‘ଅଶିକ୍ଷାରୁ ଅଜ୍ଞତାର ଉତ୍ପତ୍ତି। ଏହି ଅଜ୍ଞତା ହିଁ ଦଳିତମାନଙ୍କର ପତନର କାରଣ। ବାସ୍ତବରେ ଜାତି ବ୍ୟବସ୍ଥା ଦଳିତ, ଶୁଦ୍ର ଓ ଅତିଶୁଦ୍ରମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିଆସିଛି। ଯେଉଁମାନେ ପତିତ ହୋଇ ରହିଛନ୍ତି, ସେମାନେ ଯଦି ଶିକ୍ଷିତ ଓ ସଚେତନ ହେବେ ତେବେ ସମ୍ମାନର ସହ ଜୀବନ ବଞ୍ଚିପାରିବେ।’ ଏକଥା କହିଥÒଲେ ଅସ୍ପୃଶ୍ୟମାନଙ୍କ ମଧ୍ୟରେ ଶିକ୍ଷାର ପ୍ରଥମ ପ୍ରଦୀପ ପ୍ରଜ୍ୱଳନ କରିଥିବା ମହାନ୍ ଶିକ୍ଷାବିତ୍ ଜ୍ୟୋତିରାଓ ଫୁଲେ। ସେ ଆହୁରି ମଧ୍ୟ କହିଛନ୍ତି, ‘ଶିକ୍ଷାବିନା ପ୍ରଜ୍ଞା ନଷ୍ଟ ହୁଏ। ପ୍ରଜ୍ଞା ବିନା ନୀତିନୈତିକତା ନଷ୍ଟ ହୁଏ। ନୀତିନୈତିକତା ବିନା ପ୍ରଗତି ବାଧାପ୍ରାପ୍ତ ହୁଏ। ପ୍ରଗତି ବିନା ସମ୍ପଦ ନଷ୍ଟ ହୁଏ। ସମ୍ପଦ ବିନା ଶୁଦ୍ରମାନେ ତଳିତଳାନ୍ତ ହୋଇ ଯାଆନ୍ତି। ଏସବୁ ଘଟଣା ଘଟେ କେବଳ ଶିକ୍ଷା ଅଭାବରୁ।’ ଯେଉଁ ଦେଶ ଶିକ୍ଷାରେ ଯେତେ ସମୃଦ୍ଧ, ସେ ଦେଶ ସେତିକି ଶକ୍ତିଶାଳୀ। ଶିକ୍ଷା ମଣିଷକୁ ପୂର୍ଣ୍ଣତା ପ୍ରାପ୍ତି ଦିଗକୁ ଅଗ୍ରସର କରାଏ। ମଣିଷଟିଏ ଜନ୍ମରୁ ସମ୍ପୂର୍ଣ୍ଣ ମନୁଷ୍ୟତା ପ୍ରାପ୍ତି ହୋଇ ଜନ୍ମ ହୋଇ ନଥାଏ। ପରିବାର ଓ ସମାଜରୁ ଶିକ୍ଷା ପ୍ରାପ୍ତକରି ଧୀରେ ଧୀରେ ପୂର୍ଣ୍ଣ ମଣିଷଟିଏ ହେବା ପାଇଁ ସଂଘର୍ଷ କରିଚାଲେ। ଜଣେ ସମ୍ପୂର୍ଣ୍ଣ ମଣିଷ ହେବା ଖୁବ୍ କାଠିକର ପାଠ। ସେଥିପାଇଁ ଅବିରତ ସାଧନା କରିବାକୁ ପଡ଼ିଥାଏ। ଏହି ସାଧନା ପଥରେ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ମର୍ମରେ ବାବାସାହେବ ଡ. ଭୀମରାଓ ଆମ୍ବେଦକର କହିଛନ୍ତି, ‘ଜ୍ଞାନ ହେଉଛି ମଣିଷ ଜୀବନର ମୂଳ ଆଧାର। ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମଧ୍ୟରେ ନୈତିକ ଓ ସାମାଜିକ ଭାବନା ସୃଷ୍ଟି କରିବା…।… ଜୀବନର ଉନ୍ନତିରେ ଶିକ୍ଷା ଯଦି ଏକମାତ୍ର ପଥ, ତେବେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ କଠିନ ପରିଶ୍ରମ କରନ୍ତୁ ଏବଂ ସମାଜକୁ ବିଶ୍ୱସ୍ତ ନେତୃତ୍ୱ ଦିଅନ୍ତୁ। ଅଭିଭାବକମାନେ ପିଲାମାନଙ୍କୁ ଶିକ୍ଷିତ କରାନ୍ତୁ, ପାରମ୍ପରିକ କାର୍ଯ୍ୟରେ ଲଗାନ୍ତୁ ନାହିଁ।’
ତେଣୁ ଗୋଟିଏ ବ୍ୟକ୍ତି ଯଦି ଶିକ୍ଷିତ ହେବ ତେବେ ତା’ର ନିଜର କର୍ମଯୋଜନା ଓ କର୍ମକୌଶଳ ସେ ନିଜେ ବାଛି ପାରିବ। ସ୍ୱାଧୀନତାର ୭୭ବର୍ଷ ପରେ ବି ଯଦି ଅସ୍ପୃଶ୍ୟତା ଦୂର ହୋଇନି, ଶିକ୍ଷାକୁ ସାର୍ବଜନିନ ଓ ବାଧ୍ୟତାମୂଳକ କରାଯାଇନି ବୋଲି ଭାବିବାକୁ ପଡ଼ିବ। ଯଦି ଦେଶରେ ସବୁଠୁ ଅଶିକ୍ଷିତ, ଅଜ୍ଞାନ, ବିଦ୍ୟାଳୟ ମାଟି ମାଡ଼ି ନଥିବା ବ୍ୟକ୍ତି ଖୋଜାଯିବ ତେବେ ସେଥିରୁ ୮୦ ଭାଗ ଅସ୍ପୃଶ୍ୟ ଲୋକେ ହିଁ ବାହାରିବେ। କାରଣ ଦେଶରେ ସର୍ବାଧିକ ଏସ୍ସି ଓ ଏସ୍ଟିମାନେ ହିଁ ପଛୁଆ। ସେଇଥି ପାଇଁ ଭଗତ ସିଂ ଏକଦା ଦଳିତମାନଙ୍କୁ ସମ୍ବୋଧÒତ କରି କହିଥିଲେ, ‘ତୁମେମାନେ ବାସ୍ତବରେ ସର୍ବହରା। ସଂଗଠିତ ହୁଅ। ତୁମର କିଛି କ୍ଷତି ହେବ ନାହିଁ। ବରଂ ଦାସତ୍ୱର ଶିକୁଳିରୁ ତୁମେ ମୁକ୍ତି ପାଇବ। ବର୍ତ୍ତମାନର ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କର। ମନ୍ଥର ଗତିରେ ଚାଲିଥିବା ସମାଜ ସଂସ୍କାର ଦ୍ୱାରା କିଛି ବି ହେବାର ନାହିଁ। ତୁମେ ହିଁ ଦେଶର ଅସଲ ଆଧାର ଓ ଶକ୍ତି। ଉଠ, ସୁପ୍ତ ସିଂହମାନେ, ବିପ୍ଳବ କର।’
୧୯୫୫ ମସିହା ଜୁନ୍ ୧ ତାରିଖ ଦିନ ଆମ ସଂସଦରେ ଅସ୍ପୃଶ୍ୟତା (ଅପରାଧ) ଆଇନ୍ ପ୍ରଣୀତ ହେଲା। ଭାରତୀୟ ସମ୍ବିଧାନ ଧାରା ୧୭ରେ ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏହି ଧାରା ଅନୁସାରେ ଦଳିତମାନଙ୍କୁ ଶିକ୍ଷାପ୍ରାପ୍ତି, ମନ୍ଦିର ପ୍ରବେଶ ଓ ସର୍ବସାଧାରଣ ସୁବିଧାସୁଯୋଗ ପାଇବାରୁ କେହି ବି ବାଧା ଦେଇ ପାରିବେ ନାହିଁ। ଗଣତନ୍ତ୍ର ରାଷ୍ଟ୍ରରେ ଅସ୍ପୃଶ୍ୟତାକୁ ନେଇ କୌଣସି ଅପବ୍ୟବହାର କେହି କରିପାରିବେ ନାହିଁ। ଅସ୍ପୃଶ୍ୟତା