କର୍କଟ ଏକ ବହୁ ପରିଚିତ ତଥା ଅସୀମ ଭୟ ସୃଷ୍ଟିକାରୀ ଶବ୍ଦ। ଏହା ଏକ ବହୁବିନାଶକାରୀ ରୋଗ, ଯାହା ସାଧାରଣତଃ ମଣିଷ ଶରୀରର ଜୀବକୋଷରେ ବିଭିନ୍ନ ଜଟିଳ ପ୍ରକ୍ରିୟା ମାଧ୍ୟମରେ ଅନିୟନ୍ତ୍ରିତ ପରିବର୍ତ୍ତନ ଘଟିବା କାରଣରୁ ହୋଇଥାଏ। ଏହା ଶରୀରର ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ। କର୍କଟ ରୋଗକୁ ଭେଷଜ ବିଜ୍ଞାନରେ ନିଓପ୍ଲାଜମ୍ ଏବଂ ମାଲିଗ୍ନାଣ୍ଟ ଟ୍ୟୁମର ବୋଲି ମଧ୍ୟ କୁହାଯାଏ। ବିଶ୍ବରେ ଯେତେ ସଂଖ୍ୟକ ରୋଗଜନିତ ମୃତ୍ୟୁ ଘଟଣା ଘଟୁଛି ସେଥିମଧ୍ୟରେ କର୍କଟଜନିତ ରୋଗର ବୃହତ୍ ସଂପୃକ୍ତି ରହିଛି। ବିଶ୍ବସ୍ତରରେ ୨୦୨୦ରେ ୧ କୋଟି ଲୋକ କର୍କଟରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହି ରୋଗ ସାଧାରଣତଃ ବହୁଳ ଭାବରେ ସ୍ତନ କର୍କଟ, ଫୁସଫୁସ କର୍କଟ, କୋଲନ୍ କର୍କଟ ଓ ମଳଦ୍ୱାର କର୍କଟ ରୂପେ ଶରୀରକୁ ଆକ୍ରାନ୍ତ କରେ। ମଣିଷ ଶରୀରରେ କେତେକ ନିର୍ଦ୍ଦିଷ୍ଟ ଭୂତାଣୁ ଦ୍ବାରା ବାରମ୍ବାର କିମ୍ବା ଦୀର୍ଘକାଳ ଧରି ସଂକ୍ରମଣ ରହିଲେ ତାହା କର୍କଟ ରୋଗର ରୂପ ନେବାର ଆଶଙ୍କା ରହେ। କର୍କଟ ରୋଗ ସୃଷ୍ଟି କରୁଥିବା ଭୂତାଣୁକୁ ଅଙ୍କୋଭାଇରସ୍ କୁହାଯାଏ ଏବଂ ସାଧାରଣ ଅଙ୍କୋଭାଇରସ୍ଗୁଡ଼ିକ ହେଉଛି ହ୍ୟୁମାନ୍ ପାପିଲୋମା ଭାଇରସ୍(ଏଚ୍ପିଭି), ହେପାଟାଇଟିସ୍ ବି ଭୂତାଣୁ(ଏଚ୍ବିଭି), ହେପାଟାଇଟିସ୍ ସି ଭୂତାଣୁ(ଏଚ୍ସିଭି), ଏପଷ୍ଟାଇନ୍ – ବାର୍ ଭୂତାଣୁ(ଇବିଭି), କାପୋସିଙ୍କ ସାର୍କୋମା, ହର୍ପିସଭାଇରସ୍(କେଏସ୍ଏଚ୍ଭି) (ହ୍ୟୁମାନ୍ ହର୍ପିସଭାଇରସ୍ ୮ ମଧ୍ୟ କୁହାଯାଏ), ହ୍ୟୁମାନ୍ ଟି-ସେଲ୍ ଲିମ୍ଫୋଟ୍ରୋପିକ୍ ଭୂତାଣୁ(ଏଚ୍ଟିଏଲ୍ଭି-୧), ମର୍କେଲ ସେଲ୍ ପଲିଓମାଭାଇରସ୍(ଏମ୍ସିପିୱାଇଭି)। ଏହାଛଡ଼ା ଏଣ୍ଡୋମେଟ୍ରିଆଲ୍ କର୍କଟ ଓ ହ୍ୟୁମାନ୍ ପାପିଲୋମା ଭୂତାଣୁ ଗର୍ଭାଶୟ, ଏଣ୍ଡୋମେଟ୍ରିଆଲ୍, ପୁରୁଷ ଓ ମହିଳା ଯୌନାଙ୍ଗ, ମୁଖ ଗହ୍ୱର ଓ ଘଣ୍ଟିକା ଏବଂ ଲାରିଞ୍ଜାଲ୍ କର୍କଟ ସୃଷ୍ଟି କରେ। ହେପାଟାଇଟିସ୍ ବି ଭୂତାଣୁ ଏବଂ ହେପାଟାଇଟିସ୍ ସି ଭୂତାଣୁ ଯକୃତରେ କର୍କଟ ସୃଷ୍ଟି