ଏବେ ପରୀକ୍ଷା ଋତୁ ଚାଲିଛି। ଏହି ପରୀକ୍ଷା ଋତୁ ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ ବୋଲି ସାଧାରଣରେ ଧାରଣା ରହିଛି। ପରୀକ୍ଷାକୁ ନେଇ ସାଧାରଣରେ ରହିଥିବା ଉପରୋକ୍ତ ଧାରଣା ହିଁ ସ୍ୱଭାବତଃ ଛାତ୍ରଛାତ୍ରୀଙ୍କ ମାନସିକ ଚାପକୁ ଅନେକାଂଶରେ ବୃଦ୍ଧି କରେ। ଅଭିଭାବକଙ୍କ ମନରେ ଗୋଟିଏ ଚିନ୍ତା ଯେ କିପରି ତାଙ୍କ ସନ୍ତାନ ସବୁଠୁ ଅଧିକ ନମ୍ୱର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ। ବିଶେଷତଃ, ନିଜଲୋକଙ୍କ ଏଭଳି ଚିନ୍ତାଧାରା ପରୀକ୍ଷାର୍ଥୀଙ୍କ ମାନସିକ ଚାପ ଅଧିକ ବଢ଼଼ାଇ ଥାଏ।
ପ୍ରାଚୀନ ଗୁରୁକୁଳ ଶିକ୍ଷା ପଦ୍ଧତି ଚାପମୁକ୍ତ ଥିଲା। ଶାରୀରିକ ଶ୍ରମ, ମିଳିମିଶି କାମ କରିବା ସହ ନୂଆ କିଛି ଶିଖିବାର ଦକ୍ଷତା ବୃଦ୍ଧି ଶିକ୍ଷାକ୍ଷେତ୍ରକୁ ଆକର୍ଷଣୀୟ ଓ ଆନନ୍ଦଦାୟକ କରୁଥିଲା। ବର୍ତ୍ତମାନର ଶିକ୍ଷା କିନ୍ତୁ ଆହ୍ୱାନପୂର୍ଣ୍ଣ ହୋଇଯାଇଛି। ପ୍ରତିଯୋଗିତା ଭରା ଉତ୍ତମ ପ୍ରଦର୍ଶନ ପାଇଁ ପିତାମାତା, ଶିକ୍ଷକଙ୍କ ଭଳି ଆତ୍ମୀୟଙ୍କ ଚାପ ଛାତ୍ରଛାତ୍ରୀଙ୍କ ମନକୁ ଭାରାକ୍ରାନ୍ତ କରୁଛି। ସମସ୍ତେ ଜାଣି ରଖିବା ଦରକାର ଯେ, ପ୍ରତ୍ୟେକ ପିଲା ଭିନ୍ନଭିନ୍ନ ପରିବେଶରେ ପ୍ରତିପୋଷିତ ହୋଇଥା’ନ୍ତି। ସମସ୍ତଙ୍କ ଅବସ୍ଥା, ବ୍ୟବସ୍ଥା ଓ ଦକ୍ଷତା ମଧ୍ୟ ଭିନ୍ନଭିନ୍ନ ହୋଇଥାଏ। ତେଣୁ କୌଣସି ପିଲାଙ୍କୁ ଅନ୍ୟ ପିଲା ସହିତ ତୁଳନା କରିବା କେତେଦୂର ଯୁକ୍ତିସଙ୍ଗତ ତାହା ବିଚାରଯୋଗ୍ୟ। କିନ୍ତୁ ସେ ନେଇ ଆଦୌ ଚିନ୍ତା ନକରି ଅସନ୍ତୁଷ୍ଟ ଅଭିଭାବକ ନିଜ ପିଲାଙ୍କୁ ଅନ୍ୟ ପିଲାମାନଙ୍କ ସହିତ ତୁଳନା କରି ନିଜ ପିଲାର ପ୍ରତିଭା ଓ ପରିଶ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରନ୍ତି। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ହୀନମନ୍ୟତା ଭାବ ସୃଷ୍ଟି ହୋଇ ତା’ ଭିତରର ଆତ୍ମପ୍ରତ୍ୟୟକୁ ଦୁର୍ବଳ କରିପକାଏ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଓ ଦାୟିତ୍ୱବାନ କରିବା ପାଇଁ ସେମାନଙ୍କ ଉପରେ ମଧ୍ୟମ ଧରଣର ଚାପ ରହିବା ଆବଶ୍ୟକ। କିନ୍ତୁ ମାତ୍ରାଧିକ ଚାପ ସେମାନଙ୍କ ଭିତରେ ନକାରାତ୍ମକ ମନୋଭାବ ଜନ୍ମାଇ ଥାଏ। ତେଣୁ ଏହି ସମୟରେ ଅବିଭାବକ ମାନେ ଅଧିକ ସମୟ ପିଲାଙ୍କ ସହ ରହି ତା’ର ପ୍ରତିଟି ଗତିବିଧିକୁ ଧ୍ୟାନ ଦେବା ସହ ତା’ ପ୍ରତି ବିଶ୍ୱାସ ରଖିବା ମଧ୍ୟ ଜରୁରୀ। ଅପରପକ୍ଷେ ‘ତୁ ଆମ କଥା ମାନୁ ନାହୁଁ, ପାଠରେ ତୋର ଧ୍ୟାନ ନାହିଁ କି ଆମକୁ ମିଛ କହୁଛୁ’ ଆଦି କହି ପିଲାକୁ ଅପମାନିତ କଲା ଭଳି ବ୍ୟବହାର କରିବାର ପରିଣାମ ଅନେକାଂଶରେ ଓଲଟା ହୋଇପାରେ। ତେଣୁ ପିଲାର କୌଣସି ଭୁଲ ଦୃଷ୍ଟିଗୋଚର ହେଲେ ମଧ୍ୟ ତା’ ପ୍ରତି କଠୋର ବ୍ୟବହାର ନକରି ଧୈର୍ଯ୍ୟ ସହିତ ତା’କୁ ବୁଝାଇସୁଝାଇ ସୁଧାରିବାର ଚେଷ୍ଟା କରିବା ଦରକାର।
ସବୁଠାରୁ ଉପାଦେୟ ବିଷୟ ଯେ, ଅଭିଭାବକ ହିସାବରେ ପିଲା ସହିତ ଯଥାସମ୍ଭବ ସମୟ ବିତାଇବା। ଆମେ ଭୁଲିଯିବା ଉଚିତ ନୁହେଁ ଯେ, ପାରିବାରିକ ପରିବେଶ ଏହି ସମୟରେ ପିଲାମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ତେଣୁ ପରୀକ୍ଷା ସମୟରେ ନିଜ ଘରର ପରିବେଶକୁ ଉତ୍ତମ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ। ଏହାବାଦ୍ ଦିନରାତି କଡ଼ା କଟକଣା ମଧ୍ୟରେ ନ ରଖି ନିର୍ଦ୍ଦିଷ୍ଟ ସମୟାନ୍ତରରେ ବାହାରେ ସାମାନ୍ୟ ବୁଲି ଆସିବାକୁ କହିବା ଏବଂ ଏହି ସମୟରେ ପ୍ରାୟତଃ ସାମାଜିକ ଉତ୍ସବସବୁ ଚାଲୁ ଥିବାରୁ ଆଖପାଖ ବାହାଘର, ବ୍ରତଘରକୁ ମଧ୍ୟ ଘେରାଏ ବୁଲି ଆସିବାର ସୁଯୋଗ ଦେଲେ ଏହା ପିଲାଙ୍କୁ ପ୍ରଫୁଲ୍ଲିତ ରଖିବାରେ ସହାୟକ ହେବ।
ଅନ୍ୟ ଦିଗକୁ ଦେଖିଲେ ପରୀକ୍ଷା ତାରିଖ ଘୋଷଣା ଦିନଠାରୁ ଯେଉଁ ଭଳି ଭାବରେ ପରୀକ୍ଷାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୁଏ ତାହା ସେତିକି ପରିମାଣରେ ଛାତ୍ରଛାତ୍ରୀଙ୍କ ଭିତରେ ଚାପ ସୃଷ୍ଟି କରେ। ପରୀକ୍ଷାକୁ ନେଇ ବିଭାଗର ବିଭିନ୍ନ ନିୟମ ବିଶେଷ କରି କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯାଇ ଚବିଶ ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା, ସ୍କ୍ୱାଡ୍ ଟିମ୍ ଗଠନ, ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା, ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ପହଞ୍ଚିବାର ନିର୍ଦ୍ଦେଶ, ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ କଡ଼ା ବ୍ୟବସ୍ଥା, କେନ୍ଦ୍ର ଚାରିପଟେ ପୁଲିସ ମୁତୟନ, ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଭୁଲ ପାଇଁ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ, ପରୀକ୍ଷା କକ୍ଷ ନିକଟରେ ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ଆଦି ବ୍ୟବସ୍ଥା ପରୀକ୍ଷାକୁ ଅଧିକ ସମ୍ୱେଦନଶୀଳ କରିବା ସହ ଛାତ୍ରଛାତ୍ରୀଙ୍କ ଚାପକୁ ପରୋକ୍ଷରେ ବୃଦ୍ଧି କରାଏ। ସେହିପରି ପରୀକ୍ଷା ଫଳ ଖରାପ ହେଲେ ସମ୍ପୃକ୍ତ ବିଦ୍ୟାଳୟ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଭୟ ଅନେକାଂଶରେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି ପାଇଁ ଶିକ୍ଷକଙ୍କୁ ବାଧ୍ୟ କରେ। ପୁନଶ୍ଚ ସମାନ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସମାନ ନିୟମ ଭିତରେ ରଖା ନଯାଇ କିଛି କେନ୍ଦ୍ରରେ ସିସିଟିଭି ଲଗାଯାଇ ଅନ୍ୟ କେନ୍ଦ୍ରଗୁଡ଼ିକରେ ଲଗା ନଯିବା ଦ୍ୱାରା ଏହା କ୍ୟାମେରା ଲାଗିଥିବା କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଭୟଭୀତ କରାଇ ମାନସିକ ଅବସାଦ ସୃଷ୍ଟି କରେ।
ଏ ପରୀକ୍ଷା ଜୀବନର ଆରମ୍ଭ ନୁହେଁ କି ଅନ୍ତିମ ମଧ୍ୟ ନୁହେଁ। ଏହି ପରୀକ୍ଷାରେ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କ ଜୀବନ ଖୋଲିଯିବ ଏବଂ ଆଗକୁ ଆଉ କିଛି ସମସ୍ୟା ରହିବ ନାହିଁ, ଏମିତି ବି ଆଦୌ ନୁହେଁ। ଅତୀତରେ ଅନେକ ଅଘୋଷିତ ପରୀକ୍ଷାକୁ ସାମନା କରାଯାଇଛି। ଏହା ପରେ ମଧ୍ୟ ଜୀବନରେ ଏମିତି ଅନେକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହାଠୁଁ ଅଧିକ କଡ଼ା ପରୀକ୍ଷାର ସାମନା କରିବାକୁ ପଡ଼ିବ। ତେଣୁ ଏହି ପରୀକ୍ଷାକୁ ନେଇ ଅଧିକ ଭାବାବେଗ କିମ୍ୱା ଗଭୀର ଚାପଗ୍ରସ୍ତ ହେବା ଉଭୟ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଶୁଭଙ୍କର ହେବ ନାହିଁ।
ବୈଷ୍ଣବ ମେହେର
ନୂଆପଡା, ୯୭୭୭୭୫୩୯୩୫