ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ୬ ମଇ ୨୦୨୫ରେ ପ୍ରକାଶିତ ମାନବ ବିକାଶ ରିପୋର୍ଟ ୨୦୨୫ ଆଧାରରେ ଭାରତ ମାନବ ବିକାଶ ସୂଚକାଙ୍କ (ଏଚଡିଆଇ)ରେ ୧୯୩ଟି ଦେଶ ମଧ୍ୟରେ ୧୩୦ ତମ ସ୍ଥାନରେ ରହିଛି। ଏହି ଅଗ୍ରଗତି ଆୟୁ, ଶିକ୍ଷା ଓ ମୁଣ୍ଡ ପିଛା ଆୟ ଭଳି ମୁଖ୍ୟ ମାନଦଣ୍ଡଗୁଡ଼ିକର କ୍ରମାଗତ ଉନ୍ନତିକୁ ପ୍ରତିବିମ୍ୱିତ କରେ। ଏହି ସୂଚକାଙ୍କରେ ଆୟରଲ୍ୟାଣ୍ଡ ଭଳି ରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ରହିବା ସହ ନରୱେ, ସୁଇଜରଲ୍ୟାଣ୍ଡ, ଡେନମାର୍କ ଓ ଜର୍ମାନୀ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ସୂଚକାଙ୍କରେ ଭାରତର ଅଗ୍ରଗତି ଘଟିଥିଲେ ବି ଏହାର ରାଙ୍କିଂ ପଡ଼ୋଶୀ ବାଙ୍ଗଲାଦେଶ ସହ ସମାନ। ଆହୁରି ମଧ୍ୟ ଭାରତ ଏଯାଏଁ ତାଲିକାରେ ମଧ୍ୟମ ମାନବ ବିକାଶ ଶ୍ରେଣୀରେ ରହିଥିବାରୁ ଉଚ୍ଚ ମାନବ ବିକାଶ ଶ୍ରେଣୀକୁ ପ୍ରବେଶ କରିବାକୁ ହେଲେ ଦେଶକୁ ଧୂସର କ୍ଷେତ୍ରଗୁଡ଼ିକ ଉପରେ ଅନେକ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ରିପୋର୍ଟ ସ୍ପଷ୍ଟ କରିଛି।
ଏ ଦିଗରେ ଆୟ, ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ଉନ୍ନତି ଆଦି କ୍ଷେତ୍ରରେ ଅସମାନତା ଏକ ପ୍ରମୁଖ ଅନ୍ତରାୟ, ଯାହା ଭାରତର ଏଚଡିଆଇ ମୂଲ୍ୟକୁ ୩୦.୭% ପର୍ଯ୍ୟନ୍ତ ହ୍ରାସ କରୁଛି। ଭାରତରେ ଆର୍ଥିକ ଅଭିବୃଦ୍ଧି ଯଦିଓ ବଢ଼଼ିଛି, ତାହା ଜନସଂଖ୍ୟାର ସମସ୍ତଙ୍କୁ ସମାନ ଭାଗରେ ମିଳି ପାରିନାହିଁ। ସମାଜର ଶୀର୍ଷରେ ଥିବା ୧୦ % ଲୋକଙ୍କ ପାଖରେ ମୋଟ ଆୟର ୫୭% ଥିବା ବେଳେ ବାକି ଲୋକଙ୍କ ପାଖରେ ରହିଛି ମାତ୍ର ୧୩%। ଶୂନ୍ୟ (୦) ସମ୍ପୂର୍ଣ୍ଣ ସମାନତାକୁ ସୂଚିତ କଲାବେଳେ ଏକ (୧) ସମ୍ପୂର୍ଣ୍ଣ ଅସମାନତାକୁ ସୂଚାଇଥାଏ। ଭାରତରେ ଏହି ଅସମାନତା ୦.୩୫ ଅଛି, ଯାହା ଆୟ ବ୍ୟତିକ୍ରମର ଚିନ୍ତାଜନକ ସ୍ତରକୁ ସୂଚିତ କରେ। ଏହି ଅସମାନତାକୁ ଦୂର କରିବା ପାଇଁ ସରକାର ପ୍ରଗତିଶୀଳ ଟିକସ ନୀତି ଲାଗୁ କରିବା, ସାମାଜିକ ସୁରକ୍ଷାରେ ଅଧିକ ନିବେଶ କରିବା ଓ ମନରେଗା ଭଳି ରୋଜଗାର ସୃଷ୍ଟି ଯୋଜନାଗୁଡ଼ିକୁ ଅଧିକ ବିସ୍ତାର କରିବା ଆବଶ୍ୟକ। ଲିଙ୍ଗଗତ ଅସମାନତା ହେଉଛି ଆଉ ଗୋଟିଏ ଧୂସର ଅଞ୍ଚଳ। ସମ୍ୱିଧାନ ସଂଶୋଧନ ଦ୍ୱାରା ମହିଳାଙ୍କ ପାଇଁ ସଂସଦରେ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷିତ କଲା ପରେ ବି ମାତ୍ର ୧୪% ମହିଳା ସାଂସଦଙ୍କ ପ୍ରତିନିଧିତ୍ୱ ଉତ୍ସାହଜନକ ନୁହେଁ। ଅପରପକ୍ଷେ, ଅର୍ଥନୈତିକ ଓ ଶାସନ ବ୍ୟବସ୍ଥାରେ ମହିଳାଙ୍କ ସମ୍ପୃକ୍ତିର ଅନୁପାତ ଏଯାଏଁ ଅବହେଳିତ ଅବସ୍ଥାରେ ରହିଛି। ଭାରତରେ ନାରୀ ଶକ୍ତିର ସମ୍ପୃକ୍ତି ମାତ୍ର ୨୮% ଏବଂ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ୩୭% ପାଖାପାଖି ରହିଛି, ଯାହା ବିଶ୍ୱର ହାରାହାରି ହାର ଠାରୁ ଢେର କମ୍। ୨୦୧୧ ଜନଗଣନା ଅନୁଯାୟୀ, କେବଳ ୬୫% ମହିଳା ଅନ୍ତତଃ ପ୍ରାଥମିକ ଶିକ୍ଷା ପାଇଛନ୍ତି, ଯେଉଁଠି ପୁରୁଷଙ୍କ ହାର ଥିଲା ୮୨%। ତେଣୁ ସମାଜରୁ ଏହି ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ପାଇଁ ଦୃଢ଼ ନୀତି ଏବଂ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ଅଛି। ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନୀତିକୁ ସରକାର ପ୍ରଭାବୀ ଢଙ୍ଗରେ ତ୍ୱରାନ୍ୱିତ କରି ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହଯୋଗ ଓ ଦକ୍ଷତା ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ସମର୍ଥନ ଦେବା ଉଚିତ। କାର୍ଯ୍ୟସ୍ଥଳଗୁଡ଼ିକରେ ଏମିତି ଏକ ଅନୁକୂଳ ପରିବେଶ ତିଆରି କରିବା ଆବଶ୍ୟକ, ଯେଉଁଠି ମହିଳାମାନେ ସୁବିଧାଜନକ ଭାବରେ ଅଂଶଗ୍ରହଣ କରିପାରିବେ। ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଲିଙ୍ଗ ସମ୍ବେଦନଶୀଳ ପାଠ୍ୟକ୍ରମ ପ୍ରଚଳନ କରି ଶିଶୁ ବୟସରୁ ମହିଳାମାନଙ୍କ ପ୍ରତି ଥିବା ପକ୍ଷପାତିତାକୁ ପରିବର୍ତ୍ତନ କରିବା ଦିଗରେ ପ୍ରଚେଷ୍ଟା କରିବା ଦରକାର। ମହିଳା ସ୍ୱାର୍ଥକୈନ୍ଦ୍ରିକ ନୀତି, ସ୍ୱୟଂ-ସହାୟତା ଗୋଷ୍ଠୀକୁ ଅକୁଣ୍ଠ ସହଯୋଗ ଓ ସାମର୍ଥ୍ୟ ପ୍ରଦାନ ଏବଂ ଗ୍ରାମାଞ୍ଚଳରେ ରୋଜଗାର ଅବସର ସୃଷ୍ଟି କରିବା ଦ୍ୱାରା ଏହି ଅସମାନତା ହ୍ରାସ ପାଇପାରିବ।
