ଦ୍ୱନ୍ଦ୍ୱ ପ୍ରଗତିର ବାଧକ। ଦ୍ୱନ୍ଦ୍ୱ ମଣିଷର ବ୍ୟକ୍ତିଗତ ଜୀବନକୁ ଦୁର୍ବିସହ କରିବା ସହିତ ସମାଜର ବି ଅନେକ କ୍ଷତିସାଧନ କରିଥାଏ। ବ୍ୟକ୍ତିଗତ ଜୀବନରେ ଦ୍ୱନ୍ଦ୍ୱ ପାରିବାରିକ ହିଂସା ସୃଷ୍ଟି କରେ, ବ୍ୟକ୍ତିକୁ ଆତ୍ମହତ୍ୟା ଭଳି ନିକୃଷ୍ଟ କାର୍ଯ୍ୟକୁ ପ୍ରବର୍ତ୍ତାଇଥାଏ। ଦ୍ବନ୍ଦ୍ବ ଯୋଗୁଁଁ ମାନସିକ ସନ୍ତୁଳନ ହରାଇ ମଣିଷ ହୁଏ ମାନସିକ ବିକୃତ ବା ଆମେ ଯାହାକୁ କହିଥାଉ ପାଗଳ। ଏହି ଦ୍ବନ୍ଦ୍ବ ସମାଜରେ ଭିଡ଼ ହିଂସା, ଦଙ୍ଗା ଆଦି ସୃଷ୍ଟି କରିଥାଏ। ଦ୍ବନ୍ଦ୍ବ ସମାଜର ପ୍ରଗତିର ବାର୍ତ୍ତାକୁ ମଣିଷ ଗ୍ରହଣ କରିବାକୁ ବାଧକ ଅଟେ।
ବୋଧହୁଏ ଆମ ସମାଜରେ ପ୍ରଚଳିତ ବସ୍ତ୍ର ଅଭାବେ ସୂତ୍ର ଦାନ ବାକ୍ୟ ଅନେକ ମନରେ ଦ୍ୱନ୍ଦ୍ୱର ମୂଳଦୁଆ ପକାଇଥାଇପାରେ। ଯେଉଁଠି ଲୁଗା ଦରକାର ସେଠି ସୂତାଟିଏରେ କିପରି କାର୍ଯ୍ୟ ସମାହିତ ହୋଇପାରିବ ସତେ। ହୁଏତ ଜ୍ଞାନୀଗୁଣୀ ସମାଜରେ ମାନସିକ ସନ୍ତୁଳନ ପାଇଁ ଏହି କଥା କହିଛନ୍ତି, କିନ୍ତୁ ପ୍ରକୃତ କାର୍ଯ୍ୟରେ ଏହାର କୌଣସି ଉପଯୋଗ ନାହିଁ। ସମାଜ ବାସ୍ତବତାକୁ ଆଧାର କରି କୌଣସି ସମସ୍ୟାର ସମାଧାନ କରିଥାଏ।
ଦ୍ବନ୍ଦ୍ବରେ ରହିଲେ ମଣିଷ ଅଜାଣତରେ ନିଜର ଅନେକ କ୍ଷତି ସାଧନ କରିଥାଏ। ମଣିଷ ମନର ପ୍ରକୃତି ସବୁବେଳେ ଦ୍ବନ୍ଦ୍ବ ସୃଷ୍ଟି କରିବା। ଆହା! ଏହି କାର୍ଯ୍ୟ କରିଥିଲେ ଭଲ ହୋଇଥା’ନ୍ତା, ଅମୁକ କାର୍ଯ୍ୟ କରି ନ ଥିଲେ ଭଲ ହୋଇଥା’ନ୍ତା। ଏମିତି ଆମେ ଅନେକ ଭାବୁ ଭାବୁ, ଅନେକ ସୁଯୋଗ ହାତଛଡ଼ା କରିଥାଉ। ଏମିତି ଭାବୁ ଭାବୁ ଆମେ ଅନେକ ସମୟ ଅପଚୟ କରିଥାଉ। ଅର୍ଥାତ୍ କେତେବେଳେ ଆମର ଆୟୁଷ ନିଅଣ୍ଟ ହୋଇଥାଏ, ତାହା ଆମେ ଜାଣି ପାରି ନ ଥାଉ। କୌଣସି କାର୍ଯ୍ୟରେ ନିଷ୍ପତ୍ତି ନେଇ ନପାରିଲେ, ଯାହାର ସେହି କାର୍ଯ୍ୟରେ ଅଭିଜ୍ଞତା ଅଛି ବୋଲି