ଜୈବବିବିଧତାର ଗୁରୁତ୍ୱ

ସୌରଜଗତରେ ଏକ ମାତ୍ର ଜୀବନ୍ତ ଗ୍ରହ ହେଉଛି ପୃଥିବୀ। ଏଥିରେ ଅସଂଖ୍ୟ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ପରିଦୃଷ୍ଟ ହୋଇଥା’ନ୍ତି। ଏଗୁଡ଼ିକ ମଧ୍ୟରେ କ୍ଷୁଦ୍ରାତିକ୍ଷୁଦ୍ର ଏକକୋଷୀ ପ୍ରାଣୀ ଏମିବାଠାରୁ ଆରମ୍ଭ କରି ବିଶାଳକାୟ ପ୍ରାଣୀ ନୀଳତିମି ପର୍ଯ୍ୟନ୍ତ ଏବଂ ଏକକୋଷୀ ଉଦ୍ଭିଦ ନୀଳହରିତ ଶୈବାଳ ଶ୍ରେଣୀୟ କ୍ଲାମାଇଡୋମାନସ୍‌ଠାରୁ ଆରମ୍ଭ କରି ବୃହତ ଉଦ୍ଭିଦ ସିକ୍ୱୋଇଆ ବା ରେଡ୍‌ଉଡ୍‌ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ପୃଥିବୀରେ ଜୀବଜଗତରେ ରହିଥିବା ଏହିପରି ବିବିଧତାକୁ ଜୈବବିବିଧତା(ବାୟୋଡାଇଭର୍ସିଟି) କୁହାଯାଏ। ବୈଜ୍ଞାନିକମାନଙ୍କ ମତରେ ପୃଥିବୀର ପରିସଂସ୍ଥାଗୁଡ଼ିକରେ ପ୍ରାଣୀ, […]

ସୌରଜଗତରେ ଏକ ମାତ୍ର ଜୀବନ୍ତ ଗ୍ରହ ହେଉଛି ପୃଥିବୀ। ଏଥିରେ ଅସଂଖ୍ୟ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ପରିଦୃଷ୍ଟ ହୋଇଥା’ନ୍ତି। ଏଗୁଡ଼ିକ ମଧ୍ୟରେ କ୍ଷୁଦ୍ରାତିକ୍ଷୁଦ୍ର ଏକକୋଷୀ ପ୍ରାଣୀ ଏମିବାଠାରୁ ଆରମ୍ଭ କରି ବିଶାଳକାୟ ପ୍ରାଣୀ ନୀଳତିମି ପର୍ଯ୍ୟନ୍ତ ଏବଂ ଏକକୋଷୀ ଉଦ୍ଭିଦ ନୀଳହରିତ ଶୈବାଳ ଶ୍ରେଣୀୟ କ୍ଲାମାଇଡୋମାନସ୍‌ଠାରୁ ଆରମ୍ଭ କରି ବୃହତ ଉଦ୍ଭିଦ ସିକ୍ୱୋଇଆ ବା ରେଡ୍‌ଉଡ୍‌ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ପୃଥିବୀରେ ଜୀବଜଗତରେ ରହିଥିବା ଏହିପରି ବିବିଧତାକୁ ଜୈବବିବିଧତା(ବାୟୋଡାଇଭର୍ସିଟି) କୁହାଯାଏ। ବୈଜ୍ଞାନିକମାନଙ୍କ ମତରେ ପୃଥିବୀର ପରିସଂସ୍ଥାଗୁଡ଼ିକରେ ପ୍ରାଣୀ, ଉଦ୍ଭିଦ ଓ ଅଣୁଜୀବଗୁଡ଼ିକ ମଧ୍ୟରେ ଥିବା ବିବିଧତା ଓ ପରିବର୍ତ୍ତନଶୀଳ କ୍ଷମତାକୁ ଜୈବବିବିଧତା କୁହାଯାଇଥାଏ। ଏହା ମଧ୍ୟରେ ଯେକୌଣସି ଏକ ଜୀବ ଜାତି ମଧ୍ୟରେ ଥିବା ଆନୁବଂଶିକ ବା ଜୀନୀୟ ବିବିଧତା, ଜାତି-ଜାତି ମଧ୍ୟରେ ଥିବା ବିବିଧତା ଏବଂ ପରିସଂସ୍ଥା ଜୈବବିବିଧତା ଅନ୍ତର୍ଭୁକ୍ତ।