ଭାରତରେ ଶିକ୍ଷାର ବିସ୍ତାର ହୋଇଥିଲେ ମଧ୍ୟ ଶିକ୍ଷାର ମାନ ଓ ଗୁଣବତ୍ତା ଏଯାଏଁ ଚିନ୍ତାଜନକ ସ୍ଥିତିରେ ଅଛି। ୨୦୨୩ରେ ବିଦ୍ୟାଳୟ ପ୍ରବେଶ ହାରାହାରି ବୟସ ୬.୮୮ ବର୍ଷକୁ ବଢ଼଼ିବା ସହ ଉଚ୍ଚ ଶିକ୍ଷା ପ୍ରଣାଳୀରେ ମୋଟ ନାମଲେଖା ଅନୁପାତ ୯୮% ହେବା ଅପେକ୍ଷାକୃତ ସନ୍ତୋଷଜନକ ଥିଲେ ବି ଶିକ୍ଷାର ଫଳାଫଳ ଅସନ୍ତୋଷଜନକ। ୨୦୨୩ର ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ଅନୁଯାୟୀ, ପଞ୍ଚମ ଶ୍ରେଣୀର କେବଳ ଅର୍ଦ୍ଧେକ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀର ପାଠ୍ୟପୁସ୍ତକ ପଢ଼଼ିପାରିବାକୁ ସକ୍ଷମ, ଯାହା ଶିକ୍ଷା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଏକ ବଡ଼ ଦୂରତାକୁ ଇଙ୍ଗିତ କରେ। କରୋନା ମହାମାରୀ ପରେ ଡିଜିଟାଲ ଶିକ୍ଷା ଅତ୍ୟାବଶ୍ୟକ ହୋଇପଡ଼ିଥିଲା ବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏଥିରେ ବ୍ୟାପକ ଭିନ୍ନତା ରହିଛି। ଗ୍ରାମାଞ୍ଚଳରେ ୭୦% ଛାତ୍ରଛାତ୍ରୀ ଆନଲାଇନ୍ ଶିକ୍ଷା ସାଧନରୁ ବଞ୍ଚିତ। ଅଧିକନ୍ତୁ, ଅନେକ ଉପାନ୍ତ ଅଞ୍ଚଳ ଏବଂ ଅବହେଳିତ ଜନଜାତି ପାଇଁ ପର୍ଯ୍ୟାପ୍ତ ସ୍କୁଲ୍ ଓ ଶିକ୍ଷକଙ୍କ ଅଭାବ ଏବଂ ଭାଷାର ଭିନ୍ନତା ଶିକ୍ଷାରେ ବାଧା ସୃଷ୍ଟି କରୁଛି। ଶିକ୍ଷାର ମାନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଶିକ୍ଷକ ନିଯୁକ୍ତି, ପ୍ରଶିକ୍ଷଣ, ଦକ୍ଷତା ମୂଲ୍ୟାଙ୍କନ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ରହିବା ଜରୁରୀ। ଡିଜିଟାଲ ମାଧ୍ୟମର ଅଭାବକୁ ପୂରଣ କରିବା ପାଇଁ ଗ୍ରାମୀଣ ବିଦ୍ୟାଳୟଗୁଡ଼ିକୁ ଇଣ୍ଟରନେଟ୍ ସଂଯୋଗ, ଡିଜିଟାଲ ସାଧନ ଓ ସ୍ଥାନୀୟ ଭାଷା ଆଧାରିତ ଶିକ୍ଷା ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି।
ଭାରତରେ ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇଥିଲେ ବି ଏହାର ଲାଭ ସମସ୍ତଙ୍କୁ ପରିବ୍ୟାପ୍ତ ନୁହେଁ। ୧୯୯୦ରେ ମଣିଷର ହାରାହାରି ଆୟୁ ୫୮.୬ ବର୍ଷରୁ ବୃଦ୍ଧି ଘଟି ୨୦୨୩ରେ ୭୨ ବର୍ଷରେ ପହଞ୍ଚି ଥିବା ସତ୍ତ୍ବେ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଘୋର ଅଭାବ ରହିଛି। ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ସତ୍ତ୍ବେ ଏଠାରେ ଉପଯୁକ୍ତ ଭିତ୍ତିଭୂମି ସଂରଚନା ଓ ପ୍ରଶିକ୍ଷିତ ଚିକିତ୍ସାକର୍ମୀଙ୍କ ଅଭାବ ଚିନ୍ତାଜନକ। ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ଘରୋଇ ଉତ୍ପାଦର ହାରାହାରି ୬% ବ୍ୟୟ ହେଉଥିଲା ବେଳେ ଭାରତରେ ତାହା ମାତ୍ର ୨.୧%ରେ ଅଟକି ଯାଇଛି। ଏହି ଅସମତାକୁ ଦୂର କରିବା ପାଇଁ ଭାରତର ସ୍ୱାସ୍ଥ୍ୟସେବା ବ୍ୟୟକୁ ଅତି କମରେ ଜିଡିପିର ୩%କୁ ବଢ଼଼ାଇ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ବିସ୍ତାର ଓ ଗୁଣବତ୍ତା ବୃଦ୍ଧି, ଟେଲିମେଡିସିନ୍ ଓ ମୋବାଇଲ୍ ସ୍ୱାସ୍ଥ୍ୟସେବା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳକୁ ସେବା ପହଞ୍ଚାଇଯିବାର ଉଦ୍ୟମ ଆବଶ୍ୟକ।
ସମନ୍ୱିତ ଆର୍ଥିକ ବିକାଶ ଓ ଇ-ଶାସନ ଜରିଆରେ ଭାରତ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟାରେ ବେଶ ଅଗ୍ରସର ହୋଇଥିଲେ ମଧ୍ୟ ଇଣ୍ଟରନେଟ୍ ସଂଯୋଗରେ ଗ୍ରାମ ଓ ସହର ମଧ୍ୟରେ ଏବେ ମଧ୍ୟ ବେଶ ତାରତମ୍ୟ ରହିଛି। ସହରାଞ୍ଚଳ ଲୋକଙ୍କୁ ୭୨% ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ଥିଲା ବେଳେ ଗ୍ରାମାଞ୍ଚଳରେ ଏହା କେବଳ ୩୮%। ଅଧିକନ୍ତୁ, ଭାରତରେ ମାତ୍ର ୧୫% ଶ୍ରମିକ ଡିଜିଟାଲ୍ ଶିକ୍ଷିତ। ଯଦି ଏହି ଡିଜିଟାଲ ତାରତମ୍ୟକୁ ଦୂର କରାଯିବ ନାହିଁ ତେବେ ଏହା ଅର୍ଥନୈତିକ ଓ ସାମାଜିକ ଅସମତାକୁ ଅଧିକ ପ୍ରଭାବିତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରରେ ବାଧା ସୃଷ୍ଟି କରିବ।
ଅଣଦେଖା ହୋଇ ରହିଥିବା ଅନ୍ୟ ଏକ ଦିଗ ହେଲା ଗ୍ରାମ ଓ ସହରର ଉନ୍ନତି ମଧ୍ୟରେ ଅସମାନତା। ଗ୍ରାମାଞ୍ଚଳରେ ରହୁଥିବା ଦୁଇ-ତୃତୀୟାଂଶ ଲୋକ ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ଭଳି ବିକାଶର ମାନଦଣ୍ଡରେ ସହରାଞ୍ଚଳ ଠାରୁ ଢେର୍ ପଛରେ। ଗ୍ରାମାଞ୍ଚଳର ଏଚ୍ଡିଆଇ ମୂଲ୍ୟ ୦.୬୩୮ ରହିଥିବା ବେଳେ ସହରାଞ୍ଚଳରେ ତାହା ୦.୭୪୧। ଗ୍ରାମାଞ୍ଚଳର ୧୫ରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ବେକାରି ହାର ୧୭.୩% ରହିଛି, ଯାହା ଜାତୀୟ ହାର ଠାରୁ ବେଶି। ଗ୍ରାମୀଣ ଉନ୍ନତି ପାଇଁ ଏକ ସାମଗ୍ରିକ ନୀତି ଆପଣେଇ ଶିଳ୍ପ, ଯାତାୟାତ ଓ ସଂଯୋଗ ବ୍ୟବସ୍ଥାର ଉନ୍ନତି, ସୂକ୍ଷ୍ମ ଓ ମଧ୍ୟମ ଧରଣର ଉଦ୍ୟୋଗରେ ନିବେଶ ବୃଦ୍ଧି ଓ ଉତ୍ତମ ଜନସେବା ସହିତ ଏକାଠି ଅଗ୍ରସର ହେଲେ ଏହି ଅସମତାକୁ ଅନେକାଂଶରେ ଦୂର କରାଯାଇ ପାରିବ।
