ଦିଲ୍ଲୀ ମଦନୀତି ଦୁର୍ନୀତି ପ୍ରସଙ୍ଗ: ଶୀଶୋଦିଆ ଗିରଫ, ‘ଆପ୍‌‌’କୁ ଧକ୍କା

ଦିଲ୍ଲୀ ସରକାରଙ୍କ ମଦ ବିକ୍ରି ଲାଇସେନ୍ସ ଦୁର୍ନୀତି କେଶ୍‌‌ରେ ଯାହା ଅପେକ୍ଷିତ ଥିଲା ତାହା ହୋଇଛି। ଗତକାଲି ସିବିଆଇ ଦ୍ୱାରା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶୀଶୋଦିଆଙ୍କୁ ଦୀର୍ଘ ଆଠ ଘଣ୍ଟା ଧରି ଜେରା କରାଯିବା ପରେ ସନ୍ଧ୍ୟାରେ ଗିରଫ କରାଯାଇଛି। ଗତପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦିଲ୍ଲୀର ମଦ ବିକ୍ରି ଲାଇସେନ୍ସ ଦୁର୍ନୀତି ବିଷୟରେ ‘ଆପ୍‌‌’ ଦଳର ସରକାରଙ୍କ ବିରୁଦ୍ଧରେ ସିବିଆଇ ପକ୍ଷରୁ ଅଭିଯୋଗ ଅଣାଯାଇ ରାଜନୈତିକ ପରିସ୍ଥିତି ସରଗରମ୍‌‌ ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀ କେଜରିୱାଲ୍‌‌ […]

ଦିଲ୍ଲୀ ସରକାରଙ୍କ ମଦ ବିକ୍ରି ଲାଇସେନ୍ସ ଦୁର୍ନୀତି କେଶ୍‌‌ରେ ଯାହା ଅପେକ୍ଷିତ ଥିଲା ତାହା ହୋଇଛି। ଗତକାଲି ସିବିଆଇ ଦ୍ୱାରା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶୀଶୋଦିଆଙ୍କୁ ଦୀର୍ଘ ଆଠ ଘଣ୍ଟା ଧରି ଜେରା କରାଯିବା ପରେ ସନ୍ଧ୍ୟାରେ ଗିରଫ କରାଯାଇଛି। ଗତପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦିଲ୍ଲୀର ମଦ ବିକ୍ରି ଲାଇସେନ୍ସ ଦୁର୍ନୀତି ବିଷୟରେ ‘ଆପ୍‌‌’ ଦଳର ସରକାରଙ୍କ ବିରୁଦ୍ଧରେ ସିବିଆଇ ପକ୍ଷରୁ ଅଭିଯୋଗ ଅଣାଯାଇ ରାଜନୈତିକ ପରିସ୍ଥିତି ସରଗରମ୍‌‌ ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀ କେଜରିୱାଲ୍‌‌ ବହୁ ଆଗରୁ ଉପମୁଖ୍ୟମନ୍ତ୍ରୀ ଶୀଶୋଦିଆଙ୍କୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ସିବିଆଇ ମାଧ୍ୟମରେ ଗିରଫ କରିବେ ବୋଲି ଭବିଷ୍ୟତବାଣୀ ଶୁଣାଇଥିଲେ। ସେ କହି ଆସୁଥିଲେ ଯେ ପଞ୍ଜାବ ବିଧାନସଭା ନିର୍ବାଚନ ଓ ତା’ ପରେ ପରେ ଦିଲ୍ଲୀ ମ୍ୟୁନିସିପାଲ୍‌‌ ନିର୍ବାଚନରେ ‘ଆପ୍‌‌’ ଦଳ ବିଜୟୀ ହୋଇଥିବାରୁ କେନ୍ଦ୍ର ଏନ୍‌‌ଡିଏ ସରକାର ତାଙ୍କ ଦଳକୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ଆରମ୍ଭ କରିଛି। ଗତକାଲି ମଧ୍ୟ ଶୀଶୋଦିଆ ଗିରଫ ହେବା ପରେ ‘ଆପ୍‌‌’ ଦଳ ଏହାକୁ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳାଦିବସ ବୋଲି ଆକ୍ଷେପ କରିଛନ୍ତି।

