ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମ ୧୪୬ଟି ଦେଶକୁ ନେଇ ଏକ ଲିଙ୍ଗଗତ ବିଭେଦର ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ କର୍ମକ୍ଷେତ୍ରରେ ପାଉଣା ପାଇବା ବେଳେ ପୁରୁଷଙ୍କ ତୁଳନାରେ ମହିଳାମାନେ ବହୁତ ପଛରେ ଅଛନ୍ତି ବୋଲି ଜଣାପଡ଼ିଛି। ଏହି ତାଲିକାରେ ଭାରତ ୧୨୯ତମ ସ୍ଥାନରେ ଅର୍ଥାତ୍ ବାଂଲାଦେଶଠାରୁ ମଧ୍ୟ ପଛରେ ରହିଛି। ଏହି ଲିଂଗଗତ ବିଭେଦକୁ ଦୂର କରିବା ପାଇଁ ଆହୁରି ୧୩୪ ବର୍ଷ ଲାଗିଯିବ ଏବଂ ଆଗାମୀ ପାଞ୍ଚ ପିଢ଼ି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଗଭୀର ଚିନ୍ତା ପ୍ରକଟ କରିଛି ବିଶ୍ୱ ଅର୍ଥନୈତିକ ଫୋରମ। ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ବାର୍ଷିକ ରିପୋର୍ଟ ଅନୁଯାୟୀ ଭାରତରେ ୬.୫ କୋଟି ସଂସ୍ଥାରେ ସମୁଦାୟ ୫୬.୭ କୋଟି ଲୋକ ନିଯୁକ୍ତ ଥିଲା ବେଳେ ଏହାର ୨୦% ଶ୍ରମଶକ୍ତି ଅର୍ଥାତ ୧୧ କୋଟି ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ, ଯାହାଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ଶ୍ରମିକ, ବିଡ଼ି ଶ୍ରମିକ ଓ କୃଷି ଶ୍ରମିକ ଅନ୍ତର୍ଭୁକ୍ତ। ତେଣୁ ଏତେବର୍ଗର ଶ୍ରମିକଙ୍କ ସମସ୍ୟା ନିଶ୍ଚିତ ଭାବେ ବିଚାରଯୋଗ୍ୟ ଅଟେ।
ସମ୍ୱିଧାନର ଧାରା-୩୩ ଶୋଷଣ ବିରୋଧରେ ଅଧିକାରକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଧ୍ୟତାମୂଳକ ଶ୍ରମ, ମାନବ ଚାଲାଣ ଓ ଭିକ୍ଷାବୃତିକୁ ଏହି ଧାରା ଅନୁଯାୟୀ ନିଷିଦ୍ଧ କରାଯାଇଛି। ଆଗେ ପ୍ରଶାସନକୁ ଡରି ଦଲାଲମାନେ ଲୁଚାଛପାରେ ମଣିଷ ଚାଲାଣ କରୁଥିଲେ। ଆଜିକାଲି ମଣିଷ ଚାଲାଣ ହାଟରେ ଦଲାଲରାଜ ଖୋଲାମେଲାରେ ଚାଲିଛି। କାମଧନ୍ଦା ଆଶାରେ ପ୍ରତ୍ୟହ ଶହଶହ ଯୁବକଯୁବତୀ ବସ୍ ଯୋଗେ କେରଳ ଯାଉଛନ୍ତି। ଏଥିପାଇଁ ଗାଁ ଗାଁରେ ଖୋଲାଖୋଲି ଟେଲିଫୋନ ନମ୍ୱର ସହିତ ପୋଷ୍ଟର ଲାଗୁଛି। ସମ୍ୱିଧାନ ଅନୁସାରେ ଭାରତର ନାଗରିକମାନେ ବୃତ୍ତି ଗ୍ରହଣ କରିବା ଏବଂ ଦେଶର ଯେକୌଣସି ସ୍ଥାନକୁ ଯାଇ ବସବାସ କରିପାରିବେ। ଏଥିପାଇଁ କେହି କାହାକୁ ବାରଣ କରି ପାରିବେ ନାହିଁ। ତେଣୁ ଲୋକେ ଚାକିରି ଓ ଅଧିକ ମଜୁରି ଆଶାରେ ହେଉ କିମ୍ୱା ଉନ୍ନତମାନର ଜୀବନଯାପନ କରିବାକୁ ହେଉ ବିଭିନ୍ନ ରାଜ୍ୟକୁ ପ୍ରବାସନ କରିଥା’ନ୍ତି। କିନ୍ତୁ ଦେଖାଯାଏ ଯେ କିଛିଲୋକ ଠକାମିର ଶିକାର ହୋଇ ଶୋଷିତ ଓ ନିର୍ଯାତିତ ହେଉଛନ୍ତି।
