ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ। ଜନତାଙ୍କର ମତପ୍ରକାଶ ଓ ସରକାର ନିର୍ବାଚିତ କରିବାର ଏହା ଏକମାତ୍ର ମାଧ୍ୟମ ହୋଇଥିବାରୁ ପ୍ରତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନ, ରାଜନୈତିକ ଦଳ, ଗଣମାଧ୍ୟମ, ନୀତି ନିର୍ଦ୍ଧାରଣ ସଂସ୍ଥା, ଅର୍ଥନୀତିଜ୍ଞ, ସାମାଜିକ ବିଜ୍ଞାନୀ, ବିଭିନ୍ନ ସାମାଜିକ ଗୋଷ୍ଠୀ, ବ୍ୟବସାୟିକ ସଂସ୍ଥା ପ୍ରଭୃତିଙ୍କ ପାଇଁ ଅନେକ ମହତ୍ତ୍ୱ ରଖେ। ଗତ ନଭେମ୍ବର ମାସରେ ଦକ୍ଷିଣ ଭାରତର ତେଲଙ୍ଗାନା, ମଧ୍ୟ ଓ ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଏବଂ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ତେଲଙ୍ଗାନାରେ କଂଗ୍ରେସ, ତିନୋଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଭାରତୀୟ ଜନତାପାର୍ଟି ଓ ମିଜୋରାମରେ ଆଞ୍ଚଳିକ ଦଳ ‘ଜୋରାମ ପିପୁଲସ୍ ମୁଭ୍ମେଣ୍ଟ’ କୁ ସରକାର ଗଠନ କରିବା ପାଇଁ ଜନାଦେଶ ମିଳିଲା। ଏହି ପାଞ୍ଚଟି ରାଜ୍ୟର ନିର୍ବାଚନରୁ ମିଳିଥିବା କେତେକ ଶିକ୍ଷା ଉପରେ ଆଲୋଚନା ହେବା ଆବଶ୍ୟକ।
ପ୍ରଥମ ବିଷୟଟି ହେଲା ‘ଆଣ୍ଟି -ଇନ୍କୁବେନ୍ସି’ ବା ‘ସରକାର ବିରୋଧୀ ଜନାଦେଶ’। ପ୍ରତ୍ୟେକ ନିର୍ବାଚନରେ ବିରୋଧୀ ଦଳମାନେ କ୍ଷମତାସୀନ ଦଳ ବା ସରକାର ବିରୋଧୀ ବାତାବରଣ ସୃଷ୍ଟି କରେ ଓ ସରକାର ଗଢ଼ିଥିବା ରାଜନୈତିକ ଦଳ ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରୁଥିôବା ପ୍ରଚାର କରିବା ସହିତ ଶାସନ କାଳରେ ହୋଇଥିବା ତ୍ରୁଟି ବିଚ୍ୟୁତି ସଂଶୋଧନ, ନିଜର ଭଲ କାମକୁ ପ୍ରଚାର କରିବା ଏବଂ ସଠିକ୍ ଢଙ୍ଗରେ ନିର୍ବାଚନ ପରିଚାଳନା କରି ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ଚେଷ୍ଟା କରେ। ସରକାରୀ ଦଳ ଆଉ ଥରେ ନିର୍ବାଚନ ଜିତିଗଲେ ଏହାକୁ ‘ପ୍ରୋ- ଇନ୍କ୍ୟୁବେନ୍ସି’ ବା ‘ସରକାରୀ ସପକ୍ଷରେ ଜନମତ’ ବୋଲି ଗ୍ରହଣ କରାଯାଏ। ସରକାର ଗଠନ ଏକ ଜଟିଳ ବ୍ୟବସ୍ଥା ହୋଇଥିବାରୁ ଶତକଡ଼ା ଶହେରୁ ଶହେ ଭାଗ ଉତ୍ତମ ପ୍ରଶାସନ ପ୍ରଦାନ କରିବା ସମ୍ଭବ ନୁହେଁ। ତେବେ କେତେ ଥରର ଶାସନ ପରେ ଶାସକଦଳ ପାଇଁ ସରକାର-ବିରୋଧୀ ଜନାଦେଶ ଆସିଥାଏ, ତାହାର ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। ଗୁଜୁରାଟରେ ୧୯୯୮ରୁ ଭାରତୀୟ ଜନତା ପାର୍ଟିକୁ ଏବଂ ଓଡ଼ିଶାରେ ୨୦୦୦ ମସିହାରୁ ବିଜୁ ଜନତା ଦଳକୁ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ସରକାର ସପକ୍ଷବାଦୀ ଜନାଦେଶ ମିଳୁଥିବା ଦେଖାଯାଉଥିବା ବେଳେ ରାଜସ୍ଥାନ ଓ ମିଜୋରାମ୍ର ଲୋକେ ପ୍ରତି ପାଞ୍ଚବର୍ଷରେ ଶାସକ ଦଳକୁ ବଦଳାଇବା ଦେଖାଯାଉଛି।
ଏହି ବିଧାନସଭା ନିର୍ବାଚନରେ ରାଜସ୍ଥାନ ଓ ମିଜୋରାମର ଲୋକ ପାଞ୍ଚ ବର୍ଷ ପରେ ସରକାର ବଦଳାଇଛନ୍ତି। ତେବେ ମିଜୋରାମରେ ପ୍ରତି ପାଞ୍ଚବର୍ଷରେ କଂଗ୍ରେସ ଓ ମିଜୋନ୍ୟାସନାଲ ଫ୍ରଣ୍ଟ ମଧ୍ୟରେ ଯେପରି ପୂର୍ବରୁ ସରକାର ବଦଳୁଥିଲା ଏବେ ତାହା ନହୋଇ ମିଜୋନ୍ୟାସନାଲ୍ ଫ୍ରଣ୍ଟକୁ ବଦଳାଇ ଲୋକେ ଅନ୍ୟ ଏକ ଆଞ୍ଚଳିକ ଦଳ ‘ଜୋରାମ ପିପୁଲସ୍ ମୁଭମେଣ୍ଟ‘ କୁ ଶାସନ ଭାର ଅର୍ପଣ କରିଛନ୍ତି। ରାଜସ୍ଥାନରେ କଂଗ୍ରେସକୁ ଛାଡ଼ି ଲୋକେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟ ଶାସନ ଭାର ପ୍ରଦାନ କରିଛନ୍ତି। ତେଲଙ୍ଗାନାରେ ୨୦୧୪ ମସିହାରୁ ତଥା ନୂଆ ରାଜ୍ୟ ଗଠନ ବେଳରୁ ଶାସନରେ ଥିବା ତେଲଙ୍ଗନା ରାଷ୍ଟ୍ରୀୟ ସମିତି (ଟି.ଆର୍.ଏସ୍) କୁ ଲୋକେ ଗାଦିଚ୍ୟୁତ କରି କଂଗ୍ରେସ ସରକାରକୁ କ୍ଷମତାକୁ ଆଣିଛନ୍ତି। ଛତିଶଗଡ଼ରେ ପାଞ୍ଚବର୍ଷର କଂଗ୍ରେସ ସରକାର, ଭାରତୀୟ ଜନତା ପାର୍ଟି ନିକଟରେ ପରାଜୟ ସ୍ୱୀକାର କରିଛି। ଏସବୁ ଆଣ୍ଟି-ଇନ୍କୁବେନ୍ସି ଜନାଦେଶର ଉଦାହରଣ। ତେବେ ମଧ୍ୟପ୍ରଦେଶରେ ‘ପ୍ରୋ-ଇନକୁବେନ୍ସି’ ଜନାଦେଶ ଦେଖିବାକୁ ମିଳିଛି। ସେଠାରେ ୨୦୦୫ରୁ କ୍ଷମତାରେ ଥିବା (ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ସ୍ୱଳ୍ପ କାଳର କଂଗ୍ରେସ ସରକାର ବ୍ୟତୀତ) ଭାରତୀୟ ଜନତା ପାର୍ଟିକୁ ଲୋକେ ପୁଣିଥରେ କ୍ଷମତାକୁ ଆଣିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକେ ଏଥରକ ସମସ୍ତ ନିର୍ବାଚନରେ ସ୍ପଷ୍ଟ ଓ ନିର୍ଣ୍ଣୟକ ଜନାଦେଶ ଦେଇଥିବା ଯୋଗୁଁ କେଉଁଠାରେ ଝୁଲା ବିଧାନସଭା ସ୍ଥିତି ଉତ୍ପନ୍ନ ହୋଇନାହିଁ।
ଦ୍ୱିତୀୟ ଚିନ୍ତାଜନକ ବିଷୟଟି ହେଲା ନିର୍ବାଚନୀ ସଂସ୍କାର ସମ୍ବନ୍ଧୀୟ। ନିର୍ବାଚନ କମିଶନ୍ଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସତ୍ତ୍ବେ ନିର୍ବାଚନରେ ବେଆଇନ୍ ଟଙ୍କା ଓ ଜିନିଷ ପତ୍ର ବଣ୍ଟନ ବନ୍ଦ ହୋଇପାରୁନାହିଁ। ଏପରିକି ମାଦକ ଦ୍ରବ୍ୟ ବଣ୍ଟନ ମଧ୍ୟ ଦେଖିବାକୁ ମିଳିଛି। ନିର୍ବାଚନ କମିଶନ୍ଙ୍କ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଗତ ପାଞ୍ଚଟି ରାଜ୍ୟର ନିର୍ବାଚନ ବେଳେ ୧୭୬୦ କୋଟି ଟଙ୍କାର ନଗଦ ଓ ସାମଗ୍ରୀ ଜବତ ହୋଇଛି, ଯାହା ଏକ ସର୍ବକାଳୀନ ରେକର୍ଡ। ଏଥିମଧ୍ୟରେ ରହିଛି ୩୭୨.୯ କୋଟି ଟଙ୍କାର ନଗଦ, ୨୧୪.୮ କୋଟି ଟଙ୍କାର ମଦ, ୨୪୫.୩ କୋଟି ଟଙ୍କାର ଡ୍ରଗ୍ସ, ୩୭୧.୦୨ କୋଟି ଟଙ୍କାର ସୁନା ଓ ରୁପା ଏବଂ ୫୫୬.୦୨ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ। ତେଲଙ୍ଗନାରୁ ସର୍ବାଧିକ ୬୫୯.୧ କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ବେଳେ ରାଜସ୍ଥାନରେ ୬୫୦.୭ କୋଟି, ମଧ୍ୟପ୍ରଦେଶରେ ୩୨୭.୦୭ କୋଟି, ଛତିଶଗଡ଼ରେ ୭୬.୯୬ କୋଟି ଓ ମିଜୋରାମରେ ୪୯.୬ କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ମିଜୋରାମରୁ କୌଣସି ଟଙ୍କା ଓ ମାଗଣା ଜିନିଷ ଜବତ ହୋଇନଥିବା ବେଳେ ୪.୬୭ କୋଟି ଟଙ୍କାର ମଦ ଓ ୨୯.୮୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ସବୁଠାରୁ କମ୍ ମଦ ଓ ଡ୍ରଗ୍ସ ଜବତ ହୋଇଛି ଛତିଶଗଡ଼ରୁ। ନିର୍ବାଚନ କମିଶନଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ହୋଇଥିବା ବେଳେ ଆଗକୁ କିପରି ନିର୍ବାଚନଗୁଡ଼ିକୁ ଅଧିକ ସ୍ୱଚ୍ଛ କରାଯାଇପାରିବ ସେ ଦିଗରେ ଅଧିକ ନିର୍ବାଚନୀ ସଂସ୍କାରର ଆବଶ୍ୟକତା ରହିଛି।
ତୃତୀୟ ଶିକ୍ଷଣୀୟ ବିଷୟଟି ହେଲା ଏହିସବୁ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଗଣମାଧ୍ୟମର ବ୍ୟାପକ ବ୍ୟବହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଗକୁ ‘ଡିପ୍ଫେକ୍’ ଭିଡିଓର ନିର୍ବାଚନୀ ବ୍ୟବହାର ଉପରେ ଜନତାକୁ ସତର୍କ କରାଇଦେଇଛନ୍ତି। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ନିର୍ବାଚନ ବେଳେ ବିଭିନ୍ନ କଟକଣା ଜାରି କରାଯାଇ ପାରୁଥିବା ବେଳେ ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମ ପାଇଁ ସେହିପରି କଟକଣା ନଥିବା ପରିଲକ୍ଷିତ ହେଉଛି। ମିଛ ପ୍ରଚାର ଓ ‘ଏକଜିଟ୍- ପୋଲ୍’ ବା ‘ବୁଥ ବାହୁଡ଼ା ମତ’କୁ ମଧ୍ୟ ସେମାନେ ସର୍ଭେ କରି ଗୋଟିଏ ନିର୍ବାଚନ ପରେ ପ୍ରଚାର କରୁଥିଲେ। ତେବେ ନିର୍ବାଚନ କମିଶନ୍ଙ୍କ ଦୃଷ୍ଟିକୁ ଯାହା ଆସୁଥିଲା ତାହା ଉପରେ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର-ବିରତି କଟକଣାକୁ ଉଲ୍ଲଙ୍ଘନ କଲେ। ରାଜସ୍ଥାନ ନିର୍ବାଚନ ପୂର୍ବରୁ ତାଙ୍କର ଏକ୍ସ(ଟ୍ୱିଟର) ପୃଷ୍ଠାରୁ ଏକ ଭୋଟ ଭିକ୍ଷା ପୋଷ୍ଟ ଉପସ୍ଥାପିତ ହୋଇଥିଲା। ଏହା ଉପରେ ନିର୍ବାଚନ କମିଶନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନୋଟିସ୍ ପଠାଇବା ସହିତ ତାଗିଦ୍ କରିଥିଲେ। ଆସନ୍ତା ଲୋକସଭା ନିର୍ବାଚନ ବେଳକୁ ସାମାଜିକ ଓ ଡିଜିଟାଲ ଗଣମାଧ୍ୟମ ଉପରେ ନିର୍ବାଚନୀ କଟକଣା ଲାଗିବା ଆବଶ୍ୟକ।
ଚତୁର୍ଥ ଚର୍ଚ୍ଚିତ ବିଷୟଟି ହେଲା ‘ଏକଜିଟ୍ ପୋଲ୍’ ବା ‘ବୁଥ୍ ବାହୁଡ଼ା’ ସର୍ଭେର ବିଫଳତା। ନିର୍ବାଚନ ବେଳେ ଜନମତ ସର୍ଭେ ସଂସ୍ଥାମାନେ ଭୋଟଦାନ କେନ୍ଦ୍ର (ବୁଥ୍) ବାହାରେ ଠିଆହୋଇ ଭୋଟ ଦେଇ ଫେରୁଥିବା ମତଦାତାମାନଙ୍କୁ ସେମାନେ ମତଦାନ କରିଥିବା ଦଳ ଉପରେ ପଚାରି ତଥ୍ୟ ସଂଗ୍ରହ କରିଥାଆନ୍ତି। ସେହି ତଥ୍ୟଗୁଡ଼ିକୁ ଏକାଠି କରି ସେମାନେ କେଉଁଦଳ କେତେ ପ୍ରତିଶତ ଭୋଟ ଓ କେତେ ଆସନ ପାଇବ ତାହା ଭୋଟ୍ ଗଣତି ପୂର୍ବରୁ ପ୍ରକାଶ କରିଥାଆନ୍ତି। ତେବେ ସମସ୍ତ ରାଜ୍ୟର ମତଦାନ ନ ସରିବା ପର୍ଯ୍ୟନ୍ତ ସେମାନେ କୌଣସି ରାଜ୍ୟର ସର୍ଭେ ଫଳାଫଳ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ୍ଙ୍କ କଟକଣା ରହିଛି। ଏଥରକ ସର୍ଭେ ସଂସ୍ଥାମାନେ ନିର୍ବାଚନ ଫଳାଫଳର ଠିକ୍ ପୂର୍ବାନୁମାନ କରିପାରିଲେ ନାହିଁ। ଏହାର ପ୍ରଭାବରେ ସେମାନଙ୍କର ‘ଓପିନିଅନ୍- ପୋଲ୍’ ବା ‘ଜନମତ ସର୍ଭେ’ର ଆଗକୁ ବିଶ୍ୱାସନୀୟତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ବଡ଼ସଂସ୍ଥା ଦ୍ୱୟ ଆକସିସ୍ ଓ ସି- ଭୋଟର୍ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମ କ୍ଷେତ୍ରରେ ପରସ୍ପର ବିପରୀତ ନିର୍ବାଚନୀ ଫଳାଫଳର ପୂର୍ବାନୁମାନ କରିଥିଲେ। ଛତିଶଗଡ଼ରେ ୧୦ଟି ରୁ ୯ଟି ପ୍ରମୁଖ ସର୍ଭେ ସଂସ୍ଥା କଂଗ୍ରେସ ଜିତିବା କଥା ପୂର୍ବାନୁମାନ କରିଥିବା ବେଳେ ମଧ୍ୟପ୍ରଦେଶରେ ୫ଟି ସଂସ୍ଥା କଂଗ୍ରେସ ଓ ୫ଟି ସଂସ୍ଥା ଭାରତୀୟ ଜନତା ପାର୍ଟି ଜିତିବ ବୋଲି କହିଥିଲେ। ଏହାବ୍ୟତୀତ ପ୍ରମୁଖ ସଂସ୍ଥାମାନେ ଅଧିକ ରେଞ୍ଜର ପୂର୍ବାନୁମାନ କରୁଥିଲେ। ଆକସିସ୍ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିକୁ ୮୦-୧୦୦ ଆସନ (୨୦ ବ୍ୟବଧାନ) ଓ ସି-ଭୋଟର କଂଗ୍ରେସକୁ ମଧ୍ୟପ୍ରଦେଶରେ ୧୧୩-୧୩୭ (୨୪ ବ୍ୟବଧାନ) ଆସନ ଆକଳନ କରିଥିଲେ। ସାଧାରଣତଃ ବୁଥ-ବାହୁଡ଼ା ମତ ସର୍ଭେରେ ୧-୩% ତ୍ରୁଟି ଥାଏ, ଯାହା ଏଥରକ ଅଧିକ ହୋଇଥିଲା। ଅନୁମାନ ଭୁଲ୍ ହେବାର କାରଣଗୁଡ଼ିକ ହେଲା ଲୋକେ ଖୋଲା ମତାମତ ନଦେବା, ଭୁଲ୍ ପଦ୍ଧତି, ଜାତି ଓ ଅର୍ଥନୈତିକ ତଥ୍ୟର ଅଭାବରୁ ନମୁନା ସଂଗ୍ରହରେ ତ୍ରୁଟି, ମହିଳାଙ୍କଠାରୁ ମତ ସଂଗ୍ରହ, ନିରପେକ୍ଷତାର ଅଭାବ ଇତ୍ୟାଦି। ଆଗକୁ ତ୍ରୁଟିର ସଂଶୋଧନ ହେବାର ଆବଶ୍ୟକତା ରହିଛି।
ଏଥର ନିର୍ବାଚନରେ ଅନ୍ୟ ଏକ ଚିନ୍ତାଜନକ ବିଷୟ ଦେଖିବାକୁ ମିଳିଲା, ଯାହା ଥିଲା ସମସ୍ତ ରାଜନୈତିକ ଦଳଙ୍କର ‘ଫ୍ରିବିଜ୍’ ବା ମାଗଣା- ସରକାରୀ ଯୋଜନା ଦେବାର ପ୍ରତିଶ୍ରୁତି। ଦେଶରେ ଗରିବୀ ହଟାଇବାକୁ ହେଲେ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ, ନିଯୁକ୍ତିଭିତ୍ତିକ ଆର୍ଥିିକ ଅଭିବୃଦ୍ଧି, ଶିଳ୍ପାୟନର ବିକେନ୍ଦ୍ରୀକରଣ, ଶିକ୍ଷା ଓ ଦକ୍ଷତା ବୃଦ୍ଧି ଇତ୍ୟାଦି ଦୀର୍ଘମିଆଦୀ ସରକାରୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ସ୍ୱଳ୍ପମିଆଦୀ ଜନମଙ୍ଗଳ କାର୍ଯ୍ୟକ୍ରମରେ ରିହାତି ଦରରେ ବା ମାଗଣାରେ କେତେକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବା ସେବା ଗରୀବ ଲୋକଙ୍କୁ ପ୍ରଦାନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ଏହା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ବଜେଟ୍ରେ ଆୟକୁ ଦେଖି ବ୍ୟୟବରାଦ ହେବା ଆବଶ୍ୟକ। ଏଫ୍.ଆର.ବି.ଏମ୍. ଆଇନ୍ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିତ୍ତୀୟ ଶୃଙ୍ଖଳା ଭିତରେ ରହି ଋଣ କରିବା ଆବଶ୍ୟକ। ଦେଖାଯାଉଛି ଯେ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ସରକାରମାନେ ମଧ୍ୟ ‘ଅଫ୍-ବଜେଟ୍’ ବା ବଜେଟ ବାହାରେ ବିଭିନ୍ନ ସଂସ୍ଥା ଦ୍ୱାରା ଋଣ କରୁଛନ୍ତି, ଯାହାକୁ ଅର୍ଥ କମିଶନ ବାରଣ କରୁଛନ୍ତି। କିନ୍ତୁ ଗତ ନିର୍ବାଚନରେ ବିଭିନ୍ନ ମାଗଣା ଯୋଜନାର ପ୍ରତିଶ୍ରୁତି ଦେବା ବେଳେ ଦଳମାନେ ରାଜ୍ୟର ଆର୍ଥିକସ୍ଥିତିକୁ ଧ୍ୟାନ ଦେବା ଦେଖାଯାଉ ନ ଥିଲା। ଫଳରେ ଏହାର ଭରଣା ପାଇଁ ଲୋକଙ୍କ ଉପରେ ଅଧିକ ଟିକସ ଓ ଋଣ ଭାର ପଡ଼ିବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କର ସୂତ୍ର ଅନୁଯାୟୀ ୨୮ ରାଜ୍ୟର ଋଣଭାର ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୪୩% ବୃଦ୍ଧି ପାଇଛି। ୨୦୨୨-୨୩ରେ ତାମିଲନାଡ଼ୁର ଋଣ ଭାର ସର୍ବାଧିକ ୭, ୫୩, ୮୬୦ କୋଟି ଟଙ୍କା ଥିବା ବେଳେ ରାଜସ୍ଥାନର ଋଣଭାର ୫, ୩୭, ୦୫୩ କୋଟି ଟଙ୍କା ଓ ତେଲଙ୍ଗାନାର ଋଣଭାର ୩, ୬୬, ୩୦୬ କୋଟି ଟଙ୍କା ଥିଲା। କେବଳ ଓଡ଼ିଶାର ବିତ୍ତୀୟ ଶୃଙ୍ଖଳା ବହୁତ ଭଲ ଅଛି। ତେଣୁ ଆଗକୁ ‘ଫ୍ରିବିଜ୍’ ଉପରେ ମାର୍ଗଦର୍ଶିକା ଜାରି କରାଯିବା ଆବଶ୍ୟକ।
ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ୫୦%ରୁ ସର୍ବାଧିକ ଆରକ୍ଷଣ ସୀମା ନିର୍ଦ୍ଧାରିତ ହୋଇଥିଲେ ବି କଂଗ୍ରେସ ଏଥରକ ନିର୍ବାଚନରେ ପଛୁଆବର୍ଗ କାର୍ଡ ଖେଳି ପ୍ରତ୍ୟାଖ୍ୟାତ ହେଲା। ଏହାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଦେଶରେ ଚାରୋଟି ଜାତି ଅଛି, ଯାହା ହେଲା- ଗରିବ, ଯୁବବର୍ଗ, କୃଷକ ଓ ମହିଳା। ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ୨୦୨୪ ନିର୍ବାଚନ ବଜେଟ୍ରେ ଏହି ଚାରି ବର୍ଗକୁ ନେଇ ଜନମଙ୍ଗଳ କାର୍ଯ୍ୟକ୍ରମକୁ ସ୍ଥାନ ଦେବାର ସମ୍ଭାବନା ଅଛି। ଭାରତୀୟ ଜନତା ପାର୍ଟି ବିରୋଧ ‘ଇଣ୍ଡିଆ’ ମେଣ୍ଟ ମଧ୍ୟ ନିର୍ବାଚନରେ ବିଫଳ ହେବା ଦେଖାଗଲା। ଏହିପରି ଅନେକ ବିଷୟ ଗତ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲା।
ତେବେ ପ୍ରତ୍ୟେକ ରାଜ୍ୟର ରାଜନୈତିକ ସ୍ଥିତି ସ୍ୱତନ୍ତ୍ର ହୋଇଥିବାରୁ ଏହି ବିଧାନସଭା ନିର୍ବାଚନଗୁଡ଼ିକର ପ୍ରଭାବ ଯେ ଅନ୍ୟ ରାଜ୍ୟରେ ପଡ଼ିବ ତାହା ଭାବିବା ଠିକ୍ ନୁହେଁ। ସେହିପରି ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନର ପ୍ରସଙ୍ଗଗୁଡ଼ିକ ଅଲଗା ଅଲଗା ହୋଇଥିବାରୁ ଏହି ବିଧାନସଭା ନିର୍ବାଚନଗୁଡ଼ିକର ଟ୍ରେଣ୍ଡ ଯେ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହେବ ତାହା ଏବେଠାରୁ ଆକଳନ କରିହେବ ନାହିଁ।
ଲଳିତ ମୋହନ ମିଶ୍ର
ଭୁବନେଶ୍ୱର, ମୋ: ୭୦୦୮୨୩୩୭୨୯