କ୍ଷମତା ଲୋଭ ଓ ସ୍ୱାର୍ଥାକାଂକ୍ଷା ମଣିଷର ଅସ୍ଥିମଜ୍ଜାଗତ। ବିନା ଆକାଂକ୍ଷାରେ ମଣିଷ କେବେ ମଣିଷ ହୋଇ ରହେ ନାହିଁ। ବିନା ଆଶାରେ ମଣିଷ ବଞ୍ଚି ପାରେ ନାହିଁ; ଏଥିରେ ଦ୍ୱିରୁକ୍ତି ନାହିଁ। କେବଳ ପ୍ରବଞ୍ଚକମାନେ ଏହି ସତ୍ୟକୁ ଅସ୍ୱୀକାର କରିପାରନ୍ତି। ନିଜକୁ ନିରପେକ୍ଷ ନୀତିନିଷ୍ଠ ବୋଲାଉଥିବା ବିଦ୍ୱାନ ଓ ପଣ୍ଡିତ ବ୍ୟକ୍ତିଟିର ସତ୍ୟ ଉଦ୍ଘାଟନର ତଥାକଥିତ ଅନାସକ୍ତ ଉଦ୍ବେଳନ ପଛରେ ଯେତେବେଳେ ଲୁକ୍କାୟିତ କ୍ଷମତାର ବିନିଦ୍ର ଅଭିସାର ସ୍ପଷ୍ଟ ହୋଇଯାଏ, ସେତେବେଳେ ସାଧାରଣ ଦୃଷ୍ଟିରେ ସେ ହୋଇଯାଏ ଜଣେ ‘ବିଟପୀ’। ନିଜର ନିନ୍ଦିତ ଚେହେରାକୁ ଲୁଚାଇବାକୁ ସେ ଅନ୍ୟକୁ ପଚାରେ ‘ଅଡ଼ୁଆ ପ୍ରଶ୍ନ’। ଅପୂରଣୀୟ ସ୍ୱାର୍ଥାକାଂକ୍ଷାକୁ ଭୂଲିବାକୁ ଲେଖେ ‘ଅନୁଚିନ୍ତା’। ଅନ୍ୟ ପାଇଁ, କ୍ଷମତା ଅଳିନ୍ଦର ନିରନ୍ଧ୍ର କୋଠରିରେ, ସ୍ୱକୀୟ ସ୍ୱାର୍ଥର ଜାନ୍ତବ କ୍ଷୁଧା ପୂରଣ ନିମନ୍ତେ ବୁଣିବସେ ଆବୁରୁଯାବୁରୁ ମିଥ୍ୟା କାହାଣୀ। ପ୍ରତିଶୋଧ ନେବାକୁ ଛଟପଟ ହୋଇ, ନିଜକୁ ଗଣମାଧ୍ୟମର ମହାନ୍ ଉଦ୍ୟୋକ୍ତା ଓ ଗୁରୁ ବୋଲାଇ ମଧ୍ୟ ଗଣମାଧ୍ୟମର ମୌଳିକ ଧର୍ମ ଯେ ସମତୁଲତା ରକ୍ଷା ଓ ନିରପେକ୍ଷତା – ଏହି ସଂକଳ୍ପକୁ ପାଶୋରି ପକାଏ। ଅନ୍ତର୍ଦ୍ୱନ୍ଦ୍ୱରେ ଦୋଳାୟମାନ ହୋଇ ଅନ୍ୟକୁ ଅକାରଣ ନିନ୍ଦିବା ପ୍ରସଙ୍ଗ ଓ ସୁଯୋଗମାନ ଖୋଜିବାରେ ଲାଗିଥାଏ। ସେଥିପାଇଁ ଶୁଣ୍ଢୀକୁ ମାତାଲ୍ ସାକ୍ଷୀ ପରି, ସର୍ବସାଧାରଣ ଜୀବନରେ ପୂର୍ବରୁ ନିନ୍ଦିତ ଓ ପ୍ରତ୍ୟାଖ୍ୟାତମାନଙ୍କଠାରୁ କରଜରେ ଅଣାଯାଏ ପ୍ରସଙ୍ଗ। ପକ୍ଷପାତ ଓ ନିରପେକ୍ଷତା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଚତୁରତାର ସହ ଗୋପନ ରଖିଦିଏ। ନିଜ ଭିତରେ ଚାପି ରହିଥିବା ଅବଶୋଷ, ଅବଦମିତ ଲୋଭ, କ୍ଷୋଭ ଓ ସୈତାନୀ ଆନନ୍ଦ ନିମନ୍ତେ ସର୍ବସାଧାରଣରେ ସୃଷ୍ଟି କରିବାକୁ ନିରନ୍ତର ଚେଷ୍ଟା କରେ, ଅବାନ୍ତର ପ୍ରଶ୍ନର ଅଳିଆ ପାହାଡ଼। ଦାୟିତ୍ୱ ଓ କର୍ତ୍ତବ୍ୟକୁ ଈଶ୍ୱର ମନେ କରି କାର୍ଯ୍ୟ କରୁଥିବା ଲୋକଙ୍କୁ ‘ଆତ୍ମବିଭୋର’ ବୋଲି ଆକ୍ଷେପ କରାଯାଏ। ସେମାନଙ୍କ ମନୋବଳ ଭାଙ୍ଗିବାକୁ ସମଧର୍ମା କପଟୀ ଓ ପ୍ରବଞ୍ଚକଙ୍କ ସହ ମିଶି ପ୍ରସ୍ତୁତ କରେ ଗୋପନ ଷଡ଼ଯନ୍ତ୍ର, ଲେଖାଯାଏ ‘ଚନ୍ଦ୍ରାୟନ’ର କପୋଳକଳ୍ପିତ କାହାଣୀ। ମାତ୍ର ହାୟ! ପ୍ରତି ସନ୍ଧ୍ୟାରେ ନିଜକୁ ରୂପ ବଜାରରେ ନିଲାମ କରୁଥିବା ବ୍ୟକ୍ତି ମୁହଁରେ ସତ୍-ଚରିତ୍ରର ପରିଭାଷା ବର୍ଣ୍ଣନା ପରି ସେହି ଲୋକଟିର ଜଣାଶୁଣା ବ୍ୟକ୍ତିଗତ ବିଲକ୍ଷଣଗୁଡ଼ିକ ଏହି କାହାଣୀସବୁକୁ ଲୋକହସା କରିଦିଏ।
କଂଗ୍ରେସ, ବିଜେପି, ରାଷ୍ଟ୍ରବାଦୀ କଂଗ୍ରେସ ପରେ ନିଜ ଦ୍ବାରା ଗଢ଼ା ରାଜନୈତିକ ଦଳ ଜରିଆରେ କ୍ଷମତା ଅଳିନ୍ଦରେ ପ୍ରବେଶ କରିବାର ପ୍ରୟାସ କରିଥିଲେ ମାନନୀୟ ସୌମ୍ୟରଞ୍ଜନ। ମାତ୍ର କେଉଁଠାରେ ତାଙ୍କୁ ଇପ୍ସିତ ସଫଳତା ମିଳି ନ ଥିଲା। ଶେଷରେ ପାଞ୍ଚ ବର୍ଷ ତଳେ ନବୀନ ବାବୁଙ୍କ ଶରଣ ପଶିଥିଲେ। ପ୍ରାୟ ଦୁଇ ଦଶନ୍ଧି କାଳ ଶାସକ ବିଜୁ ଜନତା ଦଳର କଠୋର ସମାଲୋଚକ ସୌମ୍ୟବାବୁ ଆକସ୍ମିକ ଭାବରେ ନିଜକୁ ଓ ନିଜ ଗଢ଼ା ରାଜନୈତିକ ଦଳକୁ ବିଲୀନ କରିଦେବାଟା ସେତେବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। ମାତ୍ର ବିଜେଡି ଯୋଗଦାନର କିଛି ଘଣ୍ଟା ପରେ ଯେତେବେଳେ ରାଜ୍ୟସଭା ପ୍ରାର୍ଥୀ ଭାବରେ ତାଙ୍କ ନାମ ଘୋଷଣା ହେଲା, ସେତେବେଳେ ସବୁ ରହସ୍ୟ ଉପରୁ ହଟି ଯାଇଥିଲା ପରଦା। ରାଜରାସ୍ତାରେ ‘ପ୍ରାଇସ୍’, ‘ପ୍ରେଷ୍ଟିଜ’, ‘ପେନସନ୍’ ପାଇଁ ସଂଘର୍ଷ କରୁଥିବା ସହଯୋଗୀମାନଙ୍କୁ ଛାଡ଼ି ସେ ସଂସଦ ଭବନକୁ ବାଟ କାଟିଥିଲେ। ଏହାର ଠିକ୍ ପୂର୍ବରୁ ନବୀନ ନିବାସରେ ଯେଉଁସବୁ ଘଟଣାର ଅବତାରଣା ହୋଇଥିଲା, ସେହି ଦିନ ସେଠାରେ ଉପସ୍ଥିତ ଲୋକମାନେ ସମ୍ଭବତଃ ସେହି ଘଟଣା ଭୁଲି ନାହାନ୍ତି। ସେମିତି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ନିବାସରେ କୃତାଞ୍ଜଳି