦ୍ଧାସ୍ତ୍ର ଓ ସହାୟତାରେ ଯୁଦ୍ଧରେ ବିଜୟ ଲାଭ ସମ୍ଭବ ନୁହେଁ, ତାହା ପୁଣି ରୁଷ ପରି ଏକ ଶକ୍ତିଶାଳୀ ରାଷ୍ଟ୍ରସହ। କିନ୍ତୁ ସାମରିକ ସାହାଯ୍ୟର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ନାଟୋ ମେଣ୍ଟରେ ସହମତି ନାହିଁ। ଏହାସତ୍ତ୍ବେ ରୁଷ ବିଜୟର ଦ୍ୱାର ଦେଶରୁ ଦୂରରେ ଅଛି ଓ ୟୁକ୍ରେନ ପରାଜୟଠାରୁ ଦୂରରେ।
ଯୁଦ୍ଧର କାରଣ ସମ୍ପର୍କରେ ଆମେରିକା ଓ ନାଟୋ ରାଷ୍ଟ୍ରମାନଙ୍କର ଯୁକ୍ତି ତ୍ରୁଟିପୂର୍ଣ୍ଣ ମନେ ହୁଏ। କାରଣ ୟୁକ୍ରେନକୁ ନାଟୋ ମେଣ୍ଟଭୁକ୍ତ କରିବା ପାଇଁ ଉଦ୍ୟମରୁ ଏହି ଯୁଦ୍ଧର ସୃଷ୍ଟି। ବୃହତ ଶକ୍ତିମାନଙ୍କର ନିରାପତ୍ତା ବ୍ୟବସ୍ଥା ସେମାନଙ୍କ ଭୌଗୋଳିକ ସୀମା ମଧ୍ୟରେ ସୀମିତ ନୁହେଁ। ବିଶ୍ୱବ୍ୟାପୀ ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ବିସ୍ତାର ଉଦ୍ୟମରୁ ସେମାନଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ଉପୁଜି ଥାଏ। ପରବର୍ତ୍ତୀ ସମୟରେ ତାହା ଯୁଦ୍ଧରେ ପରିଣତ ହୁଏ। ଏହା ହିଁ ରୁଷ-ୟୁକ୍ରେନ ଯୁଦ୍ଧ ପଛର ପ୍ରମୁଖ କାରଣ।
ପୂର୍ବତନ ସୋଭିଏତ୍ ସଂଘର ବିଘଟନ ପରେ ରୁଷ ଦୁର୍ବଳ ହେବାର ଧାରଣା ସୃଷ୍ଟି ହେଲା।ଏଥିସହିତ ୱାର୍ସା ମେଣ୍ଟର ଅବସାନ ଘଟିଲା। ଅପରପକ୍ଷରେ ନାଟୋ ମେଣ୍ଟ ପ୍ରାସଙ୍ଗିକତା ହରାଇଥିଲେ ମଧ୍ୟ ଆମେରିକା ନେତୃତ୍ୱରେ ବଜାୟ ରହିଲା। ପୂର୍ବତନ ସୋଭିଏତ ସଂଘର ରାଷ୍ଟ୍ରଗୁଡ଼ିକୁ ନାଟୋ ମେଣ୍ଟଭୁକ୍ତ କରିବାର ପ୍ରୟାସ ଆରମ୍ଭ ହେଲା। ଏହା ରୁଷ ପାଇଁ ପ୍ରତ୍ୟକ୍ଷ ଆହ୍ୱାନ ଥିଲା। ୟୁକ୍ରେନ୍କୁ ନାଟୋ ମେଣ୍ଟଭୁକ୍ତ କରିବା ରୁଷକୁ ଆହୁରି କ୍ରୋଧାନ୍ୱିତ କଲା। ରୁଷ ଓ ୟୁକ୍ରେନ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସାମଞ୍ଜସ୍ୟ ଅନେକ। କ୍ରିମିଆ ରୁଷ ଅଧୀନରେ ଅଛି। ଅନେକ ୟୁକ୍ରେନବାସୀ ନାଟୋ ମେଣ୍ଟଭୁକ୍ତ ହେବାକୁ ଚାହାନ୍ତି ନାହିଁ। ସେଠାକାର ଗୃହଯୁଦ୍ଧ ରୁଷ-ୟୁକ୍ରେନ ଯୁଦ୍ଧରେ ପରିଣତ ହୋଇଛି। ଉଭୟ ରୁଷ ଓ ଆମେରିକା ଏହାକୁ ପ୍ରୋତ୍ସାହିତ କରିଛନ୍ତି।
ଚୀନ୍ ଆଡ଼ୁ ଆମେରିକାର ପ୍ରାଧାନ୍ୟ ପ୍ରତି ଆହ୍ୱାନ ସୃଷ୍ଟି ହୋଇଛି। ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଆମେରିକା ଏହି ଯୁଦ୍ଧକୁ ମୌକା ଭାବେ ବାଛିନେଇଛି। ବାଇଡେନ୍ଙ୍କ ୟୁକ୍ରେନ ପରିଦର୍ଶନ ପ୍ରତିକ୍ରିୟାରେ ରୁଷ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରୁ ଓହରି ଯାଇଛି। ଏହା ବିଶ୍ୱ ଶାନ୍ତି ପାଇଁ ବିପଦ।
ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ, କୋଭିଡ ମହାମାରୀ, ଦାରିଦ୍ର୍ୟ ଓ ଅସମାନତା ସହ ଲଢୁଥିଲାବେଳେ ଆମେରିକା ପରୋକ୍ଷରେ ବିଶ୍ୱ ଉପରେ ଯୁଦ୍ଧକୁ ଲଦି ଦେଇଛି। ଯୁଦ୍ଧ ପଛରେ ସାମ୍ରାଜ୍ୟବାଦ, ନବ୍ୟ ଉଦାରବାଦ ଓ ଯୁଦ୍ଧ ବ୍ୟବସାୟ ରହିଛି। ଚୀନ ଓ ରୁଷ ଅଧିକ ନିକଟତର ହୋଇଛନ୍ତି। ଏ କ୍ଷେତ୍ରରେ ଯୁଦ୍ଧ ସମ୍ପର୍କରେ ଭାରତର ମଧ୍ୟମ ମାର୍ଗ ସଠିକ ଅଟେ। ଭାରତ ରୁଷର ଭଲ ଓ ପୁରୁଣା ବନ୍ଧୁ। ତେଣୁ ଭାରତ ଆମେରିକା ଚାପରୁ ମୁକ୍ତ ରହି ନିଜ ଜାତୀୟ ସ୍ୱାର୍ଥ ରକ୍ଷା କରିଛି। ଭାରତ ଚୀନ ସହ ମିଶି ରୁଷ ଓ ୟୁକ୍ରେନକୁ ଆଲୋଚନାକୁ ଆଣିପାରିଲେ ଭାରତର ବିଶ୍ୱସ୍ତରୀୟ ମର୍ଯ୍ୟାଦା ବୃଦ୍ଧି ହେବ। ରୁଷ ପରାଜିତ ହେବାର ଆଶା କ୍ଷୀଣ। ଆମେରିକାର ପ୍ରଭାବ ଆଗାମୀ ଦିନରେ କ୍ଷୟ ହେବ। ଏହି ପୃଷ୍ଠଭୂମିରେ ଭାରତ ନେତୃତ୍ୱକାରୀ ଭୂମିକା ନିର୍ବାହ କରିବା ଉଚିତ ହେବ।
ଡ. ମାନସ ବେହେରା
ଭୁବନେଶ୍ୱର, ମୋ: ୮୭୬୩୯୯୧୭୭୯