କରନ୍ତି। ଏପଷ୍ଟାଇନ୍-ବାର୍ ଭୂତାଣୁ ହଜକିନ୍ସ ଲିମ୍ଫୋମା, ବୁର୍କିଟ୍ର ଲିମ୍ଫୋମା ଏବଂ ନାସୋଫାରିଞ୍ଜାଲ୍ କାରସିନୋମା ସୃଷ୍ଟି କରନ୍ତି। କାପୋସି ସାର୍କୋମା ହର୍ପସ୍ ଭୂତାଣୁ ଦ୍ବାରା ହୋଇଥାଏ ଏବଂ ଟି ସେଲ୍ ଲ୍ୟୁକେମିଆ (ରକ୍ତ କର୍କଟ) ଏବଂ ଲିମ୍ଫୋମା ଏଚ୍ଆଇଭି-୧ ଦ୍ବାରା ହୋଇଥାଏ।
ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦ୍ବାରା ନିକଟରେ ଏହା ଆକଳନ କରାଯାଇଛି ଯେ ବିଭିନ୍ନ ଭୂତାଣୁ ସଂକ୍ରମଣ ପ୍ରାୟ ୧୪୦୦୦୦ ପ୍ରକାର କର୍କଟ ରୋଗର କାରଣ ହୋଇଥାଏ, ଯାହା ବିଶ୍ବବ୍ୟାପୀ ପ୍ରାୟ ୧୦% କର୍କଟ ରୋଗୀଙ୍କ ଦେହରେ ଦେଖା ଯାଇଥାଏ। ହ୍ୟୁମାନ୍ ପାପିଲୋମା ଭୂତାଣୁ ଏବଂ ହେପାଟାଇଟିସ୍ ଭୂତାଣୁର ବାରମ୍ବାର ସଂକ୍ରମଣ ଦ୍ବାରା ସୃଷ୍ଟି ହେଉଥିବା କର୍କଟ, ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୩୦% କର୍କଟ ସୃଷ୍ଟି କରିଥାଏ। କର୍କଟ ରୋଗ ବିଷୟରେ ସଚେତନତାର ଅଭାବ, ପରିବର୍ତ୍ତନଶୀଳ ଭୂତାଣୁ ସଂକ୍ରମଣ ପ୍ରକ୍ରିୟା ଏବଂ ଭାରତ ସମେତ ଅଧିକାଂଶ ବିକାଶଶୀଳ ଦେଶରେ ସଠିକ୍ ପ୍ରାକ୍-କର୍କଟ ଯାଞ୍ଚ ସୁବିଧା ଅଭାବ ହେତୁ ଅଧିକାଂଶ କର୍କଟ ରୋଗ ଚିହ୍ନଟ ହେବା ବେଳକୁ ଡେରି ହୋଇ ଏହା ଅଧିକ ଜଟିଳ ଆକାର ହୋଇସାରିଥାଏ। ତେଣୁ ସେଭଳି ଘଟଣାରେ ଆରୋଗ୍ୟର ସମ୍ଭାବନା ପୂର୍ବାନୁମାନ କରିବା ପ୍ରାୟତଃ ଅତି କଷ୍ଟକର ଏବଂ ଚିକିତ୍ସା ବିଶେଷ ଫଳପ୍ରଦ ହୋଇ ନଥାଏ। ଯଦିଓ ଗର୍ଭାଶୟ କର୍କଟ ସଂଖ୍ୟା ଏବେ ହ୍ରାସ ପାଉଛି, ତଥାପି ଏହା ମହିଳାମାନଙ୍କ ପାଇଁ ଏକ ପ୍ରାଣଘାତୀ ରୋଗ ରୂପେ ବର୍ତ୍ତମାନ ମଧ୍ୟ ରହିଛି। ଏଥିରେ ବାର୍ଷିକ ଆନୁମାନିକ ୬୬୦୦୦୦ ନୂତନ ରୋଗୀ ଚିହ୍ନଟ ହେଉଥିବା ବେଳେ ୨୦୨୨ ରେ ଏହି ରୋଗରେ ୩୫୦୦୦୦ ମହିଳାଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦୁର୍ଭାଗ୍ୟଜନକ ତଥ୍ୟ ହେଲା ଯେ ୯୪% କର୍କଟଜନିତ ମୃତ୍ୟୁ କେବଳ ଅନୁନ୍ନତ ଓ ବିକାଶଶୀଳ ଦେଶମାନଙ୍କରେ ଘଟୁଛି।
ଗର୍ଭାଶୟ କର୍କଟ ରୋଗ ଏବଂ ତଦ୍ଜନିତ ମୃତ୍ୟୁହାର, ସର୍ବାଧିକ ସାହାରା-ଆଫ୍ରିକା, ମଧ୍ୟ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଛି। ଗର୍ଭାଶୟ କର୍କଟରେ ମୃତ୍ୟୁହାର ବଢ଼ିବା ପଛରେ ରହିଛି ଆଞ୍ଚଳିକ ବୈଷମ୍ୟ, ଟିକାକରଣରେ ଅସମାନତା, ନିଦାନ ଓ ଚିକିତ୍ସା ସେବାର ଅଭାବ, ଏଚ୍.ଆଇ.ଭି ପ୍ରାଦୁର୍ଭାବ, ଲିଙ୍ଗଗତ ଭେଦଭାବ ଏବଂ ଦାରିଦ୍ର୍ୟ ଭଳି ସାମାଜିକ- ଅର୍ଥନୈତିକ କାରଣମାନ। ଦୀର୍ଘକାଳୀନ ଏଚ୍ପିଭି ସଂକ୍ରମଣ ଯୋଗୁଁ କର୍କଟ ଆକ୍ରାନ୍ତ ହୋଇଥିବା ୯୬% ରୋଗୀଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ଇଣ୍ଡିଆନ୍ ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ(ଏନ୍ଆରସିପି)ର ତଥ୍ୟ ଅନୁଯାୟୀ ସମସ୍ତ କର୍କଟ ମଧ୍ୟରୁ ୭.୫% ହ୍ୟୁମାନ୍ ପାପିଲୋମା ଭୂତାଣୁ ଦ୍ବାରା ସୃଷ୍ଟି ହୁଏ, ଯାହା ୮୭.୬% ଗର୍ଭାଶୟ କର୍କଟ ଏବଂ ୬୩.୨% ଓରୋଫାରାଇନଜାଲ୍ କର୍କଟ ସୃଷ୍ଟି କରେ। ସେହିଭଳି, ଭାରତରେ ହେପାଟାଇଟିସ୍- ବି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୪-୪୦ ନିୟୁତ, ଯାହା ବିଶ୍ବର ମୋଟ ହେପାଟାଇଟିସ୍-ବି ସଂକ୍ରମିତଙ୍କ ତୁଳନାରେ ୧୦-୧୫%। ହେପାଟାଇଟିସ୍-ବି ଏବଂ ସି ର ସଂକ୍ରମିତମାନଙ୍କର ହେପାଟୋସେଲୁଲାର୍ କରସିନୋମା (ଯକୃତ କର୍କଟ)ରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ। କେବଳ ସେତିକି ନୁହେଁ, ଯେଉଁ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ସେଠାରେ ବଂଶଗତ କାରଣରୁ ଭବିଷ୍ୟ ପିଢ଼ି ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ଓ ଦେଶର ସ୍ବାସ୍ଥ୍ୟଗତ ଜଟିଳ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ।
ଆଉ ଗୋଟିଏ ଉଦ୍ବେଗଜନକ ବିଷୟ ହେଉଛି ପ୍ରାଥମିକ ସ୍ତରରେ ଯକୃତ-କର୍କଟ ଶୀଘ୍ର ଚିହ୍ନଟ କରିବା କଷ୍ଟକର ଏବଂ ଏହାର ଉପଯୁକ୍ତ ସମୟରେ ଚିହ୍ନଟ ଓ ଚିକିତ୍ସା ନହେଲେ ଏହା ଗୁରୁତର ରୂପ ନେଇଥାଏ। ଭାରତରେ ଭୂତାଣୁ ସଂକ୍ରମଣଜନିତ କର୍କଟ ପୀଡ଼ିତଙ୍କ ସଂଖ୍ୟା ହ୍ୟୁମାନ୍ ପାପିଲୋମା ସଂକ୍ରମଣ ଜନିତ କର୍କଟ ରୋଗୀଙ୍କ ତୁଳନାରେ ବହୁତ୍ କମ୍। ଏ ପର୍ଯ୍ୟନ୍ତ କରାଯାଇଥିବା ଗବେଷଣା ତଥ୍ୟ ଅନୁଯାୟୀ ସମଗ୍ର ଭାରତରେ ଭୂତାଣୁ ସଂକ୍ରମଣ ଜନିତ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ଅବଶ୍ୟ ଆସାମ, ନାଗାଲାଣ୍ଡ ଏବଂ ମିଜୋରାମ ପରି ଉତ୍ତର-ପୂର୍ବ ରାଜ୍ୟରେ ଏପଷ୍ଟେଇନ ବାର୍ ଭୂତାଣୁ ସହ ଜଡ଼ିତ ନାସୋଫାର୍ରାଇଞ୍ଜାଲ୍ କର୍କଟ ରୋଗୀ ସଂଖ୍ୟା ଅଧିକ ଦେଖାଯାଏ। ତଥାପି, ଏପଷ୍ଟାଇନ୍-ବାର୍ ଭୂତାଣୁ କାରଣରୁ କର୍କଟର ପ୍ରକୃତ ପ୍ରାଦୁର୍ଭାବ ପୁଙ୍ଖାନୁପୁଙ୍ଖ ଆକଳନ କରିବାକୁ ପଡ଼ିବ। ଅନ୍ୟ ପକ୍ଷରେ ପାଶ୍ଚାତ୍ୟ ଦେଶମାନଙ୍କରେ କାପୋସି ସାର୍କୋମା ଅଧିକ ଦେଖାଯାଏ, କିନ୍ତୁ ଭାରତରେ ଏହାର ମାତ୍ରା କମ୍।
କର୍କଟ ଓ ଭୂତାଣୁ ସଂକ୍ରମଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହା ଜାଣିବା ଜରୁରୀ। କାରଣ କେତେକ କର୍କଟ ରୋଗ ପ୍ରତିଷେଧକ ଟିକା ଦ୍ବାରା ଆରୋଗ୍ୟ ହୋଇପାରିବ ଏବଂ ଆଉ କେତେକ କର୍କଟକୁ ଭୂତାଣୁ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ଅନେକ ଅଧ୍ୟୟନରେ ଏହା ଦେଖାଯାଇଛି ଯେ ଯଦି ୧୫-୨୦ ବର୍ଷ ବୟସ ବର୍ଗରେ କନ୍ୟାମାନଙ୍କୁ ହ୍ୟୁମାନ୍ ପାପିଲୋମା ଭୂତାଣୁ ପ୍ରତିରୋଧ ପାଇଁ ଦୁଇଟି ପର୍ଯ୍ୟାୟର ପ୍ରତିଷେଧକ ଟିକା ଦିଆଯାଏ ତେବେ ସେମାନଙ୍କର ସର୍ଭାଇକାଲ କର୍କଟରୁ ସୁରକ୍ଷା ପାଇବାର ସମ୍ଭାବନା ୯୭.୫% ରହିଛି। ବିଶେଷକରି ହେପଲିସାଭ-ବି ଟିକା ହେପାଟୋସେଲୁଲାର କର୍କଟ ରୋଗର ମଧ୍ୟ ପ୍ରତିରୋଧ କରିଥାଏ। କେତେକ ଗବେଷଣାରେ ଏହା ମଧ୍ୟ ଦେଖାଯାଇଛି ଯେ ଦୀର୍ଘକାଳୀନ ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ଭୂତାଣୁ ସଂକ୍ରମିତଙ୍କ ହେପାଟୋସେଲୁଲାର୍ କର୍କଟ ରୋଗ ଉପଶମରେ ଆଣ୍ଟିଭାଇରାଲ୍ କେମୋଥେରାପି ସଫଳ ଚିକିତ୍ସା ପଦ୍ଧତି ଭାବେ ସାବ୍ୟସ୍ତ ହୋଇଛି। ଅବଶ୍ୟ, ଆଣ୍ଟିଭାଇରାଲ୍ ଟିକାଗୁଡ଼ିକ ଇବିଭି, ଏଚ୍ଟିଏଲ୍ଭି-୧ ସହିତ ଜଡ଼ିତ କର୍କଟ ଏବଂ ହର୍ପିସ ଜୀବାଣୁ ସହିତ ଜଡ଼ିତ କାପୋସି ସାର୍କୋମା ରୋକିବାରେ କମ୍ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।