ବୈଜ୍ଞାନିକମାନଙ୍କ ମତରେ ପୃଥିବୀର ପରିସଂସ୍ଥାଗୁଡ଼ିକରେ ସମୁଦାୟ ୧୩ ନିୟୁତ ପ୍ରଜାତିର ଜୀବ ରହିଛନ୍ତି। ତେବେ ଏଗୁଡ଼ିକମଧ୍ୟରୁ ମାତ୍ର ୧୭ ଲକ୍ଷ ୫୦ ହଜାର ପ୍ରଜାତିର ଚିହ୍ନଟ ଓ ବର୍ଗୀକରଣ କରାଯାଇପାରିଛି। ଏହି ବର୍ଗୀକୃତ ଜୀବ ପ୍ରଜାତିଗୁଡ଼ିକ ମଧ୍ୟରେ ୧୦ ଲକ୍ଷ ପ୍ରଜାତିର କୀଟପତଙ୍ଗ, ୨ ଲକ୍ଷ ୭୦ ହଜାର ପ୍ରଜାତିର ସପୁଷ୍ପକ ଉଦ୍ଭିଦ, ୫୪୯୦ ପ୍ରଜାତିର ସ୍ତନ୍ୟପାୟୀ, ୧୦୦୨୭ ପ୍ରଜାତିର ପକ୍ଷୀ, ୯୦୮୪ ପ୍ରଜାତିର ସରୀସୃପ, ୬୬୩୮ ପ୍ରଜାତିର ଉଭୟଚର, ୩୧,୬୦୦ ପ୍ରଜାତିର ମତ୍ସ୍ୟ, ୧୦୨୨୪୮ ପ୍ରଜାତିର ଆରାକନିଡ୍‌, ୮୫୦୦୦ ପ୍ରଜାତିର କମ୍ବୋଜ, ୭୨,୦୦୦ ପ୍ରଜାତିର କବକ, ୧୬,୨୩୬ ପ୍ରଜାତିର ମସ୍‌ ଓ ୧୨୦୦୦ ପ୍ରଜାତି ଫର୍ଣ୍ଣ ଅନ୍ତର୍ଭୁକ୍ତ।

ଭାରତରେ ଜଳବାୟୁ ଓ ଭୌଗୋଳିକ ଅବସ୍ଥିତିରେ ଭିନ୍ନତା ହେତୁ ଏହାର ଜୈବବିବିଧତା ପୃଥିବୀରେ ଅନନ୍ୟ। ଏହା ଦକ୍ଷିଣରେ ନିରକ୍ଷ ବୃତ୍ତଠାରୁ ଆରମ୍ଭ କରି ଉତ୍ତରରେ କର୍କଟ କ୍ରାନ୍ତିର ଉପରିଭାଗ ପର୍ଯ୍ୟନ୍ତ ବିସ୍ତୃତ। ଏହାର ଉତ୍ତରସ୍ଥ ବରଫାବୃତ ହିମାଳୟ ପର୍ବତମାଳା, ଦକ୍ଷିଣସ୍ଥ ଉଷ୍ଣମଣ୍ଡଳୀୟ ଚିରହରିତ ଅରଣ୍ୟ ଅଞ୍ଚଳ, ପଶ୍ଚିମସ୍ଥ ରାଜସ୍ଥାନ ଉଷ୍ମ ମରୁଭୂମି ଓ ପୂର୍ବ ଭାଗସ୍ଥ ସୁନ୍ଦରବନ ଏବଂ ଭିତରକନିକା ଲୁଣାଜଙ୍ଗଲ ଜୈବବିବିଧତାରେ ପରିପୂର୍ଣ୍ଣ। ପୃଥିବୀର ୧୭ଟି ମହାଜୈବବିବିଧତା ପରିପୂର୍ଣ୍ଣ ଦେଶ ମଧ୍ୟରୁ ଭାରତ ଗୋଟିଏ। ପୃଥିବୀର ଜୈବବିବିଧତାର ୭୦ପ୍ରତିଶତ ଏହି ୧୭ଟି ଦେଶରେ ପରିଦୃଷ୍ଟ ହୋଇଥାଏ। ଭାରତର ଭୂଭାଗ ପୃଥିବୀର ଭୂଭାଗର ପ୍ରାୟ ୨.୪ ପ୍ରତିଶତ ହୋଇଥିଲେ ମଧ୍ୟ ପୃଥିବୀର ୭ ରୁ ୮ ପ୍ରତିଶତ ଜୀବଜାତି ଏଥିରେ ଦେଖାଯାଇଥାଏ। ଭାରତରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଜାତିର ଜୀବ ରହିଥିବା ନେଇ ଆକଳନ କରାଯାଇଛି। ଏଗୁଡ଼ିକ ମଧ୍ୟରୁ ପ୍ରାୟ ୧,୩୬,୫୦୦ ପ୍ରଜାତିର ଜୀବଙ୍କୁ ଚିହ୍ନଟ ଓ ବର୍ଗୀକରଣ କରାଯାଇଛି। ଏଗୁଡ଼ିକ ମଧ୍ୟରେ ୯୦,୦୦୦ ପ୍ରଜାତିର ପ୍ରାଣୀ ଓ ୪୬,୫୦୦ ପ୍ରଜାତିର ଉଦ୍ଭିଦ ଅନ୍ତର୍ଭୁକ୍ତ। ଏଗୁଡ଼ିକ ମଧ୍ୟରେ ୧୨.୬ ଭାଗ ସ୍ତନ୍ୟପାୟୀ, ୪.୫ ଭାଗ ପକ୍ଷୀ, ୪୫.୮ ଭାଗ ସରୀସୃପ, ୮୮.୮ ଭାଗ ଉଭୟଚର ପ୍ରାଣୀ ଓ ୩୩ ଭାଗ ଉଦ୍ଭିଦ ପ୍ରଜାତି ସ୍ଥାନିତ। ଅର୍ଥାତ ଏହି ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଗୁଡ଼ିକ ପୃଥିବୀର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଆନ୍ତି ନାହିଁ। ଧାନ, ଆଖୁ, ଆମ୍ବ, ଲେମ୍ବୁ, କଖାରୁ, ଝୋଟ, କଦଳୀ ଆଦି ଅନେକ ପ୍ରଜାତିର ଉଦ୍ଭିଦ ଭାରତରେ ଜାତ ହୋଇ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛନ୍ତି। ପୃଥିବୀର ସମୁଦାୟ ୩୪ଟି ଜୈବବିବିଧତା ସମୃଦ୍ଧ ଅଞ୍ଚଳ ମଧ୍ୟରୁ ଭାରତରେ ତିନି ଗୋଟି ଅବସ୍ଥିତ। ସେଗୁଡ଼ିକ ହେଲା ପଶ୍ଚିମଘାଟ ପର୍ବତମାଳା, ପୂର୍ବ ହିମାଳୟ ପର୍ବତମାଳା ଓ ଇଣ୍ଡୋ-ବର୍ମା ଅଞ୍ଚଳ।