ପୁଟରେ ବିଧାନସଭା ଟିକେଟ ପାଇଁ ନେହୁରା ହେବା ଓ ଅନ୍ତତଃପକ୍ଷେ ଗୋଟିଏ ଦିନ ପାଇଁ ବିଧାନସଭାରେ ପ୍ରବେଶ କରିବାର ଅନ୍ତିମ ଇଚ୍ଛା ବ୍ୟକ୍ତ କରିବା ଘଟଣାରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରି ଅନେକ ସାକ୍ଷୀ ଅଛନ୍ତି।
ମାତ୍ର ନିଜକୁ ଓ ନିଜ ଦଳକୁ ବିଜେଡିରେ ବିଲୀନ କରିଦେଇଥିବା ସୌମ୍ୟବାବୁଙ୍କୁ ଆଜି କାହିଁକି ସେହି ବିଜେଡି ଦଳ ପିତା ଲାଗୁଛି ? ସରକାର ଓ ପ୍ରଶାସନ ପ୍ରତି ତାଙ୍କର ଅସହିଷ୍ଣୁତା ପଛରେ ରହସ୍ୟ କ’ଣ? ରାଜନୀତିରେ ସାମାନ୍ୟତମ ରୁଚି ରଖୁଥିବା ଆମ ରାଜ୍ୟର ଲୋକଙ୍କୁ ଏହାର ଉତ୍ତର ସମ୍ଭବତଃ ଅଜଣା ନାହିଁ। ଖଣ୍ଡପଡ଼ାରୁ ବିଜୟୀ ହେବା ପରେ ମନ୍ତ୍ରୀ ପଦର ମହତ୍ୱାକାଂକ୍ଷା ପରିପୂରଣ ନ ହେବାରୁ ସେ କ୍ଷୁବ୍ଧ ହୋଇ ସ୍ୱାଭାବିକ ଭାବରେ ନିଜ ମାଲିକାନାରେ ଥିବା ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମକୁ ବ୍ୟବହାର କରି ସରକାର ଓ ସରକାରୀ ଅଧିକାରୀଙ୍କୁ ଏଭଳି କଟୁ ସମାଲୋଚନା କରୁଥିବା ଅନେକ କହନ୍ତି। ସବୁ କଥାରେ ପ୍ରମାଣ ଖୋଜୁଥିବା, ଖର୍ଚ୍ଚର ହିସାବ ଲୋଡ଼ୁଥିବା, ଅନ୍ୟର ଆକ୍ଷେପ ବା ଅଭିଯୋଗକୁ ଉଧାର ଆଣି ପ୍ରଶ୍ନ କରୁଥିବା ସୌମ୍ୟବାବୁ ପ୍ରକୃତରେ କ’ଣ ନୀତିନିଷ୍ଠ ? ସତରେ ନିରପେକ୍ଷ ? ପାର୍ଟି ଅପେକ୍ଷା ମାଟି ବଡ଼ ବୋଲି ଚିତ୍କାର କରୁଥିବା ସୌମ୍ୟବାବୁ ଖଣ୍ଡପଡ଼ା ମାଟି ପାଇଁ କ’ଣ କରିଛନ୍ତି ବୋଲି ତାଙ୍କରି ନିର୍ବାଚନ ମଣ୍ଡଳୀର ନାଗରିକ ପ୍ରଶ୍ନ ପଚାରୁଛନ୍ତି? ବିଜୟ ଉପହାର ଦେଇଥିବା ଖଣ୍ଡପଡ଼ାବାସୀଙ୍କୁ କି ପ୍ରତିଦାନ ସେ ଦେଇଛନ୍ତି ? ଖଣ୍ଡପଡ଼ାର ଲୋକପ୍ରତିନିଧି ଭାବରେ ସେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ? ନିର୍ବାଚନରେ ବିଜୟ ପରେ ଖଣ୍ଡପଡ଼ାକୁ କେତେଥର ଯାଇଛନ୍ତି ? କୋଭିଡ୍ ମହାମାରୀରେ ଖଣ୍ଡପଡ଼ାବାସୀଙ୍କ ପାଖରେ କେତେଥର ଠିଆ ହୋଇଛନ୍ତି? ଏଇମିତି ଅନେକ ପ୍ରଶ୍ନ!