ସିବିଆଇର ସମନ ଅନୁସାରେ ଗତକାଲି ମନୀଷ ଶୀଶୋଦିଆ ଜେରା ପାଇଁ ଯିବା ପୂର୍ବରୁ ଗାନ୍ଧୀ ସମାଧି ରାଜଘାଟଠାରେ ଦଳୀୟ କର୍ମୀମାନଙ୍କ ସମାବେଶରେ କହିଥିଲେ ଯେ ସେ ଏହି ସିବିଆଇ ଅନୁସନ୍ଧାନରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ‘ମୋର ଜେଲ୍‌‌ ଯିବା ପାଇଁ ଭୟ ନାହିଁ, ମୁଁ ସହିଦ ଭଗତ ସିଂହଙ୍କ ଅନୁଗାମୀ, ଯିଏ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ମନଗଢ଼ା ଅଭିଯୋଗରେ ଜେଲ୍‌‌ ଯିବା କିଛି ବଡ଼ କଥା ନୁହେଁ।’ ସେ ସଭାରେ ଶୀଶୋଦିଆଙ୍କୁ ଆଶ୍ୱାସନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯଦି ସିବିଆଇ ତାଙ୍କୁ ଗିରଫ କରେ ତେବେ ତାଙ୍କ ପରିବାରର ସମସ୍ତ ସୁରକ୍ଷା ଭାର ଦିଲ୍ଲୀ ସରକାର ନେବେ।

ଦିଲ୍ଲୀ ମଦ ଦୁର୍ନୀତିକୁ ନେଇ ବିଜେପି ଓ ‘ଆପ୍‌‌’ଦଳ ଭିତରେ ତିକ୍ତତା ଇତିମଧ୍ୟରେ ବହୁତ ବଢ଼଼ିଯାଇଛି। ‘ଆପ୍‌‌’ ନେତାମାନେ ଲଗାତାର ଅଭିଯୋଗ ଆଣି ଚାଲିଛନ୍ତି ଯେ କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ହାତବାରିସି କରି ରାଜନୈତିକ ବିରୋଧୀମାନଙ୍କ ମୁହଁ ବନ୍ଦ କରିବାକୁ ରୀତିମତ ଚେଷ୍ଟା ଚଲାଇଛନ୍ତି। ଏଭଳି ଅଭିଯୋଗ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟମାନଙ୍କରୁ ମଧ୍ୟ ଶୁଣାଯାଉଛି। ଏଭଳି ରାଜନୈତିକ ଦୁରଭିସନ୍ଧିର ଅଭିଯୋଗ କେତେ ସତ ବା କେତେ ମିଛ ତାହା ଜାଣିବା ପାଇଁ ଆଇନଗତ ତଦନ୍ତ କରିବା ପାଇଁ ତ ସିବିଆଇ ଓ ଇଡି ଭଳି ସଂସ୍ଥାର ସ୍ଥାପନା କରାଯାଇଛି। ଏହି ଦୁଇଟି ସଂସ୍ଥା ୟୁପିଏ ଶାସନ କାଳରୁ ବିଭିନ୍ନ ପ୍ରକାର ଅଭିଯୋଗ ଓ ନିନ୍ଦାର ଶିକାର ହୋଇ ଆସୁଛନ୍ତି। ସିବିଆଇକୁ ‘ପଞ୍ଜୁରୀବଦ୍ଧ ଶୁଆ’ ବୋଲି ବାରମ୍ବାର କୁହାଗଲେ ମଧ୍ୟ ନ୍ୟାୟିକ ଯାଞ୍ଚ ଓ ଅଦାଲତ ବିଚାର ପରେ କୋଇଲା ଖଣି ନିଲାମ ଦୁର୍ନୀତି ଓ ଟୁଜି ଲାଇସେନ୍ସ ଦୁର୍ନୀତି ଆଦି ବଡ଼ ବଡ଼ ଦୁର୍ନୀତି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି ଏବଂ ସଂଶୋଧିତ ପ୍ରଶାସନିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦେଶରେ ଆଇନର ଶାସନ ପାଇଁ ଓ ଅପରାଧ ଦମନ ପାଇଁ ଯେଉଁ ଯାଞ୍ଚ ପ୍ରକ୍ରିୟା ଓ ଅଦାଲତ ପ୍ରକ୍ରିୟା କରାଯାଇଛି ସେଥିରେ ଯଦି ରାଜନୈତିକ ଦଳର ନେତା, ସେ ଶାସକ ଦଳର ହୁଅନ୍ତୁ ବା ବିରୋଧୀ ଦଳର, ଯଦି ସମ୍ପୃକ୍ତ ଥିବାର ଜଣାପଡ଼େ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରା ନଯିବ କିପରି? ସିବିଆଇ ଓ ଇଡି ଦୁଇଟି ଯାକ କେନ୍ଦ୍ରୀୟ ସଂସ୍ଥା କ’ଣ ତାଙ୍କ କାମ କରିବା ବନ୍ଦ କରିଦେବେ? ରାଜ୍ୟ ବିଧାନସଭା ହେଉ ବା ଲୋକସଭା ନିର୍ବାଚନ ହେଉ ତା’ର ବର୍ଷେ ଆଗରୁ କ’ଣ କୌଣସି ଦୁର୍ନୀତି ମାମଲା ସିବିଆଇ ଓ ଇଡି ରୁଜୁ କରିବେ ନାହିଁ? ଦେଖିବାକୁ ଗଲେ ବିହାରର ଚାରା ଦୁର୍ନୀତି ହେଉ ବା କେନ୍ଦ୍ରରେ କୋଇଲା ଖଣି ନିଲାମ୍‌‌ ଦୁର୍ନୀତି ଆଦି ହେଉ ଏ ସବୁ କେଶ୍‌‌ରେ ଉଚ୍ଚ ନ୍ୟାୟାଳୟ ବା ଉଚ୍ଚତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା। ସେ ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏ ଦୁଇ ଯାଞ୍ଚ ସଂସ୍ଥାର ଦୁରୁପଯୋଗ କରାଯାଉଛି ବୋଲି ଲାଞ୍ଛନା ଶୁଣିବାକୁ ପଡ଼ିଥିଲା। ଯଦି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ ବଡ଼ ଦୁର୍ନୀତି ମାମଲାଗୁଡ଼ିକ ଯାଞ୍ଚ କରାଯାଉଛି ତେବେ ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ଆଦୌ ସ୍ପୃହଣୀୟ ନୁହେଁ। ଉଚ୍ଚ ରାଜନୈତିକ ନେତୃସ୍ତରରେ ବଡ଼ ବଡ଼ ଦୁର୍ନୀତିଗୁଡ଼ିକ ଯଦି ଆମେ ରୋକି ନ ପାରିବା ଏବଂ ତାଙ୍କୁ ଦଣ୍ଡ ନ ଦେବା ତେବେ ଛୋଟ ଛୋଟ ସ୍ତରରେ ପ୍ରଶାସନିକ କର୍ମଚାରୀମାନଙ୍କର ଖୁଚୁରା ଦୁର୍ନୀତିକୁ ଧରି ବାନ୍ଧି ବୀରତ୍ୱ ଦେଖାଇଲେ ସେଥିରୁ ଦେଶକୁ କିବା ଲାଭ ମିଳିବ? ବଡ଼ବଡ଼ିଆଙ୍କ କଳାକାରନାମା ଧରି ନ ପାରିଲେ ଦେଶର ସମ୍ବିଧାନରେ ଅପରାଧୀକୁ ଦଣ୍ଡ ଦେବାର ଆଇନର ମାନେ କେଉଁଠି ରହିଲା?