ପରିବେଶୀୟ ସନ୍ତୁଳନ ଓ ସ୍ଥିରତା ରକ୍ଷାରେ ଜୈବବିବିଧତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନୁଷ୍ୟ ଓ ଜୀବଜଗତ ପାଇଁ ଏହା ଅପରିହାର୍ଯ୍ୟ। ମନୁଷ୍ୟର ଯାବତୀୟ ଆବଶ୍ୟକତା ପୂରଣ ସହିତ ପୋଷଣୀୟ ବିକାଶରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ପୃଥିବୀରେ ୩୦୦ କୋଟି ଲୋକଙ୍କର ପଶୁଜାତ ପୃଷ୍ଟିସାରର ୨୦ପ୍ରତିଶତ ମତ୍ସ୍ୟରୁ ଉପଲବ୍ଧ ହୋଇଥାଏ। ସେହିପରି ପୃଥିବୀରେ ମାନବ ଜାତିର ସମୁଦାୟ ଖାଦ୍ୟ ଆବଶ୍ୟକତାର ୮୦ ପ୍ରତିଶତ ଉଦ୍ଭିଦରୁ ମିଳିଥାଏ। ତିନି ଗୋଟି ଖାଦ୍ୟଶସ୍ୟ ଯଥା ଧାନ, ଗହମ ଓ ମକା ପୃଥିବୀର ପ୍ରାୟ ୫୦ ଭାଗ ଖାଦ୍ୟ ଆବଶ୍ୟକତା ପୂରଣ କରିଥାଏ। ଏହାବ୍ୟତୀତ ଅନେକ ଊଦ୍ଭିଦ ପ୍ରଜାତିକୁ କୃଷିକ୍ଷେତ୍ରରେ ବ୍ୟବହାର କରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଖାଦ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରୁଛି। ଅନ୍ୟ କେତେକ ପ୍ରଜାତିର ଉଦ୍ଭିଦ ମନୁଷ୍ୟକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଉଦ୍ଦିଷ୍ଟ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଏ ଯେ, ପୃଥିବୀର ଗ୍ରାମାଞ୍ଚଳର ପ୍ରାୟ ୮୦ ପ୍ରତିଶତ ଲୋକ ଔଷଧ ପାଇଁ ପ୍ରକୃତିର ବିଭିନ୍ନ ଉଦ୍ଭିଦ ଉପରେ ନିର୍ଭର କରିଥା’ନ୍ତି। ବହୁ ଔଷଧ କମ୍ପାନୀ ଔଷଧ ପ୍ରସ୍ତୁତି ପାଇଁ ଉଦ୍ଭିଦଜାତ କଞ୍ଚାମାଲ ଉପରେ ନିର୍ଭର କରିଥା’ନ୍ତି। ପର୍ଯ୍ୟଟନ, ଚିତ୍ତବିନୋଦନ, ସୌନ୍ଦର୍ଯ୍ୟବର୍ଦ୍ଧନ ଆଦି କ୍ଷେତ୍ରରେ ଜୈବବିବିଧତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କାଳରେ ଜୈବବିବିଧତା ଉପରେ ନିର୍ଭରଶୀଳ ପ୍ରକୃତି ପର୍ଯ୍ୟଟନ ଅର୍ଥନୈତିକ ସମୃଦ୍ଧି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ଏହାବ୍ୟତୀତ ଜୈବବିବିଧତାର ବୈଜ୍ଞାନିକ ମୂଲ୍ୟ ଓ ଅନ୍ତର୍ନିହିତ ମୂଲ୍ୟ ମଧ୍ୟ ରହିଛି। ପରିବେଶ ସୁରକ୍ଷା, ବନ ପରିଚାଳନା, କୃଷି ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଜୈବବିବିଧତାକୁ ଉପଯୋଗ କରାଯାଇପାରୁଛି। ପ୍ରକୃତିରେ ସମସ୍ତ ଜୀବଜାତିର ଜିନୀୟ ଭଣ୍ଡାରକୁ ମାନବ କଲ୍ୟାଣରେ ବ୍ୟବହାର କରାଯାଇପାରୁଛି।

