ମୋ ସ୍କୁଲ ଦିନର ଯେଉଁ କେତେଗୁଡ଼ିଏ ଚିରସ୍ଥାୟୀ ସ୍ମୃତି ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ଲାଇବ୍ରେରୀ ପିରିଅଡ୍ ବା ପାଠାଗାର ସମୟ। ସେହି ୩୦ ମିନିଟ୍ର ପିରିଅଡ୍ ପାଇଁ ମୁଁ ସପ୍ତାହ ପରେ ସପ୍ତାହ ଅପେକ୍ଷା କରି ରହୁଥିଲି। ଲାଇବ୍ରେରୀରେ ଧାଡ଼ି ଧାଡ଼ି ହୋଇ ସୁନ୍ଦର ଭାବେ ସଜା ହୋଇ ରହିଥିବା ଓ ମୁଁ ପଢ଼଼ିନଥିବା ବହିଗୁଡ଼ିକ ସବୁବେେଳେ ମୋତେ ଆକର୍ଷିତ କରୁଥିଲେ। ମୋର ଚାରିପାଖରେ ଘେରି ରହିଥିବା ସେହି ବହିଗୁଡ଼ିକ ସତେଯେମିତି ମୋ ପାଇଁ ଉନ୍ମାଦନା ସୃଷ୍ଟି କରୁଥିଲା। ସେଥିମଧ୍ୟରୁ ଗୋଟିଏ ସପ୍ତାହ ପାଇଁ କେବଳ ଗୋଟିଏ ବହି ବାଛିବା କଷ୍ଟକର ଥିଲା। ତେଣୁ ମୁଁ ନେଇଥିବା ବହିଟିକୁ ଶୀଘ୍ର ପଢ଼଼ି ଶେଷ କରି ମୋର ସାଥୀମାନଙ୍କୁ ଦେଇ ସେମାନେ ନେଇଥିବା ବହିଗୁଡ଼ିକୁ ଆଣେ। ବହିଗୁଡ଼ିକର ଶେଷରେ ସଂଲଗ୍ନ ଥିବା ପାଠକଙ୍କ ନାମ ଓ ବହି ନେବା ଫେରାଇବା ତାରିଖ ଉଲ୍ଲିଖିତ ଲାଇବ୍ରେରୀ କାର୍ଡଗୁଡ଼ିକୁ ମୁଁ କ୍ରମଶଃ ଭଲ ପାଇ ବସିଲି।
ପିଲାଦିନରୁ ମୁଁ ସର୍ବଦା ଲାଇବ୍ରେରୀରେ ଅଧିକରୁ ଅଧିକ ବହି ମୋ ହାତରେ ଧରିବାକୁ ଭଲ ପାଏ। ବହିଗୁଡ଼ିକୁ ଆଲମିରାରୁ କାଉଣ୍ଟରକୁ ନେବା, ଲାଇବ୍ରେରିଆନ୍ ସେହି ବହିଗୁଡ଼ିକରେ ଷ୍ଟାମ୍ପ ମାରିବା ଓ କାର୍ଡରେ ମୋ ନାମ ଲେଖିବା ଆଦି ଦେଖି ଆନନ୍ଦ ଅନୁଭବ କରୁଥିଲି। ବାସ୍ତବରେ ଲାଇବ୍ରେରୀ କାର୍ଡ ହେଉଛି ନୂତନ ବିଶ୍ୱର ଅନୁସନ୍ଧାନ ପାଇଁ ଏକ ପାସପୋର୍ଟ, ଯାହା ସ୍ୱଳ୍ପ ମୂଲ୍ୟରେ କିମ୍ବା ସମ୍ପୂର୍ଣ୍ଣ ମାଗଣାରେ ମିଳେ।
ବୟସ ବଢ଼଼ିବା ପରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, କାର୍ଯ୍ୟକ୍ଷେତ୍ର, ଏପରିକି ସେନା କ୍ୟାଣ୍ଟନମେଣ୍ଟରେ ମଧ୍ୟ ମୋ ଉପରେ ଲାଇବ୍ରେରୀଗୁଡ଼ିକର ସେହି ଯାଦୁ ଜାରି ରହିଲା। କାରଣ ମୁଁ ଜଣେ ସେନା ଅଧିକାରୀଙ୍କୁ ବିବାହ କରିଥିବାରୁ ସେନା କ୍ୟାଣ୍ଟେନମେଣ୍ଟ ଲାଇବ୍ରେରୀ ଯିବାକୁ ସୁଯୋଗ ମିଳିଥିଲା। ଯଦି ସେଭଳି କୌଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା କିମ୍ବା ବିଷୟ ନଥାଏ ସେଭଳି କ୍ଷେତ୍ରରେ ବିଶାଳ ବହିର ସମାହାର ମଧ୍ୟରୁ ନିଜ ପସନ୍ଦର ଗୋଟିଏ ବହି ଚୟନ କରିବା ସର୍ବଦା ଏକ କଠିନ କାର୍ଯ୍ୟ ଥିଲା। ମୋର ମନେ ଅଛି, ଗୋଟିଏ ଲାଇବ୍ରେରୀରୁ ମୋତେ ଏକାଥରକେ ପାଞ୍ଚଟି ପୁସ୍ତକ ନେବାର ସୁଯୋଗ ମିଳିଥିଲା। ମୁଁ ଘରେ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ପଢ଼଼ି ଯେଉଁ ଆନନ୍ଦ ଅନୁଭବ କଲି ତାହା ଅବର୍ଣ୍ଣନୀୟ। ଅନେକଙ୍କ ପାଇଁ ଏକ ଅଜଣା ଜଗତର ଅନୁଭୂତି ଆହରଣ କରିବା ପାଇଁ ଦ୍ୱାର ଉନ୍ମୋଚନ କରିବାରେ ବହି ଯାଦୁଗର ଭଳି ଭୂମିକା ନିର୍ବାହ କରେ। ଲାଇବ୍ରେରୀଗୁଡ଼ିକ ହେଉଛି ସେଭଳି ଏକ ସ୍ଥାନ, ଯେଉଁଠାରେ ଏଭଳି ଆକର୍ଷଣୀୟ ନୂଆ ଜଗତ ସୁରକ୍ଷିତ, ସଂରକ୍ଷିତ ଓ ସହଭାଗୀ ଥାଏ।
ଲାଇବ୍ରେରୀ ପ୍ରତି ମୋର ସ୍ୱତନ୍ତ୍ର ଆକର୍ଷଣ ପଛରେ କେବଳ ବହିଗୁଡ଼ିକ ନଥିଲେ, ସେଠାକାର ଶାନ୍ତ ପରିବେଶ, ପାଦଶବ୍ଦର ଗୁଞ୍ଜରଣ, ପୁରୁଣା ପୃଷ୍ଠା ଓଲଟାଇବା ଶବ୍ଦ, ବହିର ଗନ୍ଧ, କାଠ ଥାକ, ଫ୍ୟାନ୍ କିମ୍ବା ବାତାନୁକୁଳିତ ଯନ୍ତ୍ରର ଶବ୍ଦ ଏବଂ ସହପାଠୀଙ୍କ ସହିତ ଧୀର ସ୍ୱରରେ ବାର୍ତ୍ତାଳାପ ମୋତେ ଆହୁରି ଆକର୍ଷିତ କରୁଥିଲା। ବଡ଼ ବଡ଼ ଲାଇବ୍ରେରୀଗୁଡ଼ିକର ଆକର୍ଷଣ ଆହୁରି ଅଧିକ। ସେଠାରେ ଅନେକ ବିଷୟର ପୁସ୍ତକ ସମ୍ଭାର, ଶୃଙ୍ଖଳିତ ବହି ଥାକ ସତରେ ସମ୍ମୋହକ। ସତେଯେପରି ସେହି ପୁସ୍ତକଗୁଡ଼ିକ ଜଣେ ବିଶ୍ୱସ୍ତ ଏବଂ ଉତ୍ସର୍ଗୀକୃତ ବନ୍ଧୁ ପରି ସର୍ବଦା ଆପଣଙ୍କୁ ସେଠାରେ ଅପେକ୍ଷା କରି ରହିଛନ୍ତି। ଲାଇବ୍ରେରୀରେ ଥିବା ପ୍ରତ୍ୟେକ ବିଭାଗ ଏବଂ ଥାକ ଜ୍ଞାନର ସନ୍ଧାନ କରିବାକୁ ସବୁବେଳେ ଆମନ୍ତ୍ରଣ କରେ। ସାହିତ୍ୟ, ବିଜ୍ଞାନ, କଳା, କାଳ୍ପନିକ, ଅଣ-କାଳ୍ପନିକ, କବିତା, ସୂଚନାଧର୍ମୀ ପୁସ୍ତକଗୁଡ଼ିକର ଗ୍ରନ୍ଥାବଳି ଯେତେ ସଂଖ୍ୟାରେ ଥିଲେ ବି ଜ୍ଞାନର ଭଣ୍ଡାର ପୂରଣ ପାଇଁ ସବୁବେଳେ ଅପୂରଣୀୟ ଲାଗେ।
