ବିଦ୍ୟାଳୟ ସ୍ତରରେ ଆଇନ ଶିକ୍ଷା

ସମାଜରେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ପୃଥିବୀର ପ୍ରତିଟି ଦେଶରେ ନିଜସ୍ୱ ‘ଆଇନ’ ବ୍ୟବସ୍ଥା ଅଛି। ଦେଶର ସମ୍ୱିଧାନରେ ଏହା ପଞ୍ଜିକୃତ ଥାଏ। କିଛି ଦେଶରେ ଲିଖିତ ସମ୍ୱିଧାନ ଥିବାବେଳେ, କିଛି ଦେଶର ଅଲିଖିତ ସମ୍ୱିଧାନ ଅଛି। ସମ୍ୱିଧାନ ସଂଶୋଧନର ବ୍ୟବସ୍ଥା ମଧ୍ୟ ଲୋକପ୍ରତିନିଧିଙ୍କ ଦ୍ୱାରା ସମ୍ଭବ। ସ୍କୁଲରେ ପଢ଼଼ାଯାଉଥିବା ‘ସାମାଜିକ ବିଜ୍ଞାନ’ ବିଷୟରେ ଛାତ୍ର ଛାତ୍ରୀଙ୍କୁ କିଛି ଧାରଣା ଦିଆ ଯାଇଥାଏ, କିନ୍ତୁ ‘ଆଇନ’ ବିଷୟ ଯଦି ଅଷ୍ଟମ ଶ୍ରେଣୀର ସିଲାବସରୁ ଆରମ୍ଭ କରାଯାଇ […]

ସମାଜରେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ପୃଥିବୀର ପ୍ରତିଟି ଦେଶରେ ନିଜସ୍ୱ ‘ଆଇନ’ ବ୍ୟବସ୍ଥା ଅଛି। ଦେଶର ସମ୍ୱିଧାନରେ ଏହା ପଞ୍ଜିକୃତ ଥାଏ। କିଛି ଦେଶରେ ଲିଖିତ ସମ୍ୱିଧାନ ଥିବାବେଳେ, କିଛି ଦେଶର ଅଲିଖିତ ସମ୍ୱିଧାନ ଅଛି। ସମ୍ୱିଧାନ ସଂଶୋଧନର ବ୍ୟବସ୍ଥା ମଧ୍ୟ ଲୋକପ୍ରତିନିଧିଙ୍କ ଦ୍ୱାରା ସମ୍ଭବ। ସ୍କୁଲରେ ପଢ଼଼ାଯାଉଥିବା ‘ସାମାଜିକ ବିଜ୍ଞାନ’ ବିଷୟରେ ଛାତ୍ର ଛାତ୍ରୀଙ୍କୁ କିଛି ଧାରଣା ଦିଆ ଯାଇଥାଏ, କିନ୍ତୁ ‘ଆଇନ’ ବିଷୟ ଯଦି ଅଷ୍ଟମ ଶ୍ରେଣୀର ସିଲାବସରୁ ଆରମ୍ଭ କରାଯାଇ ପାରନ୍ତା, ତେବେ ଆମ ପିଲାମାନେ ଆଇନ ବିଷୟରେ ସଚେତନ ହେବା ସହିତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ପାରନ୍ତେ। ଶିକ୍ଷା ବ୍ୟବସ୍ଥାକୁ ସରଳ କରିବକୁ ସରକାର ତତ୍ପର, କିନ୍ତୁ ଜ୍ଞାନୀ ଗୁଣୀମାନେ କାହିଁକି ଆଇନ୍‌‌ ବିଷୟକୁ ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଇବାକୁ ଅନିଚ୍ଛୁକ, ତାହା ଜଣା ପଡୁନାହିଁ। ସରକାରଙ୍କର ଆଇନ ବିଭାଗ ଏବଂ ସ୍କୁଲ ଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନଦେବା ଉଚିତ।

