‘ଯା ବିଦ୍ୟା ସା ବିମୁକ୍ତୟେ।’ ଅର୍ଥାତ୍ ତାହା ହେଉଛି ବିଦ୍ୟା, ଯାହା ମଣିଷକୁ ବନ୍ଧନମୁକ୍ତ କରେ। ଲୋଭ, ମୋହ, ସ୍ୱାର୍ଥ, ଗର୍ବ, ଅହଙ୍କାର, ପରଶ୍ରିକାତରତା ଓ ପରାଧୀନତା ଆଦି ବନ୍ଧନରୁ ଆମକୁ ମୁକ୍ତ କରେ। ଏହି ବିଦ୍ୟାକୁ ଆମେ ସଧାରଣ ଭାଷାରେ ଶିକ୍ଷା ବୋଲି କହୁଁ। ଏହି ଶିକ୍ଷାଦାନ କରୁଥିବା ବ୍ୟକ୍ତିବିଶେଷ ହେଉଛନ୍ତି ଶିକ୍ଷକ। ଯଥାର୍ଥରେ ସେମାନେ ମାର୍ଗଦର୍ଶକ, ପ୍ରେରଣାଦାତା ଓ ରାଷ୍ଟ୍ରର ନିର୍ମାଣ କର୍ତ୍ତା। ସେମାନେ ଶିକ୍ଷାନୁଷ୍ଠାନରୁ ସୃଷ୍ଟି କରନ୍ତି ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ସଙ୍ଗୀତଜ୍ଞ, କଳାକାର ଏବଂ ଆହୁରି କେତେ କ’ଣ। ସମାଜରେ ଯେଉଁମାନେ ବିଶିଷ୍ଟ ସ୍ଥାନ ଅଧିକାର କରି ନିଜ କୃତିତ୍ୱ ବଳରେ ଅମରତ୍ୱ ଲାଭ କରିଛନ୍ତି ସେମାନେ ସମସ୍ତେ ଏହି ଶିକ୍ଷକମାନଙ୍କ ଶିକ୍ଷାଦାନର ଫଳ।
ପରିବର୍ତ୍ତନଶୀଳ ସମାଜରେ ଶିକ୍ଷକଙ୍କ ଭୂମିକା ଓ ଦାୟିତ୍ୱ ବଦଳିଛି। ବଦଳି ଯାଇଛି ଶିକ୍ଷାର ପରିଭାଷା। ବର୍ତ୍ତମାନର ସମାଜରେ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ ପାଇଛି। ଗୁଣାତ୍ମକ ଶିକ୍ଷାଦାନରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ କଠୋର ପରିଶ୍ରମୀ ଓ ଗବେଷଣାଧର୍ମୀ ନ ହେଲେ ଏବଂ ନିଜେ ଅଧ୍ୟୟନରତ ରହି ଜ୍ଞାନ ଆହରଣ ନ କଲେ ଏବଂ ଶିକ୍ଷାଦାନର ନୂତନ ପଦ୍ଧତି ଅନୁସରଣ ନ କଲେ ଯୁଗୋପଯୋଗୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବେ ନାହିଁ। ଏଣୁ ଶିକ୍ଷକମାନେ ଏ ଦିଗରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। ବର୍ତ୍ତମାନର ଜାତୀୟ ଶିକ୍ଷାନୀତିରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷାନୁଷ୍ଠାନରୁ ଦକ୍ଷ, ପରିଶ୍ରମୀ, ଦେଶପ୍ରେମୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ଏହାର ମୌଳିକ ଲକ୍ଷ୍ୟ। ଏଣୁ ଶିକ୍ଷାଦାନ ଭଳି ପବିତ୍ର ସେବାରେ ନିୟୋଜିତ ଶିକ୍ଷକମାନେ ଏ ଦିଗରେ ଯତ୍ନବାନ ହୁଅନ୍ତୁ।
ସ୍ୱତଃ ପ୍ରଶ୍ନ ଉଠେ, ଏହି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ କେମିତି? ଏବଂ କିଏ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ? ଆଜିର ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସମର୍ଥ କି? ଯେଉଁମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କାଁ ଭାଁ ଗୋଟାଏ ଯୋଡ଼ାଏ କ୍ଲାସ କରି ବସି ବସି ଦରମା ନେଉଛନ୍ତି ସେମାନେ ଏହି ଗୁଣାତ୍ମକ ଶିକ୍ଷା କଦାପି ପ୍ରଦାନ କରିପାରିବେ ନାହିଁ। ଯେଉଁ ଶିକ୍ଷକମାନଙ୍କର ସ୍ୱଧ୍ୟୟନ ନାହିଁ, ସୃଜନଶୀଳତା ନାହିଁ, ଉଚ୍ଚତର ଗବେଷଣା କରିବାକୁ ଯେଉଁମାନେ ଆଗ୍ରହୀ ନୁହନ୍ତି, ସେମାନଙ୍କ ପାଖରୁ ଗୁଣାତ୍ମକ ଶିକ୍ଷା ଆଶା କରିବା ବୃଥା। ଆଜିର ଶିକ୍ଷକମାନଙ୍କର ସ୍ୱାଭିମାନ କାହିଁ ? ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରି ସ୍ୱାର୍ଥ ହାସଲ କରିବା ଅନେକଙ୍କର ଲକ୍ଷ୍ୟ ପାଲଟିଛି। ଯେଉଁଠି ଶିକ୍ଷକମାନେ ନିଜର ଦରମା, ଚାକିରିର ସର୍ତ୍ତାବଳୀ, ପେନସନ ଆଦି ପାଇଁ ବ୍ୟାନର ଧରି ରାଜରାସ୍ତାରେ ନାରାବାଜି କରୁଛନ୍ତି ଏବଂ ରାଜନୀତି କରୁଛନ୍ତି ସେମାନଙ୍କଠାରୁ ଗୁଣାତ୍ମକ ଶିକ୍ଷା ଆଶା କରିବା ଅରଣ୍ୟରୋଦନ ସମାନ।
ଆମ ଦେଶରେ ଅଧିକାଂଶ ଶିକ୍ଷକଙ୍କ ପାଖରେ ସୃଜନଶୀଳତାର ଅଭାବ ପରିଲକ୍ଷିତ ହେଉଛି। ନିଜ ବିଷୟ ଉପରେ ଯେତିକି ଲବ୍ଧ ଜ୍ଞାନ ରହିବା କଥା ତାହା ନାହିଁ। ଯେଉଁଠି ମହାବିଦ୍ୟାଳୟର ତଥାକଥିତ ଅଧ୍ୟାପକମାନେ ‘ମିନିଂ’ ବହି ଧରି ଓଡ଼ିଆରେ ପାଠ ପଢ଼଼ାନ୍ତି, ସେଠାରେ ଗୁଣାତ୍ମକ ଶିକ୍ଷା ଆଶା କରିବା ଏକ ଦିବାସ୍ୱପ୍ନ। ପର୍ଯ୍ୟାପ୍ତ ଅଧ୍ୟୟନ ନ କଲେ ଜଣେ ଶିକ୍ଷକର ବ୍ୟକ୍ତିତ୍ୱର ବିକାଶ ଏବଂ ସୃଜନଶୀଳତାର ପରିପ୍ରକାଶ ହୋଇପାରେ ନାହିଁ। ଗବେଷଣା ଏକ କଠୋର ସାଧନା, ସମୟସାପେକ୍ଷ ଓ ବ୍ୟୟବହୁଳ। ଆଜିକାଲିର ଏହି ତଥାକଥିତ ଶିକ୍ଷକମାନେ ଗବେଷଣା କଥା କହିଲେ ହସରେ ଉଡ଼ାଇ ଦିଅନ୍ତି। ସେମାନଙ୍କର ବିଶ୍ୱାସ, ଟଙ୍କା ଦେଲେ ବିଶ୍ୱବିଦ୍ୟାଳୟମାନଙ୍କରୁ ଗବେଷଣା ପ୍ରମାଣପତ୍ର ମିଳିଯାଉଛି। ଯେଉଁମାନେ ଗବେଷଣା କରି ଡିଗ୍ରୀ ହାସଲ କରୁଛନ୍ତି, ସେମାନେ ସବୁ ପ୍ରମାଣପତ୍ର କିଣି ଆଣୁଛନ୍ତି। ଜଣେ ପ୍ରକୃତ ଗବେଷକର ପରିଶ୍ରମ, ତ୍ୟାଗ, ନିଷ୍ଠା, ଉଦ୍ୟମ, ଆନ୍ତରିକତା ଓ ଅଧ୍ୟୟନ ଉପରେ ଏମାନଙ୍କର ଆଦୌ ବିଶ୍ୱାସ ନାହିଁ।
