ଅଧ୍ୟାପକ ଗୋପବନ୍ଧୁ , ବାରିପଦା, ମୋ: ୭୦୦୮୯୭୬୧୮୦
ସାମାଜିକ ନ୍ୟାୟ ଭାରତୀୟ ରାଜନୀତିର ଏକ ବହୁଚର୍ଚ୍ଚିତ ବିଷୟ। ତେବେ ସାମାଜିକ ନ୍ୟାୟ କ’ଣ? ଏହାର ଆବଶ୍ୟକତା କାହିଁକି ରହିଛି? ଏ ବିଷୟରେ ଭିନ୍ନ ଭିନ୍ନ ମତ ଉପସ୍ଥାପିତ ହୋଇଆସୁଛି। ଏ ବିଷୟକୁ ନେଇ ବିଭିନ୍ନ ରାଜନୈତିକ ଦଳ, ବେସରକାରୀ ସଂସ୍ଥା, ସାମାଜିକ ସଂଗଠନ ତମ୍ବିତୋଫାନ କରିବାରେ ଲାଗିଛନ୍ତି। କିନ୍ତୁ ବାସ୍ତବପକ୍ଷେ ଏ ଦିଗରେ କାହାର କେତେ ଆନ୍ତରିକତା ରହିଛି ତାହା ଅନୁଧ୍ୟାନର ବିଷୟ।
ସାମାଜିକ ନ୍ୟାୟ କହିଲେ ସାଧାରଣତଃ ସମାଜର ସମସ୍ତ ବର୍ଗର, ସମସ୍ତ ସମ୍ପ୍ରଦାୟର, ସମସ୍ତ ଜାତିର ତଥା ନାରୀ ଓ ପୁରୁଷମାନଙ୍କ ସମାନ ସାମାଜିକ ସ୍ଥିତି, ସମାନ ରାଜନୈତିକ ଓ ଆର୍ଥିକ ଅଧିକାର ଏବଂ ସମାନ ସାମାଜିକ ସମ୍ମାନକୁ ବୁଝାଏ। କେବଳ ଆର୍ଥିକ ଅବସ୍ଥାକୁ ଛାଡ଼ି ଅନ୍ୟ ସମସ୍ତ ଦୃଷ୍ଟିକୋଣରୁ ସମସ୍ତେ ସମାନ ହେବା ହିଁ ସାମାଜିକ ନ୍ୟାୟର ପରିଭାଷା। ଆର୍ଥିକ ଦୃଷ୍ଟିରୁ ସମସ୍ତେ ଆପାତତଃ ସ୍ୱାବଲମ୍ୱନଶୀଳ ହେବା ମଧ୍ୟ ସାମାଜିକ ନ୍ୟାୟର ଅନ୍ତର୍ଗତ ଅଟେ। ଏକ ବିଭେଦମୁକ୍ତ ସମାଜ ଗଠନ କରିବା ହିଁ ସାମାଜିକ ନ୍ୟାୟ। ବିଗତ କେଇ ଦଶନ୍ଧି ଧରି ଦେଖାଯାଉଛି ଜାତି-ଜାତି ମଧ୍ୟରେ ସମାନତା ସ୍ଥାପନକୁ ସାମାଜିକ ନ୍ୟାୟ ଉଦ୍ଦେଶ୍ୟରେ ବହୁଳଭାବେ ବ୍ୟବହାର କରାଯାଉଛି।
ସାମାଜିକ ନ୍ୟାୟ କେବଳ ଏକ ରାଜନୈତିକ ସ୍ଲୋଗାନ ନୁହେଁ, ଏହା ଏକ ସାମାଜିକ ସଂସ୍କାର ଆନ୍ଦୋଳନ ମଧ୍ୟ। ବୈଷ୍ୟମପୂର୍ଣ୍ଣ ସମାଜରେ ସମାନତା ଆଣିବାର ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ। ସାମାଜିକ ନ୍ୟାୟ ସ୍ଥାପନ କଥା ଯେତେବେଳେ ରାଜନୈତିକ ପ୍ରସଙ୍ଗର ରୂପ ନିଏ ସେତେବେଳେ ଏହା ସାମାଜିକ ବିତର୍କରେ ପରିଣତ ହୁଏ। ସୁବିଧାଭୋଗୀ ଓ ସୁବିଧାବଞ୍ଚିତ ମଧ୍ୟରେ ବିତର୍କ ଆରମ୍ଭ ହୁଏ। ବିତର୍କ ସାମାଜିକ ଅନ୍ୟାୟର ଶିକାର ହୋଇଥିବା ଲୋକମାନଙ୍କ ଭିତରେ ସଚେତନତା ଆଣେ। ଲୋକମାନେ ସାମାଜିକ ଅନ୍ୟାୟ କ’ଣ ବୁଝିପାରନ୍ତି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ଅଙ୍ଗୀକାରବଦ୍ଧ ସରକାର ନିୟମ ମାଧ୍ୟମରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ। ଏହା ସେତିକି ବେଳେ ସମ୍ଭବ ହୁଏ, ଯେତେବେଳେ ସାମାଜିକ ନ୍ୟାୟ ପାଇଁ ଏକ ପ୍ରତିଜ୍ଞାବଦ୍ଧ ସରକାର କ୍ଷମତାକୁ ଆସେ। ଅନ୍ୟପକ୍ଷରେ ସାମାଜିକ ନ୍ୟାୟ ଆନ୍ଦୋଳନ ତୀବ୍ରତର ହେଲେ ଯେକୌଣସି ସରକାର ଏଦିଗରେ କାର୍ଯ୍ୟ କରିବାକୁ ବାଧ୍ୟ ହୁଅନ୍ତି। ସାମାଜିକ ନ୍ୟାୟ ପ୍ରତିଷ୍ଠା ରାଜନୈତିକ ସଦିଚ୍ଛା ଓ ପୃଷ୍ଠପୋଷକ ବିନା ଅସମ୍ଭବ।
ଭାରତୀୟ ସମାଜ ବ୍ୟବସ୍ଥାର ସଂରଚନା ଅତ୍ୟନ୍ତ ଜଟିଳ। ସମାଜର ଗୋଟିଏ କ୍ଷୁଦ୍ର ଅଂଶ ହଜାର ହଜାର ବର୍ଷଧରି ବ୍ୟବସ୍ଥାଗତ ସୁବିଧା ସୁଯୋଗ ପାଉଥିବା ବେଳେ ଆଉ ଗୋଟିଏ ବୃହତ ଅଂଶ ଏହି ସୁବିଧା ସୁଯୋଗରୁ ବଞ୍ଚିତ ହୋଇଆସିଛି। ଫଳରେ କେତେକ ଜାତି, ଗୋଷ୍ଠୀ ଓ ସମ୍ପ୍ରଦାୟ ବହୁ ଆଗକୁ ଆଗେଇ ଯାଇଥିବା ବେଳେ ଅନ୍ୟମାନେ ପଛରେ ପଡ଼ି ଯାଇଛନ୍ତି। ଆମ ସମ୍ୱିଧାନର ପ୍ରଣେତାମାନେ ଏହାର ଅନୁଧ୍ୟାନ ପୂର୍ବକ ବିଭିନ୍ନ ଜାତି ଓ ଗୋଷ୍ଠୀର ବର୍ଗୀକରଣ କରିଛନ୍ତି। ଏହି ବର୍ଗୀକରଣ ମୁଖ୍ୟତଃ ବିକାଶର ତାରତମ୍ୟ ଓ ସାମାଜିକ ସ୍ଥିତିକୁ ନେଇ କରାଯାଇଛି। ସାମାଜିକ ନ୍ୟାୟର ଲକ୍ଷ୍ୟ ହେଉଛି, ଅନଗ୍ରସର ବର୍ଗଗୁଡ଼ିକର ବିକାଶ ସାଧନ କରି ଅଗ୍ରସର ବର୍ଗ ସହିତ ସମକକ୍ଷ କରାଇବା। ଫଳରେ ଦେଶରେ ଏକ ସମତାଭିତ୍ତିକ ସମାଜ ଗଠିତ ହେବ। ସମାଜରୁ ବୈଷ୍ୟମ ଦୂର ହେବ। ସେହିପରି ବିଭିନ୍ନ ଧର୍ମର ସାମାଜିକ ବ୍ୟବସ୍ଥା କ୍ଷେତ୍ରରେ ଦେଖାଯାଇଛି ପୁରୁଷ ଓ ନାରୀ ମଧ୍ୟରେ ବିଭିନ୍ନ ଅଧିକାରକୁ ନେଇ ବହୁ ତାରତମ୍ୟ ରହିଛି। ଏ କ୍ଷେତ୍ରରେ ମଧ୍ୟ ସମାନତା ଆଣିବା ସାମାଜିକ ନ୍ୟାୟ ଅଟେ।
