ଉତ୍ତପ୍ତ ବୌଦ୍ଦ: କାରଣ ଓ ନିରାକରଣ

ଗ୍ରୀଷ୍ମ ପ୍ରବାହ ଓଡ଼ିଶା ଜଳବାୟୁର ଏକ ଅଂଶବିଶେଷ। ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ରାଜ୍ୟର ଗ୍ରୀଷ୍ମପ୍ରବାହର ମୁଖ୍ୟ କାରଣ ଉତ୍ତର-ପଶ୍ଚିମା ଶୁଷ୍କ ପବନ। ତେବେ ସ୍ଥାନୀୟ କାରଣ ଏହାକୁ ଅଧିକ ତୀବ୍ର କରିଥାଏ। ସେଗୁଡ଼ିକ ହେଲା ଶିଳ୍ପ ବା କଳକାରଖାନା, ସହରୀକରଣ, ଭୌଗୋଳିକ ଓ ପାଣିପାଗ। ଝାରସୁଗୁଡ଼ା ଓ ଅନୁଗୁଳ ଉତ୍ତପ୍ତ ହେବାର କାରଣ ଶିଳ୍ପରୁ ନିର୍ଗତ ଉତ୍ତାପ ଓ ସବୁଜଗୃହ ବାଷ୍ପ ବାୟୁର ତାପମାତ୍ରାକୁ ବଢ଼଼ାଇଥାଏ। ବିଭିନ୍ନ ସମୟରେ […]

ଗ୍ରୀଷ୍ମ ପ୍ରବାହ ଓଡ଼ିଶା ଜଳବାୟୁର ଏକ ଅଂଶବିଶେଷ। ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ରାଜ୍ୟର ଗ୍ରୀଷ୍ମପ୍ରବାହର ମୁଖ୍ୟ କାରଣ ଉତ୍ତର-ପଶ୍ଚିମା ଶୁଷ୍କ ପବନ। ତେବେ ସ୍ଥାନୀୟ କାରଣ ଏହାକୁ ଅଧିକ ତୀବ୍ର କରିଥାଏ। ସେଗୁଡ଼ିକ ହେଲା ଶିଳ୍ପ ବା କଳକାରଖାନା, ସହରୀକରଣ, ଭୌଗୋଳିକ ଓ ପାଣିପାଗ। ଝାରସୁଗୁଡ଼ା ଓ ଅନୁଗୁଳ ଉତ୍ତପ୍ତ ହେବାର କାରଣ ଶିଳ୍ପରୁ ନିର୍ଗତ ଉତ୍ତାପ ଓ ସବୁଜଗୃହ ବାଷ୍ପ ବାୟୁର ତାପମାତ୍ରାକୁ ବଢ଼଼ାଇଥାଏ। ବିଭିନ୍ନ ସମୟରେ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ହୋଇଥାଏ। ଯାନବାହନର ବହୁଳତା, ଏସିର ବ୍ୟବହାର ଯୋଗୁଁଁ ସବୁଜଗୃହ ବାଷ୍ପର ନିର୍ଗମନ ଏବଂ କୋଠାବାଡ଼ି ଓ ରାସ୍ତା ଉତ୍ତାପକୁ ଜାବୁଡ଼ି ରଖିବା ସହିତ ଜଙ୍ଗଲ ଓ ଜଳାଶୟର ଅବକ୍ଷୟ ହେଉଛି ଏହାର କାରଣ।

ଯେତେବେଳେ ଉତ୍ତପ୍ତ ଶୁଷ୍କ ଉତ୍ତର-ପଶ୍ଚିମା ବାୟୁ ବଙ୍ଗୋପସାଗରକୁ ସିଧା ପ୍ରବାହିତ ନ ହୋଇ ଉପକୂଳରେ ଉତ୍ତରାଭିମୁଖୀ ହୋଇଥାଏ, ଚାନ୍ଦବାଲି ଉତ୍ତପ୍ତ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ମୁଖ୍ୟତଃ ଭୌଗୋଳିକ। ଏହି ସମୟରେ ଚଳିତ ବର୍ଷ ବୌଦ୍ଦ ହଠାତ ଦେଶର ସବୁଠାରୁ ଉତ୍ତପ୍ତ ସହର ହେବା ସ୍ୱାଭାବିକ ନୁହେଁ। ସାଧାରଣ ଭାବେ ଏପ୍ରିଲ ଆରମ୍ଭରୁ ସେଠି ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହୁଏ। ଚଳିତ ଗ୍ରୀଷ୍ମଋତୁର ପ୍ରାରମ୍ଭରୁ ହିଁ ବୌଦ୍ଦରେ ଏହି ଗ୍ରୀଷ୍ମ ପ୍ରଭାବ ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି। ତେବେ ଦେଖିବା ବୌଦ୍ଦରେ ଅହେତୁକ ତାପମାତ୍ରା ବୃଦ୍ଧିର ସମ୍ଭାବ୍ୟ କାରଣ।

ବିଜ୍ଞାନସମ୍ମତ ସିଦ୍ଧାନ୍ତ ଓ ପାଣିପାଗ ନିରୀକ୍ଷଣ ଏହି କାରଣଗୁଡ଼ିକର ମୂଳାଧାର। (୧) ବର୍ତ୍ତମାନ ବୌଦ୍ଦ ସମେତ ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମା ଶୁଷ୍କ ପବନ ବହୁଛି। ନାଗପୁର, ଛତିଶଗଡ଼଼ ସମେତ କେନ୍ଦ୍ରୀୟ ଭାରତରୁ ଉତ୍ତାପ କ୍ରମଶଃ କେନ୍ଦ୍ରୀଭୂତ ହୋଇ ଓଡ଼ିଶାକୁ ଆସୁଛି। (୨) ପଶ୍ଚିମା ବାୟୁ ଶୁଷ୍କ ଥିବାରୁ ତାପମାତ୍ରା ବଢ଼଼ୁଛି। ଅନ୍ୟପକ୍ଷେ ବାୟୁର ଆର୍ଦ୍ରତା ଅଧିକ ରହିଲେ ତାପମାତ୍ରା ଶୀଘ୍ର ବଢ଼଼ି ନ ଥାଏ। ଗତ ତିନିଦିନରେ ବୌଦ୍ଦରେ ବାୟୁର ଆର୍ଦ୍ରତା ପ୍ରାୟ ୩୦% ରହିଥିଲା। ଯଦି ଆର୍ଦ୍ରତା ୫୦% ରହିଥା’ନ୍ତା, ତେବେ ସେଠି ମାର୍ଚ୍ଚ ୧୬ରେ ତାପମାତ୍ରା ପ୍ରାୟ ୭.୫ ଡିଗ୍ରୀ ସେଲସିୟସ କମ୍‌‌ ରହୁଥା’ନ୍ତା। ଅଧିକ ଆର୍ଦ୍ରତା ହେତୁ ଉପକୂଳରେ ତାପମାତ୍ରା ବେଶୀ ବଢ଼଼ିନଥାଏ। (୩) ମାର୍ଚ୍ଚ ୧୪ ରୁ ୧୬ ମଧ୍ୟରେ ଆକାଶର ମେଘୁଆ ୦ରୁ ୨ ‘ଓକିଟିଏ’(ମେଘ ଘନତ୍ୱର ପରିମାପକ) ରହିଥିଲା। ଅର୍ଥାତ ବାୟୁମଣ୍ଡଳ ନିର୍ମଳ ରହିଥିଲା। ଏଣୁ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଭୂପୃଷ୍ଠରେ ସିଧା ପଡ଼ିବାରୁ ଭୂପୃଷ୍ଠ ଖୁବ୍‌‌ ଅଧିକ ଉତ୍ତପ୍ତ ହେଲା। (୪) ଗତ କିଛିମାସ ହେଲା ସେହି ଅଞ୍ଚଳରେ ବର୍ଷା ନଥିବାରୁ ମାଟି ଶୁଖିଲା ପଡ଼ିଛି। ବତର ହେଲେ ମାଟିର ଉତ୍ତାପ ଧାରଣ ଶକ୍ତି ଅଧିକ ରହେ ଏବଂ ଗଭୀର ମାଟିକୁ କିଛି ଉତ୍ତାପ ପ୍ରେରିତ ହୋଇଥାଏ। ଏଣୁ ମାଟିର ତାପମାତ୍ରା ବଢ଼଼ି ନଥାଏ। କିନ୍ତୁ ବର୍ତ୍ତମାନ ବୌଦ୍ଦ ଶୁଖିଲା ଯୋଗୁଁଁ ଉପରମାଟି ଖୁବ୍‌‌ ଉତ୍ତପ୍ତ ହୋଇ ସଂଲଗ୍ନ ବାୟୁମଣ୍ଡଳର ତାପମାତ୍ରା ବଢ଼଼ିବାରେ ସହାୟକ ହେଲା। (୫) ମାର୍ଚ୍ଚ ୧୪ ଓ ମାର୍ଚ୍ଚ ୧୬ରେ ଉପଗ୍ରହ ତଥ୍ୟ କହୁଛି, ବାୟୁର ବେଗ ସ୍ଥିର (ଘଣ୍ଟା ପ୍ରତି ୩.୬ କିମିରୁ କମ୍‌‌) ରହିଥିଲା। ଫଳରେ ଭୂପୃଷ୍ଠ ଓ ନିମ୍ନ ବାୟୁମଣ୍ଡଳର ଉତ୍ତାପ ଅନ୍ୟସ୍ଥାନକୁ ଅପସରି ନ ପାରି କେନ୍ଦ୍ରୀଭୂତ ହେଲା। (୬) ବୌଦ୍ଦରେ ଉପକୂଳ ପରି କୌଣସି ପର୍ବତମାଳା ନାହିଁ। କିନ୍ତୁ ଢାଲୁ ଯୋଗୁଁଁ ତଳୁଆ ସ୍ଥାନରେ ଉତ୍ତାପ ସେଠି ହିଁ କେନ୍ଦ୍ରୀଭୂତ ହେବା ଯୋଗୁଁଁ ତାପମାତ୍ରା ବଢ଼଼ିଯାଇଥାଏ। (୭) ସାଧାରଣତଃ ପଶ୍ଚିମ ଓଡ଼ିଶାରେ ଜଙ୍ଗଲ କମ୍‌‌। ବରଗଡ଼଼, ବଲାଙ୍ଗିର, ସୋନପୁରରୁ ବୌଦ୍ଧ ପର୍ଯ୍ୟନ୍ତ ଖୋଲା ଅଞ୍ଚଳ। ଗଛଲତା ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼଼ାଇବା ସହିତ ତାପମାତ୍ରାକୁ କମ୍‌‌ ରଖିଥାଏ। ଅବଶ୍ୟ ବୌଦ୍ଦର ଅନ୍ୟ ତିନି ପାର୍ଶ୍ବରେ ଜଙ୍ଗଲ ରହିଛି ଏବଂ ଯଦିବା ତଥ୍ୟ କହୁଛି ଜିଲ୍ଲାର ୪୧% ଜଙ୍ଗଲ, କିନ୍ତୁ ଜଙ୍ଗଲର ଘନତା କମିଯାଇଛି। (୮) ଜଳାଶୟ ରହିଥିଲେ ତାପମାତ୍ରା କମ୍‌‌ ରହିଥାଏ। ଯେପରିକି କଟକର ତାପମାତ୍ରା ପ୍ରାୟ ୨ଡିଗ୍ରୀ ସେଲସିୟସ କମ୍‌‌ଥାଏ। ତେବେ ବୌଦ୍ଦ ମହାନଦୀ କୂଳରେ ରହିଛି ସତ, କିନ୍ତୁ ବର୍ତ୍ତମାନ ସେଠି ମହାନଦୀରେ ପାଣି କମ୍‌‌। ଏହାସହିତ ସେଠି ଅନ୍ୟ ଜଳାଶୟ ମଧ୍ୟ ନାହିଁ।

ଶିଳ୍ପ, କଳକାରଖାନା ନଥିବା ଛୋଟ ବୌଦ୍ଦ ସହରରେ ଅପ୍ରତ୍ୟାଶିତ ଭାବେ ତାପମାତ୍ରା ବଢ଼଼ିବା ସାଂଘାତିକ ମନେହେଉଛି। ଜଳବାୟୁ ପରିବର୍ତ୍ତନ ହେତୁ ଆଗକୁ ଏହା ଅଧିକ ଭୟଙ୍କର ହୋଇପାରେ। ଏଣୁ ସେଠାକାର ସାଧାରଣ ଲୋକଙ୍କ ଅନୁଭୂତି ଓ ଅଭିଜ୍ଞତାକୁ ଆଧାରକୁ ନେଇ ବୈଜ୍ଞାନିକମାନଙ୍କ ପରାମର୍ଶରେ ବୌଦ୍ଦ ସମେତ ପଶ୍ଚିମ ଓଡ଼ିଶାର ଗ୍ରୀଷ୍ମପ୍ରବାହକୁ ପ୍ରଶମିତ କରାଯାଇ ପାରିବ। ତେବେ ଏଠି କେତେକ ପରାମର୍ଶ ଦେବାକୁ ମନେହେଉଛି।

(କ) ବରଗଡ଼ଠାରୁ ସୋନପୁର ଦେଇ ବୌଦ୍ଦ ପର୍ଯ୍ୟନ୍ତ ବର୍ତ୍ତମାନର ଜଙ୍ଗଲହୀନ ଫ୍ରି ଡ୍ରାଏ ୱିଣ୍ଡ୍‌‌ କରିଡରକୁ ଘଞ୍ଚ ଜଙ୍ଗଲ ସୃଷ୍ଟି କରି ୱିଣ୍ଡ ବ୍ରେକ୍‌‌ ଗ୍ରୀନ୍‌‌ କରିଡର କରାଯାଉ। (ଖ) ପଶ୍ଚିମ ଓଡ଼ିଶାରେ ଜଳସେଚନର ସୁବିଧା କରାଯାଉ, ଯେପରିକି ଖରାଟିଆ ଚାଷ ହୋଇପାରିବ। ଫଳତଃ ଭୂପୃଷ୍ଠ ସଂଲଗ୍ନ ତାପମାତ୍ରା କମିବାରେ ସାହାଯ୍ୟ ହେବ। (ଗ) ଗାଁ, ସହର, ରାସ୍ତା ସବୁଆଡ଼େ ଗଛ ଲଗାଯାଉ। (ଘ) ଧଳା ବର୍ଣ୍ଣର କୁଲ୍‌‌ ପେଭମେଣ୍ଟ ଓ (ଙ) ଇ-ଭେହିକିଲ୍‌‌ ପାଇଁ ଅଧିକ ସହାୟତା ମିଳୁ।

ଜଳବାୟୁ ପରିବର୍ତ୍ତନ ଯୋଗୁଁଁ ଗ୍ରୀଷ୍ମ ପ୍ରବାହ ଚରମ ହେବାକୁ ଯାଉଛି। ଆକଳନ କହୁଛି ପଶ୍ଚିମ ଓଡ଼ିଶାରେ ଆସନ୍ତା ମେ’ ମାସରେ ସର୍ବାଧିକ ତାପମାତ୍ରା ୨୦୨୪ ଅପେକ୍ଷା ଆଉ ୨ ଡିଗ୍ରୀ ସେଲସିୟସ ଅଧିକ ହୋଇପାରେ। ଏଣୁ ବର୍ତ୍ତମାନରୁ ହିଁ ଗ୍ରୀଷ୍ମପ୍ରବାହର ବିଭୀଷିକାକୁ କମ୍‌‌ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ।

ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ
ଭୁବନେଶ୍ବର, ମୋ: ୯୪୩୭୦୦୦୯୬୧

About The Author: The Sakala