ଭାରତରେ ବିଜ୍ଞାନର ଜୟଯାତ୍ରା

ପ୍ରାଚୀନ ବୈଦିକ ବିଜ୍ଞାନ ହେଉ କିମ୍ୱା ଆଧୁନିକ ପ୍ରଯୁକ୍ତି ବିଦ୍ୟା, ବିଶ୍ୱସ୍ତରରେ ଭାରତର ଅବଦାନ ପ୍ରମାଣସିଦ୍ଧ। ସ୍ୱାଧୀନତା ଲାଭ ପରେ ଭାରତ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମନନିଯୋଗ କଲା। ସବୁଜ ବିପ୍ଳବ ସମୟରେ ଆଧୁନିକ କୃଷିବିଞାନର ବିକାଶଠାରୁ ଆରମ୍ଭ କରି ଏସିଆ-ପ୍ରଶାନ୍ତ ମହାସାଗରର ସର୍ବବୃହତ ଉପଗ୍ରହ ଯୋଗାଯୋଗ ପ୍ରଣାଳୀ, ବିଶ୍ୱବ୍ୟାପୀ ସୁଲଭ ତଥା ପ୍ରଭାବଶାଳୀ ଔଷଧ ଓ ଟିକା ଯୋଗାଣ, ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀର ବିକାଶ, ମହାକାଶ ଅଭିଯାନ, ବିଶ୍ୱ ଆଇଟି ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଏଥÒରେ […]

ପ୍ରାଚୀନ ବୈଦିକ ବିଜ୍ଞାନ ହେଉ କିମ୍ୱା ଆଧୁନିକ ପ୍ରଯୁକ୍ତି ବିଦ୍ୟା, ବିଶ୍ୱସ୍ତରରେ ଭାରତର ଅବଦାନ ପ୍ରମାଣସିଦ୍ଧ। ସ୍ୱାଧୀନତା ଲାଭ ପରେ ଭାରତ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମନନିଯୋଗ କଲା। ସବୁଜ ବିପ୍ଳବ ସମୟରେ ଆଧୁନିକ କୃଷିବିଞାନର ବିକାଶଠାରୁ ଆରମ୍ଭ କରି ଏସିଆ-ପ୍ରଶାନ୍ତ ମହାସାଗରର ସର୍ବବୃହତ ଉପଗ୍ରହ ଯୋଗାଯୋଗ ପ୍ରଣାଳୀ, ବିଶ୍ୱବ୍ୟାପୀ ସୁଲଭ ତଥା ପ୍ରଭାବଶାଳୀ ଔଷଧ ଓ ଟିକା ଯୋଗାଣ, ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀର ବିକାଶ, ମହାକାଶ ଅଭିଯାନ, ବିଶ୍ୱ ଆଇଟି ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଏଥÒରେ ସାମିଲ୍‌‌ ଅଛି। ବିଗତ କିଛି ଦଶନ୍ଧି ମଧ୍ୟରେ ଆଣବିକ ଶକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶ ଦିଗରେ ଭାରତର ସଫଳତା ଉଲ୍ଲେଖନୀୟ। ମହାକାଶ ବିଜ୍ଞାନ ହେଉ ବା ଭେଷଜ ବିଜ୍ଞାନ, ଭାରତର ନବସୃଜନ ବିଶ୍ୱବ୍ୟାପୀ ସୁନାମ ଅର୍ଜନ କରିଛି। ପ୍ରଯୁକ୍ତିବିଦ୍ୟାରେ ଭାରତୀୟଙ୍କ ସଫଳତା ବିଶ୍ୱସ୍ତରରେ ନବସୃଜନ ଦୃଷ୍ଟିରୁ ଭାରତକୁ ୪୬ ତମ ସ୍ଥାନରେ ରଖିଛି। ବିଶେଷକରି ୨୦୨୧ ପରଠାରୁ ଭାରତ ଏହାର ବୈଜ୍ଞାନିକ ଦକ୍ଷତା ବୃଦ୍ଧି, ଗବେଷଣା ଓ ଅନୁସନ୍ଧାନ ପ୍ରତିଷ୍ଠାନ ଭିତ୍ତିଭୂମିର ବିକାଶ, ଜୈବ ବିଜ୍ଞାନ, ଅକ୍ଷୟ ଶକ୍ତି, ଭେଷଜ ବିଜ୍ଞାନ, ବିଜ୍ଞାନଭିତ୍ତିକ କୃଷି ଓ ଶିଳ୍ପ ପ୍ରତିଷ୍ଠା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛି।

