ଶାସ୍ତ୍ରରେ ଉଲ୍ଲେଖ ଅଛି – ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’। ଅର୍ଥାତ୍ ପୁତ୍ର ସନ୍ତାନ ନିମନ୍ତେ ବିବାହ ଅନୁଷ୍ଠାନ ହୁଏ। କିନ୍ତୁ୍ ପୁତ୍ର-କନ୍ୟା ମଧ୍ୟରେ ସେମିତି କିଛି ପାର୍ଥକ୍ୟ ନାହିଁ କି କେବେ ନଥିଲା ମଧ୍ୟ। ବରଂ ଆଜିର ଦିନରେ ପୁତ୍ର ତୁଳନାରେ କନ୍ୟା ବେଶୀ ନିଜର ହୋଇପାରୁଛି ପିତାମାତାଙ୍କର। ଚଳିତ ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ଏଇ ପ୍ରସଙ୍ଗରେ ଏକ ଉଦାହରଣ ରୂପେ ନିଆଯାଇପାରେ। ଉଦାହରଣ ସୃଷ୍ଟି କରିଛନ୍ତି ସେଠାରେ ଭଡ଼ାରେ ରହୁଥିବା ଜନୈକ ପ୍ରାୟ ୭୦ବର୍ଷୀୟ ବରିଷ୍ଠ ନାଗରିକ।
ସମ୍ପୃକ୍ତ ବରିଷ୍ଠ ନାଗରିକ ଜଣେ ତଳିଆ ସରକାରୀ କର୍ମଚାରୀ। ସେଥିରେ ପୁଣି ନିଜକୁ ଓ ପତ୍ନୀଙ୍କୁ ମିଶାଇ ୮ ପ୍ରାଣୀ କୁଟୁମ୍ୱର ସଂସାର। ମହରଗ ଯୁଗରେ ୬ଟି ସନ୍ତାନ(୩ଟି ପୁଅ ଓ ୩ଟି ଝିଅ)ଙ୍କୁ ସମ୍ଭାଳିବା, ମଣିଷ କରିବା କିଛି କମ୍ କଥା ନୁହେଁ। କୁଣିଆମଇତ୍ର ସହିତ ଅନ୍ୟାନ୍ୟ ଅନେକ କଥା ଅଛି। ସ୍ୱଳ୍ପ ଦରମାରେ ଭୁବନେଶ୍ୱର ଭଳି ଜାଗାରେ ସେ ଓ ତାଙ୍କ ପତ୍ନୀ ପିଲାମାନଙ୍କୁ ବହୁ କଷ୍ଟରେ ମଣିଷ କଲେ। ତାଙ୍କ ସମ୍ୱଳକୁ ଚାହିଁ ପାଠପଢ଼଼ାଇ ନିଜ ଗୋଡ଼ରେ ଠିଆ କରାଇଦେଲେ। କୌଣସି କଥାରେ ଅଣହେଳା କରିନଥିଲେ ପିଲାମାନଙ୍କର। ବାହାଘର ପରେ ପୁଅ ଝିଅମାନେ ଯେ ଯାହାର ସଂସାର ପାଇଁ ଅଲଗା ଅଲଗା ବସା ତିଆରି କଲେ। ଜନ୍ମକଲା ବାପା, ମା’ କେମିତି ଅଛନ୍ତି ସେ କଥା ପାଶୋରି ଦେଲେ।
ଦିନ ଆସିଲା ବାପା, ମା’ଙ୍କୁ ଜବରଦସ୍ତ ଅଲଗା କରିଦେଲେ। ତିନିପୁଅ ଭାଗକରି ବାପା ମା’ଙ୍କୁ ପାଖରେ ରଖିବାକୁ ପ୍ରସ୍ତାବ ଦେଲେ। ସମସ୍ତଙ୍କ ଆଖିରେ ଭାସିଲା ବାପାଙ୍କର ସେଇ ସ୍ୱଳ୍ପ ପେନସନ୍ ଗଣ୍ଡାକ। ଯେତେ କମ୍ ହେଲେ ମଧ୍ୟ ଉପୁରି ପଇସା ନା! ଲୋଭ କେମିତି ଛାଡ଼ିଦେବେ? ଇଏ କହିଲା ମୁଁ ନେବି, ସିଏ କହିଲା ମୁଁ ନେବି, ମଝିରେ ବୁଢ଼ାବୁଢ଼ୀ ଭକୁଆ। ପେନସନ୍ ପଇସା ନ ଦେବାରୁ ବୁଢ଼ାବୁଢ଼ୀଙ୍କୁ ପୁଅବୋହୂଙ୍କଠାରୁ ନିର୍ଯାତନା ସହିବାକୁ ପଡ଼ିଲା।