ଜଳବାୟୁ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ପ୍ରଭାବିତ ହୋଇ ଭାରତର ପ୍ରଗତି ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଥାଏ। ପାଣିପାଗ ଜନିତ ଦୁର୍ବିପାକ ଯୋଗୁଁଁ ଭାରତ ତା’ର ବାର୍ଷିକ ମୋଟ୍ ଘରୋଇ ଉତ୍ପାଦର ୨.୫% କ୍ଷତି ସହିଥାଏ। ବିଶେଷଭାବେ କୃଷି ଉପରେ ନିର୍ଭରଶୀଳ ଓ ସମୁଦ୍ରକୂଳିଆ ଅଞ୍ଚଳର ଅନ୍ୟୂନ ୬୦ କୋଟି ଲୋକ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହୋଇଥା’ନ୍ତି। ତେଣୁ ବିକାଶ ଯୋଜନାକୁ ସଫଳ କରିବା ପାଇଁ ଭାରତକୁ ଜଳବାୟୁ ଅନୁକୂଳ ରଣନୀତି ଆପଣେଇବା ସହ କୃଷକମାନଙ୍କୁ ଜଳବାୟୁ ସହନଶୀଳ କୃଷି ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦେଇ ସ୍ଥାୟୀ କୃଷି, ନବୀକରଣୀୟ ଉର୍ଜା, ଜଳ ସଞ୍ଚୟ ଓ ସବୁଜ ଚାକିରିକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ।
ତେଣୁ ଭାରତର ଏଚଡିଆଇ ସୂଚକାଙ୍କକୁ ୦.୭୦୦ରୁ ଉପରକୁ ନେଇ ଏହାକୁ ଉଚ୍ଚ ମାନବ ବିକାଶ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ହେଲେ ଉପରୋକ୍ତ ଧୂସର କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେବା ବର୍ତ୍ତମାନର ଏକ ଅତ୍ୟାବଶ୍ୟକ କାର୍ଯ୍ୟ। ବିଭିନ୍ନ କ୍ଷେତ୍ରରେ ଅସମାନତା ହ୍ରାସ, ମହିଳା ସଶକ୍ତୀକରଣ, ଜନସେବାରେ ଉନ୍ନତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସମ୍ପ୍ରସାରଣ ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ ସୁବିଧା ସୁଯୋଗରେ ଅସୁବିଧା ଦୂରୀକରଣ ଇତ୍ୟାଦି ଏବେ ଏକ ଆବଶ୍ୟକତା, ଯେଉଁଥିପାଇଁ କେବଳ ରାଜ୍ୟ ନୁହେଁ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ନାଗରିକ ସମାଜ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସରକାରୀ-ବେସରକାରୀ ସଂଗଠନ ଓ ଗଣମାଧ୍ୟମଙ୍କ ସହ ସମସ୍ତ ହିତାଧିକାରୀଙ୍କ ନିସର୍ତ୍ତ ଉଦ୍ୟମ ଆବଶ୍ୟକ।
ବୃହସ୍ପତି ସାମଲ
ଭୁବନେଶ୍ୱର, ମୋ: ୯୪୩୭୦୨୨୬୬୯