ରହସ୍ୟମୟ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ: ଯେଉଁଠାରେ ରାତ୍ରିରେ ବିଶ୍ରାମ ନିଅନ୍ତି ମହାଦେବ, ବନ୍ଦ ଦ୍ୱାର ପଛରେ ଖେଳନ୍ତି ପଶାପାଲି

ଦେବାଧିଦେବ ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ମଧ୍ୟପ୍ରଦେଶରେ ଅବସ୍ଥିତ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଚତୁର୍ଥ ସ୍ଥାନରେ ଆସିଥାଏ। ରହସ୍ୟ ଏବଂ ଚମତ୍କାରିତାର କେନ୍ଦ୍ର ପାଲଟିଥିବା ଏହି ପବିତ୍ର ଧାମରେ ପ୍ରଭୁ ଶିବଶମ୍ଭୁ ନର୍ମଦା ନଦୀ ତଟରେ ଥିବା ଏକ ଓଁ (ॐ) ଆକାରର ପାହାଡ଼ ଉପରେ ବିରାଜମାନ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରା ଏହିଠାରେ ଜଳାଭିଷେକ ବିନା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ନର୍ମଦା ତଟରେ ଅବସ୍ଥିତ ମମଲେଶ୍ୱର ମହାଦେବ

ମଧ୍ୟପ୍ରଦେଶର ଇନ୍ଦୋର ସହରଠାରୁ ପ୍ରାୟ ୭୮ କିଲୋମିଟର ଦୂରରେ ନର୍ମଦା ନଦୀ କୂଳରେ ଅବସ୍ଥିତ ଏହି ତୀର୍ଥସ୍ଥାନ। ଏହା ଏକମାତ୍ର ଧାମ, ଯାହା ନର୍ମଦା ନଦୀର ଉତ୍ତର ଦିଗରେ ଅବସ୍ଥିତ। ଏହି ପବିତ୍ର ଧାମରେ ବାବା ଭୋଳାନାଥଙ୍କୁ ମମଲେଶ୍ୱର ବା ଅମଲେଶ୍ୱର ନାମରେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ନିକଟରେ ପ୍ରାୟ ୬୮ଟି ତୀର୍ଥସ୍ଥଳ ରହିଛି ଏବଂ ଏଠାରେ ପ୍ରଭୁ ନୀଳକଣ୍ଠ ୩୩ କୋଟି ଦେବାଦେବୀଙ୍କ ସହିତ ବାସ କରନ୍ତି। ମହାଶିବରାତ୍ରି ସମେତ ବିଭିନ୍ନ ପବିତ୍ର ତିଥିରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ଧାମର ଦର୍ଶନ ଏବଂ ପୂଜାର୍ଚ୍ଚନା କଲେ ସମସ୍ତ ପାପ ନାଶ ହୁଏ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି।

ବିଶ୍ୱ ପ୍ରସିଦ୍ଧ ଶୟନ ଆଳତି ଓ ପଶାପାଲି ଖେଳର ରହସ୍ୟ

ଉଜ୍ଜୟିନୀର ମହାକାଳେଶ୍ୱରଙ୍କ ଭସ୍ମ ଆଳତି ଭଳି ବାବା ଓଁକାରେଶ୍ୱରଙ୍କ ଶୟନ ଆଳତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ପ୍ରତିଦିନ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ଆଳତି ସମ୍ପନ୍ନ ହେବା ପରେ ଶେଷରେ ରାତ୍ରିରେ ଶୟନ ଆଳତି କରାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ପ୍ରଭୁ ମହାଦେବ ତ୍ରିଲୋକ ଭ୍ରମଣ କରିବା ପରେ ପ୍ରତିଦିନ ରାତିରେ ବିଶ୍ରାମ ନେବା ପାଇଁ ଏଠାକୁ ଆସିଥାନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶ୍ୱାସ କରାଯାଏ ଯେ ରାତିରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀ ଗର୍ଭଗୃହରେ ପଶାପାଲି ଖେଳନ୍ତି। ଏଥିପାଇଁ ପ୍ରତିଦିନ ରାତିରେ ମନ୍ଦିରର ଗର୍ଭଗୃହରେ ଏକ ପଶାପାଲି ବିଛାଇ ଦିଆଯାଏ। ରାତିରେ ମନ୍ଦିର ପରିସରକୁ କାହାରି ପ୍ରବେଶ ଅନୁମତି ନଥାଏ, ଏପରିକି ପକ୍ଷୀଟିଏ ମଧ୍ୟ ସେଠାରେ ଉଡ଼ିପାରେ ନାହିଁ। କିନ୍ତୁ ସକାଳୁ ମନ୍ଦିରର ଦ୍ୱାର ଖୋଲିବା ବେଳେ ପଶାପାଲିର ଗୋଟିଗୁଡ଼ିକ ଏଣେତେଣେ ଖେଳାଇ ହୋଇ ପଡ଼ିଥିବାର ଦେଖିବାକୁ ମିଳେ। ଯେମିତିକି ରାତିରେ କେହି ସେଠାରେ ବସି ଖେଳିଛନ୍ତି। ଏହି କାରଣରୁ ଏହି ପବିତ୍ର ପୀଠକୁ ପ୍ରଭୁ ଉମା ଏବଂ ଶଙ୍କରଙ୍କ କ୍ରୀଡ଼ାସ୍ଥଳ ମଧ୍ୟ କୁହାଯାଏ।

About The Author: Suryakanta