ବେଳକୁ ବେଳ ଅବସ୍ଥା ଅସମ୍ଭାଳ ହେଲା। ଦିନେ ସ୍ତ୍ରୀ ସ୍ୱାମୀଙ୍କୁ କହିଲେ ଏମିତି ପିଲାଙ୍କର ମୁହଁ ଚାହିଁବାନି କି ତାଙ୍କଠୁ ଜଳସ୍ପର୍ଶ ମଧ୍ୟ କରିବା କଥା ନୁହେଁ। କୋର୍ଟରେ ଗୋଟିଏ ଲେଖାଇ ଦିଅ ସେମାନେ ଆମ ମୁହଁରେ ନିଅାଁ ଦେବେ ନାହିଁ କି ଆମର ମଲାକର୍ମରେ ଯୋଗ ଦେବେ ନାହିଁ। ପରିସ୍ଥିତି ଦୁର୍ବିସହ ହୋଇପଡ଼ିବାରୁ ୨୦୨୦ ନଭେମ୍ୱର ୨୦ରେ ସମ୍ପୃକ୍ତ ବୃଦ୍ଧ ଜଣକ ଭୁବନେଶ୍ୱର ନୋଟାରିରେ ଏପରି ଗୋଟିଏ ଆଫିଡିଭିଟ କରାଇଦେଲେ। ପତିପତ୍ନୀ ଭୁବନେଶ୍ୱର ସହରରେ ଏକ ଭଡ଼ା ଘରେ ରହୁଥିଲେ। ଗତ ୨ ତାରିଖରେ ପତ୍ନୀଙ୍କର ଦେହାବସାନ ହୋଇଗଲା। ୩ତାରିଖରେ ବୃଦ୍ଧ ଜଣକ ପତ୍ନୀଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନେଇଗଲେ। ଖବର ପାଇ ପିଲାମାନେ ସ୍ୱର୍ଗଦ୍ୱାରରେ ପହଞ୍ଚିଲେ। ମାତ୍ର ପିତା କରିଥିବା ଆଫିଡିଭିଟ ଟି ଦେଖିବା ପରେ ନିରାଶ ହୋଇ ଫେରିଆସିଲେ। ଉଲ୍ଲେଖଯୋଗ୍ୟ ପତ୍ନୀଙ୍କ ମରଶରୀରରେ ଆମ ହିନ୍ଦୁ ଧର୍ମାନୁଯାୟୀ ତାଙ୍କର ଭଣଜା ଅଗ୍ନି ସଂଯୋଗ କରିଥିଲେ ବା ତାଙ୍କ ମୁହଁରେ ନିଅାଁ ଦେଇଥିଲେ।
ଟିକେ ଗଭୀରେଇ ଚିନ୍ତା କଲେ ସେତିକି ନ ବାଧିଲେ ଏମିତି କାର୍ଯ୍ୟ କୋଉ ବାପା,ମା’ କରିବେ ବା କରିପାରିବେ ଭଲା! ସେମାନେ ପରା ଜନ୍ମ ଦେଇଛନ୍ତି! ମା’, ଯିଏ ଅନ୍ତଫାଡ଼ି ଜନ୍ମ ଦେଇଥାଏ, ତା’ ତୁଣ୍ଡରୁ ଏଭଳି କଥା ବାହାରିଲା କାହିଁକି? ସେତିକି ବାଧିବାରୁ ସିନା! ଯୋଉ ବାପା,ମା’ ତୁମକୁ ଏଡେଟିଏରୁ ଏଡୁଟିଏ କଲେ, ତମର ଲକ୍ଷେ ଅଳିଅର୍ଦ୍ଦଳି ସମ୍ଭାଳି ତମକୁ ସଂସାରରେ ମଣିଷ କଲେ, ହାତଧରି ଚାଲି ଶିଖାଇଲେ, କଥା କହିବା ଶିଖାଇଲେ, ରାତିରାତି ଅନିଦ୍ରା ରହି ତମର ଦେହମୁଣ୍ଡର ନଜର ରଖିଲେ, ସେଇ ବାପା,ମା’ଙ୍କୁ ତମେ ପର କରିଦେଲ? କେତେଟା ଦୁର୍ଲଭ ମଣିଷ ଜନ୍ମ ପାଇଲେ ତାଙ୍କ ଋଣ ସୁଝିପାରିବ? ସଂସାରରେ ପଇସା ଦେଲେ ସବୁକିଛି ମିଳିବ, କେବଳ ବାପା,ମା’ଙ୍କୁ ଛାଡ଼ି। ଆଉ ମୁଣ୍ଡ ବାଡ଼େଇଲେ ମଧ୍ୟ ମା’ଭଳି ଜିନିଷ ମିଳିବେ କି ସେଇ ଅଧମ ସନ୍ତାନମାନଙ୍କୁ। ଗୁରୁ ପିଲାଙ୍କୁ ପଢ଼଼ାନ୍ତି – ପିତାମାତା ହେଲେ ପ୍ରଥମ ଓ ଜୀବନ୍ତ ଭଗବାନ। କୋଉ ମନ୍ଦିର/ଦେବସ୍ଥାନ ନଗଲେ ଚଳିବ। ଯଦି ପିତାମାତାଙ୍କର ଠିକରେ ଦେଖାଚାହାଁ କରୁଥିବ। ସେମାନଙ୍କ ଠି ଲୟ ରଖିଥିବ। ଏମିତି ଅନେକ ଘଟଣା ଆଜିକାର ଦୁନିଆରେ ଦେଖାଗଲାଣି। ସେଥିରୁ ଗୋଟିଏ ମନେପଡୁଛି। ହସ୍ପିଟାଲରେ ରୋଗଶଯ୍ୟାରେ ପଡ଼ିଥିବା ମା’ଙ୍କୁ ଦେଖିବାକୁ ଆସିପାରିଲେ ନାହିଁ ଜୀବିତ ଥିବା ବୟସ୍କ ୩ ସନ୍ତାନ ମଧ୍ୟରୁ ଜଣେ ହେଲେ। ମାତ୍ର ଶ୍ମଶାନଘାଟକୁ ଆସିଥିଲେ। କାରଣ ହସ୍ପିଟାଲରେ ଦେଖାଶୁଣା କରିବାକୁ ପଡ଼ିଥା’ନ୍ତା। ଟଙ୍କାପଇସା ଖର୍ଚ୍ଚ ହୋଇଥା’ନ୍ତା।
ଥାରେ ଅଛି,‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।’ ମାତ୍ର ଆମ ଦେଶରେ ସେହି ମହାନ ପରିବାର ତନ୍ତ୍ର ଧୀରେ ଧୀରେ ଭୁଶୁଡ଼ି ପଡ଼ିବା ଭଳି ପ୍ରତୀୟମାନ ହେଉଛି। ଆମେ ସେଇ ବ୍ରିଟିଶମାନେ ବା ପାଶ୍ଚାତ୍ୟବାଲା ଯାହା କରୁଥିଲେ ସେଇଆ କରିବାକୁ ଆଗ୍ରହ ହେଉଛେ। ମାତ୍ର ସେମାନେ ଓଲଟି ଆମ ସଭ୍ୟତା, ସଂସ୍କୃତିକୁ ଆପଣେଇ ନେବାକୁ ଆଗ୍ରହୀ। ଆମେ ପାଶ୍ଚାତ୍ୟଭିମୁଖୀ ହେବା ବେଳକୁ ସେମାନେ ପ୍ରାଚ୍ୟମୁଖା ହେଉଛନ୍ତି। ବେଳ ଥାଉ ଥାଉ ଆମେ ସାବଧାନ ହୋଇଯିବା ଉଚିତ୍। ଆମର ମହାନ ଭାରତୀୟ ସନାତନ ସଭ୍ୟତା/ସଂସ୍କୃତି, ପରମ୍ପରା, ଚଳଣି, ଆମ ପରିବାର, ଆମ ବାପା,ମା’, ପୂଜାପଦ୍ଧତି, ପର୍ବପର୍ବାଣି ସବୁକୁ ପୁଣି ଭଲପାଇବା, ଫେରାଇ ଆଣିବା। ସେଇ ହେବ ଆମ ପାଇଁ ସର୍ବୋତ୍କୃଷ୍ଟ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି – ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପରଧର୍ମୋ ଭୟାବହ। ଜୟନ୍ତ ପଟ୍ଟନାୟକ ଭୁବନେଶ୍ୱର, ମୋ: ୯୦୯୦୧ ୯୦୦୬୯