ବିଜ୍ଞାନରେ ପ୍ରାଚୀନ ଭାରତୀୟ ସଂସ୍କୃତିର ଅବଦାନ ମଧ୍ୟ ରହିଛି। ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ଆୟୁର୍ବିଜ୍ଞାନରେ ଭାରତର ଅନବଦ୍ୟ ଅବଦାନ ହଜାରେ ବର୍ଷ ପୁରୁଣା। ‘ଶୂନ’ ଓ ‘ଦଶମିକ’ ପ୍ରଣାଳୀର ଧାରଣା ଭାରତରେ ହିଁ ଜନ୍ମ ନେଇଥିଲା। ଏହାକୁ ଉନ୍ନତ ଗାଣିତିକ ଏବଂ ବୀଜଗଣିତର ଆଧାର ଶିଳା କୁହାଯାଇପାରେ। ପ୍ରାଚୀନ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ଉଦ୍ଭାବିତ ସୂତ୍ର ତ୍ରିକୋଣମିତି ଓ ଜ୍ୟୋତିର୍ବିଜ୍ଞାନ ପାଇଁ ଆଲୋକବର୍ତ୍ତିକା ସାବ୍ୟସ୍ତ ହେଲା। ସେ ‘ପାଇ’ର ମୂଲ୍ୟକୁ ସଠିକ୍‌‌ ଭାବରେ ଗଣନା କରିଥିଲେ ଓ ସାର୍‌‌ ପ୍ରଣାଳୀର ହେଲିଓସେଣ୍ଟ୍ରିକ୍‌‌ ମଡେଲ୍‌‌ର ପ୍ରସ୍ତାବନା କରିଥିଲେ। ଭାରତର ମହାକାଶ ଗବେଷଣା ଅନୁଷ୍ଠାନ(ଇସ୍ରୋ) ଉପଗ୍ରହ ଉତକ୍ଷେପଣ, ଚନ୍ଦ୍ରଯାନ, ମଙ୍ଗଳଯାନ, ସୌରଯାନ ଭଳି ବିଭିନ୍ନ ଉଚ୍ଚାଭିଳାଷୀ ପ୍ରକଳ୍ପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଇସ୍ରୋ ୨୦୦୮ ରେ ଚନ୍ଦ୍ରୟାନ -୧ ଉତ୍‌‌କ୍ଷେପଣ କରିଥିଲା, ଯାହା ଚନ୍ଦ୍ରରେ ଜଳର ଉପସ୍ଥିତି ବିଷୟରେ ସମଗ୍ର ବିଶ୍ୱକୁ ପ୍ରଥମ ସୂଚନା ଦେଇଥିଲା। ନିକଟରେ ଇସ୍ରୋ ଚନ୍ଦ୍ରଯାନ-୩ କୁ ଚନ୍ଦ୍ରପୃଷ୍ଠର ଆହ୍ୱାନପୂର୍ଣ୍ଣ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳ ହୋଇ ଏ କ୍ଷେତ୍ରରେ ବିଶ୍ୱର ପ୍ରଥମ ଦେଶ ହେବାରେ ଗୌରବ ଅର୍ଜନ କରିପାରିଛି। ସେହିପରି ମଙ୍ଗଳଯାନ ଭାରତର ପ୍ରଥମ ଆନ୍ତଃଗ୍ରହ ଅଭିଯାନ ଥିଲା। ଏହା ୨୦୧୪ ରେ ସଫଳତାର ସହିତ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଏହି ସଫଳତା ହାସଲ କରିବାରେ ପ୍ରଥମ ଏସୀୟ ରାଷ୍ଟ୍ର ଓ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇପାରିଥିଲା।

ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ‘ଏଲ୍‌‌-୧’ ସେପ୍ଟେମ୍ୱର ୨ ରେ ସଫଳତାର ସହିତ ଉତ୍‌‌କ୍ଷେପଣ ହୋଇସାରିଛି ଏବଂ ଏହା ପାଖାପାଖି ୪ ମାସ ପରେ ନିର୍ଦ୍ଧାରିତ ‘ଏଲ୍‌‌-୧’ ପଏଣ୍ଟରେ ସ୍ଥାପିତ ହୋଇ ସୂର୍ଯ୍ୟ ବିଷୟରେ ଅଧିକ ତଥ୍ୟ ଯୋଗାଇ ପାରିବ। ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ୨୦୨୪ରେ ଆରମ୍ଭ ହେବାକୁ ଯାଉଛି। ମାନବବିହୀନ ‘ଜି୧ ମିଶନ୍‌‌’ ୨୦୨୪ ପ୍ରଥମାର୍ଦ୍ଧରେ, ଦ୍ୱିତୀୟ ମାନବବିହୀନ ‘ଜି୨ ମିଶନ୍‌‌’ ୨୦୨୪ ଏପ୍ରିଲ-ଜୁନ ମାସ ମଧ୍ୟରେ ଏବଂ ଶେଷ ମାନବ ବାହିତ ମହକାଶ ଯାନ ‘ଏଚ୍‌‌୧ ମିଶନ୍‌‌’ ୨୦୨୪ ଶେଷାର୍ଦ୍ଧରେ ଆରମ୍ଭ ହେବାକୁ ଯାଉଛି। ଗଗନ ଯାନ ପାଇଁ ଇସ୍ରୋ ମହାକାଶକୁ ପ୍ରଥମେ ଏକ ଏ-ଆଇ ରୋବୋଟ୍‌‌ ‘ବ୍ୟୋମ ମିତ୍ର’ ପଠାଇବାକୁ ସ୍ଥିର କରିଛି।

ସେହିପରି ଆଗାମୀ ଦିନରେ ଭାରତ ତାହାର ସାମୁଦ୍ରିକ ଅଭିଯାନ ‘ମତ୍ସ୍ୟ’, ଶୁକ୍ର ଅଭିଯାନ ସମେତ ଚନ୍ଦ୍ରଯାନ-୪ ଅଭିଯାନ ପାଇଁ ଯୋଜନା କରିଛି। ଜୈବବିଜ୍ଞାନରେ ଭାରତ ଡାକ୍ତରୀ ଅନୁସନ୍ଧାନ, ଔଷଧ ଏବଂ ଜେନୋମିକ୍ସରେ ଅଗ୍ରଗତି କରୁଛି। ଦେଶ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶରେ ବିପୁଳ ପୁଞ୍ଜି ବିନିଯୋଗ କରୁଛି। ପରିବେଶ ପରିବର୍ତ୍ତନ ଆହ୍ୱାନର ସମାଧାନ ପାଇଁ ନିରନ୍ତର ପଦକ୍ଷେପମାନ ଗ୍ରହଣ କରୁଛି। ସବୁଜ ଶକ୍ତିର ସ୍ଥାୟୀ ବିକାଶ ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ସୌର ଏବଂ ପବନ ଶକ୍ତି ଉପରେ ଅଧିକ ଗବେଷଣା କରି ବିଶ୍ୱର ସର୍ବବୃହତ ଅକ୍ଷୟ ଶକ୍ତି କ୍ଷମତାସମ୍ପନ୍ନ ରାଷ୍ଟ୍ର ହେବାର ଲକ୍ଷ୍ୟ ରଖିଛି। ଏହିପରି ପଦକ୍ଷେପ କେବଳ ପରିବେଶ ସମ୍ୱନ୍ଧୀୟ ସମସ୍ୟାର ସମାଧାନ କରେ ନାହିଁ ବରଂ ଶକ୍ତି ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରେ।

ଭାରତର ଔଷଧ ଶିଳ୍ପ ହେଉଛି ଏପରି ଏକ ଶକ୍ତିକେନ୍ଦ୍ର, ଯାହା ବିଶ୍ୱର ଜେନେରିକ୍‌‌ ଔଷଧର ଏକ ଗୁରୁତ୍ୱପୂର୍ଣ୍ଣ ପେଣ୍ଠସ୍ଥଳୀ ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଭାରତ ସାରା ବିଶ୍ୱକୁ ବିଭିନ୍ନ ଅତ୍ୟାବଶ୍ୟକ ଔଷଧ ଓ ଟିକା ଯୋଗାଇ ମାନବିକତାର ଶ୍ରେଷ୍ଠ ପରିଚୟ ଦେଇଥିଲା। ବିଶେଷକରି କୋଭାକ୍ସିନ୍‌‌ ପାଇଁ ବିଶ୍ୱ ଟିକା ଉତ୍ପାଦନରେ ଭାରତ ଏକ ପ୍ରମୁଖ ଦେଶ ହୋଇଥିଲା। କୋଭାକ୍ସିନ୍‌‌ର ବିକାଶକାରୀ ଭାରତ ବାୟୋଟେକ୍‌‌ ଅନେକ ଭାରତୀୟ ତଥା ଅନ୍ତର୍ଜାତୀୟ କମ୍ପାନୀ ସହ ସହଭାଗିତା କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଅନ୍ୟ ଏକ କୋଭିଡ-୧୯ ଟିକା କୋଭିଶିଲ୍ଡ ଉତ୍ପାଦନ ପାଇଁ ବିଶ୍ୱର ସର୍ବବୃହତ ଟିକା ନିର୍ମାତା ସେରମ୍‌‌ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଇଣ୍ଡିଆ ସହିତ ମଧ୍ୟ ଏକ ଚୁକ୍ତି ହୋଇଛି। ୟୁରୋପୀୟ ସଂଘ, ବ୍ରାଜିଲ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ଇରାନର କମ୍ପାନୀଗୁଡ଼ିକ ସହିତ କୋଭାକ୍ସିନ୍‌‌ ଉତ୍ପାଦନ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛି। ଅଧିକନ୍ତୁ, ଜନସ୍ୱାସ୍ଥ୍ୟ ଓ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରି ଭାରତ ମାଟିରୁ ପୋଲିଓ ବିଲୋପ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆଣବିକ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି ଦେଶ ପାଇଁ ଗୌରବର ଆଉ ଏକ ଉତ୍ସ। ୧୯୭୪ରେ ଭାରତ ପ୍ରଥମ ସଫଳ ପରମାଣୁ ପରୀକ୍ଷଣ କରି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ଆଖ୍ୟା ଅର୍ଜନ କରିବା ପରେ ଆଉ ପଛକୁ ଫେରି ଚାହିଁନାହିଁ। ଭାରତରେ ଏକ ସ୍ୱଦେଶୀ ଆଣବିକ ଶକ୍ତି କାର୍ଯ୍ୟକ୍ରମ ରହିଛି, ଯାହା ଶାନ୍ତିପୂର୍ଣ୍ଣ ଉପାୟରେ ମାନବ ସେବା ପାଇଁ ସମର୍ପିତ। ଭାରତ ନିଜର ଆଣବିକ ରିଆକ୍ଟର ମଧ୍ୟ ବିକଶିତ କରିଛି। ପରମାଣୁ କ୍ଷମତା ପ୍ରଦର୍ଶନ ପାଇଁ ଭାରତ ଅନେକ ପରମାଣୁ ପରୀକ୍ଷଣ କରିଛି। ୧୯୭୪ରେ ପୋଖରାନ୍‌‌-୧ ଏବଂ ୧୯୯୮ରେ ପୋଖରାନ୍‌‌-୨ ଜରିଆରେ ଭାତର ନିଜର ଆଣବିକ କ୍ଷମତା ସମଗ୍ର ବିଶ୍ୱ ଆଗରେ ପ୍ରତିପାଦିତ କରିପାରିଛି। ଭାରତ ମଧ୍ୟ ଅଳ୍ପ କେତେକ ଦେଶ ମଧ୍ୟରୁ ଗୋଟିଏ, ଯେଉଁମାନେ ଥର୍ମୋନ୍ୟୁକ୍ଲିୟର ଅସ୍ତ୍ର ବିକଶିତ କରିଛନ୍ତି, ଯାହାକୁ ‘ହାଇଡ୍ରୋଜେନ୍‌‌ ବୋମା’ ମଧ୍ୟ କୁହାଯାଏ। ବିଦେଶୀ ସହାୟତା କିମ୍ୱା ଆମଦାନୀ ଉପରେ ନିର୍ଭର ନକରି ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରିପାରିଛି। ୧୯୫୦ ଦଶକରୁ ଭାରତ ନିଜର ଆଣବିକ ପ୍ରଯୁକ୍ତିବିଦ୍ୟା ବିକାଶ କରିଆସୁଛି ଏବଂ ଆଣବିକ ଶକ୍ତି, ଆଣବିକ ଅସ୍ତ୍ରଶସ୍ତ୍ର, ଆଣବିକ ଇନ୍ଧନ ଚକ୍ର ଏବଂ ଆଣବିକ ଅନୁସନ୍ଧାନ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ହାସଲ କରିଛି।