ସାମାଜିକ ବିଷମତା ସୃଷ୍ଟିହେବା ପଛରେ ଅନେକ କାରଣ ରହିଛି। ଏହି କାରଣଗୁଡ଼ିକ ମଧ୍ୟରୁ ସର୍ବାଗ୍ରେ ରହିଛି ଭ୍ରାନ୍ତ ସାମାଜିକ ଚିନ୍ତନ। ସମାଜରେ କିଛିଲୋକ ଭାବନ୍ତି ସେମାନେ ଉନ୍ନତ ଓ ଅନ୍ୟମାନେ ଅନୁନ୍ନତ। ଏମାନେ ଶାସକ ଓ ଅନ୍ୟମାନେ ଶାସିତ। ଶାସକ ଗୋଷ୍ଠୀ ସମୟକ୍ରମେ ସମସ୍ତ ସୁବିଧା ସୁଯୋଗ ନେଇ ବିକଶିତ ହୋଇଯାଇଛନ୍ତି। ଏମାନଙ୍କ ସହିତ ଅନ୍ୟ ଯେଉଁମାନେ ଥିଲେ ସେମାନେ ମଧ୍ୟ ବିକଶିତ ହୋଇଛନ୍ତି। ଯେଉଁମାନେ ପିଢ଼ି ପରେ ପିଢ଼ି ବଞ୍ଚିତ ହୋଇଛନ୍ତି, ସେମାନେ ପଛୁଆ ହୋଇ ରହିଯାଇଛନ୍ତି। ସମାଜରେ ଗୋଟିଏ ପ୍ରକାର ସାମାଜିକ ଭାବନା ତିଆରି ହୋଇଛି ଯେ ଶୂଦ୍ରମାନେ (ଉଭୟ ଛୁଅାଁ ଶୂଦ୍ର ଓ ଅଛୁଅାଁ ଶୂଦ୍ର), ଆଦିବାସୀ ଓ ମହିଳାମାନେ ମାନସିକଭାବେ ଅନ୍ୟମାନଙ୍କ ସହିତ ସମକକ୍ଷ ନୁହନ୍ତି। ତେଣୁ ଏମାନଙ୍କୁ ହଜାର ହଜାର ବର୍ଷ ଧରି ମୁଖ୍ୟସ୍ରୋତରୁ ଦୂରେଇ ରଖା ଯାଇଥିଲା। ଏପରି ସାମାଜିକ ଚିନ୍ତନକୁ ମଜଭୁତ କରିବାରେ ଧର୍ମ, ସଂସ୍କୃତି ଓ ପରମ୍ପରାର ଭୂମିକା କିଛି କମ୍ ନୁହେଁ। ତେଣୁ ଯେତେବେଳେ ସମାନତାର କଥା ଉଠେ, ସେତେବେଳେ ଏହି ତଥାକଥିତ ଧାର୍ମିକ ଓ ପରମ୍ପରାବାଦୀ ଉତକ୍ଷିପ୍ତ ହୋଇପଡ଼ନ୍ତି। ସେମାନେ ଭାବନ୍ତି ଏହା ତାଙ୍କ ଧର୍ମ ଓ ପରମ୍ପରାର ବିରୋଧୀ। ସାମାଜିକ ନ୍ୟାୟ ଆନ୍ଦୋଳନ ଜଟିଳ ଅବସ୍ଥାରେ ପହଁଚେ ଯେତେବେଳେ ଅସମାନତାକୁ ଧାର୍ମିକ ଓ ପାରମ୍ପରିକ ଚିନ୍ତନର ସମର୍ଥନ ମିଳେ।
