ମାନବୀୟ ସୌନ୍ଦର୍ଯ୍ୟର ପରିଭାଷା

ସମ୍ପ୍ରତି ଆନ୍ତର୍ଜାତିକ ସ୍ତରରେ ଅନୁଷ୍ଠିତ ହେଉଛି ସୁନ୍ଦରୀ ପ୍ରତିଯୋଗିତା। ସର୍ବୋତ୍ତମ ବିବେଚିତ ସୁନ୍ଦରୀ ପିନ୍ଧୁଛି ମିସ୍‌‌ ୱାର୍ଲଡ୍‌‌, ମିସ୍‌‌ ୟୁନିଭସ୍‌‌ର୍ ମୁକୁଟ। ଏବେ ଏହା ଆନ୍ତର୍ଜାତିକ ସ୍ତରରୁ ଦେଶ, ଦେଶରୁ ପ୍ରଦେଶ ଓ ପ୍ରଦେଶରୁ ନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲାଣି। ଶୁଣାଯାଏ, ପ୍ରତିଯୋଗିନୀମାନଙ୍କୁ ବୁଦ୍ଧିର ପରୀକ୍ଷା ମଧ୍ୟ ଦେବାକୁ ହୁଏ। କିନ୍ତୁ ମନେହୁଏ ସେହି ବୁଦ୍ଧି କେବଳ ତଥ୍ୟ ବା ଖବର (ଇନ୍‌‌ଫର୍ମେସନ୍‌‌) ମଧ୍ୟରେ ସୀମିତ ଥାଏ। ତାହା ପ୍ରକୃତ ଜ୍ଞାନର ପରିଚାୟକ ନୁହେଁ। ଇଂରେଜ କବି […]

ସମ୍ପ୍ରତି ଆନ୍ତର୍ଜାତିକ ସ୍ତରରେ ଅନୁଷ୍ଠିତ ହେଉଛି ସୁନ୍ଦରୀ ପ୍ରତିଯୋଗିତା। ସର୍ବୋତ୍ତମ ବିବେଚିତ ସୁନ୍ଦରୀ ପିନ୍ଧୁଛି ମିସ୍‌‌ ୱାର୍ଲଡ୍‌‌, ମିସ୍‌‌ ୟୁନିଭସ୍‌‌ର୍ ମୁକୁଟ। ଏବେ ଏହା ଆନ୍ତର୍ଜାତିକ ସ୍ତରରୁ ଦେଶ, ଦେଶରୁ ପ୍ରଦେଶ ଓ ପ୍ରଦେଶରୁ ନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲାଣି। ଶୁଣାଯାଏ, ପ୍ରତିଯୋଗିନୀମାନଙ୍କୁ ବୁଦ୍ଧିର ପରୀକ୍ଷା ମଧ୍ୟ ଦେବାକୁ ହୁଏ। କିନ୍ତୁ ମନେହୁଏ ସେହି ବୁଦ୍ଧି କେବଳ ତଥ୍ୟ ବା ଖବର (ଇନ୍‌‌ଫର୍ମେସନ୍‌‌) ମଧ୍ୟରେ ସୀମିତ ଥାଏ। ତାହା ପ୍ରକୃତ ଜ୍ଞାନର ପରିଚାୟକ ନୁହେଁ। ଇଂରେଜ କବି ଟି.ଏସ୍‌‌.ଏଲିଅଟ୍‌‌ ଯଥାର୍ଥରେ କ୍ଷୋଭ ପ୍ରକାଶ କରି କହିଥିଲେ, ଆଧୁନିକ ଯୁଗରେ ତଥ୍ୟକୁ ଜ୍ଞାନ (ନଲେଜ୍‌‌) ଭାବରେ ଗ୍ରହଣ କରାଯାଉଛି(ହ୍ୱେର ଇଜ୍‌‌ ଦ ନଲେଜ୍‌‌ ୱି ହାଭ୍‌‌ ଲଷ୍ଟ ଇନ୍‌‌ ଇନ୍‌‌ଫରମେସନ୍‌‌)। ପୁନଶ୍ଚ ପ୍ରତିଯୋଗିନୀମାନଙ୍କୁ ଆଧୁନିକ ବେଶଭୂଷାରେ ଅର୍ଦ୍ଧନଗ୍ନ ଶରୀରରେ ଦେଖିବାକୁ ମିଳେ। ଯେଉଁ ପରୀକ୍ଷକମାନେ ସୁନ୍ଦରୀ ପ୍ରତିଯୋଗିତାର ମୂଲ୍ୟାୟନ କରନ୍ତି ସେମାନେ ଭୁଲିଯିବା ଉଚିତ ନୁହେଁ ଯେ, ସୌନ୍ଦର୍ଯ୍ୟ ବେଶଭୂଷା ବା ଅଳଙ୍କାର ଉପରେ ଆଧାରିତ ନୁହେଁ। ଏଣୁ ଶକୁନ୍ତଳା ବଳ୍‌‌କଳ ପିନ୍ଧିଥିଲେ ମଧ୍ୟ ରାଜା ଦୁଷ୍ମନ୍ତଙ୍କ ଦୃଷ୍ଟିରେ ସେ ଥିଲେ ଅତ୍ୟନ୍ତ ରମଣୀୟା। କାଳିଦାସଙ୍କ ଭାଷାରେ “ସରସିଜମନୁବିଦ୍ଧଂ ଶୈବାଳେନାପି ରମ୍ୟମ୍‌‌।” ଅର୍ଥାତ୍‌‌ ପଦ୍ମ ଶୈବାଳଯୁକ୍ତ ହେଲେ ମଧ୍ୟ ରମଣୀୟ ଦେଖାଯାଏ। ଯିଏ ପ୍ରକୃତରେ ସୁନ୍ଦରୀ ତା’ ପାଇଁ ଅଳଙ୍କାର ନିଷ୍ପ୍ରୟୋଜନ। ଏହି ଦୃଷ୍ଟିରୁ ବିଭିନ୍ନ ଶୈଳୀରେ ପୋଷାକ ପିନ୍ଧି ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଘଟଣା ସୌନ୍ଦର୍ଯ୍ୟ ଜଗତରେ ଏକ ବିଡ଼ମ୍ବନା।

ଖ୍ୟାତନାମା ଇଂରେଜ କବି ଜନ୍‌‌ କୀଟ୍‌‌ସ୍‌‌ କହିଥିଲେ, “ସୌନ୍ଦର୍ଯ୍ୟ ମଣିଷକୁ ଚିରକାଳ ପାଇଁ ଆନନ୍ଦ ଦିଏ” (ଏ ଥିଙ୍ଗ ଅଫ୍‌‌ ବ୍ୟୁଟି ଇଜ୍‌‌ ଏ ଜୟ ଫର ଏଭର) ଓ ଏହାର ଆକର୍ଷଣ ସମୟର ଗତି ସହିତ ପରିବର୍ଦ୍ଧିତ ହୁଏ (ଇଟ୍‌‌ସ ଲଭ୍‌‌ଲିନେସ୍‌‌ ଇନକ୍ରିଜେସ୍‌‌ ଆଣ୍ଡ ଇଟ୍‌‌ ନେଭର ପାସେସ୍‌‌ ଇନ୍‌‌ଟୁ ନଥିଙ୍ଗନେସ୍‌‌)। ଅର୍ଥାତ୍‌‌ ସୌନ୍ଦର୍ଯ୍ୟ ହେଉଛି ଚିରନ୍ତନ। ମାତ୍ର ଶାରୀରିକ ସୌନ୍ଦର୍ଯ୍ୟ କେବେ ଚିରନ୍ତନ ହୋଇପାରେ ନାହିଁ। ଭକ୍ତକବି ମଧୁସୂଦନଙ୍କ ଭାଷାରେ, “ଯୁବତୀର ରକ୍ତାଧର ରମ୍ୟଜ୍ୟୋତି ନୟନର/ସ୍ୱର୍ଣ୍ଣ ଘନ ସମ ବକ୍ଷ ଚାରୁ ପଦ୍ମାନନ/ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ।” ବୟସ ଗଡ଼ିଚାଲିଲେ ଶାରୀରିକ ସୌନ୍ଦର୍ଯ୍ୟର ଆକର୍ଷଣ କମିଆସେ। ମାତ୍ର ଆତ୍ମାର ସୌନ୍ଦର୍ଯ୍ୟ ଚିରକାଳ ଅକ୍ଷୁଣ୍ଣ ରହେ। ଚର୍ମଚକ୍ଷୁ ଯେଉଁ ସୌନ୍ଦର୍ଯ୍ୟକୁ ଦେଖେ ସେହି ସୌନ୍ଦର୍ଯ୍ୟ ଚିରନ୍ତନ ନ ଥାଏ। ମାତ୍ର କଳ୍ପନାର ଚକ୍ଷୁ ଯାହାକୁ ସୁନ୍ଦର ଭାବରେ ଉପଲବ୍‌‌ଧି କରେ ତାହା ହିଁ ପ୍ରକୃତ ସୁନ୍ଦର। ଏଣୁ ଜନ୍‌‌ କୀଟସ୍‌‌ କହିଥିଲେ, (ହ୍ୱାଟ୍‌‌ ଦ ଇମାଜିନେସନ୍‌‌ ସିଜେସ୍‌‌ ଆଜ୍‌‌ ବ୍ୟୁଟି ମଷ୍ଟ ବି ଟ୍ରୁ)। ଯାହା ସୁନ୍ଦର ତାହା ସତ୍ୟ। ସତ୍ୟ ଚିରନ୍ତନ ଓ ସୌନ୍ଦର୍ଯ୍ୟ ବି ଚିରନ୍ତନ (ବ୍ୟୁଟି ଇଜ୍‌‌ ଟ୍ରୁଥ୍‌‌, ଟ୍ରୁଥ୍‌‌ ବ୍ୟୁଟି)। ସୌନ୍ଦର୍ଯ୍ୟ ଏକ ବ୍ୟକ୍ତିଗତ ଅନୁଭବ, ଏହା ବାହ୍ୟ ରୂପରେ ନଥାଏ। ଏହା ଅନ୍ତରର ସୂକ୍ଷ୍ମ ରୂପରେ ଥାଏ। ଏଣୁ ଜଣେ କୃଷ୍ଣକାୟ ମହିଳାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେକ୍ସପିଅର୍‌‌ ଲେଖିଥିଲେ ଅନେକ କାଳଜୟୀ କବିତା। ସୌନ୍ଦର୍ଯ୍ୟ କୌଣସି ବସ୍ତୁ ବା ବ୍ୟକ୍ତିରେ ନଥାଏ, ଥାଏ ଦର୍ଶକର ଆଖିରେ। ଆଜି ଅର୍ଦ୍ଧଉଲଗ୍ନ ପରୀକ୍ଷାର୍ôଥନୀମାନଙ୍କର ସମ୍ଭ୍ରମବର୍ଜିତ ଅଙ୍ଗପ୍ରତ୍ୟଙ୍ଗର ପ୍ରଦର୍ଶନୀ ମାଧ୍ୟମରେ ସୌନ୍ଦର୍ଯ୍ୟ ଭଳି ଏକ ସୁକୁମାର ଉପଲବ୍ଧିକୁ ନଷ୍ଟଭ୍ରଷ୍ଟ କରି ଦିଆଯାଉଛି।

ସୌନ୍ଦର୍ଯ୍ୟର ଅନୁଭବ ସମ୍ପର୍କରେ ମନେପଡ଼େ ଏକ ପ୍ରାଚୀନ କାହାଣୀ। ଜଣେ ରାଜା ଜନୈକ ଯୁବକବିଙ୍କର କେତୋଟି କବିତା ଚାରଣ ମୁହଁରୁ ଶୁଣି ମୁଗ୍‌‌ଧ ହେଲେ। ଇଚ୍ଛା କଲେ, ସେହି ଯୁବକଙ୍କୁ ରାଜକବି ଭାବରେ ନିଯୁକ୍ତି ଦେବେ। ରାଜାଙ୍କର ପ୍ରସ୍ତାବ ନେଇ ଦୂତ ପହଞ୍ଚିଲା ଯୁବକବି ରହୁଥିବା ଏକ ପଲ୍ଲୀରେ। ଦୂତ ଯୁବକବିଙ୍କ ପାଖରେ ପହଞ୍ଚି କହିଲା, “ବାବୁ, ରାଜା ତୁମ କବିତା ଶୁଣି ବିମୁଗ୍ଧ ହୋଇଛନ୍ତି। ସେ ତୁମକୁ କରିବେ ରାଜକବି। ତୁମେ ପିନ୍ଧିବ ପାଟଲୁଗା ଓ ପାଇବ ରାଜକୀୟ ସମ୍ମାନ। ରାଜାଙ୍କ ଆଦେଶ, ତୁମେ ମୋ ସଙ୍ଗେ ରାଜଦରବାରକୁ ଆସ।” ମାତ୍ର ଯୁବକବି କହିଲେ, “କ୍ଷମା କରିବେ, ମୁଁ ସେହି ରାଜକବି ପଦ ପାଇଁ ଆଦୌ ଲାଳାୟିତ ନୁହେଁ। ଏଣୁ ମୁଁ ଆପଣଙ୍କ ସଙ୍ଗେ ଯାଇପାରିବି ନାହିଁ।” ରାଜା ଅନେକ ଥର ସେହି ପ୍ରସ୍ତାବ ଯୁବକବିଙ୍କ ନିକଟକୁ ପଠାଇ ନିରାଶ ହୋଇଛନ୍ତି। ଶେଷରେ ପଠାଇଛନ୍ତି ଜଣେ ଅମାତ୍ୟଙ୍କୁ। ଅମାତ୍ୟ ସେହି ଯୁବକବିଙ୍କ ପାଖରେ ପହଞ୍ଚି ରାଜକବି ପଦକୁ ଗ୍ରହଣ ନ କରିବାର କାରଣ ଅନୁସନ୍ଧାନ କଲେ ଓ ରାଜାଙ୍କୁ ଜଣାଇଲେ। ସେ କହିଲେ, “ମହାରାଜ! ଯୁବକବି ଜଣେ ପ୍ରେମିକ। ମାତ୍ର କୌଣସି ଗ୍ରହଦଶା ହେତୁ ଗୋଟିଏ ବର୍ଷ ପାଇଁ ପ୍ରେମିକା ସହ ତାଙ୍କର ବିବାହ ସମ୍ଭବ ନୁହେଁ। ସେ ତାଙ୍କ ପ୍ରେମିକାକୁ ମଧ୍ୟେ ମଧ୍ୟେ ନ ଦେଖିଲେ ରହିପାରନ୍ତି ନାହିଁ। ଏଣୁ ବିବାହ ପର୍ଯ୍ୟନ୍ତ ସେ ରାଜ ଦରବାରକୁ ଆସି ରାଜକବି ପଦ କେବେ ଗ୍ରହଣ କରିପାରିବେ ନାହିଁ।” ଏହା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ। ସାମାନ୍ୟ ପ୍ରେମ ପାଇଁ ଜଣେ ପଲ୍ଲୀବାସୀ କବି ରାଜସମ୍ମାନକୁ ଉପେକ୍ଷା କରିପାରେ- ଏହା ରାଜାଙ୍କୁ ବିସ୍ମିତ କଲା। ରାଜା ଭାବିଲେ ଯାହାର କବିତା ଏତେ ସୁନ୍ଦର, ଯେଉଁ ପ୍ରେମିକାକୁ ଆଧାର କରି ତା’ର କବିତା ରଚିତ, ସେ କେତେ ସୁନ୍ଦର ହୋଇ ନଥିବ! ଏଣୁ ଯୁବକବିଙ୍କ ପ୍ରେମିକାକୁ ଦେଖିବା ପାଇଁ ରାଜାଙ୍କର ପ୍ରଚଣ୍ଡ ଆଗ୍ରହ ଜାତ ହେଲା।

ଗୋଟିଏ ବର୍ଷ ଅତିକ୍ରାନ୍ତ ହେଲା। ଯୁବକବିଙ୍କ ବାହାଘର ସରିଲା। ରାଜା ରଥ ପଠାଇ ଉଭୟଙ୍କୁ ରାଜଦରବାରକୁ ଆମନ୍ତ୍ରଣ କଲେ। ଏଥର ଯୁବକବି ତାଙ୍କ ପ୍ରେମିକାଙ୍କୁ ଧରି ରାଜଦରବାରରେ ପହଞ୍ଚିଲେ। ମାତ୍ର ଝିଅଟିକୁ ଦେଖି ରାଜା ଅତ୍ୟନ୍ତ ନିରାଶ ହେଲେ, କାରଣ କୌଣସି ଦୃଷ୍ଟିରୁ ଝିଅଟି ସୁନ୍ଦର ନ ଥିଲା। ରାଜା କହିଲେ, “କବିବର! କିଛି ଭାବିବ ନାହିଁ। ତୁମ କବିତା ଭଳି ତୁମ ପ୍ରେମିକା ତ ଚିତ୍ତାକର୍ଷକ ନୁହନ୍ତି?” ଯୁବକବି କହିଲେ, “ମଣିମା! ଆପଣଙ୍କର କିଛି ଗୋଟିଏ ଅଭାବ ରହିଛି। ଏଣୁ ଆପଣଙ୍କ ଦୃଷ୍ଟିରେ ସେ ସୁନ୍ଦର ଦେଖାଯାଉ ନାହିଁ।” ରାଜା ସେହି ଝିଅଟିର କେଶ ପରିଚର୍ଯ୍ୟା ଓ ରାଜକୀୟ ପ୍ରସାଧନ କରାଇ ଆଣିବାକୁ ପରିଚାରିକାକୁ ଆଦେଶ ଦେଲେ। ତାହା ହିଁ କରାଗଲା। ରାଣୀଙ୍କର ଏକ ଅତି ସୁନ୍ଦର ମୂଲ୍ୟବାନ୍‌‌ ଶାଢ଼ିଟିଏ ପିନ୍ଧି କବିଙ୍କ ପ୍ରେମିକା ରାଜାଙ୍କ ଆଗରେ ଛିଡ଼ାହେଲା। ରାଜା କନ୍ୟାଟିକୁ ନିରୀକ୍ଷଣ କଲେ। ତଥାପି ବିଶେଷକିଛି ପରିବର୍ତ୍ତନ ହେବାର ଜାଣିପାରିଲେ ନାହିଁ। ଏଣୁ କନ୍ୟାଟିକୁ କିଛି ଅଳଙ୍କାର ପିନ୍ଧାଇବା ପାଇଁ ସେ ପରିଚାରିକାଙ୍କୁ ଆଦେଶ ଦେଲେ। ତଥାପି ରାଜା ସନ୍ତୁଷ୍ଟ ହେଲେ ନାହିଁ ଓ କହିଲେ, “ବିଶେଷ କିଛି ପରିବର୍ତ୍ତନ ହେଲା ନାହିଁ।” ଯୁବକବି ରାଜାଙ୍କୁ କହିଲେ, “ମଣିମା! ଏବେବି ଆପଣଙ୍କର କିଛି ଅଭାବ ଅଛି।” ରାଜା ଭାବିଲେ, ସେ ବୋଧହୁଏ ଠିକ୍‌‌ ପଟ୍ଟଭୂମିରେ କନ୍ୟାଟିକୁ ଦେଖୁନାହାନ୍ତି। ଏଣୁ ସେ ଝିଅଟିକୁ ନେଇଗଲେ ଏକ ଉଦ୍ୟାନ ମଝିକୁ। ବୃକ୍ଷଲତାର ପଟ୍ଟଭୂମିରେ ସେ କନ୍ୟାଟିକୁ ନିରୀକ୍ଷଣ କଲେ। ତଥାପି ସେ କହିଲେ, “କବିବର! ତୁମେ ଏହି କନ୍ୟାକୁ ପାଇବା ପାଇଁ ପାଗଳ ହୋଇଥିଲ। କିନ୍ତୁ ଅଭିଭୂତ କଲା ଭଳି ସୌନ୍ଦର୍ଯ୍ୟ ମୁଁ ଏହି ଝିଅ ପାଖରେ ଦେଖୁ ନାହିଁ।” ପୁଣି ଯୁବକବି କହିଲେ, “ମଣିମା! ଆପଣଙ୍କଠାରେ ଗୋଟିଏ ଅଭାବ ରହିଯାଉଛି, ତାହା ହେଉଛି ଭାବର ଅଭାବ। ଆପଣଙ୍କଠାରେ ମୋର ଆଖି ନାହିଁ। ଅର୍ଥାତ୍‌‌ ପ୍ରେମିକର ଆଖି ନାହିଁ। ଆପଣଙ୍କ ପାଖରେ ଅଛି ଜଣେ ପରୀକ୍ଷକର ଆଖି।” ରାଜା ଚମକି ପଡ଼ିଲେ। ସୌନ୍ଦର୍ଯ୍ୟ ଅନୁଭବ କରିବାର ଗୂଡ଼ ରହସ୍ୟ ବୁଝି କବିଙ୍କୁ କୁଣ୍ଢାଇ ପକାଇଲେ।

ପ୍ରଶ୍ନ ଉଠେ, ଆଜିକାଲି ସୁନ୍ଦରୀ ପ୍ରତିଯୋଗିତାରେ ଯେଉଁ ପରୀକ୍ଷକମାନେ ମୂଲ୍ୟାୟନ କରନ୍ତି, ସେମାନଙ୍କର ଏହି ପ୍ରେମିକର ଆଖି ଅଛି ତ? କେବଳ ସ୍ଥୂଳ ରୂପ ଆନନ୍ଦ ପ୍ରଦାନ କରେ ନାହିଁ। ଆନନ୍ଦ ପ୍ରଦାନ କରେ ସ୍ଥୂଳରୂପ ଭିତରେ ଥିବା ସୂକ୍ଷ୍ମ ଗୁଣରାଶି। ସୌନ୍ଦର୍ଯ୍ୟ ହେଉଛି ସ୍ଥୂଳ ଓ ସୂକ୍ଷ୍ମ ଭିତରେ ଏକ ସେତୁ। ସୌନ୍ଦର୍ଯ୍ୟ ହେଉଛି ଏକ ବ୍ୟକ୍ତିଗତ ସୂକ୍ଷ୍ମ ଅନୁଭବ। ଏହା ଏକ ସୁକୁମାର ଉପଲବ୍ଧି। ବିଡ଼ମ୍ବନାର ବିଷୟ ଯେ, ଏହିଭଳି ଏକ ଅନୁଭବକୁ କିଛି ଆଧୁନିକ ବେଶଭୂଷା ଅର୍ଦ୍ଧଉଲଗ୍ନ ଯୁବତୀମାନଙ୍କ ପେରେଡ଼୍‌‌ ମାଧ୍ୟମରେ ସର୍ବସମକ୍ଷରେ ପ୍ରମାଣିତ କରିବାର ବ୍ୟବସ୍ଥା କରାହେଉଛି, ଏବଂ ତା’ର ନାମ ହେଉଛି ସୁନ୍ଦରୀ ପ୍ରତିଯୋଗିତା।

ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଜୀବନର ଏକ ଘଟଣା କହି ପ୍ରସଙ୍ଗଟିକୁ ଶେଷ କରେ। କିଛି ବର୍ଷ ତଳେ ବାଙ୍ଗାଲୋରରେ ଏକ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀରେ ଜଣେ ଲେଖକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଇଚ୍ଛା କରି ଜଣେ ଧନପତି ଯୁବକ ମନୋଜ ଦାସଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କୁ ବିଚାରକ ହେବା ପାଇଁ ଅନୁରୋଧ କଲେ। ମନୋଜ ଦାସ କହିଲେ, “ଗୋଟିଏ କାମ କରନ୍ତୁ। ମୁଲକ୍‌‌ରାଜ ଆନନ୍ଦକୁ ନିମନ୍ତ୍ରଣ କରନ୍ତୁ। ସେ କେବଳ ତୁଙ୍ଗ ସାହିତ୍ୟିକ ଓ କଳାବିତ୍‌‌ ନୁହନ୍ତି, ତାଙ୍କ ରସାନୁଭବନର ପରିସର ବ୍ୟାପକ। ପରିଣତ ବୟସରେ ସେ ପୁଣି କାମସୂତ୍ର ସମ୍ପାଦନା କରିଛନ୍ତି।” ଆୟୋଜକ ମହାଶୟ ମୁଲ୍‌‌କ୍‌‌ରାଜ ଆନନ୍ଦ ଅସୁସ୍ଥ ଥିବାର ଜଣାଇବାରୁ ମନୋଜ ଦାସ କହିଲେ, “ଆପଣ ବିଜୟ ତେନ୍ଦୁଲକରଙ୍କୁ ଅନୁରୋଧ କରିପାରିବେ।” ଆୟୋଜକ କହିଲେ, “ତାଙ୍କ ଝିଅ ପ୍ରିୟଙ୍କାଙ୍କ ଅକାଳ ବିୟୋଗରେ ସେ ଭାଙ୍ଗି ପଡ଼ିଥିବାରୁ ଆସିପାରିବେ ନାହିଁ।” ଶେଷରେ ମନୋଜ ଦାସ ତାଙ୍କୁ ବିଶିଷ୍ଟ ଲେଖକ ଓ ଅଭିନେତା ଗିରୀଶ କନ୍ନଡ଼୍‌‌ଙ୍କୁ ବିଚାରକ ଭାବରେ ନେବା ପାଇଁ ପ୍ରସ୍ତାବ ଦେଲେ। ମାତ୍ର ଆୟୋଜକ ମହାଶୟ କହିଲେ ଯେ, ସେ ବିଚାରକମଣ୍ଡଳୀରେ ଦୁଇ ଜଣ ତୁଙ୍ଗ ଅଭିନେତା ରଖିସାରିଛନ୍ତି। ତା’ ପରେ କଥାକାର ଶ୍ରୀଦାସ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥାଟି କହିଲେ ତାହା ଆଜିର ସୌନ୍ଦର୍ଯ୍ୟ ସନ୍ଧାନୀମାନଙ୍କ ପାଇଁ ପ୍ରଣିଧାନଯୋଗ୍ୟ। ସେ କହିଲେ, “ଦେଖନ୍ତୁ ମୋ ଆଖିକୁ ପ୍ରାର୍ଥିନୀମାନଙ୍କ କଥା ଛାଡ଼ନ୍ତୁ, ସନନ୍ଦପ୍ରାପ୍ତ କୌଣସି ବିଶ୍ୱସୁନ୍ଦରୀ ବି ସୁନ୍ଦର ଦିଶିବେ ନାହିଁ। କାରଣ ଓଡ଼ିଶାରେ ମୁଁ ଏମିତି ଜଣେ ସୁନ୍ଦରୀଙ୍କୁ ଅନ୍ତରଙ୍ଗ ଭାବରେ ଜାଣେ, ଯାହାଙ୍କ ସହ ଘନିଷ୍ଠତା ହେବା ପରେ ଆପଣ ମୋ ଆଗରେ ଯେତେ ସୁନ୍ଦରୀ ଉପସ୍ଥାପନ କରିବେ, ସେମାନଙ୍କ ଭିତରୁ କିଏ ବା ତାଙ୍କ କେଶ ପରିଚର୍ଯ୍ୟାକାରିଣୀ ବୋଲି ମନେହେବ ତ କିଏ ମନେ ହେବ ତାଙ୍କ ପାଦର ଅଲତାଲେପନିକା ଭଳି।” ଆୟୋଜକ ସେହି ସୁନ୍ଦରୀର ନାଁଟି ଜାଣିବା ପାଇଁ ଉତ୍କଣ୍ଠିତ ହେବାରୁ ମନୋଜ ଦାସ କହିଲେ, “ସେ ଓଡ଼ିଶାରେ, ସେ ବିଶ୍ୱସୁନ୍ଦରୀ ନୁହନ୍ତି, ବ୍ରହ୍ମଣ୍ଡ ସୁନ୍ଦରୀ ବି ନୁହନ୍ତି- ସେ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’। ତାଙ୍କ ବାପାଙ୍କ ନାମ ଶ୍ରୀଯୁକ୍ତ ଉପେନ୍ଦ୍ର ଭଞ୍ଜ। ଛାଡ଼ନ୍ତୁ ଆପଣ ତାଙ୍କ ଦେଖାପାଇବେ ନାହିଁ।”

ଏହା ଉଦ୍ଧୃତ କରିବାର ତାତ୍ପର୍ଯ୍ୟ ହେଉଛି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟନାୟିକା ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ଙ୍କୁ ସଶରୀରରେ କେହି ଦେଖି ନାହାନ୍ତି। ମାତ୍ର ପାଠକ କଳ୍ପନାର ଚକ୍ଷୁରେ ସେହି ନାୟିକାଙ୍କ ସୌନ୍ଦର୍ଯ୍ୟକୁ ଉପଲବ୍ଧି କରେ। ଏହା ହିଁ ହେଉଛି ସୌନ୍ଦର୍ଯ୍ୟ ଉପଲବ୍ଧିର ଗୂଢ଼ ରହସ୍ୟ। ଆଜି ସୌନ୍ଦର୍ଯ୍ୟ ସନ୍ଧାନ ପାଇଁ ଅନୁଷ୍ଠିତ ହେଉଥିବା ସୁନ୍ଦରୀ ପ୍ରତିଯୋଗିତା ଏକ ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହେଁ।

ଛାୟାକାନ୍ତ ଷଡ଼ଙ୍ଗୀ
ଟିଟିଲାଗଡ଼, ମୋ: ୯୪୩୭୩୨୯୨୬୩

About The Author: The Sakala