ପହଲ୍ଗାମ୍ ଆମ ଦେଶରେ ପାକିସ୍ତାନ(ସେନା) ପ୍ରାୟୋଜିତ ଆତଙ୍କୀ ଆକ୍ରମଣର ପ୍ରଥମ ଘଟଣା ନୁହେଁ। ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହାପୂର୍ବରୁ ମଧ୍ୟ ଅନେକ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି। କିନ୍ତୁ ସଦ୍ୟ ଆକ୍ରମଣ ଘଟଣା ସାରା ଦେଶରେ ଯେମିତି ନିଅାଁ ଲଗାଇ ଦେଇଛି, ତାହା ଆଗରୁ କେବେ ହେଇ ନଥିଲା। ଏପରି ହେବା ମଧ୍ୟ ସ୍ୱାଭାବିକ। କାରଣ ନରରାକ୍ଷସ ଆତଙ୍କବାଦୀମାନେ ଯେଉଁଭଳି ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରି ହତ୍ୟା କଲେ ତାହା ଅତ୍ୟନ୍ତ ବର୍ବରୋଚିତ। ଯେଉଁଭଳି ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ, ସନ୍ତାନ ଆଗରେ ପିତାଙ୍କୁ, ବୃଦ୍ଧା ମାଆ ଆଗରେ ଭେଣ୍ଡିଆ ପୁଅକୁ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ହତ୍ୟା କଲେ, ତାହା କୌଣସି ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଏହି ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରୁଛନ୍ତି। ବିରୋଧୀ ଦଳମାନେ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛନ୍ତି। ସମଗ୍ର ବିଶ୍ୱର ସହାନୁଭୂତି ଓ ସମର୍ଥନ ଆମ ଦେଶ ସହ ରହିଛି।
ଏହାରି ମଧ୍ୟରେ ଲକ୍ଷ୍ୟ କରାଯାଉଛି ଯେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅଳ୍ପ କିଛି ଆତଙ୍କବାଦୀଙ୍କ ବିକୃତ ମାନସିକତାର ପରିଚାୟକ ଏହି ଆକ୍ରମଣକୁ ଧାର୍ମିକ ଆଧାରରେ ମାପି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ବିଷୋଦଗାର୍ କରୁଛନ୍ତି। ଅମାନବୀୟ ଆକ୍ରମଣ ପରେ ସାଧାରଣ ଲୋକଙ୍କ ମନରେ କ୍ରୋଧ ଜାଗ୍ରତ ହେବା ସ୍ୱାଭାବିକ। କିନ୍ତୁ ସେହି କ୍ରୋଧ ଯେମିତି ଆମ ଦେଶ ଭିତରେ ଅରାଜକତା ସୃଷ୍ଟି ନକରୁ, ଦେଶକୁ ଅସ୍ଥିର ନକରୁ, ଦେଶବାସୀଙ୍କ ମଧ୍ୟରେ ଥିବା ସାମ୍ପ୍ରଦାୟିକ ସଦଭାବନା ଉପରେ କୌଣସି ଆଞ୍ଚ ନ ଆଣୁ – ଏହି ସମସ୍ତ ଦିଗ ପ୍ରତି ଆମେ ସମସ୍ତେ ସଚେତନ ରହିବା ଉଚିତ୍। ନଚେତ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଅଚିରେ ପୂରଣ ହୋଇଯିବ। ଆମେ ପରିବାରରେ ଯେମିତି କୌଣସି ବିପଦ ସମୟରେ ସମସ୍ତେ ଏକାଠି ହୋଇ ପରିସ୍ଥିତିକୁ ସାମ୍ନା କରୁ ଠିକ୍ ସେମିତି ଦେଶର ଏହି କଠିନ ସମୟରେ ସମସ୍ତ ଦେଶବାସୀ ଏକାଠି ହୋଇ ଆତଙ୍କବାଦୀ ବିରୁଦ୍ଧ ଲଢ଼େଇରେ ଅବତୀର୍ଣ୍ଣ ହେବାର ଆବଶ୍ୟକତା ରହିଛି। ଆମ ଭିତରେ ଯଦି ଫାଟ ସୃଷ୍ଟି ହେବ ତେବେ ଶତ୍ରୁ ରାଷ୍ଟ୍ର ତା’ର ଫାଇଦା ନେବ ହିଁ ନେବ।