ଏକ ଦଣ୍ଡନୀୟ ଅପରାଧ। ଆମ ସମ୍ବିଧାନ ଜାତିଭେଦକୁ ସମ୍ପୂର୍ଣ୍ଣ ଉଚ୍ଛେଦ କଲା ପରେ ସ୍ୱତଃ ପ୍ରଶ୍ନ ଉଠେ, ସ୍ୱାଧୀନତାର ଅମୃତବେଳା ଆମେ ପାଳନ କରୁଥିବା ବେଳେ ଏ ଯାଏଁ କାହିଁକି ଜାତିଭେଦ ଲୋପପାଉନି? ବାବା ସାହେବ ଆମ୍ବେଦକରଙ୍କ ‘ଆନିହିଲେସନ୍ ଅଫ୍ କାଷ୍ଟ’ ବା ‘ଜାତିଭେଦର ମୂଳୋତ୍ପାଟନ’ ସ୍ୱପ୍ନ କାହିଁକି ସମ୍ପୂର୍ଣ୍ଣ ସାକାର ହୋଇପାରୁନି? ଏବେ ବି କାହିଁକି ଜାତି-ଜାତିକୁ ନେଇ ସଂଘର୍ଷ ଘଟୁଛି? ଏତେ ଆଇନ କାନୁନ ବ୍ୟବସ୍ଥା ଆମ ସମ୍ବିଧାନରେ ଥିବା ସତ୍ତ୍ବେ ଏ ସଂଘର୍ଷର ଅନ୍ତଃ ଘଟୁନି କାହିଁକି? ଏହାର ଉତ୍ତର ଆମ ନେତା, ମନ୍ତ୍ରୀ, ବୁଦ୍ଧିଜୀବୀମାନେ କେବେ ଚିନ୍ତା କଲେଣି କି?
ବାବା ସାହେବଙ୍କ ଜୀବନବ୍ୟାପୀ ସଂଘର୍ଷ ଓ ସଂଗ୍ରାମ ଫଳରେ ଗୋଲଟେବୁଲ ବୈଠକରେ ଯେଉଁ ଅସ୍ପୃଶ୍ୟଙ୍କୁ ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ହୋଇଥିଲା ଏବଂ ପରବର୍ତ୍ତି ସମୟରେ ଗାନ୍ଧିଜୀଙ୍କ ପ୍ରସ୍ତାବ ଓ ପଣ୍ଡିତ ନେହେରୁଙ୍କ ଗ୍ରହଣୀୟତା ଫଳରେ ବାବା ସାହେବ ଦେଶର ସମ୍ବିଧାନ କମିଟିର ଅଧ୍ୟକ୍ଷ ପଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ, ଯାହାର ଫଳସ୍ୱରୂପ ଅସ୍ପୃଶ୍ୟ ଦଳିତମାନଙ୍କ ପାଇଁ ସଂରକ୍ଷଣ ସହ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା କରାଗଲା, ସେବେଠାରୁ ଦଳିତ ଓ ଅସ୍ପୃଶ୍ୟ ବୁଦ୍ଧିଜୀବୀ ଓ ନେତାମାନେ ଏହାର ସୁବିଧା ସୁଯୋଗ ପାଇଲେ ଏବଂ ବାବା ସାହେବଙ୍କ ପ୍ରଦତ୍ତ ଆଇନକୁ ସାହାରା କରି ବଞ୍ଚିଲେ। ଏହି ବିଧିବ୍ୟବସ୍ଥା ଓ ସୁବିଧା ସୁଯୋଗ ରାଜନୈତିକ ପରିସରରେ ସୀମିତ ରହିଗଲା ଭଳି ମନେହୁଏ। ଯେଉଁ ଦଳିତ ଶିକ୍ଷିତମାନେ ଆଗକୁ ବାହାରିଲେ ସେମାନେ କେବଳ ରାଜନୈତିକ କର୍ମକାଣ୍ଡ ଭିତରେ ନିଜକୁ ସୀମିତ ରଖିଲେ। ଆଉ କେତେକ ସମାଜସେବା ନାମରେ ଏନ୍ଜିଓ ଖୋଲି ବସିଗଲେ। ଅନ୍ୟ କେତେକ ଦଳିତ ବୁଦ୍ଧିଜୀବୀ ଭାବେ ନିଜର ସ୍ୱନାମ ଅର୍ଜନ ପାଇଁ ଚେଷ୍ଟିତ ହେଲେ। ଗାନ୍ଧିଜୀ ‘ସର୍ବଭାରତୀୟ ଅସ୍ପୃଶ୍ୟତା ବିରୋଧୀ ଲିଗ୍’ ଏବଂ ପରବର୍ତ୍ତି ସମୟରେ ‘ହରିଜନ ସେବକ ସଂଘ’ ପ୍ରତିଷ୍ଠା କରି ଅସ୍ପୃଶ୍ୟତା ବିରୁଦ୍ଧରେ ସଂଗ୍ରାମକୁ ବ୍ୟାପକ କରିଥିଲେ। ଏହାର ପ୍ରଥମ ସଭାପତି ଥିଲେ ଶିଳ୍ପପତି ଘନଶ୍ୟାମ ଦାସ ବିର୍ଲା ଏବଂ ସମ୍ପାଦକ ଥିଲେ ଅମ୍ରିତଲାଲ୍ ଠକ୍କର। କିନ୍ତୁ ପରବର୍ତ୍ତୀ ସମୟରେ ସେଭଳି ଆନ୍ଦୋଳନ ନିଷ୍ପ୍ରଭ ହୋଇଗଲା।
ଦଳିତ/ଅସ୍ପୃଶ୍ୟମାନଙ୍କର ସାମାଜିକ ସଂସ୍କାର ଓ ଶିକ୍ଷାଗତ ଯୋଗ୍ୟତାର ବିକାଶ ବିଷୟରେ ଚିନ୍ତା ତୁଳନାରେ ଏହି ପ୍ରସଙ୍ଗର ରାଜନୀତିକରଣ ଅଧିକ ବୋଲି ମନେ ହୁଏ। ସଂରକ୍ଷଣ ଫଳରେ ଦଳିତମାନେ କ୍ରମିକ ପରିବର୍ତ୍ତନ ମାଧ୍ୟମରେ କିଛିମାତ୍ରାରେ ଶିକ୍ଷିତ ହେଉଛନ୍ତି ଏବଂ ଚାକିରି/ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ସମାଜରେ ଟିକେ ମୁଣ୍ଡଟେକି ଚାଲୁଛନ୍ତି। ଏ ଦୃଷ୍ଟିରୁ ଚିନ୍ତାକଲେ କିଛି ପରିମାଣରେ ଛୁଆଁ-ଅଛୁଆଁ ଭାବ ଦୂର ହୋଇଛି ଏବଂ ତାହା କେବଳ ଶିକ୍ଷା ପାଇଁ ସମ୍ଭବ ହୋଇପାରିଛି। କିନ୍ତୁ ଏହାର କୌଣସି ବୈପ୍ଳବିକ ପରିବର୍ତ୍ତନ ହୋଇନି କି ହେବାର କୌଣସି ଆଶା ଦେଖାଯାଉନି।
ଅସ୍ପୃଶ୍ୟତା ଦୂର ପାଇଁ ୭୭ ବର୍ଷ କିଛି କମ୍ ନୁହେଁ। ଯଦି ଏ ଭେଦଭାବର ପରିବର୍ତ୍ତନ ଏମିତି ମନ୍ଥର ଗତିରେ ଚାଲେ ତେବେ ଆହୁରି ୨୦୦ ବର୍ଷ ସଂରକ୍ଷଣ ରହିଲେ ବି ଅସ୍ପୃଶ୍ୟତା ଦେଶରୁ ଦୂରହେବ ନାହିଁ। ସବୁଠୁ ବଡ଼ ଦୁର୍ଭାଗ୍ୟର ବିଷୟ ଏ ଦେଶରେ ‘ପଖାଳ ଦିବସ’ ତ ପାଳନ ହେଉଛି, କିନ୍ତୁ ‘ଜାତୀୟ ଅସ୍ପୃଶ୍ୟତା ନିବାରଣ ଦିବସ’ ପାଳନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଜୁନ୍ ୧ ତାରିଖକୁ ‘ଜାତୀୟ ଅସ୍ପୃଶ୍ୟତା ନିବାରଣ ଦିବସ’ ରୂପେ ପାଳନ କରାଯିବା ଉଚିତ୍ ହେବ, ନଚେତ୍ ବାବାସାହେବ ଡ. ଆମ୍ବେଦକରଙ୍କ ଜନ୍ମତିଥି କିମ୍ବା ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ତିରୋଧାନ ଦିବସକୁ ଏହି ଦିବସ ରୂପେ ପାଳନ ନିମନ୍ତେ ନିଷ୍ପତ୍ତି ନିଆଗଲେ ଉଚିତ ପଦକ୍ଷେପ ହୋଇପାରନ୍ତା।
