ମୁଁ ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଜାଣିଛି, ସେ କେବେ ହେଲେ ମରିବେ ନାହିଁ। ମୋ ଲାଗି ତାଙ୍କର ମୃତ୍ୟୁ ଖବର ଏକପ୍ରକାର ଗୁଜବ କିମ୍ୱା ଅପପ୍ରଚାର। ଜୟନ୍ତ ମହାପାତ୍ର ହୋଇ ଜନ୍ମହେବା ଗୋଟେ ସାଧାରଣ ଘଟଣା, ହେଲେ ଜୟନ୍ତ ମହାପାତ୍ର କବିତା ଲେଖିବା- ଏକ ବିଷ୍ଫୋରକ ସମୟର ସୂଚନା। ଜୟନ୍ତ ମହାପାତ୍ରଙ୍କ କବିତା ଆମ ସମୟର ଏକ ବିଗବ୍ୟାଙ୍ଗ। ସବୁକିଛି ଚୁରମାର ହୋଇ ଆଉ ଗୋଟେ ନୂଆ ପୃଥିବୀ ନିର୍ମାଣ କରିବାର ଏକ ଅପୂର୍ବ କଳା ତାଙ୍କର କବିତା।
ସେ ଭାରତୀୟ ଇଂରାଜୀ କବିତାର ଯୁଗପୁରୁଷ। ହେଲେ ମୁଁ ଓଡ଼ିଆ କବି ଜୟନ୍ତ ମହାପାତ୍ରଙ୍କୁ ଅଧିକ ଭଲପାଏ। ତାଙ୍କ କବିତାରେ ସେ ନିଜେ ହିଁ ଥା’ନ୍ତି ଗୋଟାପଣେ। ତାଙ୍କ ଭିତରେ ଗୋଟେ ବିରାଟ ବିଶ୍ୱରୂପ ସବୁବେଳେ ଗଢ଼ା ହେଉଥାଏ ଓ ଭାଙ୍ଗି ଯାଉଥାଏ। ଜୟନ୍ତ ମହାପାତ୍ରଙ୍କ ଓଡ଼ିଆ କବିତାର ପାଞ୍ଚୋଟି ବିଶେଷ ବିନ୍ଦୁକୁ ପ୍ରଥମେ ଚିହ୍ନିବା ଆସନ୍ତୁ। ୧- ଜୟନ୍ତ ମହାପାତ୍ର ନିଜକୁ ନେଇ ଡଜନେରୁ ଅଧିକ କବିତା ଲେଖିଛନ୍ତି। ନିଜ ଜୀବନ ବିଷୟରେ ଲେଖିବା ବେଳେ ତାରି ଭିତରେ ସମୟ ଓ ପୃଥିବୀର ଜୀବନ କାହାଣୀ ଲେଖି ପାରିବାର ପ୍ରଚଣ୍ଡ ଦୁଃସାହସ ସେ କରିଛନ୍ତି। ୨- ଭୋକ ତାଙ୍କ କବିତାର ସବୁଠୁ ବଡ଼ ଉପଦାନ। ୧୮୬୬ ମସିହାର ନ’ ଅଙ୍କ ଦୁର୍ଭିକ୍ଷ କେବଳ ଗୋଟେ ପରିବାରର ଈଶ୍ୱରଙ୍କୁ ବଦଳାଇ ଦେଇନାହିଁ, ବରଂ ସବୁ ଭୋକୀ ମଣିଷ ନିଜ ଈଶ୍ୱରଙ୍କୁ ମୁଖା ବଦଳାଉଥିବାର ଚିତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ଦେଖିଛନ୍ତି। ୩- ଜୟନ୍ତ ମହାପାତ୍ର ଆମ ସମୟର ଏକମାତ୍ର କବି, ଯିଏ ସମୟକୁ ନିଜ କବିତାରେ କ୍ୟାଲେଣ୍ଡର ତାରିଖ ଅନୁଯାୟୀ ଲିପିବଦ୍ଧ କରନ୍ତି। ୪- ଏକାନ୍ତ ବ୍ୟକ୍ତିଗତ କବିତା ଯେ କେତେ ପରିମାଣରେ ସାର୍ବଜନୀନ ହୋଇପାରେ, ତା’ର ବିଚକ୍ଷଣ ସୂତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ରହିଛି। ଅନେକ ସମୟରେ ପ୍ରତିକ୍ରିୟା ଓ ରାଜନୈତିକ ପ୍ରସଙ୍ଗକୁ ନେଇ ସେ କବିତା ଲେଖିଛନ୍ତି। କିନ୍ତୁ ସେସବୁ କବିତାର ରାଜନୀତି ଏକ ଉଚ୍ଚତର ଜୀବନବୋଧ ନିର୍ମାଣ କରିଛି। ୫- ତାଙ୍କ କବିତାର ଚରିତ୍ରମାନେ ଅଭାବୀ, ହେଲେ ପ୍ରଚଣ୍ଡ ସ୍ୱପ୍ନଦର୍ଶୀ। ଅନ୍ଧାର ଭିତରେ ଗୋଟେ ସ୍ୱପ୍ନର ସହର ନିର୍ମାଣ କରିବା ତାଙ୍କ କବିତାର ବିଶେଷ ସଫଳତା। ଗୋଟେ ଦୁର୍ଦ୍ଦାନ୍ତ ହତାଶା ଭିତରେ ଆଶାର କବିତା ଲେଖିବାର ସାହସ ହିଁ ତାଙ୍କର କବିତା।
ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଆଜି ଆମେ ହରାଇଛେ ବୋଲି ଖବର ପଢ଼ୁଛେ, ତାଙ୍କୁ ୯୫ ବର୍ଷ ବୟସରେ ବି ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସୁଥିଲା – ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ମୃତ୍ୟୁ ଯାଏଁ ବୟସ ତାଙ୍କୁ ଛୁଇଁ ପାରିନାହିଁ। ସେଥିଲାଗି ମୋର ବିଶ୍ୱାସ, ମରଣର ସେ ଶକ୍ତି ନାଇଁ, ଯିଏ ତାଙ୍କର ତାରୁଣ୍ୟକୁ ଛୁଇଁ ପାରିବ! ନବେ ପରବର୍ତ୍ତୀ ବୟସରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟ ପତ୍ରିକା ‘ପ୍ୟାରିସ ରିଭ୍ୟୁ’ରେ ତାଙ୍କର କବିତା ବାହାରିଛି। ଡାକ୍ତରଖାନାରେ ସେ ନିଜର ଶେଷ କବିତା ବହି ‘ଝାଞ୍ଜି’ର ଉନ୍ମୋଚନ କରୁଛନ୍ତି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ବୟସରୁ ସେ ବାରମ୍ୱାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ ଏଜକିଲଙ୍କ ପରେ ଭାରତୀୟ ଇଂରାଜୀ କବିତାର ସବୁଠୁ ସଫଳ ସ୍ୱର। ତେବେ କେବଳ ସେ ଯେ ପ୍ରସିଦ୍ଧ ଇଂରାଜୀ କବି ତା’ନୁହେଁ, ସେ ଓଡ଼ିଆ କବିତାରେ ମଧ୍ୟ ଅନ୍ୟତମ ଉଜ୍ଜଳ ସ୍ୱର।
ତେବେ ଜୟନ୍ତ ମହାପାତ୍ରଙ୍କ ପରିଚୟ କ’ଣ? ସେ କେବଳ କବି? ଜୟନ୍ତ ମହାପାତ୍ରଙ୍କୁ ଏଯାଏଁ ଓଡ଼ିଆ ଜାତି ଚିହ୍ନି ପାରିନି। ୧୯୮୧ରେ ତାଙ୍କୁ ଯେତେବେଳେ ପ୍ରଥମ ଇଂରାଜୀ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଗଲା, ସେତେବେଳେ ଓଡ଼ିଆ ଗଳ୍ପର ଅନ୍ୟତମ ମହାନାୟକ ସ୍ୱର୍ଗତ ଅଖିଳ ମୋହନ ପଟ୍ଟନାୟକ ଏକ ଲେଖା ଲେଖିଥିଲେ, ଯାହାର ଶୀର୍ଷକ ଥିଲା- ‘ଶ୍ରୀ ଜୟନ୍ତ ମହାପାତ୍ର; ଏକ ପ୍ରାୟ ଅନାବିଷ୍କୃତ ପ୍ରତିଭା।’ ଅତ୍ୟନ୍ତ ପ୍ରଭାବଶାଳୀ ସ୍ୱରରେ ଓଡ଼ିଆଙ୍କର ପ୍ରତିଭା ଚିହ୍ନଟ କରି ନପାରିବାର ଅବଗୁଣ ସମ୍ପର୍କରେ ପ୍ରହାର କରି ଅଖିଳ ମୋହନ ଲେଖିଥିଲେ- ‘ଜଣେ ଓଡ଼ିଆ କବି, ଯିଏ କି ୧୯୬୫-୬୬ ମସିହାରୁ ନିରବଛିନ୍ନ କବିତା ଲେଖି ନିଜକୁ ବିଦେଶରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରି ସାରିଲେଣି, ତାଙ୍କ ସମ୍ପର୍କରେ ଓଡ଼ିଆ ପାଠକଙ୍କୁ ବାଦ ଦିଆଯାଉ, ଓଡ଼ିଆ ଲେଖକମାନଙ୍କୁ ମଧ୍ୟ କୌଣସି ସମ୍ୱାଦ ବିଦିତ ନୁହେଁ। ତାଙ୍କର ପୁସ୍ତକ ‘ରିଲେଶନଶିପ’ ୧୯୮୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବା ପରେ କେହି କେହି ଲେଖକ ନିଜସ୍ୱ ଲେଖାର ଏଣ୍ଡିପୋକ ଖୋସା ଭିତରୁ ମୁଣ୍ଡ କାଢ଼ି କହି ପାରନ୍ତି, ‘କାହିଁକି, ଆମେ ତ ଜାଣୁ, ଜୟନ୍ତ ବାବୁ କ’ଣ ସବୁ ଇଂରାଜୀରେ ଲେଖାଲେଖି କରନ୍ତି’। କିନ୍ତୁ ଜୟନ୍ତ ବାବୁଙ୍କ କବିତାର ଆଲୋଚନା ବା ଅନୁବାଦ ଆଜିଯାଏଁ ଅନ୍ତତଃ ମୁଁ କୌଣସି ଓଡ଼ିଆ ପତ୍ରିକାରେ ଦେଖିବାକୁ ପାଇନାହିଁ।’
୪୨ ବର୍ଷ ତଳେ ଅଖିଳ ମୋହନ ପଟ୍ଟନାୟକ କବି ଜୟନ୍ତଙ୍କ ସମ୍ପର୍କରେ ଯାହା କହିଥିଲେ, ତା’କୁ ଆଜି ବି ସେମିତି କହିଦେଲେ କିଛି ଅସୁବିଧା ହେବନାହିଁ। ଯଦିଓ ୟା’ ଭିତରେ ପ୍ରଚୁର ଓଡ଼ିଆ କବିତା ଓ ନିଜ ଆତ୍ମଜୀବନୀକୁ ସେ ଓଡ଼ିଆରେ ଲେଖିଛନ୍ତି। ତାଙ୍କ କବିତାର କାନଭାସ ଆଜି ମଧ୍ୟ ମୌଳିକ ଭାବରେ ଓଡ଼ିଆ। ସେ ଇଂରାଜୀରେ ଲେଖନ୍ତୁ ବା ଓଡ଼ିଆରେ, ସେ ଓଡ଼ିଶାର ମଣିଷ ଓ ଜୀବନ କଥା ଲେଖନ୍ତି। ଭୋକ ଓ ପୀଡ଼ାର ଗୋଟେ ଅପୂର୍ବ ସୌନ୍ଦର୍ଯ୍ୟବୋଧ ତାଙ୍କ କବିତାରେ ତିଆରି ହୋଇଛି। ସେ ମଣିଷର ପୀଡ଼ା ସହିତ ନିଜକୁ ଏକାକାର କରିବା ସହିତ ଏକଲା ମଣିଷ ପାଇଁ କବିତାରେ ଏକ ନୂଆ ଭାଷାର ନିର୍ମାଣ କରି ପାରନ୍ତି।
ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଚିହ୍ନିବା ଓ ଚିହ୍ନେଇବାର ଆବଶ୍ୟକତା ସବୁଠୁ ବେଶୀ। କାରଣ ଅନେକ ସମୟରେ ଆମେ ଆମର ପାଖ ଲୋକଟିକୁ ଚିହ୍ନି ନଥାଉ। ଓଡ଼ିଶା ଯଦି କେବେ ପୃଥିବୀରେ ନିଜର ପରିଚୟ ଖୋଜିବ, ତେବେ ତା’କୁ ଜୟନ୍ତ ମହାପାତ୍ରଙ୍କ କବିତା ପାଖକୁ ଫେରିବାକୁ ପଡ଼ିବ। ଖାଲି କବିତା ନୁହଁ, ଓଡ଼ିଶାର ଜୀବନବୋଧ, ପର୍ଯ୍ୟଟନ ଓ କଳାର ଇତିହାସ ମଧ୍ୟ ସେ ଲେଖିଛନ୍ତି। ଶହ ଶହ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି। ବାସ୍ତବରେ ତାଙ୍କ ଅବଦାନର ଭୂମି ଏତେ ବିଶାଳ ଯେ, ତା’କୁ ଆକଳନ କରିବା ସହଜ ନୁହେଁ।
ତେବେ ତାଙ୍କର ସବୁଠୁ ବଡ଼ ପରିଚୟ ହେଉଛି, ସେ ଓଡ଼ିଆ କବିତାର ସବୁଠୁ ବିନମ୍ର ବିପ୍ଳବୀ। ସେ କୌଣସି ଶୋଭାଯାତ୍ରା ବା ପତାକାର କଥା ଯଦିଓ କହି ନାହାନ୍ତି, ଓଡ଼ିଆ ଜନଜୀବନରେ ଯେତେବେଳେ ବି ସାଧାରଣ ମଣିଷ ଉପରେ ଆକ୍ରମଣ ହୋଇଛି, ତାରି ବିରୋଧରେ ସେ ନିଜର କଲମ ଧରି ଠିଆ ହୋଇଛନ୍ତି। ଦେଶରେ ବଢ଼଼ି ଚାଲିଥିବା ଅସହିଷ୍ଣୁତା ବିରୋଧରେ ସେ ଓଡ଼ିଶାର ଏକମାତ୍ର ଲେଖକ ଭାବରେ ନିଜର ପଦ୍ମ ପୁରସ୍କାର ଫେରାଇ ଦେଇଥିଲେ। ସେ କଳିଙ୍ଗ ନଗରର ଆଦିବାସୀ ଗୁଳିକାଣ୍ଡ ହେଉ ବା ଲୋକଙ୍କ ଉପରେ ପୁଲିସ ଦମନ, ଯେତେବେଳେ ବି କେଉଁଠି ମଣିଷ ଉପରେ କ୍ଷମତାର ଅହଂକାର ପ୍ରବଳ ହୋଇଛି, ସେଠି ଜୟନ୍ତ ମହାପାତ୍ର ବିନମ୍ର ପ୍ରତିବାଦ କରି ଅବିଚଳିତ ଭାବରେ ଠିଆ ହୋଇଛନ୍ତି।
ଆଜି ଜୟନ୍ତ ମହାପାତ୍ରଙ୍କ ବିଷୟରେ ଏତେ କଥା ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ପଢ଼଼ିଲା ବେଳେ ଲାଗୁଛି, ମୁଁ ତ ତାଙ୍କୁ ବିଶେଷ କିଛି ଜାଣେ ନାଇଁ। ଜୟନ୍ତ ମହାପାତ୍ରଙ୍କୁ ଯେତିକି ମୁଁ ପଢ଼ୁଛି, ସେ ସେତିକି ଶୋଷ ବଢ଼଼ାଇ ଚାଲିଛନ୍ତି। ମୋ ପରେ ମୋର ପରବର୍ତ୍ତୀ ଅନେକ ପିଢ଼ି ଯାଏଁ ଜୟନ୍ତଙ୍କୁ ପଢ଼଼ିବାର ଶୋଷ ଅବ୍ୟାହତ ରହିବ। ଜୟନ୍ତ ମହାପାତ୍ରଙ୍କୁ ନେଇ ବ୍ୟକ୍ତିଗତ କିଛି ଲେଖୁନି। ବ୍ୟକ୍ତିଗତ ଭାବରେ ସେ ମୋ ଲାଗି ଯାହା, ତାହା ବିଜ୍ଞାପନର ବିଷୟ ନୁହେଁ। ତାଙ୍କ କବିତାକୁ ନେଇ ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ମୁଁ ବଞ୍ଚିଥିବା ଯାଏଁ ଚାଲିବ। ମୁଁ ବଞ୍ଚିଥିବା ଯାଏଁ ମୋର ପ୍ରିୟ କବି ଜୟନ୍ତ ମହାପାତ୍ର ମରିପାରିବେ ନାହିଁ। କେଦାର ମିଶ୍ର ଭୁବନେଶ୍ୱର, ମୋ: ୯୪୩୮୭୨୯୩୧୯