ଭାରତ ହେଉଛି ସେହି ଦେଶ, ଯେଉଁଠି ମୌଲନା ଅବୁଲ କଲାମ ଆଜାଦ, ଏ ପି ଜେ ଅବଦୁଲ କଲାମ, ଆମେରିକାରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଥିବା ତଥା ଏକଦା ଓଡ଼ିଶାର ରାଜ୍ୟପାଳ ଥିବା ଆସଫ ଆଲୀ, କୋଭିଡ ସମୟରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିବା ନୟାଗଡ଼଼ ଜିଲ୍ଲାର ୧୯ ବର୍ଷର ଛାତ୍ର ଆଫତବ୍ ହୁସେନ, ସର୍ବୋପରି ସଦ୍ୟ ପହେଲଗାମଠାରେ ପର୍ଯ୍ୟଟକମାନଙ୍କ ଜୀବନ ରକ୍ଷା କରିବାକୁ ଯାଇ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା କାଶ୍ମୀରର ସାହସୀ ଯୁବକ ସାୟେଦ ଆଦିଲ ହୁସେନ ଶାହାଙ୍କ ପରି ଦେଶପ୍ରେମୀ ଓ ଜାତିପ୍ରେମୀ ଜନ୍ମନେଇଛନ୍ତି।
ପ୍ରତ୍ୟେକ ଦେଶରେ କିଛି ସଂଖ୍ୟାରେ ଅସାମାଜିକ ତତ୍ତ୍ୱମାନ ରହିଛନ୍ତି, ଯେଉଁମାନଙ୍କର ହୀନ ଉଦ୍ଦେଶ୍ୟରେ ଧର୍ମ, ଜାତି, ରାଷ୍ଟ୍ରର କିଛି ଅର୍ଥ ନାହିଁ। ଆତଙ୍କବାଦର ପରିପାଳକ ପାକିସ୍ତାନ ମଧ୍ୟ ଖୋଦ୍ ଆତଙ୍କବାଦର ଶିକାର ହୋଇଛି। ୨୦୦୦-୨୦୧୯ ମସିହା ମଧ୍ୟରେ ଆତଙ୍କବାଦ ଆକ୍ରମଣରେ ସେଠାକାର ପ୍ରାୟ ୬୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି, ଯେଉଁଥିରେ ସାଧାରଣ ଲୋକଙ୍କ ସଂଖ୍ୟା ରହିଛି ପ୍ରାୟ ୨୩ ହଜାର। ସେଠାରେ ସବୁଠାରୁ ଭୟାନକ ତଥା ଲୋମହର୍ଷଣକାରୀ ଆକ୍ରମଣ ହୋଇଥିଲା ଡିସେମ୍ୱର ୧୬, ୨୦୧୪ ମସିହାରେ ପେଶୱାରଠାରେ ଥିବା ଏକ ବିଦ୍ୟାଳୟ ଉପରେ। ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବନର ଛ’ଜଣ ଆତତାୟୀଙ୍କ ଆଖିବୁଜା ଗୁଳିଚାଳନାରେ ୧୪୪ ଜଣ ନିରୀହ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୧୧୪ ଜଣ ଗୁରୁତର ଆହତ ହୋଇଥିଲେ। ପାକିସ୍ତାନର ଅନେକ ରାଷ୍ଟ୍ର ନେତା ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଛନ୍ତି। ଯଉଁ କେତେକ ଆତଙ୍କବାଦୀ ନିଜ ଈଶ୍ୱରଙ୍କ ନାଁ ନେଇ ଅନ୍ୟ ଧର୍ମର ଲୋକଙ୍କୁ ହତ୍ୟା କରନ୍ତି ଏବଂ ଏହାଦ୍ୱାରା ସ୍ୱର୍ଗ ମିଳିବ ବୋଲି କୁହନ୍ତି ସେମାନଙ୍କ ଠାରୁ ବଡ଼ ଭୀରୁ ଓ କାପୁରୁଷ ଆଉ କେହି ହେଇ ନ ପାରନ୍ତି। ଏହାଦ୍ୱାରା ସେମାନେ ଅଜାଣତରେ ନିଜ ଧର୍ମର ଈଶ୍ୱରଙ୍କ ସମ୍ମାନ ହାନି ହିଁ କରୁଛନ୍ତି। କେବଳ ଏହା ଏକ ଦୁର୍ବଳ ମାନସିକତା। ଏଭଳି ମାନସିକତାକୁ ପରାଜିତ କରିବା ପାଇଁ ଏକ ମାତ୍ର ଅସ୍ତ୍ର ହେଉଛି ପାରସ୍ପରିକ ସ୍ନେହ, ପ୍ରେମ, ଭଲପାଇବା ଓ ଐକ୍ୟ ଭାବ।