ଭାରତୀୟ ଦଣ୍ଡ ସଂହିତା ବା ଆଇପିସିର ଦୈନଦିନ କାର୍ଯ୍ୟରେ ଲାଗୁଥିବା କିଛି ଧାରା ଜାଣିବା ଦ୍ୱାରା କିଶୋର ଓ କୋମଳମତି ବାଳକ ବାଳିକାଙ୍କ ଜୀବନରେ ଆଇନ ପ୍ରତି ସମ୍ମାନ ଆସିବା ସହିତ କିଛିମାତ୍ରାରେ ବାଳ ଅପରାଧ ବି କମିଯିବ। ଅଶିକ୍ଷିତ ବାଳ ଅପରାଧୀଙ୍କୁ ସରକାରୀସ୍ତରରେ ଶିକ୍ଷା ଦେବା ସହିତ ସ୍କୁଲ, କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଇନ ପାଠ୍ୟକ୍ରମ ଆମ ଶିକ୍ଷିତ ସମାଜକୁ ଅପରାଧଠାରୁ ନିଶ୍ଚିତ ଭବେ ଦୂରେଇ ରଖିବ। କୋମଳମତି ଛାତ୍ର ଛାତ୍ରୀମାନେ ଆଇନ ଏବଂ ଦଣ୍ଡ ବ୍ୟବସ୍ଥା ବିଷୟରେ ଜାଣିବା ଭବିଷ୍ୟତ ପାଇଁ ଶୁଭଙ୍କର। ଆଇନର ପରିଧି ଭିତରେ ରହି ନିଜକୁ ସୁରକ୍ଷିତ ରଖିବା ସହିତ ସମାଜର ସୁରକ୍ଷାକୁ ମଧ୍ୟ ନଜର ଦେବା ଆମମାନଙ୍କ କର୍ତ୍ତବ୍ୟ। ପିଲାଟି ପ୍ରଥମେ ନିଜ ଘରୁ, ତାହା ପରେ ବିଦ୍ୟାଳୟ ଏବଂ ପରେ ସମାଜରୁ ନିଜ ଦେଶର ଆଇନ କାନୁନ ବିଷୟରେ ସମ୍ୟକ୍‌‌ ଜ୍ଞାନ ପାଇଥାଏ, ଅଧା ବା କିଞ୍ଚିତ ଜ୍ଞାନ ତାଙ୍କୁ ଆଇନ ବିଷୟରେ ସଚେତନ କରିବାରେ ଏତେଟା ସହାୟକ ହୁଏ ନାହିଁ ଓ ସ୍କୁଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ଆଇନ ବିଷୟକୁ ଯଦି ସାମିଲ କରାଯାଇ ପାରନ୍ତା ଏବଂ ଏହାର ଦୂରୁପଯୋଗ କଲେ କି କି ଶାସ୍ତି ନ୍ୟାୟାଳୟ ଦେବେ, ତାହା ମଧ୍ୟ ଶିକ୍ଷା ଦିଆ ହୁଅନ୍ତା, ତେବେ ପିଲାଳିଆମୀ ଦେଖାଇ ଯୁବକ ଯୁବତୀମାନେ ଧର୍ତ୍ତବ୍ୟ ଅପରାଧ କରିବାକୁ ଟିକେ କୁଣ୍ଠାବୋଧ କରନ୍ତେ। ଏଠି ପରିବାରର ମଧ୍ୟ ଅନେକ ଦାୟିତ୍ୱ ଅଛି, ସେମାନେ ମଧ୍ୟ ଆଇନକୁ ସମ୍ମାନ ଦେବାକୁ ଚେଷ୍ଟିତ ହେବା ଉଚିତ। ତାହା ସହିତ ନିଜ ସନ୍ତାନମାନଙ୍କୁ ବୁଝାଇବା ଉଚିତ। କିନ୍ତୁ ଆଜିକାଲି ଆଇନକୁ ସମ୍ମାନ ଦେବା ଲୋକ ଖୁବ ବିରଳ, ସମସ୍ତେ ନିଜର ବାହୁବଳ, ଚୌକି ବଳ, ପ୍ରିୟା ପ୍ରୀତି ତଥା ସରକାରୀ ବଳରେ ବଳିୟାନ। ଦୁଃଖ କେବଳ ନିରୀହ ବ୍ୟକ୍ତି ଭୋଗ କରେ, ଏହି ଅଧୋପତ୍ତନ ପାଇଁ କିଏ ଦାୟୀ? ଆମ ମାନସିକତା ଏବଂ ଆମ ଉତ୍ତର ପିଢ଼ିକୁ ଅନ୍ଧକାରରେ ରଖୁଥିବା କିଛି ‘ଅବୁଝାମଣା ରାଜା’ ଓ ତା’ଙ୍କ ‘ପାଳଚୁଣ୍ଟା ମନ୍ତ୍ରୀ’ ।