ମନେ ହୁଏ, ସେହିଭଳି ଜଣେ ବ୍ୟକ୍ତିର ଉପଦେଶ ଗ୍ରହଣ କରିବା ଉଚିତ। ଅଧିକ ଭଲ ନହେଲେ ମଧ୍ୟ କାର୍ଯ୍ୟ ଭଲ ହେଉ କି ମନ୍ଦ ହେଉ ପୂର୍ଣ୍ଣାଙ୍ଗ ହେବା ସମ୍ଭାବନା ଅଧିକ। କୌଣସି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ ଅନେକ ଅଭିଜ୍ଞତା ଆଣିଦେଇଥାଏ, ତାହା ଭଲରୁ ହେଉ ବା ମନ୍ଦ ହେଉ। ଅନେକ ବିଜ୍ଞ ହୋଇପାରନ୍ତି, କିନ୍ତୁ ଅନେକଙ୍କ ଉପଦେଶ ଗ୍ରହଣ କଲେ କାର୍ଯ୍ୟ ସିଦ୍ଧି ହେବା କଷ୍ଟକର ହୋଇଥାଏ, ଯାହା ଅନେକ ଦ୍ବନ୍ଦ୍ବ ମନରେ ଆଣିଥାଏ।
ମୋବାଇଲ ବ୍ୟବହାର ଯୋଗୁଁଁ ସାରାବିଶ୍ୱ ଆଜି ହାତମୁଠାରେ ପରି ପ୍ରତୀତ ହେଉଛି। ଆଜିର ଯୁଗ ସାମାଜିକ ଗଣମାଧ୍ୟମର ଯୁଗ। ଯାହା ସମାଜରେ ଭଲ ପ୍ରଭାବ ପକାଇ ପାରୁଛି। ଏହା ମଧ୍ୟ ଦେଖାଯାଉଛି, ସାମାଜିକ ଗଣମାଧ୍ୟମ ଯୋଗୁଁଁ ମଣିଷ ନିଜର ଦ୍ବନ୍ଦ୍ବ ଦୂର ହେବା ବଦଳରେ ଅଧିକ ଦ୍ବନ୍ଦ୍ବରେ ପଡ଼ୁଛି। କିଛି ଖଳ ପ୍ରକୃତିଙ୍କ ପାଇଁ ସମାଜରେ ଅନେକ ଅଘଟଣ ଘଟୁଛି। ପ୍ରତ୍ୟେକ କୌଣସି କଥା ଗ୍ରହଣ କରିବା ପୂର୍ବରୁ ନିଜର ବୁଦ୍ଧି ଖଟାଇ ତାହାକୁ ପରିକ୍ଷୀତ କରିବା ଉଚିତ୍।
ଗତବର୍ଷ ରଥଯାତ୍ରାରେ ବଡ଼ ଠାକୁରଙ୍କ ସେନାପଟା ଲାଗୁଥିବା ପାଟ ଡୋର ଖସି ଯିବାରୁ ଠାକୁର ରଥ ଉପରୁ ତଳେ ପଡ଼ିଗଲେ। କିନ୍ତୁ ନିଜର ଦୋଷ ଲୁଚାଇବାକୁ ଯାଇ ଅନେକ ଏହାକୁ ଠାକୁରଙ୍କ ଇଚ୍ଛା କହି ଟାଳିବାକୁ ଚେଷ୍ଟା କଲେ। କିନ୍ତୁ ଯେତେବେଳେ ଦକ୍ଷିଣ ଦ୍ୱାର ପାର୍ଶ୍ବ ପେଜ ନଳା ଜାମ୍ ହେବାରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ରୋଷଶାଳାର ପେଜ ଭାସିଲା, ସେତେବେଳେ କେହି ତା’କୁ ଠାକୁରଙ୍କ ଇଚ୍ଛା ବୋଲି କହିଲେ ନାହିଁ, ତାହାର କାରଣ ଖୋଜି ନିରାକରଣ କଲେ। ସତରେ କ’ଣ ଆମେ ସବୁ ଠାକୁରଙ୍କ ଇଚ୍ଛା କହି ଉତ୍ତରଦାୟିତ୍ୱ ଭୁଲିଯିବା?