ସମ୍ୱିଧାନ ପ୍ରଣେତାମାନେ ଭଲ ଭାବେ ଉପଲବ୍ଧି କରିଥିଲେ ସମସ୍ତ ବର୍ଗର ଆର୍ଥିକ ବିକାଶ ସହିତ ଶାସନ ପ୍ରକ୍ରିୟାରେ ସମାନୁପାତିକ ଭାଗିଦାରୀ ସାମାଜିକ ବୈଷମ୍ୟତାକୁ ଦୂର କରିପାରିବ। ତେଣୁ ବିଭିନ୍ନ ଅନଗ୍ରସର ବର୍ଗର ଲୋକମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ଆମ ସମ୍ବିଧାନରେ। ଏହି ସାମ୍ୱିଧାନିକ ବର୍ଗଗୁଡ଼ିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗ। ମହିଳାମାନଙ୍କୁ ମଧ୍ୟ ବିଶେଷ ବର୍ଗର ମାନ୍ୟତା ମିଳିଛି। ଏପରିକି ଶାସନ ବ୍ୟବସ୍ଥାରେ ଏହି ବର୍ଗମାନଙ୍କର ଭାଗିଦାରୀକୁ ମଧ୍ୟ ସ୍ଥଳବିଶେଷରେ ନିଶ୍ଚିତ କରାଯାଇଛି।
ଭାରତବର୍ଷରେ ସାମାଜିକ ନ୍ୟାୟ ଆନ୍ଦୋଳନର ଇତିହାସ ବହୁ ପୁରାତନ। ଏହା ଅନେକ ଉତ୍ଥାନ-ପତନ ଦେଇ ଚାଲିଆସିଛି। ସ୍ୱାଧୀନତା ପୂର୍ବର ସାମାଜିକ ଆନ୍ଦୋଳନର ପ୍ରଖରତା ସ୍ୱାଧୀନତା ପରେ ମନ୍ଥର ହୋଇ ଯାଇଥିଲା। କାରଣ ସାମାଜିକ କର୍ମୀମାନେ ଭାବିଥିଲେ ଯେ ସମ୍ୱିଧାନରେ ସାମାଜିକ ନ୍ୟାୟ ପାଇଁ ଲିପିବଦ୍ଧ ନିୟମ ଏହା ହାସଲ କରିବାରେ ସହାୟକ ହେବ। କିନ୍ତୁ ପରେ ଉପଲବ୍ଧି ହେଲା ଯେ ସମ୍ୱିଧାନରେ ସାମାଜିକ ନ୍ୟାୟର ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏଥିପାଇଁ ଲୋଡ଼ା ସାମାଜିକ ଆନ୍ଦୋଳନ, ଯାହା ସଚେତନତା ସୃଷ୍ଟି କରିବ। ଏହା ନ ହେଲେ ସମ୍ୱିଧାନର ଲିପିବଦ୍ଧ ବ୍ୟବସ୍ଥାକୁ ସଙ୍କୁଚିତ କରିବାର ପ୍ରୟାସ ହେବ। ଏହାକୁ ଅକାମୀ କରିବାର ଉଦ୍ୟମ ହେବ। କେବଳ ସାମାଜିକ ଆନ୍ଦୋଳନ ଜରିଆରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ।
ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ସାମାଜିକ ଆନ୍ଦୋଳନର ଯେପରି ଆବଶ୍ୟକତା ରହିଛି, ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅନୁକୂଳ ସରକାରର ମଧ୍ୟ ସେହିପରି ଆବଶ୍ୟକତା ରହିଛି। ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ୧୯୯୦ର ମଣ୍ଡଳ କମିଶନ ସୁପାରିସ ତରଙ୍ଗ ଦେଶର ରାଜନୈତିକ ବାତାବରଣକୁ ବଦଳାଇ ଦେଇଥିଲା। ସେ ସମୟରେ ଯେଉଁମାନେ ସାମାଜିକ ନ୍ୟାୟ ଆନ୍ଦୋଳନର ମଙ୍ଗ ଧରିଥିଲେ ସେମାନେ ପରେ ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱରେ ପରିଣତ ହୋଇଛନ୍ତି। କ୍ଷମତାରୁ ବଞ୍ଚିତ ଗୋଷ୍ଠୀମାନେ କ୍ଷମତାର ବଳୟ ମଧ୍ୟରେ ପ୍ରବେଶ କରିପାରିଛନ୍ତି। ସାମାଜିକ ସ୍ତରରେ କିଛିମାତ୍ରାରେ ନିଜର ଅଧିକାର ଓ ସମ୍ମାନକୁ ସ୍ଥାପିତ କରିବାକୁ ସଫଳ ହୋଇଛନ୍ତି। ଅବୁଝା ଲୋକମାନେ ସାମାଜିକ ନ୍ୟାୟର ଗତି ଓ ଲକ୍ଷ୍ୟ ବିଷୟରେ ବୁଝିବା ଆରମ୍ଭ କଲେଣି। ଯେଉଁଦିନ ସାମାଜିକ ଅନ୍ୟାୟର ଶିକାର ଗୋଷ୍ଠୀଗୁଡିକ ସଚେତନ ହୋଇ ନିଜ ମଧ୍ୟରେ ଯୋଗସୂତ୍ରର କଡ଼ି ତିଆରି କରିବେ ସେହିଦିନ ସମ୍ବିଧାନର ମୂଳ ଲକ୍ଷ୍ୟ ହାସଲ ହୋଇପାରିବ। ସାମାଜିକ ନ୍ୟାୟର ବ୍ୟବସ୍ଥାଗତ ଢାଞ୍ଚା ତିଆରି ହୋଇଯିବ। ଯେକୌଣସି ସରକାର ପାଇଁ ସହଜ ଓ ପ୍ରେରଣାଦାୟକ ହୋଇଯିବ ସମତାଭିତ୍ତିକ ସମାଜ ଗଠନ ଉଦ୍ଦେଶ୍ୟରେ ପଦକ୍ଷେପ ନେବା ପାଇଁ।
ସାମାଜିକ ନ୍ୟାୟ ଆନ୍ଦୋଳନ ସମଗ୍ର ଭାରତବର୍ଷରେ ଊଣାଅଧିକେ ଚାଲିଛି। କେତେକ କ୍ଷେତ୍ରରେ କିଛି କିଛି ସଫଳତା ମଧ୍ୟ ମିଳିଛି। ଆମ ଓଡ଼ିଶାରେ ସାମାଜିକ ସଚେତନତା କିଛି ମାତ୍ରାରେ ରହିଛି। ଓଡ଼ିଶାରେ ବୈଷମ୍ୟର ଶିକାର ହୋଇଥିବା ବିଭିନ୍ନ ଗୋଷ୍ଠୀର ସାମୂହିକ ଜନସଂଖ୍ୟା ସର୍ବାଧିକ। ଅନ୍ୟାୟର ଶିକାର ହେଉଥିବା ଲୋକମାନଙ୍କ ଭୂମିକା ଏଥିରେ କିଛି ନାହିଁ।
ଭାରତୀୟ ସମାଜକୁ ସଜାଡ଼ିବା ପାଇଁ ଓ ପ୍ରଗତିର ମାର୍ଗରେ ପରିଚାଳିତ କରିବା ପାଇଁ ସାମାଜିକ ନ୍ୟାୟ ଜନିତ ସଚେତନତା ଜରୁରୀ। ସାମାଜିକ ସମାନତା ସମସ୍ତଙ୍କ ଜନ୍ମଗତ ଅଧିକାର। ଏହା ମାନବିକତାର ପ୍ରଶ୍ନ ମଧ୍ୟ। ଏ ଦିଗରେ ସାମାଜିକ ପ୍ରସ୍ତୁତି ଆବଶ୍ୟକ।