ଏବେବି ସମୟ ଅଛି ଅପରାଧର ମୁଳୋତ୍ପାଟନ ନ ହେଲେ ମଧ୍ୟ, ଅନେକାଂଶରେ ଜନ ସଚେତନତା, ଶିକ୍ଷା ତଥା ପ୍ରଚାର ପ୍ରସାର ଦ୍ୱାରା ଅପରାଧ କମାଇଦେବା ସମ୍ଭବ ହୋଇପାରେ। ବିଭିନ୍ନ ଛକ ଜାଗାଗୁଡିକରେ ବଡ଼ ବ୍ୟବସାୟିକ ବିଜ୍ଞାପନ ବୋର୍ଡ ନ ଲଗାଇ ନିତିଦିନ ଜନତାଙ୍କ ଦ୍ୱାରା ଉଲଂଘନ ହେଉଥିବା ଆଇନର ଧାରା ଏବଂ ଧର୍ତ୍ତବ୍ୟ ଅପରରାଧ ବିଷୟରେ ସମ୍ୟକ ଧାରଣା ଦିଆ ଯାଇପାରନ୍ତା। ଔଷଧ ନ ଦେଇ ରୋଗ କିପରି ନ ହେବ ସେଇ ଉପାୟ କରିବା ବରଂ ଭଲ। ତୃଣମୂଳସ୍ତରରୁ ଶୃଙ୍ଖଳା, ସୁଶିକ୍ଷା ହିଁ ଆମକୁ ସଚେତନ କରିବ। ସେଇ ବ୍ରିଟିଶ ଯୁଗରୁ ଚାଲିଆସିଥିବା ନିୟମ ଆଉ ପ୍ରଶାସନିକ ପଦ୍ଧତ୍ତିକୁ ବଦଳାଇବାର ସମୟ ଉପସ୍ଥିତ। ଆଜିର ସମାଜ ସମୟ ସହିତ ତାଳଦେଇ ଦେଶର ଆଗାମୀ ପିଢ଼ିର ନାଗରିକମାନଙ୍କୁ ପୃଥିବୀର ଅନ୍ୟ ବିକଶିତ ରାଷ୍ଟ୍ରର ନାଗରିକମାନଙ୍କ ସହିତ ସମକକ୍ଷ କରିବା ଉଚିତ। ଦେଶର ଆଇନକୁ ସମ୍ମାନ ଦେଇ ଶୃଙ୍ଖଳିତ ସମାଜ ଆଉ ଶାନ୍ତିରେ ସହାବସ୍ଥାନ ଆମର କାମ୍ୟ। ଗୁଣି, ଜ୍ଞାନୀ ଏବଂ ସମାଜକୁ ନେତୃତ୍ୱ ଦେଉଥିବା ସମସ୍ତ ବରିଷ୍ଠ ବ୍ୟକ୍ତି ଓ ମନ୍ତ୍ରୀ, ସମସ୍ତଙ୍କ ସହଯୋଗ ଦ୍ୱାରା ସମାଜରେ ଏକ ପରିବର୍ତ୍ତନ ଭାରତବର୍ଷକୁ ସାରା ବିଶ୍ୱରେ ନିଜର ଗୌରବ ଗାରିମା ବଜାୟ ରଖିବାକୁ ସକ୍ଷମ କରାଇ ପାରିବ। କ୍ରାଇମ ରେକର୍ଡ ବା ଅପରାଧ ତାଲିକାରେ ଅପରାଧ କମାଇବାକୁ ସମସ୍ତେ ଚେଷ୍ଟିତ ହେବା ଉଚିତ।

ଆମ ପଡ଼ୋଶୀ ରାଷ୍ଟ୍ର ଭୁଟାନ ଖୁବ ଶାନ୍ତିପ୍ରିୟ ରାଷ୍ଟ୍ର। ସେଠାରେ ଅପରାଧ ନାହିଁ କହିଲେ ଚଳେ। ଜେଲ ଗୁଡ଼ିକ ଖାଲି ପଡ଼ିଛି। ତେଣୁ ସରକାର କିଛି ଜେଲ ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଆଉ ଏଣେ ଆମ ଦେଶରେ ଜେଲ ଗୁଡ଼ିକର ଅବସ୍ଥା ଶୋଚନୀୟ। ନିର୍ଦ୍ଧାରିତ କଏଦୀଙ୍କ ସଂଖ୍ୟାଠାରୁ ତିନିଗୁଣ ବେଶୀ କଏଦୀ ପୋକ ମାଛି ସଦୃଶ ରହୁଛନ୍ତି। ଆମ ଦେଶରେ ପରୋକ୍ଷରେ ଅପରାଧୀ ଗଢିବାର ଅନେକ ଅନୁଷ୍ଠାନ ରହିଛି, କିନ୍ତୁ ଆଇନ୍‌‌କାନୁନ୍‌‌ ଏହାକୁ ଦେଖି ନ ଦେଖିଲା ପରି ଏଡାଇ ଯାଇଥାନ୍ତି। ଅସମ୍ଭବକୁ ସମ୍ଭବ କରିବା ପାଇଁ ଦୃଢ ମନୋବଳ ଆଉ ଇଛା ଶକ୍ତିର ଆବଶ୍ୟକତା ଅଛି। ଛାତିକୁ ପଥରକରି ଅପରାଧକୁ ଦୃଢ ହସ୍ତରେ ଦମନ ତଥା ସମ୍ୱିଧାନକୁ ସମ୍ମାନ ଦେବା ପାଇଁ ଅନେକ କିଛି କାର୍ଯ୍ୟ ସରକାରଙ୍କ ଦ୍ୱାରା ସମ୍ଭବ ହୋଇପାରିବ। ଆଜିର ଯୁବପିଢି ଆସନ୍ତାକାଲିର ସୁନାଗରିକ, ଯୁବପିଢିଙ୍କ ମଧ୍ୟରେ ଆଇନ୍‌‌କାନୁନ୍‌‌କୁ ସମ୍ମାନ ଦେବାର ଇଚ୍ଛା ଜାଗ୍ରତ କରାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଆସନ୍ତୁ ଆମେ ଭାରତବର୍ଷକୁ ପୃଥିବୀର ଏକ ଶ୍ରେଷ୍ଠ ଶାନ୍ତିପ୍ରିୟ, ଶୃଙ୍ଖଳିତ ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ପରିଚୟ ଦେବାକୁ ସଂକଳ୍ପ ନେବା।

ବିଷ୍ଣୁ ପ୍ରସାଦ ଦାସ
କଟକ, ମୋ:୯୯୩୭୧୭୪୦୯୭

About The Author: The Sakala