ଦେଖାଯାଉଛି ଭୋଟ୍ ପାଇଁ କତିପୟ ସ୍ୱାର୍ଥାନ୍ୱେଷୀ ରାଜନୈତିକ ବ୍ୟକ୍ତିବିଶେଷ ସର୍ବଦା ସମାଜରେ ଦ୍ବନ୍ଦ୍ବ ଭରି ମଣିଷ-ମଣିଷ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି। ଏହାକୁ ବୁଝି ନ ପାରି ଅନେକ ଆମେ ଏଥିରେ ଲିପ୍ତ ହୋଇଯାଉଛେ। ଯାହାଦ୍ୱାରା ପ୍ରକୃତ ସମସ୍ୟା ପ୍ରତି ଆମର ନଜର ହଟିଯାଉଛି।
ବୌଦ୍ଧିକ ଦୃଷ୍ଟିକୋଣରୁ ଦେଖିଲେ ମନର ପ୍ରକୃତି ସବୁବେଳେ ଦ୍ବନ୍ଦ୍ବକୁ ଆପଣେଇବା। ମନ କୌଣସି କଥାରେ ସନ୍ତୁଷ୍ଟ ନୁହେଁ। ଅଳ୍ପରେ ସନ୍ତୁଷ୍ଟ ହେବା ଏକ ସାଧନା। ମନକୁ କେବଳ ବିବେକ ହିଁ ନିୟନ୍ତ୍ରଣ କରେ। ବିବେକର ଉନ୍ମେଷ ହୁଏ ସତ୍ ଚିନ୍ତନରେ। ଦ୍ବନ୍ଦ୍ବକୁ ଧ୍ୱଂସ କରେ ସତ୍ଚିନ୍ତନ।
ଦ୍ବନ୍ଦ୍ବରେ ପ୍ରଭାବିତ ମନ ଅନେକ ଯନ୍ତ୍ରଣା ଦେଇଥାଏ। ଅନେକ ସତ୍କାର୍ଯ୍ୟରୁ ନିବୃତ କରିଥାଏ। ସମାଜର ଅନେକ କ୍ଷତି କରିଥାଏ। କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ଦ୍ବନ୍ଦ୍ବ ପ୍ରତି ସଜାଗ ରହିବା ଜରୁରୀ। କୌଣସି ଘଟଣା ବା କାର୍ଯ୍ୟକୁ ତତ୍କ୍ଷଣାତ୍ ନୁହେଁ, ଧୈର୍ଯ୍ୟର ସହ ଅନୁଶୀଳନ କରିବା ଉଚିତ୍। ଅର୍ଥାତ୍ ସର୍ବଦା ଦ୍ବନ୍ଦ୍ବକୁ ପରିହର କରିବା ଉଚିତ୍। ଦ୍ବନ୍ଦ୍ବବିହୀନ ନିଷ୍ପତ୍ତି ହିଁ ସବୁ କାର୍ଯ୍ୟର ସଫଳତାର ମୁଖ୍ୟ ଚାବିକାଠି।
ଗଣେଶ୍ୱର ନାୟକ
ଗୋଗଳ(ଯାଜପୁର), ମୋ: ୯୭୭୭୭୪୯୭୨୭