ଦିଲ୍ଲୀରେ ‘ଆପ୍‌‌’ ଦଳର ଉତ୍ପତ୍ତି ହୋଇଥିଲା ୨୦୧୧ରେ ଆନ୍ନା ହଜାରେଙ୍କ ଦ୍ୱାରା ଦୁର୍ନୀତି ବିରୋଧୀ ବିଶାଳ ଆନ୍ଦୋଳନ ପୃଷ୍ଠଭୂମିରେ। ଯଦିବା କେଜରିୱାଲ୍‌‌ ‘ଆପ୍‌‌’ ଦଳ ଗଠନ ପୂର୍ବରୁ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଥିଲେ ତଥାପି ଆନ୍ନା ହଜାରେଙ୍କ ବାରଣ ସତ୍ତ୍ବେ ଏବଂ ନିଜ ଶପଥ ବିରୁଦ୍ଧରେ ୨୦୧୨ ନଭେମ୍ବରରେ ‘ଆପ୍‌‌’ ଦଳ ଗଠନ କରି ୨୦୧୩ରେ କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସହ ବୁଝାମଣା କରି ସରକାର ଗଠନ କଲେ। ଦୁର୍ନୀତିକୁ ସମୂଳେ ବିନାଶ କରିବା ଦୀକ୍ଷା ନେଇ କେଜରିୱାଲ୍‌‌ଙ୍କ ‘ଆପ୍‌‌’ ଦଳ ଭାରତର ସାମ୍ପ୍ରତିକ ରାଜନୈତିକ ମାନଚିତ୍ରରେ ଏକ ନୂତନ ତଥା ଶୁଭଙ୍କର ଉଦାହରଣ ପ୍ରସ୍ତୁତ କରିଥିଲେ। ତେବେ ଘଟଣାଚକ୍ରରେ ପଡ଼ି ମଦ ବିକ୍ରି ଲାଇସେନ୍ସ କ୍ଷେତ୍ରରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ତାଙ୍କର ଅବକାରୀ ମନ୍ତ୍ରୀ ମନୀଷ ଶୀଶୋଦିଆ ଯାହା ପଦକ୍ଷେପ ନେଇଛନ୍ତି ସେଥିରେ ଯଦି ଦୁର୍ନୀତିର ଗନ୍ଧ ଆସୁଛି ତେବେ ତାହାର ଆଇନଗତ ନିରପେକ୍ଷ ଯାଞ୍ଚ ପ୍ରକ୍ରିୟାକୁ ପ୍ରତିଶୋଧମୂଳକ ରାଜନୀତି ବୋଲି କହିବା ‘ଆପ୍‌‌’ ଦଳକୁ ଶୋଭା ପାଉନାହିଁ। କେନ୍ଦ୍ର ଶାସକ ଏନ୍‌‌ଡିଏ ମେଣ୍ଟ ‘ଆପ୍‌‌’ ଦଳର ଶାସନ ପଞ୍ଜାବକୁ ବିସ୍ତାର ଓ ଦିଲ୍ଲୀ ପୌର କର୍ପୋରେସନ୍‌‌ରେ ନିର୍ବାଚନରେ ସଫଳତା ହାସଲକୁ ନେଇ ଈର୍ଷାନ୍ୱିତ ହେବା ସ୍ୱାଭାବିକ। କିନ୍ତୁ ଏହାର ଅର୍ଥ ନୁହେଁ ସିବିଆଇ ଓ ଇଡି ‘ଆପ୍‌‌’ ସରକାରର ଦୁର୍ନୀତି ଅଭିଯୋଗ ବିଷୟରେ କୌଣସି ମାମଲା ହାତକୁ ନେବେ ନାହିଁ। ‘ଆପ୍‌‌’ ଦଳ ସହ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ବେ ଶାସକ ଏନ୍‌‌ଡିଏ ଦଳକୁ ମଧ୍ୟ ଲକ୍ଷ୍ମଣ ରେଖା ମଧ୍ୟରେ ରହି ନ୍ୟାୟ ପ୍ରକ୍ର୍ରିୟାକୁ ପ୍ରଭାବିତ କରିବେ ନାହିଁ ବୋଲି ଆଶା କରାଯାଉଛି। n

About The Author: The Sakala