େମା ମନରେ ସେମାନଙ୍କ ପାଇଁ ଏଇଠି ପ୍ରଶ୍ନଟିଏ ଉଠେ – ଯଦି ଗବେଷଣା ପ୍ରମାଣପତ୍ର ସମସ୍ତେ କିଣି ଆଣୁଛନ୍ତି, ଆପଣମାନେ ଗୋଟାଏ ଲେଖାଏଁ କିଣି ଆଣୁ ନାହାନ୍ତି କାହିଁକି? ଆପଣମାନଙ୍କ ପାଖରେ କ’ଣ ଟଙ୍କାର ଅଭାବ ଅଛି? ଏଇଠି ମୋର ଏକ ଅଙ୍ଗେନିଭା କଥା ମନେ ପଡୁଛି। ମୁଁ ଯେତେବେଳେ ଇଂରାଜୀ ସାହିତ୍ୟରେ ଗବେଷଣା କରୁଥିଲି, ଜଣେ ଆତ୍ମଗର୍ବୀ ତଥାକଥିତ କ୍ଷମତାପ୍ରାପ୍ତ ଅଧ୍ୟକ୍ଷ ମୋତେ ତାଙ୍କ ଚାମଚାମାନଙ୍କ ସମ୍ମୁଖରେ ଚଢ଼ା ଗଳାରେ କହିଥିଲେ, ଆଜିକାଲି କେମିତି ପିଏଚ୍ଡି ସାର୍ଟିଫିକେଟ ମିଳୁଚି ଆମେ କ’ଣ ଜାଣିନୁ?’ ତାଙ୍କ କହିବାର ଅସଲ ଉଦ୍ଦେଶ୍ୟ ଆପଣମାନେ ନିଶ୍ଚୟ ଅନୁମାନ କରିପାରୁଥିବେ। ଯିଏ ଏ ଜନ୍ମରେ ଗବେଷଣା କରିବାର ସ୍ୱପ୍ନଟିଏ ଦେଖିନାହିଁ, ସେ ହିଁ କେବଳ ଏହିଭଳି କଥା କହିପାରେ। ବାସ୍ତବିକ୍ ଗବେଷଣା କରିବା ଏକ କଠିନ ଓ ବ୍ୟୟବହୁଳ କାର୍ଯ୍ୟ। ବହୁତ ପଢ଼ିବାକୁ ପଡ଼େ, ତଥ୍ୟ ସଂଗ୍ରହ କରିବାକୁ ହୁଏ। ରାତି ଅନିଦ୍ରା ହେବାକୁ ପଡ଼େ। ବହୁ ନୀଚ୍ଚମନା ବ୍ୟକ୍ତିଙ୍କଠାରୁ ତିରସ୍କାର ଶୁଣିବାକୁ ମିଳେ।
ଏହା ନିରାଟ ସତ୍ୟ ଯେ, ଗବେଷଣା ଶିକ୍ଷକଙ୍କୁ ଜ୍ଞାନରେ ଶକ୍ତ କରେ। ନୂତନ ତଥ୍ୟ ଅନୁସନ୍ଧାନ କରିବାକୁ ପ୍ରେରଣା ଦିଏ। ଛାତ୍ରର ଅନ୍ତର୍ନିହିତ ଶକ୍ତିର ଉନ୍ମୋଚନ କରିବାକୁ ମାର୍ଗ ଦେଖାଏ। ଆଜିର ତଥାକଥିତ ଅଧ୍ୟାପକ/ଶିକ୍ଷକମାନେ ବିଭିନ୍ନ ସ୍ୱୟଂଶାସିତ ମହାବିଦ୍ୟାଳୟମାନଙ୍କରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କୂପମଣ୍ଡୁକ ସାଜି ନିଜକୁ ବାଗଦେବୀଙ୍କ ଅବତାର ବୋଲି ବିଶ୍ୱାସ କରୁଛନ୍ତି। ଯେଉଁମାନଙ୍କର ନିଜସ୍ୱ ବିଷୟଭିତ୍ତିକ ଲବ୍ଧ ଜ୍ଞାନ ନାହିଁ, ସେମାନେ ଦଣ୍ଡକିରୀ ମାଛ ଭଳି ବ୍ୟବହାର କରନ୍ତି। ପରୀକ୍ଷାରେ କପି ଯୋଗାଇ ଇଣ୍ଟରନାଲ ପରୀକ୍ଷାରେ ଶତପ୍ରତିଶତ ମାର୍କ ଦେଇ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧାଭାଜନ ହୁଅନ୍ତି। ତେଣୁ ଏମାନେ ନୂତନ ଶିକ୍ଷାଦାନ ପଦ୍ଧତିର ଅନୁସନ୍ଧାନ କରିବେ କେମିତି?
ପ୍ରଚଳିତ ନୂତନ ଶିକ୍ଷାନୀତିରେ ଗବେଷଣା ଓ ସ୍ୱଅଧ୍ୟୟନକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଗବେଷଣାଧର୍ମୀ ନୂତନ ବିଷୟଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି। ଏହି ନୂତନ ଗବେଷଣାଧର୍ମୀ ବିଷୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ପଢ଼େଇବ କିଏ? ଦେଶର ମହାବିଦ୍ୟାଳୟଗୁଡ଼ିକରେ ଦକ୍ଷ, ଅଭିଜ୍ଞ, ପରିଶ୍ରମୀ, ଗବେଷକ ଶିକ୍ଷକ କାହାନ୍ତି? ପ୍ରଚଳିତ ଧାରାରେ ନୂତନ ଶିକ୍ଷାନୀତିର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରିବ ତ? ପ୍ରଥମେ ସରକାର ବିଷୟଭିତ୍ତିକ ଦକ୍ଷ, ଅଭିଜ୍ଞ ଓ ଗବେଷକ ଶିକ୍ଷକମାନଙ୍କୁ ନିଯୁକ୍ତ କରି ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରାନ୍ତୁ। ଅନ୍ୟଥା ଏହା ବହ୍ୱାଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହେବ! ଯଦି ଅର୍ଥଶାସ୍ତ୍ର ବିଭାଗ ଶିକ୍ଷକ ‘ପରିବେଶ, ଅଧ୍ୟୟନ ଓ ପ୍ରାକୃତିକ ଦୁର୍ବିପାକ’ ବିଷୟ ପଢ଼଼ାଏ, ‘ସମାଜ ବିଜ୍ଞାନ’ ଶିକ୍ଷକ ‘ଖାଦ୍ୟ ଓ ପୁଷ୍ଟିସାଧନ’ ବିଷୟ ପଢ଼଼ାଏ, ବହୁଚର୍ଚ୍ଚିତ ନୂତନ ଶିକ୍ଷାନୀତିର ଉଦ୍ଦେଶ୍ୟ ପୂରଣ ହୋଇ ପାରିବ କି? ଗବେଷଣା କରି ନ ଥିବା ଶିକ୍ଷକ ଗବେଷଣାଧର୍ମୀ ବିଷୟଗୁଡ଼ିକୁ ପଢ଼଼ାଇଲେ ନୂତନ ଶିକ୍ଷାନୀତି ତା’ର ମୌଳିକ ଲକ୍ଷ୍ୟପଥରୁ ଦୂରେଇ ଯିବା ନିଶ୍ଚିତ।
ଶିକ୍ଷକମାନଙ୍କୁ ସ୍ୱାଧୀନ ଭାବରେ ଶିକ୍ଷାଦାନ କରିବା ପାଇଁ ସୁଯୋଗ ଦିଆଯିବା ଆବଶ୍ୟକ। କର୍ମସ୍ଥଳରେ ସେମାନଙ୍କୁ ନାଲି ଆଖି ଦେଖାଯିବା ଉଚିତ୍ ନୁହେଁ। ନିଜର ସ୍ୱାର୍ଥ ପାଇଁ ସେମାନଙ୍କୁ ଅପବ୍ୟବହାର କରା ନ ଯାଉ। ସେମାନଙ୍କୁ ବିଭିନ୍ନ ଉପାୟରେ ମାନସିକ ନିର୍ଯାତନା ଦିଆ ନ ଯାଉ। ଆମକୁ ମନେ ରଖିବାକୁ ହେବ, ଜଣେ ଦକ୍ଷ ଗବେଷକ ଓ ପ୍ରତିଭାବାନ ଶିକ୍ଷକ ଗୋଟିଏ ଅନୁଷ୍ଠାନର ଏବଂ ସମଗ୍ର ରାଷ୍ଟ୍ରର ସମ୍ପଦ। ତା’ର ଉପସ୍ଥିତି ଓ ଶିକ୍ଷାଦାନ ଉଭୟ ଶିକ୍ଷାନୁଷ୍ଠାନ ଓ ଦେଶକୁ ଗୌରବାନ୍ୱିତ କରେ। ଏ ଦିଗରେ ସରକାର, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଗଣ ସଚେତନ ହେବା ଉଚିତ୍।
ମୋ: ୯୬୬୮୦୯୧୩୦୦