ନିରନ୍ତର ଶ୍ରେଣୀରେ ଫେଲ ହେଉଥିବା ଛାତ୍ରଟି ପାଇଁ ଅନ୍ୟଜଣେ ସଫଳ ଛାତ୍ର ପ୍ରତି ଅସହଣୀୟ ଈର୍ଷା ଏକ ସ୍ୱାଭାବିକ ମାନବୀୟ ପ୍ରବୃତ୍ତି। ନିଜର ଉଚ୍ଚତାକୁ ଦୀର୍ଘ କରିବାରେ ଅସଫଳ ହୋଇ ଅନ୍ୟର ଉଚ୍ଚତାକୁ ଖର୍ବ କରିବା ଉଦ୍ୟମ ସବୁବେଳେ ସଫଳ ହୁଏ ନାହିଁ। ଅସୂୟାସମ୍ପନ୍ନ, ଶାସକ ମନୋଭାବରେ ଆତ୍ମମୋହିତ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ବା ନିଜ ଆଡ଼କୁ ପାପୁଲିର ତିନି ଆଙ୍ଗୁଳି ନିର୍ଦ୍ଦେଶକୁ ପାଶୋରି ସରକାର ଓ ପ୍ରଶାସନ ପ୍ରତି ତର୍ଜନୀ ନିର୍ଦ୍ଦେଶ କରୁଥିବା ଅହଂକାରୀ ସାଂସଦ, ଅଥବା ଠକେଇ ଅଭିଯୋଗରେ ଜେଲ ଫେରନ୍ତା ବାଚାଳ ବିଧାୟକଙ୍କ ପ୍ରତିନିଧି ସାଜି ଅବାନ୍ତର ପ୍ରଶ୍ନ ଉଠାଇବା ଯେ ସାଧାରଣ ଲୋକଙ୍କ ପାଇଁ ନିରର୍ଥକ ଏ କଥା ବାବୁଙ୍କୁ କିଏ ବୁଝାଇବ? ଅନ୍ୟପକ୍ଷରେ ଈର୍ଷଣୀୟ ସଫଳତା ହାସଲ କରି ସର୍ବଦା ସ୍କୁଲରେ ଶ୍ରେଷ୍ଠ ସ୍ଥାନ ଅଧିକାର କରୁଥିବା ଭଲ ଛାତ୍ରଟି ଏଭଳି ପ୍ରଶ୍ନକୁ ଡରିବ ବା କାହିଁକି ? ମାତ୍ର ଯେଉଁଠି ପ୍ରଶ୍ନକର୍ତ୍ତା କପଟାଚାରୀ ଓ ପ୍ରଶ୍ନ ଅପ୍ରାସଙ୍ଗିକ, ତାହାର ଉତ୍ତର ଦେବାର ଆବଶ୍ୟକତା କାହିଁ ? ବିଡ଼ମ୍ବନା ହେଉଛି ଏକଥା ତଥାକଥିତ ପଣ୍ଡିତମାନେ ବୁଝି ପାରୁନାହାନ୍ତି। ଏପରି ‘ସ୍ୱାର୍ଥାନ୍ୱେଷୀ’ଙ୍କ ନିରର୍ଥକ ଅଭିଯୋଗ ପଛରେ ଲୁଚି ରହିଥିବା ଆତ୍ମପ୍ରବଞ୍ଚନାର ଅଭିସାର ରାଜ୍ୟର ତେଲଲୁଣ ସଂସାର ମଧ୍ୟରେ ଜୀବନ ଜିଉଁଥିବା ସାଧାରଣ ଲୋକଙ୍କ ପାଇଁ କେବଳ ଅନାବଶ୍ୟକ ନୁହେଁ; ଅତ୍ୟନ୍ତ ଅବାନ୍ତର ମଧ୍ୟ ! ଚିରଞ୍ଜୀବୀ ମହାନ୍ତି, ଭୁବନେଶ୍ବର