ସମ୍ପୂର୍ଣ୍ଣ ଜାତିଭେଦ ଦୂରକରିବା ପାଇଁ ତଫସିଲ୍ଭୁକ୍ତ ଜାତି ଓ ଜନଜାତିମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷାବ୍ୟବସ୍ଥା ପ୍ରଚଳନ ହେବା ବିଧେୟ। କେବଳ ପ୍ରାଥମିକ ଶିକ୍ଷା ନୁହେଁ, ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣା ଓ ବାଧ୍ୟତାମୂଳକ ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍। ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତି ପଞ୍ଚାୟତ ଓ ବ୍ଲକସ୍ତରରେ ଛାତ୍ରାବାସ ନିର୍ମାଣ କରି ମାଗଣା ପୁଷ୍ଟିକର ଖାଦ୍ୟ, ବସ୍ତ୍ର ଓ ପାଠ୍ୟପୁସ୍ତକ ବ୍ୟବସ୍ଥା କରାଯିବା ଆବଶ୍ୟକ। ଅବଶ୍ୟ ଏବେ କିଛି ଆବାସିକ ବିଦ୍ୟାଳୟ ରହିଛି, ଯାହା ସମୁଦ୍ରକୁ ଶଙ୍ଖେ। ଏମାନଙ୍କ ପାଇଁ ଛାତ୍ରାବାସ ସୁବିଧା ବାଧ୍ୟତାମୂଳକ ହେବା ଆବଶ୍ୟକ, ଯେମିତି ସେମାନେ ଉଚ୍ଚବର୍ଗର ଛାତ୍ରଛାତ୍ରୀଙ୍କ ପରି ଖାଦ୍ୟପେୟ, ବସ୍ତ୍ର, ପୁସ୍ତକ ପାଇପାରିବେ। ଯେମିତି ଏହି ଛାତ୍ରଛାତ୍ରୀମାନେ ଉଚ୍ଚବର୍ଗର ଛାତ୍ରଛାତ୍ରୀମାନଙ୍କ ଠାରୁ ନିଜକୁ ନ୍ୟୂନ ଅନୁଭବ କରିବେ ନାହିଁ ସେଥିପାଇଁ ସରକାର ଧ୍ୟାନ ଦେବା ଉଚିତ୍।
ଶିକ୍ଷା, ସଂସ୍କାର ନ ପାଇ ଦଳିତମାନେ ସଭ୍ୟତାର ଦିବାଲୋକରେ ଥାଇ ବି ବିକାଶର ଆଲୋକ ଦେଖି ପାରୁନାହାନ୍ତି। ଅନ୍ଧବିଶ୍ୱାସ, କୁସଂସ୍କାର, ମିଛପ୍ରଥା, ପରମ୍ପରା ଓ ଧର୍ମାନ୍ଧତାରେ ଛନ୍ଦି ହୋଇ ଜୀବନ ବିତାଉଛନ୍ତି। ଜାତିଭେଦ ଏକ ସାମାଜିକ ବ୍ୟାଧି। ତେଣୁ କେବଳ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଓ ମାନବୀୟ ସଂସ୍କାର ଆଣି ପାରିଲେ ଅସ୍ପୃଶ୍ୟତା ନିଶ୍ଚିତ ସମ୍ପୂର୍ଣ୍ଣ ଦୂର ହୋଇପାରିବ।
ନିରାକାର ଦାସ
ଭୁବନେଶ୍ୱର, ମୋ: ୯୪୩୭୦୧୩୧୩୯