ଜେନେଟିକ୍ସ ସାଇନ୍ସ ଓ କୃଷିର ଉନ୍ନତି କ୍ଷେତ୍ରରେ ମଧ୍ୟ ଭାରତର ସଫଳତା ବେଶ୍‌‌ ଉଲ୍ଲେଖନୀୟ। ଏହି ବିଦ୍ୟା ହାସଲ କରି ଫସଲର ଜେନୋମ କ୍ରୋମ୍‌, ଉଚ୍ଚ ଉତ୍ପାଦନକାରୀ ଏବଂ ରୋଗ ପ୍ରତିରୋଧକ କିସମର ବିକାଶ କରି ଦେଶର ଖାଦ୍ୟ ସୁରକ୍ଷା ଓ କୃଷକଙ୍କ ସମୃଦ୍ଧିରେ ବେଶ ସହାୟକ ହୋଇଛି।

୨୦୨୨ ପରବର୍ତ୍ତୀ ସମୟରେ ଭାରତର ସର୍ବୋଚ୍ଚ ବୈଷୟିକ ଧାରା ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌‌ ଇଣ୍ଟିଲିଜେନ୍ସ୍‌‌)ର ବ୍ୟବହାର, ବୈଦ୍ୟୁତିକ ଯାନ ପ୍ରତି ପ୍ରବୃତ୍ତି, ତଥ୍ୟ ସୁରକ୍ଷା ଆଦିକୁ ବିଶେଷ ପ୍ରାଧାନ୍ୟ ଦେଇଆସିଛି। କୃତିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌‌ ଇଣ୍ଟିଲିଜେନ୍ସ୍‌‌ ବର୍ତ୍ତମାନର ଡିଜିଟାଲ ଦୁନିଆକୁ ଆଉ ଏକ ନୂଆ ଦିଗନ୍ତ ପ୍ରଦାନ କରିଛି। ନାସକମ୍‌‌ ରିପୋର୍ଟ ଅନୁସାରେ ଏଆଇ ଦକ୍ଷତା ଅନୁପ୍ରବେଶ ଏବଂ ପ୍ରତିଭା ଏକାଗ୍ରତା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଭାରତ ପ୍ରଥମ ଏବଂ ଏ-ଆଇ ବୈଜ୍ଞାନିକ ପ୍ରକାଶନରେ ପଞ୍ଚମ ସ୍ଥାନରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ବୈଷୟିକ ପ୍ରତିଭା ଅନ୍ୟ ଦେଶ ତୁଳନାରେ ଏ-ଆଇ ଦକ୍ଷତାର ତିନି ଗୁଣ ଅଧିକ। ଏହା ସୂଚିତ କରେ ଯେ ଭାରତୀୟ ବୈଷୟିକ ପ୍ରତିଭା ଡାଟା ସାଇନ୍ସ ବା ତଥ୍ୟ ବିଜ୍ଞାନ(ଡି-ଏସ୍‌‌) ଓ କୃତ୍ରିମ ବୁଦ୍ଧିମତ୍ତା (ଏ-ଆଇରେ ଖୁବ୍‌‌ ଶୀଘ୍ର ବିଶ୍ୱର ଅଗ୍ରଣୀ ସ୍ଥାନ ଦଖଲ କରିବ। ଭାରତର ସୂଚନା ପ୍ରଯୁକ୍ତି ବିଦ୍ୟା କୌଶଳ ବିଶ୍ୱର ବିଭିନ୍ନ ବିକଶିତ ଓ ବିକାଶଶୀଳ ଦେଶର ଅର୍ଥନୀତି ଓ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ଯୋଗାଇ ଆସୁଛି। ଏ-ଆଇ କ୍ଷେତ୍ରରେ ଗୋଟିଏ ବର୍ଷ ମଧ୍ୟରେ ୧୯ଟି ସ୍ଥାନ ଅତିକ୍ରମ କରି ଭାରତ ୧୮୧ଟି ଦେଶ ମଧ୍ୟରେ ଭାରତ ୩୨ ତମ ସ୍ଥାନ ଅଧିକାର କରିଛି। ସରକାରଙ୍କ ଏ-ଆଇ ପୋର୍ଟାଲ (ଇଣ୍ଡିଆ ଏ-ଆଇ)ର ଏକ ବିବୃତ୍ତି ଅନୁଯାୟୀ ଭାରତର ଜାତୀୟ ଏଆଇ କୌଶଳର ପ୍ରଭାବ ଦେଖିବାକୁ ବିଶ୍ୱ ଅପେକ୍ଷା କରିଛି।