ଭୂତାଣୁ ସଂକ୍ରମଣ ଏବଂ ତଦ୍ଜନିତ କର୍କଟ ରୋଗର ସୃଷ୍ଟି ସହିତ ସମ୍ଭାବ୍ୟ ବିପଦକୁ ଯଥାସମ୍ଭବ ମୁକାବିଲା କରିବାରେ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ବହୁ ଗୁରୁତ୍ବପୂର୍ଣ୍ଣ। ଅନେକ ଭୂତାଣୁ ସଂକ୍ରମଣକୁ ରୋକିବାରେ ଟିକାକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାଛଡ଼ା ଜୀବନଶୈଳୀରେ ପରିବର୍ତ୍ତନ ଯେପରିକି ତମାଖୁ ଏବଂ ମଦ୍ୟପାନ ଭଳି କର୍କଟ ସୃଷ୍ଟିକାରୀ ଦ୍ରବ୍ୟମାନଙ୍କୁ ବର୍ଜନ କରିବା, ସୁଷମ ଖାଦ୍ୟ ଗ୍ରହଣ କରିବା ଓ ବିଭିନ୍ନ ବିଶୃଙ୍ଖଳିତ ଜୀବନଚର୍ଯ୍ୟାରୁ ଦୂରେଇ ରହିବା ଦ୍ବାରା କର୍କଟ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରାଯାଇ ପାରିବ। ଏଥିସହିତ ଭୂତାଣୁ ଜନିତ ରୋଗର ଶୀଘ୍ର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ଆରମ୍ଭ ଦ୍ବାରା କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋକିବା ସହଜ ହେବ। କାରଣ ଏହା ପରବର୍ତ୍ତୀ ପର୍ଯ୍ୟାୟରେ କର୍କଟର ମାରାତ୍ମକ ପରିଣାମ ଓ ଜଟିଳତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଟିକାକରଣ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ତୁରନ୍ତ ଆଣ୍ଟିଭାଇରାଲ୍ ଚିକିତ୍ସା ବିଷୟରେ ଏକ ବିସ୍ତୃତ ଉପାୟ ଅବଲମ୍ବନ କରି ଆମେ ଭୂତାଣୁ ସଂକ୍ରମଣର ଆଶଙ୍କା ଏବଂ ତତ୍ସହିତ କର୍କଟ ରୋଗର ପରିଣାମକୁ ଯଥାସମ୍ଭବ ହ୍ରାସ ନିଶ୍ଚୟ କରିପାରିବା।
ତେଣୁ କର୍କଟ ଚିକିତ୍ସା ସେବା ରଣନୀତିରେ କର୍କଟ ରୋଗ ସଂକ୍ରମଣ ଜନିତ କାରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏକ ବହୁତ ବଡ଼ ପ୍ରତିରୋଧକ ଭାବେ କାମ କରିବ। ଏହାଛଡ଼ା ପ୍ରାଥମିକ ସ୍ତରରେ ରୋଗ ଚିହ୍ନଟ, ଆବଶ୍ୟକ ସ୍ଥଳେ ପ୍ରତିଷେଧକ ଟିକା ବ୍ୟବସ୍ଥା ଏବଂ ଜୀବନଶୈଳୀର ପରିବର୍ତ୍ତନକୁ ଅଗ୍ରାଧିକାର ଦେବା ନିହାତି ଜରୁରୀ ହୋଇପଡିଛି। ନହେଲେ ଭାରତ ଭଳି ବିକାଶଶୀଳ ଦେଶରେ ଭୂତାଣୁ ଜନିତ କର୍କଟ ରୋଗର ନିୟନ୍ତ୍ରଣ ଓ ନିରାକରଣ ଆଗକୁ ଅଣାୟତ୍ତ ହୋଇପଡ଼ିବ।