ଲାଇବ୍ରେରୀ ପରିଦର୍ଶନ କରିବା ମୋ ପାଇଁ ଉଭୟ ଉପଶମକାରୀ ଏବଂ ଉପଭୋଗ୍ୟ। ଶାରୀରିକ ଭାବରେ ଏକ ଲାଇବ୍ରେରୀ ପରିଦର୍ଶନ କରିବା ଏବଂ ସେହି ଘର ଭିତରେ କିଛି ସମୟ ବିତାଇବା, ବୁକ୍ କେସ୍ ଦ୍ୱାରା ପରିବେଷ୍ଟିତ ସଂକୀର୍ଣ୍ଣ ସ୍ଥାନଗୁଡ଼ିକରେ ବୁଲିବା, କାଟ୍ଲଗ୍ରୁ ବହି ଖୋଜିବା ଆଦି ମୋ ପାଇଁ ଗୋଟିଏ ଗୋଟିଏ ନିଆରା ଅନୁଭୂତି। ଲାଇବ୍ରେରୀରେ କିଛି ଘଣ୍ଟା ବିତାଇବା ସବୁବେଳେ ମୋ ଉପରେ ଶାନ୍ତ ପ୍ରଭାବ ପକାଇଥାଏ। ଯେତେବେଳେ ମୋର ମନ ଓ ପ୍ରାଣ ଅଶାନ୍ତ ଓ ବ୍ୟତିବ୍ୟସ୍ତ ହୋଇଯାଏ ସେତେବେଳେ ଶାନ୍ତି ପାଇବା ପାଇଁ ବହି ସାଥÒରେ ସମୟ ବିତାଇବାକୁ ଲାଇବ୍ରେରୀ ଚାଲିଯାଏ। ମୋର ଅସୁବିଧାର ଦିନଗୁଡ଼ିକରେ ଲାଇବ୍ରେରୀ କିମ୍ୱା ବହି ଦୋକାନକୁ ଯାଇ ମୁଁ ସହାୟତା ପାଇଛି। ବହିଥିବା ସ୍ଥାନ ସର୍ବଦା ଉଷ୍ମ, ଆରାମଦାୟକ, ଶାନ୍ତ ଏବଂ ଅସୀମ କାହାଣୀକୁ ସାଥÒରେ ଧରି ରହିଥାଏ।
ବର୍ଷ ବର୍ଷ ଧରି ଲାଇବ୍ରେରୀଗୁଡ଼ିକ ପୁସ୍ତକ ଓ ପଠନ ସହିତ ମୋର ସମ୍ପର୍କକୁ ମଜବୁତ କରିଛି। ଲାଇବ୍ରେରୀରେ ପଢ଼଼ା ଟେବୁଲ୍ ଉପରେ ଅନ୍ୟ ପାଠକମାନେ ପଢ଼଼ିସାରି ରଖିଦେଇଥିବା ବହିଗୁଡ଼ିକ ମଧ୍ୟ ମୋତେ ଅନେକ ସମୟରେ ଆକର୍ଷଣ କରେ। ସେଗୁଡ଼ିକ ଦେଖିସାରିବା ପରେ ସେହି ପାଠକଙ୍କ ପଠନୀୟ ସ୍ୱାଦ ଓ ସ୍ୱଭାବ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୁଏ।
ଲାଇବ୍ରେରୀଗୁଡ଼ିକରେ ପୁସ୍ତକଗୁଡ଼ିକର ଆକସ୍ମିକ ଆବିଷ୍କାର ହେଉଛି ଏକ ନିଆରା ଆକର୍ଷଣ। ସତେଯେପରି ସେହି ନିର୍ଦ୍ଦିଷ୍ଟ ପୁସ୍ତକ ମୋତେ ଡାକିବା ଏବଂ ମୋ ସହିତ ବନ୍ଧୁତା କରିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ଯେତେବେଳେ ମୁଁ ପୁସ୍ତକ କିଣିବାକୁ ଆଗ୍ରହ ପ୍ରକାଶ କଲି, ସେତେବେଳେ ମୁଁ ସବୁବେଳେ ଲାଇବ୍ରେରୀ ବହି ବିଷୟରେ ଚିନ୍ତା କରେ। କାରଣ ସେଗୁଡ଼ିକ ଗୋଟିଏ ହାତରୁ ଅନ୍ୟ ହାତକୁ ସମୟ ଦେଇ ଗତି କରନ୍ତି। ଲାଇବ୍ରେରୀରେ ଥବବା ପ୍ରତ୍ୟେକ ବହିର ଏକ ସ୍ୱତନ୍ତ୍ର ରୂପ, ଅନୁଭବ ଏବଂ ସୁଗନ୍ଧ ଅଛି। ସେଗୁଡ଼ିକ ମଧ୍ୟରୁ କିଛି ନୂଆ, କିଛି ପୁରୁଣା, କିଛି ଚିରି ଯାଇଥିବା, କିଛି ପୁନଃସିଲାଇ ହୋଇଥିବା ବିଭିନ୍ନ ସଂସ୍କରଣର, ବିଭିନ୍ନ ମଲାଟ ଥିବା ବିଭିନ୍ନ ସୁଗନ୍ଧ ଯୁକ୍ତ। ଲାଇବ୍ରେରୀ ପୁସ୍ତକଗୁଡ଼ିକର ଏକ ବିଶେଷ ଚରିତ୍ର ଏବଂ ସମ୍ପୃକ୍ତି ଅଛି। ସେହି ପୁସ୍ତକଗୁଡ଼ିକୁ ଯେଉଁମାନେ ପଢ଼଼ିସାରିଛନ୍ତି ସେମାନଙ୍କ ହାତର ସ୍ପର୍ଶ ତା’ ଉପରେ ରହିଥାଏ। ତେଣୁ ପାଠକମାନଙ୍କ ମଧ୍ୟରେ ଏକ ପରୋକ୍ଷ ସମ୍ପର୍କ ବହି ଦ୍ୱାରା ସ୍ଥାପିତ ହୋଇଥାଏ।
ଲାଇବ୍ରେରୀ ପୁସ୍ତକଗୁଡ଼ିକର ଯାତ୍ରା ମଧ୍ୟ ଉଲ୍ଲେଖନୀୟ। ସେମାନେ ଜଣେ ପାଠକଠାରୁ ଅନ୍ୟ ପାଠକ ହାତକୁ ବା ଘରକୁ ଯାଆନ୍ତି। ବେଳେ ବେଳେ ଶୀଘ୍ର ନିଜ ଘରକୁ ଫେରି ଆସନ୍ତି ତ ବେଳେବେଳେ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରହନ୍ତି। ବେଳେବେଳେ ଅନେକ ଦିନ ଧରି ଲାଇବ୍ରେରୀରେ ହିଁ ପଡ଼ି ରହନ୍ତି। ପାଠକମାନଙ୍କ ମଧ୍ୟରୁ କେତେକ ବହି ସହିତ ଭଲ ବ୍ୟବହାର କରନ୍ତି, ସେମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଆଉ କେତେକ ସେମାନଙ୍କୁ ଖାମ୍ଖିଆଲି ଭାବେ ବ୍ୟବହାର କରନ୍ତି। ଏପରିକି ପୃଷ୍ଠା ଓ ମଲାଟଗୁଡ଼ିକୁ ଚିରି ଦିଅନ୍ତି। ବହିଗୁଡ଼ିକ କ୍ଷତବିକ୍ଷତ ହୋଇ ଲାଇବ୍ରେରୀକୁ ଫେରନ୍ତି। କିଛି ପୁସ୍ତକ ସେମାନଙ୍କ ଯାତ୍ରାରେ ହଜିଯାଆନ୍ତି। ପୁଣି କେତେକ ଦୀର୍ଘ ଦିନର ଖୋଜାଖୋଜି ପରେ ଉଦ୍ଧାର ପାଆନ୍ତି। ବିରଳ ଏବଂ ସ୍ୱତନ୍ତ୍ର ବହିଗୁଡ଼ିକ କେବଳ ଲାଇବ୍ରେରୀ ଏବଂ ସେକେଣ୍ଡ ହ୍ୟାଣ୍ଡ ବୁକ୍ ଦୋକାନରେ ମିଳିଥାଏ। ଏହିପରି ପୁସ୍ତକ ଆବିଷ୍କାରର ଆନନ୍ଦ ଏବଂ ସନ୍ତୋଷ ଲୋଭନୀୟ। ଏଭଳି ପୁସ୍ତକଗୁଡ଼ିକର ଆବିଷ୍କାର କୌଣସି ବୈଜ୍ଞାନିକ ଆବିଷ୍କାରଠାରୁ କମ୍ ନୁହେଁ!
ଲାଇବ୍ରେରୀଗୁଡିକୁ ଯାହା ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ ତାହା ହେଉଛି ସେମାନଙ୍କର ଅଭିଭାବକ ବା ସେମାନଙ୍କର ରକ୍ଷକ ବା ଗ୍ରନ୍ଥାଗାରିକମାନଙ୍କର ଉତ୍ସର୍ଗୀକୃତ ଅବଦାନ। ଗ୍ରନ୍ଥାଗାରିକମାନେ ବର୍ତ୍ତମାନର କେତେକ ଉତ୍ସର୍ଗୀକୃତ ଏବଂ ଯତ୍ନଶୀଳ ବ୍ୟକ୍ତି ମଧ୍ୟରୁ ଅନ୍ୟତମ। ଗ୍ରନ୍ଥାଗାରିକମାନଙ୍କ ପୁସ୍ତକ ବିଷୟରେ ବ୍ୟାପକ ଜ୍ଞାନ, ଖୋଜିବାର କ୍ଷମତା ପାଇଁ ମୋର ସେମାନଙ୍କ ପ୍ରତି ଗଭୀର ସମ୍ମାନ ଅଛି।
ଦୁର୍ଭାଗ୍ୟର ବିଷୟ, ଲାଇବ୍ରେରୀଗୁଡ଼ିକ ଯୁବ ପିଢ଼ିଙ୍କ ପାଇଁ ଆଉ ଏବେ ପୂର୍ବପରି ଆକର୍ଷଣୀୟ ହୋଇ ରହିନାହିଁ। କାରଣ ସେମାନଙ୍କର ଗୁରୁତ୍ୱକୁ ଏବେ ପ୍ରାଥମିକତା ଦିଆଯାଉନଥିବା ପରି ମନେ ହେଉଛି। ଏବେ ଛାତ୍ରଛାତ୍ରୀମାନେ ସେମାନେ ପଢ଼଼ୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଲାଇବ୍ରେରୀଗୁଡ଼ିକୁ ଯାଆନ୍ତି, ତା’ ମଧ୍ୟ କେବଳ ସୂଚନା ପାଇବା ପାଇଁ ଏବଂ ସେହି ବହି ଖୋଜିବା ପାଇଁ, ଯାହା ସେମାନେ ଇଣ୍ଟରନେଟରେ କିମ୍ୱା ବଜାରରେ ପାଆନ୍ତି ନାହିଁ। ଏବେ ମଧ୍ୟ ବିଦ୍ୟାଳୟଗୁଡ଼ିକରେ ଲାଇବ୍ରେରୀ ପିରିଅଡ୍ ରହିଛି ଏବଂ ପୁସ୍ତକ ପୂର୍ବପରି ଘରକୁ ନେବା ପାଇଁ ଦିଆଯାଉଛି। କିନ୍ତୁ କେବଳ ଅଳ୍ପ କେତେକ ଛାତ୍ର ଏହାର ସଦୁପଯୋଗ କରୁଛନ୍ତି। ଅନେକ ସହରମାନଙ୍କରେ ଲାଇବ୍ରେରୀ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି ଏବଂ ଲାଇବ୍ରେରୀକୁ ଆସୁଥିବା ପାଠକ ବା