ଏତଦ୍‌‌ବ୍ୟତୀତ ହାଇଡ୍ରୋଜେନ୍‌‌ ଇନ୍ଧନ ସେଲ୍‌ଫ ଟେକ୍ନୋଲୋଜିରେ ଗବେଷଣା, ବିକାଶ ଏବଂ ବିନିଯୋଗକୁ ଉତ୍ସାହିତ କରି ଉଦ୍‌ଜାନ ଇନ୍ଧନ ଭିତ୍ତିକ ଯାନର ପ୍ରଚଳନ କରିବାକୁ ଭାରତ ସରକାର ପ୍ରାଧାନ୍ୟ ଦେଇଛନ୍ତି। ବାୟୁ ପ୍ରଦୂଷଣର ସମସ୍ୟାଗୁଡ଼ିକର ସମାଧାନ କରିବା, ଜୈବିକ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନିୟନ୍ତ୍ରଣ କରିବାରେ ଭାରତ ବିଶ୍ୱସ୍ତରୀୟ ପ୍ରୟାସ ଆରମ୍ଭ କରିଛି। ଦେଶ ଭିତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି କରି ଏ କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ଇତିମଧ୍ୟରେ ଅନେକ ଆଇନଗତ ଓ ଅର୍ଥନୀତିଗତ ପଦକ୍ଷେପ ନେଇଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ହବ୍‌‌ କରିବା ଲକ୍ଷ୍ୟରେ ଏନ୍‌‌ପିଇ ଗଠନ କରାଯାଇଛି। ଏହି ନୀତି ଦେଶରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛି।

ବୈଜ୍ଞାନିକ ଏବଂ ବୈଷୟିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ ୧୨ ଜଣ ଭାରତୀୟଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଭାରତର ବୈଜ୍ଞାନିକ ସଫଳତା ହେଉଛି ଜ୍ଞାନ, ନବସୃଜନ ଏବଂ ପ୍ରଗତି ପାଇଁ ଦେଶର ସ୍ଥାୟୀ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ।

ଅମୀୟ ଭୂଷଣ ନାୟକ
ବାଲେଶ୍ୱର, ମୋ: ୮୯୧୭୬୨୯୨୧୪

About The Author: The Sakala