ବିଗତ ବର୍ଷଗୁଡ଼ିକରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ହେତୁ ଶିଳ୍ପ, କୃଷି, ଶକ୍ତି ଉତ୍ପାଦନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ଅଗ୍ରଗତି ଘଟିଛି। ବାସସ୍ଥଳୀ ବିଧ୍ୱଂସ ହେବା କାରଣରୁ ଅତୀତରେ ବହୁ ପ୍ରଜାତିର ଜୀବ ସବୁଦିନ ପାଇଁ ଧରାପୃଷ୍ଟରୁ ବିଲୁପ୍ତ ହୋଇଯାଇଛନ୍ତି। ପ୍ରଦୂଷଣ, ବାହ୍ୟ ପ୍ରଜାତିର ପ୍ରସାର, ମାତ୍ରାଧିକ ଶିକାର ଆଦି କାରଣରୁ ମଧ୍ୟ ବହୁ ଜୀବ ପ୍ରଜାତି ବିଲୁପ୍ତ ହେବା ଫଳରେ ଜୈବବିବିଧତାର ଅବକ୍ଷୟ ଘଟୁଛି। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ପରି ପରିବେଶୀୟ ସମସ୍ୟା ଜୈବବିବିଧତାର ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରିଛି। ୨୦୧୨ ମସିହାରେ ଅନ୍ତର୍ଜାତୀୟ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସଂଘ ବା ଆଇୟୁସିଏନ ତରଫରୁ ପ୍ରକାଶିତ ଲୋହିତ ତଥ୍ୟ ପୁସ୍ତକରେ ସର୍ବମୋଟ ୧୯,୮୧୭ଟି ସଙ୍କଟାପନ୍ନ ଜୀବ ପ୍ରଜାତିଙ୍କୁ ସ୍ଥାନିତ କରାଯାଇଛି। ଏଗୁଡ଼ିକ ମଧ୍ୟରୁ ୩୯୪୭ଟି ଜୀବ ପ୍ରଜାତି ଅତିମାତ୍ରାରେ ବିପଦଗ୍ରସ୍ତ ପ୍ରଜାତି, ୫୭୬୬ଟି ଜୀବ ପ୍ରଜାତି ବିପଦଗ୍ରସ୍ତ ଜୀବ ପ୍ରଜାତି ଓ ୧୦,୦୦୦ ଟିରୁ ଊର୍ଦ୍ଧ୍ବ ପ୍ରଜାତି ବିପନ୍ନପ୍ରାୟ ପ୍ରଜାତି ରୂପେ ଶ୍ରେଣୀଭୁକ୍ତ କରାଯାଇଛି। ଏହା ମଧ୍ୟରୁ ୧୩୨ଟି ଜୀବ ପ୍ରଜାତି ଅନ୍ତର୍ଭୁକ୍ତ। ଜୈବବିବିଧତାର ସୁରକ୍ଷା ପାଇଁ ୨୦୦୨ରୁ ଜାତିସଂଘର ୟୁନେସ୍କୋ ତରଫରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଆସୁଛି। ପ୍ରକୃତି ସହିତ ସହାବସ୍ଥାନ ଓ ପୋଷଣୀୟ ବିକାଶ ଜୈବବିବିଧତାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

ହିମାଂଶୁ ଶେଖର ଫତେସିଂହ

ଖୋର୍ଦ୍ଧା, ମୋ: ୭୦୦୮୬୬୨୩୪୧

About The Author: The Sakala