ପରିଦର୍ଶକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆବାସିକ ଅଞ୍ଚଳରେ ମଧ୍ୟ ଅନେକ ଲାଇବ୍ରେରୀ ବନ୍ଦ ହୋଇଯାଇଛି। କିଛି ସର୍ବସାଧାରଣ ବା ସରକାରୀ ପାଠାଗାର ଅର୍ଥ ଅଭାବରୁ ସଠିକ୍ ରୂପେ ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହୋଇପାରୁନାହିଁ।
ମୁଁ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଲାଇବ୍ରେରୀକୁ ଯାଇପାରିନାହିଁ। କିନ୍ତୁ ମୁଁ ମୋର ପଢ଼଼ା ଅଭ୍ୟାସ ଜାରି ରଖିଛି। କାରଣ ମୁଁ ଏବେ ବହିଗୁଡ଼ିକ ଦୋକାନ ଓ ଇଣ୍ଟରନେଟ୍ରୁ ପାଇଯାଉଛି।
କୌତୁହଳର ବିଷୟ ହେଉଛି, ସମୟ ବଦଳିବା ସହିତ ଲାଇବ୍ରେରୀଗୁଡ଼ିକ ମଧ୍ୟ ସେମାନଙ୍କର ନିଜସ୍ୱ ରୂପାନ୍ତରଣ ଓ ନୂତନତ୍ୱକୁ ଆପଣେଇ ନେଇଛନ୍ତି। ଲାଇବ୍ରେରୀଗୁଡ଼ିକ ପୁସ୍ତକ ପଠନ ଅଧିବେଶନ, ଲେଖକମାନଙ୍କର ସମ୍ମିଳନୀ, କାହାଣୀ ସୃଜନ ଓ ଶ୍ରବଣ ଓ ପିଲାମାନଙ୍କ ପାଇଁ ଖରାଛୁଟିରେ ସ୍ୱତନ୍ତ୍ର ବିଷୟ ଯୋଗାଇବା ପରି ଅତିରିକ୍ତ ସେବା ପ୍ରଦାନ କରୁଛନ୍ତି। ଲାଇବ୍ରେରୀଗୁଡ଼ିକ ବର୍ତ୍ତମାନ କମ୍ପ୍ୟୁଟର, ଅଧ୍ୟୟନ କକ୍ଷ, ସଭା କକ୍ଷ ସହିତ ସଜ୍ଜିତ। ଏବେ ଲାଇବ୍ରେରୀଗୁଡ଼ିକ ଭ୍ରାମ୍ୟମାଣ ସେବା ଜରିଆରେ ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସୁଖର କଥା କିଛି ଅଭିନବ ଲାଇବ୍ରେରୀ ସବୁ ବୟସର ପାଠକଙ୍କୁ ଆକର୍ଷିତ କରୁଥିବା ଭଳି ପଦକ୍ଷେପ ସହିତ ସେମାନଙ୍କ ଯାତ୍ରା ଜାରି ରଖିଛନ୍ତି। ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ। ସମୟ ଆସିଛି ଆମେ ଆମର ଲାଇବ୍ରେରୀଗୁଡ଼ିକର ଭୂମିକାକୁ ସମର୍ଥନ କରିବା ସହିତ ସେମାନଙ୍କ ପାଠକୀୟ ସ୍ପୃହା ଓ ଜ୍ଞାନ ବିତରଣ ଯାତ୍ରାକୁ ସହଯୋଗ କରିବା। (ସୌଜନ୍ୟ:odishabytes.com)
ଏଲିସା ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୯୩୭୯୪୮୫୬୮