ଓଡ଼ିଶାର ୭୬ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି ଏବଂ ମାତ୍ର ୩୩.୬ ଭାଗ ଚାଷ ଜମିରେ ଜଳସେଚନ ସୁବିଧା ରହିଛି। କିନ୍ତୁ ଏହି ଲୋକମାନେ ବର୍ଷକୁ ଛଅ ମାସ ବିନା ଜଳସେଚନରେ ଚାଷ କରିବେ କେମିତି? ଯଦି ଚାଷବାସ ନାହିଁ ତେବେ କରିବେ କ’ଣ? ତେଣୁ ବାଧ୍ୟ ହୋଇ କାମଧନ୍ଦା ସନ୍ଧାନରେ ପଦାକୁ ବାହାରିବେ। କାମଧନ୍ଦାର ଅଭାବ, ବୃଷ୍ଟିପାତରେ ଅସମାନତା, ପ୍ରାକୃତିକ ବିପର୍ଯ୍ୟୟ ଓ ବଡ଼ ପରିବାରର ଭାର ଶ୍ରମିକମାନଙ୍କୁ ପ୍ରବାସୀ ହେବା ପାଇଁ ବାଧ୍ୟ କରିଥାଏ। ବିଗତ ଅର୍ଦ୍ଧଶତାଦ୍ଦୀ ଧରି ଏ ପ୍ରକାର ସମସ୍ୟା ଆମ ରାଜ୍ୟକୁ କବଳିତ କରି ରଖିଛି। ନିରକ୍ଷରତା, ଅସଚେତନତା ଓ ଅନଗ୍ରସରତା କେତେକାଂଶରେ ସରଳ ଶ୍ରମିକମାନଙ୍କୁ ମଧ୍ୟ ପରିବାର ସହିତ ବାହାର ରାଜ୍ୟକୁ ଯିବା ପାଇଁ ପ୍ରୋତ୍ସାହିତ କରିଥାଏ। ଅବଶ୍ୟ କିଛିମାସ ତଳେ ରାଜ୍ୟ ସରକାର ଏକ ୨୦ ଜଣିଆ ଉଚ୍ଚକ୍ଷମତାସମ୍ପନ୍ନ ଟାକ୍ସଫୋର୍ସ ଗଠନ କରି ଏହି କଳଙ୍କିତ ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଯଦି ଏହା ସଠିକ ଭାବରେ କାମ କରିବ ତେବେ ଆମ ରାଜ୍ୟର ପ୍ରାୟ ଦଶଲକ୍ଷ ଶ୍ରମିକଙ୍କ ଦୁଃଖ ଦୂର ହୋଇପାରିବ।
ଦାଦନ ସମସ୍ୟା ପରି ଗୋତିଶ୍ରମିକ ପ୍ରଥା ମଧ୍ୟ ମୁଣ୍ଡବଥାର କାରଣ ହୋଇଯାଇଛି। ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଗୋତିଶ୍ରମିକ ଭାବରେ ଯାଉଛନ୍ତି। ରାଜ୍ୟ ଭିତରେ ମଧ୍ୟ ଅନେକ ଶ୍ରମିକ ଏପରି ଅବସ୍ଥାରେ ରହିଛନ୍ତି। ସରଳିଆ, ପରିଶ୍ରମୀ ତଥା ବିଶ୍ୱସ୍ତ ହୋଇଥିବାରୁ ଓଡ଼ିଆ ଶ୍ରମିକଙ୍କ ଚାହିଦା ବହୁତ। ବିଶେଷକରି, ବାହାଘର ଋତୁ ଏବଂ ଚାଷବାସ ସମୟରେ ଅର୍ଥର ଆବଶ୍ୟକତା ହେଉଥିବାରୁ ଅଳ୍ପ କିଛି ପାରିଶ୍ରମିକରେ ଓଡ଼ିଆ ଶ୍ରମିକମାନେ ବନ୍ଧା ପଡ଼ିଯା’ନ୍ତି। ଗତ ଆଠ ବର୍ଷରେ ଆମରାଜ୍ୟରୁ ଦୁଇ ହଜାରରୁ ଅଧିକ ଗୋତିଶ୍ରମିକ ଉଦ୍ଧାର ହୋଇଛନ୍ତି। ଯଦି ନିର୍ଭୁଲ ଭାବରେ ଗୋତିଶ୍ରମିକମାନଙ୍କୁ ଚିହ୍ନଟ କରାଯା’ନ୍ତା ତେବେ ସେମାନଙ୍କ ପ୍ରକୃତ ତଥ୍ୟ ପଦାକୁ ଆସନ୍ତା। ଗୋତିଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲାସ୍ତରରେ ‘ଗୋତିଶ୍ରମିକ ଥଇଥାନ ଯୋଜନା-୨୦୧୬’ ନାମରେ ଏକ ଯୋଜନା ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ। ସେଥିରେ ଜିଲ୍ଲାରେ ପରିଚାଳିତ ହେଉଥିବା ‘ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ(ଏନସିଏଲପି)’ ମାଧ୍ୟମରେ ଗୋତିଶ୍ରମିକମାନଙ୍କ ସର୍ବେକ୍ଷଣ, ଜନସଚେତନତା କାର୍ଯ୍ୟକ୍ରମ ଏବଂ ଥଇଥାନ ପାଇଁ ପ୍ରସ୍ତାବ ରହିଥିଲା। ଏହିକ୍ରମରେ ପ୍ରସ୍ତାବ ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ପ୍ରଥମ ଜିଲ୍ଲା ହିସାବରେ ଦେବଗଡ଼଼ ଜିଲ୍ଲାରୁ ପ୍ରସ୍ତାବ ଯାଇଥିଲା। କିନ୍ତୁ ସେତେବେଳେ ଜିଲ୍ଲାପାଳମାନେ ଦେଇଥିବା ପ୍ରସ୍ତାବ ସବୁ ଶୀତଳଭଣ୍ଡାରରେ ରହିଗଲା ଏବଂ ତା’ସହିତ ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିଦିଆଗଲା। ଯଦି ସେହି ପ୍ରସ୍ତାବ ସେତେବେଳେ କାର୍ଯ୍ୟକାରୀ ହୋଇଥା’ନ୍ତା ତେବେ ଏବେ ଗୋତିଶ୍ରମିକ ପ୍ରଥା ଆଉ ନଥା’ନ୍ତା।
ସେ ଶ୍ରମିକ ହେଉ ବା ପୁଞ୍ଜିପତି, ସୁସ୍ଥ ପରିବେଶରେ ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ଶ୍ରମ ପାଇଁ ଉଚିତ ମଜୁରି ସେମାନଙ୍କ ଅଧିକାର। ‘ହରିଜନ ଓ ନବଜୀବନ’ ପତ୍ରିକାରେ ଗାନ୍ଧିଜୀ ଏ ପ୍ରସଙ୍ଗରେ ପର୍ଯ୍ୟାପ୍ତ ଆଲୋଚନା କରିଛନ୍ତି। ଶ୍ରମର ମର୍ଯ୍ୟାଦାକୁ ଗୁରୁତ୍ୱ ଦେବା ପାଇଁ ଗାନ୍ଧିଜୀଙ୍କ ପରିକଳ୍ପିତ ମୌଳିକ ଶିକ୍ଷା ଶ୍ରମଭିତ୍ତିକ ଶିକ୍ଷା ଭାବେ ପରିଗଣିତ ହେଉଥିଲା। ଆମ ରାଜ୍ୟରେ ଶ୍ରମିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡ, ଶ୍ରମ ପରାମର୍ଶଦାତା ବୋର୍ଡ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ହୋଇଛି ଏବଂ ଶ୍ରମିକମାନଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସମାନ କାମ ପାଇଁ ସମାନ ମଜୁରିର ପ୍ରଚଳନ ହୋଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ରାଜ୍ୟ ସରକାର ସର୍ବନିମ୍ନ ମଜୁରି ଆଇନ-୧୯୪୮ ବ୍ୟବସ୍ଥା ଅନୁସାରେ ୧୯୫୪ ମସିହାରେ ଆଞ୍ଚଳିକ ଭିତ୍ତିରେ ପୁରୁଷ, ମହିଳା ଓ ଶିଶୁ ଶ୍ରମିକଙ୍କ ଦୈନିକ ମଜୁରି ଧାର୍ଯ୍ୟ କରିଥିଲେ। ଏହି ମଜୁରି ପରିମାଣ ନିୟମିତ ବ୍ୟବଧାନରେ ବୃଦ୍ଧି ପାଇଚାଲିଛି। ସମୟ ଆସିଛି ଶ୍ରମିକମାନେ ସଚେତନ ହେବା ଆବଶ୍ୟକ। ସଚେତନ ହୋଇପାରିଲେ ହିଁ ଶୋଷଣ ଓ କଷଣରୁ ମୁକ୍ତି ମିଳିବ। ମଣିଷ ଅପେକ୍ଷା ମଣିଷର ଶ୍ରମ ଅଧିକ ମହତ୍ତ୍ୱପୂର୍ଣ୍ଣ ଏହା ଭୁଲିଯିବା ଉଚିତ ନୁହେଁ।
ଦେବଗଡ଼଼, ମୋ: ୯୪୩୭୨୧୮୯୧୭