ଇତିମଧ୍ୟରେ ସାମାଜିକ ଗଣମାଧ୍ୟମଗୁଡ଼ିକରେ ପାକିସ୍ତାନ ବିରୁଦ୍ଧରେ ଭାରତ ସରକାର କଠୋର ଆଭିମୁଖ୍ୟ ପୋଷଣ କରନ୍ତୁ ବୋଲି ଦାବି କରୁଛନ୍ତି। କେହି କେହି ତ ପ୍ରତ୍ୟକ୍ଷ ଯୁଦ୍ଧର ଆକଳନ ବି କରିସାରିଲେଣି। କିନ୍ତୁ ଏଠି ମନେ ରଖିବା ଜରୁରୀ ଗୋଟେ ରାଷ୍ଟ୍ର ଜନସାଧାରଣଙ୍କ କ୍ରୋଧ ଓ ଆକ୍ରୋଶକୁ ନେଇ ପରିଚାଳିତ ହୁଏ ନାହିଁ କିମ୍ୱା କୌଣସି ରାଷ୍ଟ୍ରର ସୁରକ୍ଷାବାହିନୀ କ୍ରୋଧରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ ବରଂ ଅନେକ ଭାବିଚିନ୍ତି ନିଜ ଦକ୍ଷତା ଓ ସାମର୍ଥ୍ୟ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥା’ନ୍ତି। ଯୁଦ୍ଧକୁ ଯେଉଁ ପର୍ଯ୍ୟନ୍ତ ଟାଳି ଦିଆଯାଇପାରିବ, ଟାଳି ଦେବା ବୁଦ୍ଧିମାନର କାମ। ଏହି ମର୍ମରେ ବିଶିଷ୍ଟ ଉର୍ଦ୍ଦୁ ସାହିତ୍ୟ କବି, ଗୀତିକାର ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଅବଦୁଲ ହାୟୀଙ୍କ ଏକ କାଳଜୟୀ କବିତା ମନେପଡ଼େ; ‘ଜଙ୍ଗ ତୋ ଖୁଦ୍ ହି ଏକ ମଶାଲା ହେ, ଜଙ୍ଗ କ୍ୟା ମଶାଲୋ କା ହାଲ ଦେଗୀ। ଆଗ୍ ଔର ଖୁନ ଆଜ ବାଣ୍ଟେଙ୍ଗି ତୋ ଭୂଖ୍ ଔର ଏହିତିଆଜ କାଲ୍ ଦେଗି। ଇସି ଲିୟେ, ୟେ ସରିଫ ଇନସାନୋ; ଜଙ୍ଗ ଟାଲତି ରହେ ତୋ ବେହତର ହେ, ଆପ୍ ଔର ହମ୍ ସଭି କେ ଅଙ୍ଗନ୍ ମେ ସମ୍ମା ଜଲତି ରହେ ତୋ ବେହତର୍ ହେ(ଯୁଦ୍ଧ ତ ନିଜେ ଏକ ପ୍ରସଙ୍ଗ। ଏହା ଅନ୍ୟାନ୍ୟ ପ୍ରସଙ୍ଗର ନିରାକରଣ କ’ଣ କରିବ? ଆଜି ନିଅାଁ ଆଉ ରକ୍ତ ଦେବ ତ କାଲି ଭୋକ, ବିରୋଧ ଆଉ ଉତ୍ତେଜନା ଦେବ। ଏଥିପାଇଁ ହେ ମହାନ୍ ବ୍ୟକ୍ତିଗଣ! ଯୁଦ୍ଧ ଟଳି ଯାଉଛି ତ ଭଲ କଥା। ଆପଣ ଆଉ ଆମ ସମସ୍ତଙ୍କ ଅଗଣାରେ ଦୀପ ଜଳି ରହୁଛି ତ ଭଲ କଥା)।
ବର୍ତ୍ତମାନ ହାତରେ ନ ମାରି, ଭାତରେ ମାରିବା ନ୍ୟାୟରେ ଶତ୍ରୁରାଷ୍ଟ୍ର ବିରୁଦ୍ଧରେ କୂଟନୈତିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ଆକ୍ରମଣର ଆବଶ୍ୟକତା ରହିଛି। ସିନ୍ଧୁ ଜଳ ଚୁକ୍ତି ବାତିଲ ଏବଂ ପାକିସ୍ତାନର ସମସ୍ତ ୟୁଟ୍ୟୁବ ଚାନେଲକୁ ଭାରତରେ ନିଷେଧ ଘୋଷଣା ପୂର୍ବକ ଆରମ୍ଭ ହୋଇସାରିଛି। ଏହାବ୍ୟତୀତ ବିନା ଭିସାରେ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ଫେରିଯିବା ନିମନ୍ତେ ନୋଟିସ, ପାକିସ୍ତାନ ପାଇଁ ଆମ ଦେଶର ବାୟୁସୀମା ନିଷେଧ, ୱାଘା-ଅଟରୀ ସୀମା ସିଲ ଆଦି ପଦକ୍ଷେପମାନ ଗ୍ରହଣ କରାଯାଇଛି। ଏଗୁଡ଼ିକ ଅୟମାରମ୍ଭ ମାତ୍ର। ଆଗକୁ ଅନେକ କିଛି ଦେଖିବାକୁ ମିଳିପାରେ। ସେ ପର୍ଯ୍ୟନ୍ତ ଦେଶ ଭିତରେ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।
ମହେଶ୍ୱର ପାତ୍ର
କେନ୍ଦୁଝର, ମୋ: ୭୦୦୮୦୬୫୮୭୫